Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଲୁଗାଁରେ ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆ,ବସ ଭିତରୁ ଧରିଲା ଅବକାରୀ ବିଭାଗ: ଦୁଇ ଗିରଫ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆନ୍ତରାଜ୍ୟ ଚୋରା ଗଞ୍ଜେଇ ଚାଲାଣକାରୀ ଗ୍ୟାଙ୍ଗର ସଦସ୍ୟଙ୍କୁ ଧରିବାରେ ସଫଳ ହୋଇଛି ବାଲୁଗାଁ ଅବକାରୀ ବିଭାଗ। ହସ୍ତଗତ ତଥ୍ୟ ଅନୁଯାୟୀ ସୁଦୂର ମାଲକାନଗିରିରୁ ଖୋର୍ଦ୍ଧା ଜିଲ୍ଲା ଦେଇ ବସ ଯୋଗେ ଚୋରାରେ ଗଞ୍ଜେଇ ଚାଲାଣ ରାଜ୍ୟ ବାହାରର ବିଭିନ୍ନ ଅଞ୍ଚଳକୁ ପଠାଯାଉଥିଲା। ପୂର୍ବରୁ ଏହି ଖବର ବାଲୁଗାଁ ଅବକାରୀ ବିଭାଗ ପାଖରେ ପହଞ୍ଚିଥିଲା।

ଏହି ପରିପ୍ରେକ୍ଷୀରେ ଆଜି ସକାଳୁ ଟାଙ୍ଗୀ ଅବକାରୀ ନିରୀକ୍ଷକ ଆଲୋକ ପ୍ରଧାନ ଏବଂ ବାଲୁଗାଁ ଅବକାରୀ ଉପ ନିରୀକ୍ଷକ ମନୋଜ ବାରିକଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ନାଭାଲ ଛକ ଏବଂ ଟାଙ୍ଗୀ ଥାନା ଅନ୍ତର୍ଗତ କୁହୁଡି ବସ ଷ୍ଟାଣ୍ଡରେ ପୃଥକ ପୃଥକ ଭାବେ ଚଢ଼ାଉ କରାଯାଇଥିଲା।

ଭୋର ଚାରି ଟାରୁ ଦିନ ୯ ଘଟିକା ଯାଏଁ ଉକ୍ତ ଚଢ଼ାଉ ଜାରି ରହିଥିଲା। ଏହି ସମୟରେ ନାଭାଲ ଛକରେ ମାଲକାନଗିରିରୁ ଆସୁଥିବା ଏକ ଓଏସଆରଟିସି ବସ ମଧ୍ୟରୁ ଉତ୍ତରପ୍ରଦେଶ ହାଥରସ ଜିଲ୍ଲାର ବୁଲବୁଲ ବେଗମ(୩୮) ଙ୍କ ନିକଟରୁ ୭ କେଜି ୧୦୦ ଗ୍ରାମ ଏବଂ କୁହୁଡି ବସ ଷ୍ଟାଣ୍ଡରୁ ଜୟପୁରରୁ ଆସୁଥିବା ଦିଲଦାର ବସରୁ ବିହାର ପଶ୍ଚିମ ଚମ୍ପାରନ ଜିଲ୍ଲାର ନଜିର ଅହମ୍ମଦ(୩୭)ଙ୍କ ନିକଟରୁ ୫ କେଜି ୧୦୦ ଗ୍ରାମ ଗଞ୍ଜେଇ ଅବକାରୀ ବିଭାଗ ଜବତ କରିଛି।

ପୂର୍ବରୁ ଦୁହେଁ ଏକାଧିକ ଥର ଓଡ଼ିଶା ଆସି ଏହିପରି ଭାବେ ଚୋରାରେ ବସ ଯୋଗେ ଅନ୍ୟ ରାଜ୍ୟକୁ ଗଞ୍ଜେଇ ଚାଲାଣ କରିଥିବାର ସ୍ୱୀକାର କରିଛନ୍ତି। ତେବେ ଉଭୟଙ୍କ ବିରୁଦ୍ଧରେ କେସ ନମ୍ବର ୪ ଏବଂ ୯ ରେ ଦୁଇ ଗୋଟି ମାମଲା ରୁଜୁ କରଯାଇଅଛି ଏବଂ ଆଜି ଉଭୟଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି।

ତେବେ ଏହା ଏକ ବଡ଼ ରାକେଟ ଏବଂ ଏମାନଙ୍କ ସହ କିଏ କିଏ ସାମିଲ ଥାଇ ଅନ୍ୟ ରାଜ୍ୟକୁ ଗଞ୍ଜେଇ ଯିବାରେ ସହଯୋଗ କରୁଛନ୍ତି ତାଙ୍କୁ ଖୁବଶୀଘ୍ର ଧରାଯିବ ବୋଲି ଅବକାରୀ ନିରୀକ୍ଷକ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ରଣପୁର ପୋଲିସକୁ ବଡ ସଫଳତା: ୨୨ ଲକ୍ଷରୁ ଊର୍ଦ୍ଧ୍ୱ ଗଞ୍ଜେଇ ସହ ୧୦ ଚକିଆ ଗାଡି ଜବତ, ୬ ଗିରଫ

ନୟାଗଡ଼: ରଣପୁର ଥାନା ପୋଲିସକୁ ମିଳିଛି ଏକ ବଡ ସଫଳତା। ବିପୁଳ ପରିମାଣର ଗଞ୍ଜେଇ ସହ ଏକ ୧୦ ଚକିଆ ଟ୍ରକ୍ ପୋଲିସ ଜବତ କରିଛି। ଏହାସହ ଆନ୍ତରାଜ୍ୟ ଚୋରା ଗଞ୍ଜେଇ ଚାଲାଣ ର‌୍ୟାକେଟକୁ ଧରିବାରେ ମଧ୍ୟ ପୋଲିସ ସଫଳ ହୋଇଛି।

ନୟାଗଡ଼ ଜିଲ୍ଲା ରଣପୁର ଥାନା ପୋଲିସ ଏକ ଆନ୍ତରାଜ୍ୟ ଗଞ୍ଜେଇ ଚୋରାଚାଲାଣ ର‌୍ୟାକେଟକୁ ଗିରଫ କରିବା ସହ ବ୍ୟବହାର ହୋଇଥିବା ଏକ ୧୦ ଚକିଆ ଟ୍ରକ୍ ଓ ସେଥିରୁ ୩ କୁଇଣ୍ଟାଲ ୬୬ କେଜି ଗଞ୍ଜେଇ ଜବତ କରିଛି। ଗିରଫ ଅଭିଯୁକ୍ତମାନଙ୍କୁ ରଣପୁର ପୋଲିସ ଆଜି କୋର୍ଟ ଚାଲାଣ କରିଥିବା ରଣପୁର ଆଇଆଇସି ଜ୍ୟୋତିପ୍ରକାଶ ପଣ୍ଡା ସୂଚନା ଦେଇଛନ୍ତି।

ପୋଲିସ ସୂତ୍ରରୁ ମିଳିଥିବା ଖବର ଅନୁସାରେ ବିପୁଳ ପରିମାଣର ଗଞ୍ଜେଇ ଚାଲାଣ ହେଉଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଆଇଆଇସି ଶ୍ରୀ ପଣ୍ଡା, ଏସଆଇ ପ୍ରୀତି ପ୍ରକାଶ ମହାନ୍ତି ସଦଳବଳେ ରାଜସୁନାଖଳା କୋଟଗଡ ଘାଟି ନିକଟରେ ଜଗି ରହିଥିଲେ। ମଙ୍ଗଳବାର ସନ୍ଧ୍ୟା ୭ଟାରେ ସଂନ୍ଦିଗ୍ଧ ୧୦ଚକିଆ ଟ୍ରକ୍‌କୁ ଘାଟି ନିକଟରେ ଅଟକାଇ ଯାଞ୍ଚ କରିବାରୁ ସେଥିରେ ଗଞ୍ଜେଇ ଥିବା ଦେଖି ଗଞ୍ଜେଇ ସହ ଟ୍ରକ୍‌କୁ ଜବତ କରିଥିଲେ।

ଗିରଫ ଅଭିଯୁକ୍ତମାନେ ହେଲେ ଆଠଗଡ ଜେନାପଦାର କାଳନ୍ଦିଚରଣ ରଣା, ଗୁଣ୍ଠୁଣିର ପବିତ୍ର କୁମାର ନାୟକ, ବେଗୁନିଆର ନାରାୟଣ ପରିଡା, ଭଞ୍ଜଗର ତାରିସେଣି ର ଭିକାରୀ ସେଠୀଙ୍କ ସମେତ ଉତ୍ତରପ୍ରଦେଶ ବାରଣାସୀ ଅଞ୍ଚଳର ଆରେଖ କୁମାର ଓ ବିନୟ କୁମାର।

ଏହି ଗଞ୍ଜେଇ ବିଶାଖାପାଟଣା ଅଞ୍ଚଳରୁ ଉତ୍ତରପ୍ରଦେଶ ବାରଣାସୀ ଯାଉଥିଲା ବୋଲି ପୋଲିସ ଗିରଫ ଅଭିଯୁକ୍ତମାନଙ୍କୁ ଜେରା କଲାବେଳେ ଜାଣିବାକୁ ପାଇଛି। ଏହି ଆନ୍ତରାଜ୍ୟ ଗଞ୍ଜେଇ ଚୋରା ଚାଲାଣରେ ଓଡ଼ିଶାର କିଛି ଗଞ୍ଜେଇ ବେପାରୀ ସାମିଲ୍ ଥିବାର ଅନୁମାନ କରାଯାଉଛି।