Categories
ବିଶେଷ ଖବର

ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ଏମଡିଙ୍କୁ ଭେଟିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ଓ କର୍ପୋରେଟ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠିର ପରିଚାଳନା ନିର୍ଦ୍ଦେଶିକା କ୍ରିଷ୍ଟାଲିନା ଜର୍ଜିଭାଙ୍କୁ ୱାସିଂଟନ ଡିସିଠାରେ ସାକ୍ଷାତ କରିଛନ୍ତି। ଆଜି ୱାସିଂଟନ ଡିସିଠାରେ ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ଏବଂ ବିଶ୍ୱ ବ୍ୟାଙ୍କର ଏକ ସମ୍ମିଳନୀ ଆୟୋଜିତ ହୋଇଛି। ଏହି ଅବସରରେ ଅର୍ଥମନ୍ତ୍ରୀ ଏବଂ ପରିଚାଳନା ନିର୍ଦ୍ଦେଶିକାଙ୍କ ସହିତ ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟର ମୁଖ୍ୟ ଅର୍ଥନୀତିକ ପରାମର୍ଶଦାତା ଅନନ୍ତ ଭି.ନାଗେଶ୍ୱରନ ଏବଂ ଆନ୍ତର୍ଜାତିକ ମୁଦ୍ରାପାଣ୍ଠିର ଆର୍ଥିକ ବ୍ୟାପାର ପରିଚାଳନା ନିର୍ଦ୍ଦେଶକ ଗୀତା ଗୋପୀନାଥ ମଧ୍ୟ ଉପସ୍ଥିତ ଥିଲେ। ଦ୍ୱିପାକ୍ଷିକ ଆଲୋଚନା ସମୟରେ ଭାରତ ସହ ସମ୍ପର୍କୀତ ପ୍ରସଙ୍ଗ ଏବଂ ଆଞ୍ଚଳିକ ତଥା ବିଶ୍ୱସ୍ତରରେ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ପ୍ରସଙ୍ଗ ଉପସ୍ଥାପନ କରାଯାଇଥିଲା।

କୋଭିଡ-୧୯ ବିଶ୍ୱ ମହାମାରୀ ସମ୍ପର୍କୀତ ଆହ୍ୱାନ ସତ୍ତ୍ୱେ ଭାରତ ଦୃତ ବିକାଶ ପଥରେ ଆଗେଇଥିବା କଥା ଶ୍ରୀମତୀ ଜର୍ଜିଭା ଉଲ୍ଲେଖ କରିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ ଭାରତ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନେଇ ଏକ ପ୍ରଭାବଶାଳୀ ଆର୍ଥିକ ନୀତି ଗ୍ରହଣ କରିଛି। ଆନ୍ତର୍ଜାତିକ ମୁଦ୍ରାପାଣ୍ଠିର ଦକ୍ଷତା ବିକାଶ କ୍ଷେତ୍ରରେ ଭାରତର ଯୋଗଦାନ ପାଇଁ ସେ ଭାରତର ପ୍ରଶଂସା କରିଥିଲେ।

ଭାରତର ଟିକାକରଣ କାର୍ଯ୍ୟକ୍ରମର ପ୍ରଶଂସା କରି ପଡୋଶୀ ତଥା କୋଭିଡ ସଂକ୍ରମଣରେ ସମ୍ବେଦନଶୀଳ ରାଷ୍ଟ୍ରଗୁଡିକୁ ଭାରତ ସହାୟତା ଦେଇଥିବାରୁ ସେ ଭାରତର ପ୍ରଶଂସା କରିଥିଲେ। ସ୍ୱତନ୍ତ୍ର ଭାବରେ ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ ସମୟରେ ଭାରତ ଏହି ଦେଶକୁ ସାହାଯ୍ୟ କରିଥିବା ଉଲ୍ଲେଖ କରିଥିଲେ। ଶ୍ରୀଲଙ୍କାକୁ ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ତୁରନ୍ତ ସହାୟତା କରିବା ଆବଶ୍ୟକ ବୋଲି ଶ୍ରୀମତୀ ସୀତାରମଣ ମତ ଦେଇଥିଲେ। ଶ୍ରୀଲଙ୍କା ସହିତ ନିରବଚ୍ଛିନ୍ନ ଭାବରେ ସମ୍ପର୍କରେ ରହିବା ପାଇଁ ପରିଚାଳନା ନିର୍ଦ୍ଦେଶିକା ପ୍ରତିଶ୍ରୁତି ଦେଇଥିଲେ। ଉଭୟେ ଆଲୋଚନା ସମୟରେ ବିଶ୍ୱରେ ବର୍ତ୍ତମାନର ଭୌଗୋଳିକ-ରାଜନୀତିକ ସ୍ଥିତି ପ୍ରସଙ୍ଗ ଉପସ୍ଥାପନ କରି ବିଶ୍ୱ ଅର୍ଥନୀତି ଏବଂ ଶକ୍ତି କ୍ଷେତ୍ର ଉପରେ ଏହାର କୁପ୍ରଭାବ ନେଇ ଗଭୀର ଚିନ୍ତା ବ୍ୟକ୍ତ କରିଥିଲେ।

ଭାରତର ଆର୍ଥିକ ନୀତି ସମ୍ପର୍କରେ ଉଲ୍ଲେଖ କରି ଶ୍ରୀମତୀ ସୀତାରମଣ କହିଥିଲେ ଯେ – ବ୍ୟାଙ୍କ ଗୁଡିକ ଦେବାଳିଆ ହେବା ପରିସ୍ଥିତିକୁ ଆସିଯାଉଥିବାରୁ ଅଣୁ-କ୍ଷୁଦ୍ର-ମଧ୍ୟମ ଉଦ୍ୟୋଗ ଏବଂ ସମାଜର ସମ୍ବେଦନଶୀଳ ଗୋଷ୍ଠୀଙ୍କ ନିମିତ୍ତ ଆର୍ଥିକ ନୀତିରେ ଢାଞ୍ଚାଗତ ପରିବର୍ତ୍ତନ ଭାରତ କରୁଛି। ବିଭିନ୍ନ ଆର୍ଥିକ କ୍ଷେତ୍ରର କର୍ତ୍ତୃପକ୍ଷମାନେ ଏହି କାର୍ଯ୍ୟରେ ଦେଶକୁ ସହଯୋଗ କରୁଥିବା ସେ ଦର୍ଶାଇଥିଲେ।

ଅର୍ଥମନ୍ତ୍ରୀ ଆହୁରି ମଧ୍ୟ ଦର୍ଶାଇଥିଲେ ଯେ, କୋଭିଡ ସମସ୍ୟା ସତ୍ତ୍ୱେ ଉତ୍ତମ ପାଣିପାଗ ଏବଂ ବିପୁଳ କୃଷି ଉତ୍ପାଦନ ଦେଶକୁ ସହାୟକ ହୋଇଛି। ଅନ୍ୟାନ୍ୟ ରପ୍ତାନୀ ସହ କୃଷି ରପ୍ତାନୀ ମଧ୍ୟ ବୃଦ୍ଧି ପାଇଛି। ବିଶ୍ୱର ଯୋଗାଣ ଶୃଙ୍ଖଳକୁ ସହାୟତା କରିବା ଭଳି ଏକ ଅର୍ଥନୀତିରେ ଭାରତ ସମୃଦ୍ଧ ହେବାକୁ ଯାଉଥିବା ଶ୍ରୀମତୀ ସୀତାରମଣ ଦର୍ଶାଇଥିଲେ।