Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସାବିତ୍ରୀବାଇ ଫୁଲେ ପୁନେ ବିଶ୍ୱବିଦ୍ୟାଳୟରେ ‘ଆନ୍ତର୍ଜାତିକ ଯୋଗ ଦିବସ’ ପାଳିଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ଵର: ‘ନବମ ଆନ୍ତର୍ଜାତିକ ଯୋଗ ଦିବସ’ ଅବସରରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସାବିତ୍ରୀବାଇ ଫୁଲେ ପୁନେ ବିଶ୍ୱବିଦ୍ୟାଳୟରେ ଜି-୨୦ ସମ୍ମିଳନୀରେ ଯୋଗ ଦେବା ପାଇଁ  ବିଭିନ୍ନ ଦେଶରୁ ଆସିଥିବା ସଦସ୍ୟମାନଙ୍କ ସହ ଯୋଗ ଦିବସ ପାଳନ କରିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ବର୍ତ୍ତମାନର ଚାପଗ୍ରସ୍ତ ଜୀବନଶୈଳିରେ ଯୋଗର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ। ଭାରତର ପ୍ରାଚୀନ ସଂସ୍କୃତିରୁ ଆସିଥିବା ଏହି ଯୋଗ ପରମ୍ପରାକୁ ବିଶ୍ୱ ଗ୍ରହଣ କରିଛି। ନିଜ ସହ ଅନ୍ୟ ଜଣେ ମଣିଷ ସହିତ ଏହାର ଗଭୀର ସମ୍ପର୍କ ରହିଛି। ଯୋଗ ହେଉଛି ଏକ ସାମଗ୍ରିକ ଆଭିମୁଖ୍ୟ, ଯାହା ସଚେତନତାକୁ ପ୍ରୋତ୍ସାହିତ କରେ। ସାମର୍ଥ୍ୟକୁ ବଢାଇବା ସହ ଜୀବନର ମୂଳ ଅର୍ଥକୁ ବୁଝାଇଥାଏ। ସୁସ୍ଥ ଓ ସୁଖୀ ଜୀବନଯାପନ ପାଇଁ ସମସ୍ତେ ଦୈନନ୍ଦିନ ଜୀବନରେ ଯୋଗକୁ ଗ୍ରହଣ କରିବା ଆବଶ୍ୟକ। ବିଶ୍ୱରେ ଭାଇଚାରାକୁ ଅଧିକ ଦୃଢୀଭୂତ କରିବା ପାଇଁ ଯୋଗକୁ ଏକ ଜୈବନଶୈଳୀ କରିବା ପାଇଁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁନ ୨୧ ତାରିଖକୁ ଆନ୍ତର୍ଜାତିକ ଯୋଗ ଦିବସ ଭାବରେ ପାଳନ କରିବା ପାଇଁ ଆମେରିକାର ମିଳିତ ଜାତିସଂଘ ସାଧାରଣ ପରିଷଦ ନିକଟରେ ଅପିଲ୍ କରିଥିଲେ। ଏହାକୁ ବିଶ୍ୱର ଅନେକ ଦେଶ ସମର୍ଥନ ଦେଇଥିବାରୁ ଆଜି ସାରା ବିଶ୍ୱରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯାଉଛି। ଯୋଗକୁ ଲୋକପ୍ରିୟ କରିଥିବାରୁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଉଲ୍ଲେଖନୀୟ ଯେ, ଜି-୨୦ ସମ୍ମିଳନୀ ପରିପ୍ରେକ୍ଷୀରେ ଚତୁର୍ଥ ଶିକ୍ଷା ଓ୍ୱାର୍କି ଗ୍ରୁପ ବୈଠକ ପୁନେରେ ହେଉଥିବା ବେଳେ ଏହି ଯୋଗାଭ୍ୟାସ କାର୍ଯ୍ୟକ୍ରମରେ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରଣାଳୟର ଅଧିକାରୀଙ୍କ ସହ ବିଭିନ୍ନ ଜି-୨୦ ରାଷ୍ଟ୍ର ସମୂହର ପ୍ରତିନିଧି ଯୋଗଦେଇଥିଲେ।

Categories
ବିଶେଷ ଖବର

‘ଭାରତର ଆହ୍ୱାନରେ ୧୮୦ ରୁ ଅଧିକ ଦେଶ ଏକାଠି ହେବା ଐତିହାସିକ ଏବଂ ଅଭୂତପୂର୍ବ’: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ଭିଡିଓ ବାର୍ତ୍ତା ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆନ୍ତର୍ଜାତିକ ଯୋଗ ଦିବସ, ୨୦୨୩ ର ଜାତୀୟ ଉତ୍ସବକୁ ସମ୍ବୋଧିତ କରିଛନ୍ତି। ନବମ ଆନ୍ତର୍ଜାତିକ ଯୋଗ ଦିବସର ଜାତୀୟ ଉତ୍ସବ ମଧ୍ୟପ୍ରଦେଶର ଜବଲପୁର ଠାରେ ଭାରତର ଉପରାଷ୍ଟ୍ରପତି ଜଗଦୀପ ଧନଖଡଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି।ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଆନ୍ତର୍ଜାତିକ ଯୋଗ ଦିବସରେ ନାଗରିକ ମାନଙ୍କୁ ତାଙ୍କର ଶୁଭେଚ୍ଛା ଜଣାଇବା ସହ ପୂର୍ବ ଥର ଗୁଡ଼ିକ ଭଳି ଯୋଗ ଦିବସରେ ଯେତେବେଳେ ସେ ଏଠାରେ ଉପସ୍ଥିତ ଥିଲେ, ସେହି ସମୟ ଭଳି ଏବେ ସେମାନଙ୍କ ସହ ଯୋଗ ଦେଇ ନ ପାରି ବିଭିନ୍ନ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟ କାରଣରୁ ସେ ବର୍ତ୍ତମାନ ଆମେରିକା ଗସ୍ତ କରୁଥିବାରୁ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ସେମାନଙ୍କ ସହ ଯୋଡ଼ି ହେଉଛନ୍ତି ବୋଲି ସ୍ପଷ୍ଟ କରିଛନ୍ତି।

ମିଳିତ ଜାତିସଂଘ ମୁଖ୍ୟାଳୟରେ ଭାରତୀୟ ସମୟ ଅପରାହ୍ନ ପ୍ରାୟ ୫.୩୦ ରେ ସେ ଯୋଗ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଏବଂ କହିଛନ୍ତି ଯେ ଭାରତର ଆହ୍ୱାନରେ ୧୮୦ ରୁ ଅଧିକ ଦେଶ ଏକାଠି ହେବା ଐତିହାସିକ ଏବଂ ଅଭୂତପୂର୍ବ ଅଟେ।’ ସେ ଆନ୍ତର୍ଜାତିକ ଯୋଗ ଦିବସ ମାଧ୍ୟମରେ ଯୋଗକୁ ଏକ ବିଶ୍ୱସ୍ତରୀୟ ଆନ୍ଦୋଳନ ତଥା ବିଶ୍ୱର ଆତ୍ମା ରୂପେ ପରିଣତ କରିବା ପାଇଁ ସେ ୨୦୧୪ ଜାତିସଂଘର ସାଧାରଣ ସଭାରେ ଯୋଗ ଦିବସର ପ୍ରସ୍ତାବ ଉପସ୍ଥାପିତ ହୋଇଥିବା ବେଳେ ରେକର୍ଡ ସଂଖ୍ୟକ ଦେଶଙ୍କ ସମର୍ଥନକୁ ମନେ ପକାଇଥିଲେ।

ଯୋଗ ଦିବସକୁ ଅଧିକ ସ୍ୱତନ୍ତ୍ର କରୁଥିବା ‘ଯୋଗର ମହାସାଗରୀୟ ବଳୟ’ (ଓସନ ରିଙ୍ଗ ଅଫ ଯୋଗ)ର ଧାରଣା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ଯୋଗର ଧାରଣା ଏବଂ ସମୁଦ୍ରର ବିସ୍ତାର ମଧ୍ୟରେ ପାରସ୍ପରିକ ସମ୍ପର୍କ ଉପରେ ଆଧାରିତ। ଜଳ ସମ୍ବଳ ବ୍ୟବହାର କରି ସେନା କର୍ମଚାରୀଙ୍କ ଦ୍ୱାରା ପ୍ରସ୍ତୁତ ‘ଯୋଗ ଭାରତମାଳା ଏବଂ ଯୋଗ ସାଗରମାଳା’ ଉପରେ ମଧ୍ୟ ଶ୍ରୀ ମୋଦୀ ଆଲୋକପାତ କରିଛନ୍ତି। ସେହିଭଳି ପ୍ରଧାନମନ୍ତ୍ରୀ ତାଙ୍କର ବକ୍ତବ୍ୟ ଜାରି ରଖି କରିଥିଲେ, ଆର୍କଟିକ୍ ଠାରୁ ଆଂଟାର୍କଟିକା ପର୍ଯ୍ୟନ୍ତ ଭାରତର ଦୁଇଟି ଅନୁସନ୍ଧାନ ଆଧାର ଯଥା ପୃଥିବୀର ଦୁଇଟି ମୁଣ୍ଡ (ପୋଲ୍‌) ମଧ୍ୟ ଯୋଗ ସହିତ ଜଡ଼ିତ। ସେ କହିଛନ୍ତି ଯେ ଏହି ଅନନ୍ୟ ଉତ୍ସବରେ ଏହିପରି ସ୍ୱତଃପ୍ରବୃତ୍ତ ଭାବରେ ଦେଶ ତଥା ବିଶ୍ୱର କୋଟି କୋଟି ଲୋକଙ୍କ ଅଂଶଗ୍ରହଣ ଯୋଗର ବିସ୍ତାରତା ଏବଂ ଖ୍ୟାତିକୁ ଦର୍ଶାଉଛି।

“ଯାହା ଆମକୁ ଏକତ୍ରିତ କରିଥାଏ, ତାହା ହେଉଛି ଯୋଗ’ ବୋଲି ପ୍ରଧାନମନ୍ତ୍ରୀ ମୁନି ଋଷିମାନଙ୍କ କଥାକୁ ଉଲ୍ଲେଖ କରି ଏହାର ଉଦ୍ଦେଶ୍ୟକୁ ସ୍ପଷ୍ଟ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଯୋଗର ପ୍ରଚାର ହେଉଛି ଏହି ଧାରାର ଏକ ବିସ୍ତାର ଯାହା ସମଗ୍ର ବିଶ୍ୱକୁ ଗୋଟିଏ ପରିବାର ଭାବରେ ଅନ୍ତର୍ଭୁକ୍ତ କରାଯାଇ ପାରିଛି। ଚଳିତ ବର୍ଷ ଭାରତର ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଜି -୨୦ ଶିଖର ସମ୍ମିଳନୀ ପାଇଁ ‘ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ’ ବିଷୟବସ୍ତୁ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯୋଗର ପ୍ରସାର ହେଉଛି ‘ବସୁଧୈବ କୁଟୁମ୍ବକମ୍‌’ର ଭାବନା। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆଜି ବିଶ୍ୱର କୋଟି କୋଟି ଲୋକ ‘ବସୁଧୈବ କୁଟୁମ୍ବକମ୍ ପାଇଁ ଯୋଗ’ ବିଷୟବସ୍ତୁକୁ ନେଇ ଏକାଠି ଯୋଗ ସମ୍ପାଦନ କରୁଛନ୍ତି।

ଯୋଗ ଶାସ୍ତ୍ର ଗୁଡିକୁ ବ୍ୟାଖ୍ୟା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯୋଗ ମାଧ୍ୟମରେ ଜଣେ ବ୍ୟକ୍ତି ଉତ୍ତମ ସ୍ୱାସ୍ଥ୍ୟ, ବଳ ଏବଂ ଶକ୍ତି ହାସଲ କରନ୍ତି ଏବଂ ଯେଉଁମାନେ ଏହି ଅଭ୍ୟାସରେ ନିୟମିତ ଭାବରେ ଜଡିତ ରହି ଆସିଛନ୍ତି, ସେମାନେ ଏହାର ଶକ୍ତିକୁ ଅନୁଭବ କରିଛନ୍ତି। ବ୍ୟକ୍ତିଗତ ତଥା ପରିବାର ସ୍ତରରେ ଉତ୍ତମ ସ୍ୱାସ୍ଥ୍ୟର ଗୁରୁତ୍ୱକୁ ଦର୍ଶାଇ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଯେ ଯୋଗ ଏକ ସୁସ୍ଥ ଏବଂ ଶକ୍ତିଶାଳୀ ସମାଜ ସୃଷ୍ଟି କରେ ଯେଉଁଠାରେ ସାମୂହିକ ଶକ୍ତି ଅଧିକ ଥାଏ। ସ୍ୱଚ୍ଛ ଭାରତ ଏବଂ ଷ୍ଟାର୍ଟଅପ୍ ଇଣ୍ଡିଆ ଭଳି ଅଭିଯାନ ଉପରେ ସେ ଆଲୋକପାତ କରିଛନ୍ତି ଯାହା ଏକ ଆତ୍ମନିର୍ଭରଶୀଳ ରାଷ୍ଟ୍ର ଗଠନ ତଥା ଦେଶର ସାଂସ୍କୃତିକ ପରିଚୟକୁ ପୁନଃ ସ୍ଥାପିତ କରିବାରେ ସହାୟକ ହୋଇଛି ଏବଂ ଏହି ଶକ୍ତିରେ ଦେଶ ତଥା ଏହାର ଯୁବକମାନେ ବହୁ ଅବଦାନ ଦେଇଛନ୍ତି ବୋଲି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆଜି ଦେଶର ମାନସିକତା ବଦଳିଛି ଯାହା ଫଳରେ ଲୋକମାନଙ୍କ ଠାରେ ଏବଂ ସେମାନଙ୍କ ଜୀବନରେ ପରିବର୍ତ୍ତନ ଆସିଛି।

ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଛନ୍ତି ଯେ ଭାରତର ସଂସ୍କୃତି ଏବଂ ସାମାଜିକ ଗଠନ, ଏହାର ଆଧ୍ୟାତ୍ମିକତା ଏବଂ ଆଦର୍ଶ, ଏବଂ ଏହାର ଦାର୍ଶନିକତା ଏବଂ ଦୃଷ୍ଟିକୋଣ ସର୍ବଦା ପରମ୍ପରାକୁ ପୋଷଣ କରେ, ଯାହା ଏକତା, ଗ୍ରହଣ ଏବଂ ଆଦର କରିଥାଏ। ଶ୍ରୀ ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ ଦେଶର ନୂତନ ଧାରଣା ଗୁଡ଼ିକରେ ସମୃଦ୍ଧ ବିବିଧତାକୁ ଆଲୋକିତ କରିଥିବାରୁ ଭାରତୀୟମାନେ ନୂତନ ଚିନ୍ତାଧାରାକୁ ସ୍ୱାଗତ କରିଛନ୍ତି ଏବଂ ସେଗୁଡିକର ସଂରକ୍ଷଣ କରିଛନ୍ତି। ସେ କହିଛନ୍ତି ଯେ ଯୋଗ ଏପରି ଭାବନାକୁ ମଜଭୁତ କରେ, ଆଭ୍ୟନ୍ତରୀଣ ଦୃଷ୍ଟିକୋଣକୁ ବିସ୍ତାର କରିଥାଏ ଏବଂ ଆମକୁ ସେହି ଚେତନା ସହିତ ଯୋଡିଥାଏ ଯାହା ଆମକୁ ଜୀବନ୍ତ ପ୍ରାଣୀଙ୍କ ଏକତାକୁ ଅନୁଭବ କରାଏ ଯାହା ଜୀବନ୍ତ ସତ୍ତାଙ୍କ ପ୍ରତି ପ୍ରେମର ଆଧାର ଦେଇଥାଏ। ତେଣୁ ଯୋଗ ମାଧ୍ୟମରେ ଆମର ବିରୋଧ ଭାବ, ଅବରୋଧ ଏବଂ ପ୍ରତିରୋଧକୁ ଦୂର କରିବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମକୁ ‘ଏକ ଭାରତ, ଶ୍ରେଷ୍ଠ ଭାରତ\’ର ଭାବନାକୁ ବିଶ୍ୱ ପାଇଁ ଏକ ଉଦାହରଣ ଭାବରେ ଉପସ୍ଥାପନ କରିବାକୁ ପଡ଼ିବ।

ନିଜର ବକ୍ତବ୍ୟ ସମାପ୍ତ କରି ପ୍ରଧାନମନ୍ତ୍ରୀ ଯୋଗ ବିଷୟରେ ଏକ ଶ୍ଲୋକର ଉଦ୍ଧାର କରି କହିଥିଲେ ଯେ କାର୍ଯ୍ୟରେ ଦକ୍ଷତା ହେଉଛି ଯୋଗ। ସେ ଗୁରୁତ୍ୱାରୋପ କରିଛନ୍ତି ଯେ ଆଜାଦୀ କା ଅମୃତ କାଳରେ ସମସ୍ତଙ୍କ ପାଇଁ ଏହି ମନ୍ତ୍ର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଯୋଗର ସିଦ୍ଧତା ସେତିକି ବେଳେ ହାସଲ ହୁଏ ଯେତେବେଳେ ଜଣେ ନିଜ କର୍ତ୍ତବ୍ୟରେ ଉତ୍ସର୍ଗୀକୃତ ହୁଏ। ‘ଯୋଗ ମାଧ୍ୟମରେ ଆମେ ନିଃସ୍ୱାର୍ଥପର କାର୍ଯ୍ୟ କ’ଣ ତାହା ଜାଣିଥାଉ, କର୍ମଠାରୁ କର୍ମଯୋଗୀ ହେବା ପର୍ଯ୍ୟନ୍ତ ଯାତ୍ରା ସ୍ଥିର କରିଥାଉ’ ବୋଲି ଶ୍ରୀ ମୋଦୀ ଏହା ଉପରେ ଦୃଢ଼ ଆସ୍ଥା ପ୍ରକଟ କରି କହିଛନ୍ତି ଯେ ଯୋଗ ଦ୍ୱାରା ଆମେ ଆମର ସ୍ୱାସ୍ଥ୍ୟରେ ଉନ୍ନତି ଆଣିବୁ ଏବଂ ଏହି ସଂକଳ୍ପ ଗୁଡିକୁ ମଧ୍ୟ ଗ୍ରହଣ କରିବୁ। ପ୍ରଧାନମନ୍ତ୍ରୀ ନିଜର ବକ୍ତବ୍ୟର ଶେଷରେ କହିଛନ୍ତି ଯେ ‘ଆମର ଶାରୀରିକ ଶକ୍ତି, ଆମର ମାନସିକ ବିସ୍ତାର ଏକ ବିକଶିତ ଭାରତର ଆଧାର ହେବ।’

Categories
ଆଜିର ଖବର ଜାତୀୟ ଖବର

ଆନ୍ତର୍ଜାତିକ ଯୋଗ ଦିବସ ୨୦୨୩: ୧୫ ହଜାର ଯୋଗ ଅନୁସନ୍ଧିତ୍ସୁଙ୍କ ନେତୃତ୍ୱ ନେବେ ଉପରାଷ୍ଟ୍ରପତି

ନୂଆଦିଲ୍ଲୀ: ମଧ୍ୟ ପ୍ରଦେଶର ଜବଲପୁର ଠାରେ ୨୧ ଜୁନ୍ ଦିନ ଆନ୍ତର୍ଜାତିକ ଯୋଗ ଦିବସ ୨୦୨୩ ପାଳନ କାଳରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଜାତୀୟ ସମାରୋହର ନେତୃତ୍ୱ ନେବେ। ଏହି ଅବସରରେ ମଧ୍ୟ ପ୍ରଦେଶ ରାଜ୍ୟପାଳ ମଙ୍ଗୁଭାଇ ଛଗନଭାଇ ପଟେଲ, ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ, କେନ୍ଦ୍ର ଆୟୁଷ ଏବଂ ବନ୍ଦର, ଯାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ, ଆୟୁଷ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ମୁଞ୍ଜପାରା ମହେନ୍ଦ୍ର ଭାଇ ଏବଂ ରାଜ୍ୟର ଅନେକ ଗଣ୍ୟମାନ୍ୟ ଅତିଥି ଏଥିରେ ଉପସ୍ଥିତ ରହି ସାଧାରଣ ଯୋଗ ମାର୍ଗଦର୍ଶିକା ପାଳନ କରିବେ।

ଏହି ମୁଖ୍ୟ କାର୍ଯ୍ୟକ୍ରମରେ ପ୍ରାୟ ୧୫ ହଜାର ବ୍ୟକ୍ତି ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି। ଚଳିତ ବର୍ଷ ଆଇଡିୱାଇର ବାର୍ତ୍ତା ହେଉଛି ‘ବସୁଧୈବ କୁଟୁମ୍ବକମ୍ ନିମନ୍ତେ ଯୋଗ’, ଯେଉଁଥିରେ କି ଭାରତର ସାମାଜିକ – ସାଂସ୍କୃତିକ ଐତିହ୍ୟ ନିହିତ ରହିଛି।

ପ୍ରଧାନମନ୍ତ୍ରୀଙ୍କ ପଦକ୍ଷେପ ଯୋଗୁ ଗତ ନଅ ବର୍ଷ ମଧ୍ୟରେ ଯୋଗ ପୃଥିବୀର କୋଣ ଅନୁକୋଣରେ ପହଂଚି ପାରିଛି। ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୁ୍ୟର୍କର ଜାତିସଂଘ ମୁଖ୍ୟାଳୟରେ ଯୋଗ ଦିବସ ପାଳନର ନେତୃତ୍ୱ ନେବେ। ଏଥିରେ ଯୋଗ ପ୍ରତି ଅଙ୍ଗୀକାରବଦ୍ଧତା ସ୍ୱରୂପ ୧୮୦ରୁ ଅଧିକ ଦେଶର ପ୍ରତିନିଧି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଦୁଇଟି ଦେଶ ଗସ୍ତର ଅବ୍ୟବହିତ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ “ମୁଁ ଜୁନ୍ ୨୧ ତାରିଖ ଦିନ ଜାତିସଂଘର ମୁଖ୍ୟାଳୟ ଠାରେ ଜାତିସଂଘର ନେତୃତ୍ୱ ଓ ଆନ୍ତର୍ଜାତିକ ଗୋଷ୍ଠୀର ସଦସ୍ୟଙ୍କ ସହ ଆନ୍ତର୍ଜାତିକ ଯୋଗ ଦିବସ ୨୦୨୩ ପାଳନ କରିବି। ମୁଁ ଏହି ସ୍ୱତନ୍ତ୍ର ସମାରୋହ ପାଳନ ପାଇଁ ଅପେକ୍ଷା କରୁଛି ଯେଉଁଠି ଡିସେମ୍ବର ୨୦୧୪ରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ ପ୍ରସ୍ତାବକୁ ସମର୍ଥନ ମିଳିଥିଲା ”

ଆଇଡିୱାଇ ୨୦୨୩ ପାଳନ ପ୍ରସ୍ତୁତି ୩ ମାର୍ଚ୍ଚ ୨୦୨୩ ଦିନ ୧୦୦ ଦିନର ଅବଗଣନା ସହ ଆୟୁଷ ମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ ହୋଇଥିଲା। ସେହିଦିନ ଠାରୁ ପ୍ରତିଦିନ ଅବଗଣନା ପାଳନ କରାଯାଇଛି। ସରକାରୀ ସଂସ୍ଥା ସହ ଅନ୍ୟାନ୍ୟ ଅଂଶଗ୍ରହଣକାରୀଙ୍କ ସହ ଆରମ୍ଭ ହୋଇଥିବା ଏହି ଅଭିଯାନ ୨୧ ଜୁନ, ୨୦୨୩ ଦିନ ଉଦଯାପିତ ହେବ। ଚଳିତ ବର୍ଷ ଆନ୍ତର୍ଜାତିକ ଯୋଗ ଦିବସ ଯୋଗର ମହାସାଗର ମୁଦ୍ରିକା ଭଳି ଅନନ୍ୟ ବୈଶିଷ୍ଟ୍ୟ ରହିବ। ଭାରତୀୟ ନୌସେନା ବନ୍ଧୁ ଭାବାପନ୍ନ ଦେଶଗୁଡ଼ିକର ମହାସାଗର ବକ୍ଷରେ ଭାରତୀୟ ନୌସେନା ଓ ମର୍ଚ୍ଚାଣ୍ଟ ଜାହାଜ ସହ ସେମାନଙ୍କ ବନ୍ଦର ଓ ନୌବହରରେ ସିୱାଇପିର ପରୀକ୍ଷାମଳକ ପ୍ରଦର୍ଶନ କରିବେ।

ସୁମେରୁ ଠାରୁ ଆଣ୍ଟାର୍କଟିକା ପର୍ଯ୍ୟନ୍ତ ଯୋଗ ଆଉ ଏକ ବୈଶିଷ୍ଟ ଥିବାବେଳେ, ଏଥିରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଆୟୁଷ ମନ୍ତ୍ରଣାଳୟର ସହଯୋଗରେ ଜାତିସଂଘ ସଦସ୍ୟ ଦେଶର ପ୍ରମୁଖ ଦ୍ରାଘିମା ରେଖା ଅଞ୍ଚଳରେ ସିୱାଇପି ଆୟୋଜନ କରିବେ। ବୈଦେଶିକ ମନ୍ତ୍ରଣାଳୟ ଜରିଆରେ ଉତ୍ତର ଓ ଦକ୍ଷିଣ ଗୋଲାର୍ଦ୍ଧ ଅଞ୍ଚଳରେ ଯୋଗାଭ୍ୟାସ କରାଯିବ। ସୁମେରୁର ଭାରତୀୟ ଗବେଷଣା ଘାଟି ହିମାଦ୍ରୀ ଓ ଆଣ୍ଟାର୍କଟିକାର ଗବେଷଣା ଘାଟି ଭାରତୀ ଠାରେ ଏହା ଆୟୋଜିତ ହେବ। ଯୋଗ ଭାରତମାଳାର ମଧ୍ୟ ପରିକଳ୍ପନା କରାଯାଇଛି, ଯେଉଁଠି ଭାରତୀୟ ସଶସ୍ତ୍ର ସେନା ଆଇଟିବିପି, ବିଏସଏଫ, ବିଆରଓ ସହ ମିଶି ଯୋଗର ପରୀକ୍ଷାମୂଳକ ପ୍ରଦର୍ଶନ କରିବେ। ସେହିପରି ଯୋଗ ସାଗରମାଳାରେ ଭାରତୀୟ ତଟରେଖାରେ ଯୋଗ ପ୍ରଦର୍ଶିତ ହେବ । ଆଇଏନଏସ ବିକ୍ରାନ୍ତର ବିମାନ ଉଡ଼ାଣ ଡେକରେ ପ୍ରତରିକ୍ଷା ମନ୍ତ୍ରୀଙ୍କ ନେତୃତ୍ୱରେ ଯୋଗ ପ୍ରଦର୍ଶିତ ହେବ।

ଜାତୀୟ ସ୍ତରରେ ଚଳିତବର୍ଷ ଆନ୍ତର୍ଜାତିକ ଯୋଗ ଦିବସ ‘ହର ଆଙ୍ଗନ ଯୋଗ’ ସଫଳତା ହାସଲ କରିବାକୁ ଲକ୍ଷ୍ୟ ରଖିଛି। ଗ୍ରାମୀଣ ସ୍ତରରେ ଯୋଗାଭ୍ୟାସ ହେଉଛି ଏହାର ମୂଳ ଲକ୍ଷ୍ୟ। ପ୍ରଧାନମନ୍ତ୍ରୀ ମୋଦୀ ଗାଁ ସରପଞ୍ଚମାନଙ୍କୁ ଲେଖିଥିବା ତାଙ୍କ ପତ୍ରରେ ଜୁନ୍ ୨୧ରେ ଆନ୍ତର୍ଜାତିକ ଯୋଗ ଦିବସ ନିଜ ଗ୍ରାମବାସୀଙ୍କ ସହ ପୁରା ଦମରେ ପାଳନ କରିବାକୁ ନିବେଦନ କରିଛନ୍ତି। ଯେକୌଣସି ଗ୍ରାମବାସୀ ସେମାନଙ୍କ ନିକଟସ୍ଥ ଅଙ୍ଗନବାଡ଼ି, ସ୍ୱାସ୍ଥ୍ୟ ଓ ସୁଧାର କେନ୍ଦ୍ର ଏବଂ ବିଦ୍ୟାଳୟରେ ଯୋଗ ଦିବସ ପାଳନ କରିପାରିବେ। ଦୁଇ ଲକ୍ଷ ସାଧାରଣ ସେବା କେନ୍ଦ୍ର, ଜାତୀୟ ଆୟୁଷ ମିଶନ ଅଧୀନସ୍ଥ ସ୍ୱାସ୍ଥ୍ୟ ଓ ସୁଧାର କେନ୍ଦ୍ର, ଆୟୁଷ ଗ୍ରାମ ମଧ୍ୟ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରିବେ। ଜନସାଧାରଣ ପ୍ରାୟ ୫୦ ହଜାର ଅମୃତ ସରୋବର ନିକଟରେ ଏକାଠି ହୋଇ ଯୋଗାଭ୍ୟାସ କରିପାରିବେ।

ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଅଧୀନସ୍ଥ ଭାରତୀୟ ସାଂସ୍କୃତିକ ସମ୍ପର୍କ ପରିଷଦ ସହ ମିଶି ‘ଯୋଗ ମାଇଁ ପ୍ରାଇଡ୍’ ଶୀର୍ଷକ ଏକ ଫଟୋ ଉତ୍ତୋଳନ ପ୍ରତିଯୋଗିତା ମାଇଁ ଗଭ୍ ପ୍ଲାଟଫର୍ମରେ ଆୟୋଜନ କରୁଛି। ଜାତୀୟ ଓ ଆନ୍ତର୍ଜାତିକ ଅଂଶଗ୍ରହଣକାରୀମାନେ ଯୋଗାସନ କରୁଥିବା ଚିତ୍ର ଶିରୋନାମା ସହ ପଠାଇପାରିବେ। ଏହିସବୁ ଶ୍ରେଣୀରେ ଜାତୀୟ ଓ ଆନ୍ତର୍ଜାତିକ ପ୍ରତିଯୋଗୀମାନଙ୍କ ପାଇଁ ପୁରସ୍କାର ପାଇବାର ମଧ୍ୟ ସମ୍ଭାବନା ରହିଛି।

ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ କାର୍ଯ୍ୟସ୍ଥଳୀରେ ୱାଇ-ବ୍ରେକ ବ୍ୟବସ୍ଥା ମଧ୍ୟ ଚଳିତ ବର୍ଷ ପ୍ରବର୍ତ୍ତିତ ହୋଇଛି। ଚାପମୁକ୍ତ ହୋଇ ପ୍ରଫୁଲ୍ଲ ମନରେ କାମରେ ମନଦେବା ଏହାର ଉଦେଶ୍ୟ। କାର୍ଯ୍ୟସ୍ଥଳୀରେ ଚୌକିରେ ବସି ଚଳିତ ବର୍ଷ ୱାଇ-ବ୍ରେକଇୱାର୍କପ୍ଲେସ-ୟୋଗା ଇନ୍ ଚେୟାର ମଧ୍ୟ କରିହେବ । ସମସ୍ତ ମନ୍ତ୍ରଣାଳୟ ଓ ବିଭାଗଗୁଡ଼ିକୁ ସେମାନଙ୍କ କର୍ମଚାରୀମାନେ ଚୌକିରେ ବସି ଯୋଗ କରିବାକୁ ଅନୁରୋଧ କରାଯାଇଛି।

ସମ୍ପୂର୍ଣ୍ଣ ସରକାରୀ ସହଯୋଗରେ ଚଳିତ ବର୍ଷ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯାଉଛି। ଭାରତ ସରକାରଙ୍କ ସମସ୍ତ ପ୍ରମୁଖ ମନ୍ତ୍ରଣାଳୟ, ରାଜ୍ୟ ସରକାର, ଜାତୀୟ ଓ ଆନ୍ତର୍ଜାତିକ ପ୍ରମୁଖ ଯୋଗ ପ୍ରତିଷ୍ଠାନ ଓ ସଂଗଠନ, ବିଶ୍ୱବିଦ୍ୟାଳୟ, ସଶସ୍ତ୍ର ସେନା, ଏନଏସଏସ ଓ ଏନୱାଇକେ ସ୍ୱେଚ୍ଛାସେବୀ ଓ ଅନ୍ୟାନ୍ୟ ଅଂଶଗ୍ରହଣକାରୀ ୨୦୨୩ ଆନ୍ତର୍ଜାତିକ ଯୋଗ ଦିବସର ବିଭିନ୍ନ କାର୍ଯ୍ୟକଳାପରେ ଭାଗ ନେଇ ସାରିଛନ୍ତି। ଏଥିସହ ଭାରତୀୟ ଦୂତାବାସ, ଜାତିସଂଘ ସଦସ୍ୟ ରାଷ୍ଟ୍ର ମଧ୍ୟ ୨୧ ଜୁନ ୨୦୨୩ରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରିବେ।

Categories
ବିଶେଷ ଖବର

ନବମ ଆନ୍ତର୍ଜାତିକ ଯୋଗ ଦିବସ ସମ୍ପର୍କରେ ନାଗରିକମାନଙ୍କୁ ସ୍ମରଣ କରାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଜୁନ ୨୧ରେ ହେବାକୁ ଥିବା ନବମ ଆନ୍ତର୍ଜାତିକ ଯୋଗ ଦିବସ ସମ୍ପର୍କରେ ଦେଶବାସୀଙ୍କୁ ସ୍ମରଣ କରାଇ ଦେଇଛନ୍ତି। ଶ୍ରୀ ମୋଦୀ କହିଛନ୍ତି ଆସନ୍ତୁ ପ୍ରସ୍ତୁତ ହେବା ଏବଂ ଆମ ଶାରୀରିକ ଓ ମାନସିକ ସୁସ୍ଥତା ପାଇଁ ଏହି ପ୍ରାଚୀନ ସ୍ୱାସ୍ଥ୍ୟ ପଦ୍ଧତିକୁ ପାଳନ କରିବା।

https://twitter.com/narendramodi/status/1663919625736798212?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1663919625736798212%7Ctwgr%5Eb0dfd8912d404fe0f19973c83acab217dff7579a%7Ctwcon%5Es1_&ref_url=https%3A%2F%2Fpib.gov.in%2FPressReleasePage.aspx%3FPRID%3D1928888

ଆୟୁଷ ମନ୍ତ୍ରାଳୟର ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, “ଆନ୍ତର୍ଜାତିକ ଯୋଗ ଦିବସ ପାଇଁ ଆଉ ମାତ୍ର ତିନି ସପ୍ତାହ ବାକି!

ଆସନ୍ତୁ ପ୍ରସ୍ତୁତ ହେବା ଏବଂ ଆମ ଶାରୀରିକ ଓ ମାନସିକ ସୁସ୍ଥତା ପାଇଁ ଏହି ପ୍ରାଚୀନ ବ୍ୟବସ୍ଥାକୁ ପାଳନ କରିବା। ଆସନ୍ତୁ ଆମେ ଏକ ସୁସ୍ଥ ଓ ସୁଖୀ ସମାଜ ନିର୍ମାଣ କରିବା।”