Categories
ଆଜିର ଖବର ରାଜ୍ୟ ଖବର

ଓଡିଶା ନିର୍ମାଣ ନିଗମ କର୍ମଚାରୀ ଓ ଶ୍ରମିକ ସଂଘ ଆନୁକୂଲ୍ୟରେ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳନ

ଭୁବନେଶ୍ୱର: ଆଜି ଓଡିଶା ନିର୍ମାଣ ନିଗମ କର୍ମଚାରୀ ଓ ଶ୍ରମିକ ସଂଘ ଆନୁକୂଲ୍ୟରେ ମଞ୍ଚେଶ୍ୱର୍ ସ୍ଥିତ ଓସିସି କେନ୍ଦ୍ରୀୟ କର୍ମଶାଳା ଠାରେ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳନ ହୋଇଯାଇଛି। ସଙ୍ଘର ସଭାପତି ପ୍ରଭାତ ମାହାନ୍ତି ଶ୍ରମିକ ସଙ୍ଘର ପତାକା ଉତ୍ତୋଳନ କରି ଶ୍ରମିକ ଦିବସର ଇତିହାସ ଓ ଶ୍ରମିକ କର୍ମଚାରୀଙ୍କ ବଳିଦାନ ସଂପର୍କରେ ଅଭିଭାଷଣ ଦେଇଥିଲେ। ବିଶିଷ୍ଟ କର୍ମଚାରୀ ନେତା ବିଜୟ ମଲ୍ଲ ଅତିଥି ଭାବେ ଯୋଗ ଦେଇ ସମ୍ମିଳିତ ଶକ୍ତି ହିଁ ସମସ୍ତ ସମସ୍ୟାରେ ସଫଳତା ଦେବ ବୋଲି ଆହ୍ଵାନ ଦେଇଥିଲେ। ଇଂଜିନିୟର ପ, କେ ସାହୁ, ଶ୍ରୀ ବିହାରୀ, ଚିତ୍ତ ମହାନ୍ତି ପ୍ରମୁଖ ଉଦବୋଧନ ଦେଇଥିଲେ।

ଶେଷରେ ସାଧାରଣ ସମ୍ପାଦକ ସଞ୍ଜୟ ମହାନ୍ତି ଧନ୍ୟବାଦ ଦେଇଥିଲେ।

Categories
ଆଞ୍ଚଳିକ

ଆନ୍ତର୍ଜାତିକ ଶ୍ରମିକ ଦିବସ ଉପଲକ୍ଷେ ବାଣପୁରରେ ଆଇନ ସଚେତନତା ଶିବିର

ବାଣପୁର: ମେ ୧ ତାରିଖକୁ ଆନ୍ତର୍ଜାତିକ ଶ୍ରମିକ ଦିବସ ଭାବେ ପାଳନ କରାଯାଏ। ଏହି ପରିପ୍ରେକ୍ଷୀରେ ଆଜି ସାରା ବିଶ୍ୱରେ ଶ୍ରମିକ ଦିବସ ପାଳନ କରାଯାଉଛି। ଶ୍ରମିକମାନଙ୍କୁ ସମ୍ମାନ ଦେବା ସହିତ ଶ୍ରମିକମାନଙ୍କ ଅଧିକାର ପାଇଁ ସ୍ୱର ଉତ୍ତୋଳନ କରିବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଏ। ସମାଜ ପ୍ରତି ଶ୍ରମିକମାନଙ୍କ ଅବଦାନ ଅତୁଳନୀୟ।

ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଗୁରୁବାର ଦିନ ବାଣପୁର ବ୍ଲକ ସଭାଗୃହରେ ଆନ୍ତର୍ଜାତିକ ଶ୍ରମିକ ଦିବସ ଉପଲକ୍ଷେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଇନ ସେବା ସମିତି ଅଧ୍ୟକ୍ଷ ତଥା ବରିଷ୍ଠ ଦେୱାନୀ ବିଚାରପତି ଅମରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଓକିଲ ସଂଘ ସମ୍ପାଦକ ଜଗଦୀଶ ପଟ୍ଟନାୟକ, ଉପ ସଭାପତି ପଦ୍ମଜା ପଟ୍ଟନାୟକ, କାର୍ଯ୍ୟକାରୀ ସଭ୍ୟ ସନ୍ତୋଷ କୁମାର ମହାପାତ୍ର, ବାଲୁଗାଁ ସହକାରୀ ଶ୍ରମ କାର୍ଯ୍ୟାଳୟ କର୍ମଚାରୀ କ୍ଷୀରାବ୍ଧି ତନୟା ସାହୁ, ଅନ୍ୟ ଓକିଲ ମାନେ ଏବଂ ବହୁ ସଂଖ୍ୟାରେ ସ୍ଥାନୀୟ ଶ୍ରମିକ ମାନେ ଯୋଗଦେଇଥିଲେ।

ଏହି ଅବସରରେ ବିଚାରପତି ଶ୍ରୀ ମହାପାତ୍ର ଉପସ୍ଥିତ ଶ୍ରମିକମାନଙ୍କୁ ସେମାନଙ୍କ ଆଇନଗତ ଅଧିକାର ସମ୍ବନ୍ଧରେ ଅବଗତ କରାଇଥିଲେ । ଶ୍ରମିକମାନଙ୍କ ସୁରକ୍ଷା ପାଇଁ ବିଭିନ୍ନ ଆଇନ ଉଦିଷ୍ଟ ଥିବା ବେଳେ ଆଇନଗତ ସମସ୍ୟାର ସମ୍ମୁଖୀନ ହେଲେ ସେମାନେ ତାଲୁକ ଆଇନ ସେବା ସମିତି ଜରିଆରେ ନିଃଶୁଳ୍କ ଆଇନ ସେବା ପାଇପାରିବେ ବୋଲି କହିଥିଲେ ବିଚାରପତି। ତତସହିତ ଶ୍ରମିକମାନେ ରାଜ୍ୟ ତଥା ଦେଶ ବାହାରକୁ କାର୍ଯ୍ୟ ପାଇଁ ଯିବା ପୁର୍ବରୁ ସ୍ଥାନୀୟ ଶ୍ରମ କାର୍ଯ୍ୟାଳୟରେ ନିଜ ନାମ ପଞ୍ଜିକରଣ କରାଇବା ପାଇଁ ପରାମର୍ଶ ଦେଇଥିଲେ, ଯାହାଦ୍ୱାରା ସେମାନେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ସୁଫଳ ପାଇପାରିବେ।

ଏହି ଅବସରରେ ଏକାଧିକ ଶ୍ରମିକ ମାନଙ୍କୁ ଶ୍ରମ ବିଭାଗ ପକ୍ଷରୁ ପରିଚୟପତ୍ର ପ୍ରଦାନ କରାଯାଇଥିଲା। ସଭାଶେଷରେ ଓକିଲ ସଂଘ ସମ୍ପାଦକ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସବା ତଳ ପାହାଚରେ ଥିବା ଲୋକଙ୍କ ପାଇଁ ଆମ ସରକାର ସମର୍ପିତ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଦଶନ୍ଧି ଦଶନ୍ଧି ଧରି ଦେଶର ପ୍ରଗତିର ଚକ୍ରକୁ ଶ୍ରମିକମାନେ ଅବିରତ ଭାବେ ଚଳେଇ ଆସୁଛନ୍ତି ଓ ବିକାଶରେ ନିଜର ଯୋଗଦାନ ନିରବଚ୍ଛିନ୍ନ ଭାବେ ଦେଇଆସୁଛନ୍ତି। ଦାୟିତ୍ୱ ନେବାର ପ୍ରଥମ ଦିନରୁ ହିଁ ଆମ ସରକାର ରାଜ୍ୟର ସବା ତଳ ପାହଚରେ ଥିବା ଲୋକଙ୍କ କଲ୍ୟାଣ ଓ ବିକାଶ ପାଇଁ ସମର୍ପିତ ହୋଇ କାର୍ଯ୍ୟ କରୁଛି।

ଆଜି ଆନ୍ତର୍ଜାତିକ ଶ୍ରମିକ ଦିବସ ଅବସରରେ ସ୍ଥାନୀୟ ଓ.ୟୁ.ଏ.ଟି କୃଷି ଶିକ୍ଷା ସଦନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍‌ବୋଧନ ଦେଇ ଏହା କହିଛନ୍ତି।

ଏହି ଅବସରରେ ଆଜି ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରର ଦୁଇଟି ପ୍ରମୁଖ ଶ୍ରମିକ ପ୍ରତୀକ୍ଷା ସ୍ଥାନ- ଡୁମ୍‌ଡୁମା ଏବଂ କଳ୍ପନା ଛକଠାରେ ବହୁମୁଖୀ ‘ଶ୍ରମିକ ପ୍ରତୀକ୍ଷା କେନ୍ଦ୍ର’ର ଉଦ୍‌ଘାଟନ କରିଥିଲେ। ଏହି ପ୍ରତୀକ୍ଷା କେନ୍ଦ୍ରମାନଙ୍କରେ ଶ୍ରମଜୀବୀମାନଙ୍କ ପାଇଁ ସାମୟିକ ଆଶ୍ରୟ ସ୍ଥଳର ସୁବିଧା ସହିତ ପାନୀୟ ଜଳ, ଶୌଚାଳୟ ଓ ପାର୍କ ଆଦିର ବ୍ୟବସ୍ଥା କରାଯାଇଛି । ଆଗାମୀ ଦିନରେ କଟକ, ରାଉରକେଲା, ସମ୍ବଲପୁର, କେନ୍ଦୁଝର, ବ୍ରହ୍ମପୁର ଭଳି ଅନ୍ୟ ସହରାଞ୍ଚଳ ଗୁଡିକରେ ଶ୍ରମିକ ପ୍ରତୀକ୍ଷା କେନ୍ଦ୍ର ନିର୍ମାଣ କରାଯିବ । ଏହି କେନ୍ଦ୍ର ଗୁଡିକ ଶ୍ରମଜୀବୀମାନଙ୍କ ଗରିମା ବୃଦ୍ଧିରେ ସହାୟକ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଏଥି ସହିତ ମୁଖ୍ୟମନ୍ତ୍ରୀ ବିଭିନ୍ନ ଶ୍ରମିକ ସଂଗଠନର କର୍ମକର୍ତ୍ତାମାନଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ଶିକ୍ଷା ସହାୟତା, ବିବାହ ସହାୟତା, ପ୍ରସୂତିକାଳୀନ ସହାୟତା, ମୃତ୍ୟୁକାଳୀନ ସହାୟତା ଓ ଅନ୍ତ୍ୟେଷ୍ଟି କ୍ରିୟା ସହାୟତା ବଣ୍ଟନ କରିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟ ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ରାଜ୍ୟରେ ଥିବା ବିଭିନ୍ନ ସଂଗଠିତ ତଥା ଅଣସଂଗଠିତ କ୍ଷେତ୍ରରେ ନିୟୋଜିତ ଶ୍ରମିକମାନଙ୍କ ଆଇନଗତ ଅଧିକାର ଓ ସାମାଜିକ ସୁରକ୍ଷା ଦିଗରେ ସର୍ବଦା ଯତ୍ନବାନ ହୋଇ କାର୍ଯ୍ୟ କରି ଆସୁଛି।

ସେ କହିଥିଲେ ଯେ, ନିର୍ବାଚନ ପୂର୍ବରୁ ଆମର ନିର୍ବାଚନ ପ୍ରତିଶ୍ରୁତି ଅନୁଯାୟୀ ଏହି ବୋର୍ଡ଼ ଅଧିନରେ ପ୍ରଦାନ କରାଯାଉଥିବା ମୃତ୍ୟୁକାଳୀନ ସହାୟତା ରାଶିକୁ ସାଧାରଣ ମୃତ୍ୟୁ କ୍ଷେତ୍ରରେ ୨ ଲକ୍ଷ ଟଙ୍କାରୁ ୩ ଲକ୍ଷ ଟଙ୍କାକୁ ଏବଂ ଦୁର୍ଘଟଣାଜନିତ ମୃତ୍ୟୁ କ୍ଷେତ୍ରରେ ୪ ଲକ୍ଷ ଟଙ୍କାରୁ ୬ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି।

ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ଅଧିନରେ ଅଦ୍ୟାବଧି ପାଖାପାଖି ୪୭ ଲକ୍ଷ ନିର୍ମାଣ ଶ୍ରମିକଙ୍କୁ ପଞ୍ଜୀକୃତ କରାଯାଇ ବିଭିନ୍ନ ସହାୟତା ବାବଦରେ ୩,୯୫୧ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ସହାୟତା ରାଶି ଦିଆଯାଇ ସାରିଲାଣି, ଯାହାକି ସେମାନଙ୍କର ଏବଂ ସେମାନଙ୍କ ପରିବାରର ସର୍ବାଙ୍ଗୀନ ବିକାଶରେ ସହାୟକ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ।

ଆମ ସରକାର କ୍ଷମତାକୁ ଆସିଲା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ୪ ଲକ୍ଷରୁ ଊର୍ଦ୍ଧ୍ୱ ନିର୍ମାଣ ଶ୍ରମିକଙ୍କୁ ନୂତନ ଭାବେ ପଞ୍ଜୀକୃତ କରିବା ସହିତ ୩୭୦ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି ।

ଆଜି ସାରା ରାଜ୍ୟରେ ଏକକାଳୀନ ପାଖାପାଖି ୩ ହଜାର ଯୋଗ୍ୟ ନିର୍ମାଣ ଶ୍ରମିକମାନଙ୍କୁ ନୂତନ ଭାବେ ପରିଚୟପତ୍ର ପ୍ରଦାନ କରାଯାଇଛି ଏବଂ ଯୋଗ୍ୟ ହିତାଧିକାରୀମାନଙ୍କୁ ବିଭିନ୍ନ ସହାୟତା ବାବଦରେ ୪୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ସହାୟତା ରାଶି ପ୍ରଦାନ କରାଯାଇଛି। ସେ କହିଥିଲେ ଯେ, ଏହା ଆମ ସରକାରର କାର୍ଯ୍ୟଦକ୍ଷତାର ଏକ ବଳିଷ୍ଠ ଉଦାହରଣ ଅଟେ । ନୂତନ ଜ୍ଞାନ କୌଶଳର ଉପଯୋଗ କରି ଶ୍ରମିକମାନଙ୍କୁ ବିଭିନ୍ନ ସେବା ଯୋଗାଇଦେବା ଆମ ସରକାରଙ୍କର ପ୍ରାଥମିକତା।

ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ର ବିଭିନ୍ନ ସେବାକୁ ଶ୍ରମିକମାନଙ୍କ ହାତ ପାହାନ୍ତାରେ ପହଂଚାଇବା ପାଇଁ ମୁଖ୍ୟମନ୍ତ୍ରୀ ‘ଓଡ଼ିଶା ଶ୍ରମିକ ସାଥୀ ମୋବାଇଲ୍ ଆପ୍‌’ର ଶୁଭାରମ୍ଭ କରିଥିଲେ। ଏହାଦ୍ୱାରା ଶ୍ରମିକମାନେ ସହଜରେ ଏବଂ ସୁବିଧାରେ ଘରେ ବସି ବିଭିନ୍ନ ସେବା ପାଇ ପାରିବେ । ଏହି ମୋବାଇଲ୍ ଆପ୍, ଅନ୍‌ଲାଇନ୍ ଶ୍ରମିକ ପଞ୍ଜୀକରଣ, ନବୀକରଣ ତଥା ସହାୟତା ନିମନ୍ତେ ଆବେଦନ ଆଦି ସେବା ପାଇବା ଦିଗରେ ନିର୍ମାଣ ଶ୍ରମିକମାନଙ୍କ ପାଇଁ ବିଶେଷ ସହାୟକ ହେବ ବୋଲି ସେ କହିଥିଲେ ।

ସେହିପରି ଓଡ଼ିଶା ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ଼ ଅଧିନରେ ୬୦ଗୋଟି ବର୍ଗର ଅଣସଂଗଠିତ ଶ୍ରମିକମାନଙ୍କୁ ପଞ୍ଜୀକୃତ କରି ସେମାନଙ୍କୁ ବିଭିନ୍ନ କଲ୍ୟାଣମୂଳକ ସହାୟତା ପ୍ରଦାନ ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଉଛି । ଅଦ୍ୟାବଧି, ଏହି ବୋର୍ଡ଼ ଅଧୀନରେ ୪ ଲକ୍ଷରୁ ଊର୍ଦ୍ଧ୍ୱ ଅଣସଂଗଠିତ ଶ୍ରମିକ ପଞ୍ଜୀକୃତ ହୋଇଥିବାବେଳେ ୨୩ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ସହାୟତା ରାଶି ପ୍ରଦାନ କରାଯାଇଛି। ଏହି ସବୁ ପଦକ୍ଷେପ ଦ୍ୱାରା ରାଜ୍ୟର ସମସ୍ତ ଯୋଗ୍ୟ ଅଣସଂଗଠିତ ଶ୍ରମିକ ଏହି ବୋର୍ଡ଼ରେ ପଞ୍ଜୀକୃତ ହୋଇ ସାମାଜିକ ସୁରକ୍ଷା ବଳୟର ପରିସରଭୁକ୍ତ ହୋଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ରାଜ୍ୟର ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅଣକୁଶଳୀ, ଅର୍ଦ୍ଧକୁଶଳୀ, କୁଶଳୀ ଓ ଉଚ୍ଚକୁଶଳୀ ଶ୍ରମିକ ଭାଇ ଓ ଭଉଣୀମାନଙ୍କ ନିମନ୍ତେ ସର୍ବନିମ୍ନ ମଜୁରି ସଂଶୋଧନ କରି ବର୍ଷକ ଭିତରେ ଦୈନିକ ସର୍ବନିମ୍ନ ମଜୁରିରେ ହାରାହାରି ୧୦୦ ଟଙ୍କାର ବୃଦ୍ଧି କରାଯାଇଛି । ଧାର୍ଯ୍ୟ ସର୍ବନିମ୍ନ ମଜୁରି ଉପରେ ପରିବର୍ତ୍ତନୀୟ ମହଙ୍ଗା ଭତ୍ତା ଦୈନିକ ୧୦ ଟଙ୍କା ମୁଖ୍ୟମନ୍ତ୍ରୀ ବୃଦ୍ଧି କରିଛନ୍ତି । ଏହା ପିଛିଲା ଭାବେ ଏପ୍ରିଲ୍ ୧ ତାରିଖରୁ ଲାଗୁ ହେବ।

ସେ ପୁଣି କହିଥିଲେ ଯେ, ପ୍ରବାସୀ ଶ୍ରମିକମାନଙ୍କୁ ଚିହ୍ନଟ କରି ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଉପ-ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଟାସ୍କ ଫୋର୍ସ ଗଠନ କରାଯାଇଛି। ଏଥି ସହିତ ଓଡିଆ ପ୍ରବାସୀ ଶ୍ରମିକଙ୍କ ଉଦ୍ଦେଶ୍ୟରେ ଏକ ସ୍ୱତନ୍ତ୍ର ଷ୍ଟେଟ୍ ଆକ୍ସନ୍‌ ପ୍ଲାନ୍‌ ମଧ୍ୟ ତିଆରି କରାଯାଇଛି ।

ଶ୍ରମିକମାନଙ୍କ ସ୍ୱାର୍ଥରକ୍ଷା ସହିତ କେନ୍ଦ୍ର ସରକାରଙ୍କ ନୂତନ ଶିଳ୍ପ ପ୍ରତିଷ୍ଠାକୁ ପ୍ରୋତ୍ସାହନ ଓ ବ୍ୟବସାୟିକ ସରଳୀକରଣ ପରିକଳ୍ପନା ସାକାର କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ବୈଷୟିକ ଜ୍ଞାନର ଉପଯୋଗ କରି ବିଭିନ୍ନ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହି କ୍ରମରେ ଶ୍ରମ ବିଭାଗର ‘ପରିଶ୍ରମ ପୋର୍ଟାଲ’ ମାଧ୍ୟମରେ ବିଭିନ୍ନ ଶ୍ରମ ଆଇନ୍ ଅନ୍ତର୍ଗତ ପଞ୍ଜୀକରଣ ଏବଂ ଲାଇସେନ୍ସ ଆଦି ଅନଲାଇନ ସେବା ପ୍ରଦାନ କରାଯାଉଛି ।

ଆମ ସରକାର ହେଉଛି ଲୋକଙ୍କ ସରକାର। ଗରିବଙ୍କ ପାଇଁ ସମ୍ବେଦନଶୀଳ ସରକାର। ଗରିବ ବାପା ମା’ଙ୍କ ଦୁଃଖ ଲାଘବ ପାଇଁ ଆମେ ଆରମ୍ଭ କରିବାକୁ ଯାଉଛୁ ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’। ଯେଉଁଥିରେ ସରକାର କନ୍ୟାଦାନ କରିବେ ଓ ବିବାହର ଦାୟିତ୍ୱ ନେବେ। ଆମେ ସାଧାରଣ ଲୋକଙ୍କ ସମସ୍ୟା ଓ ଅଭିଯୋଗକୁ ଗୁରୁତ୍ୱ ଦେଇ ଶୁଣୁଛୁ ଏବଂ ଏହାର ତ୍ୱରିତ ସମାଧାନ ପାଇଁ ପଦକ୍ଷେପ ନେଉଛୁ । ଶ୍ରମିକ ଭାଇଭଉଣୀମାନଙ୍କର ସମସ୍ୟା ଗୁଡିକ ସରକାରଙ୍କ ଦୃଷ୍ଟିକୁ ଆଣିଲେ ଆମେ ତାହାର ସମାଧାନ ପାଇଁ ଉପଯୁକ୍ତ ପଦକ୍ଷେପ ନେବୁ ବୋଲି ସେ କହିଥିଲେ ।

ଶ୍ରମ ଓ କର୍ମଚାରୀ ରାଜ୍ୟବୀମା, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ ଯେ, ଶ୍ରମିକମାନେ ହେଉଛନ୍ତି ଆମ ଦେଶର ଗୁରୁତ୍ୱପୂର୍ଣ୍ଣ ଅଂଶ । ବିକଶିତ ବିଶ୍ୱ ଓ ଦେଶର ବିନ୍ଧାଣି। ସ୍ୱାଧୀନତା ପରେ ଆମ ରାଜ୍ୟରେ ଯାହା ବି ବିକାଶ ହୋଇଛି, ସବୁର ମୂଳ ଆଧାର ହେଉଛନ୍ତି ଆମ ଶ୍ରମିକ ଭାଇ ଓ ଭଉଣୀମାନେ । ସେମାନଙ୍କ କଠିନ ପରିଶ୍ରମ ବଳରେ ଆଜି ଓଡିଶା ଏହି ସ୍ଥାନରେ ପହଞ୍ଚିଛି ଏବଂ ଆଗାମୀ ଦିନରେ ଆମର ପରିକଳ୍ପନା ମଧ୍ୟ ସିଦ୍ଧି ଲାଭ ହେବ ଆମ ଶ୍ରମିକ ଭାଇଭଉଣୀମାନଙ୍କ ଦ୍ୱାରା । ଏଥି ସହିତ ଶ୍ରମିକ କଲ୍ୟାଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସେ ଆଲୋକପାତ କରିଥିଲେ।

ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ ଯେ, ସମାଜର ଗରିବ, ଯୁବ, ଅନ୍ନଦାତା ଓ ନାରୀମାନଙ୍କ କଲ୍ୟାଣ ସାଧନ ପାଇଁ ଆମ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ନିରବଚ୍ଛିନ୍ନ ପ୍ରୟାସ କରୁଛନ୍ତି । ଆଜିର ଦିବସଟି ତାଙ୍କ ପାଇଁ ସ୍ୱପ୍ନପୂର୍ତ୍ତିର ଦିବସ ଭାବେ ବର୍ଣ୍ଣନା କରି ସେ କହିଥିଲେ ଯେ, ଭୁବନେଶ୍ୱର ମହାନଗର ନିଗମରେ କାମ କରୁଥିବା ବେଳେ ମୋର ସ୍ୱପ୍ନ ଥିଲା ଶ୍ରମିକମାନଙ୍କ ପାଇଁ ପ୍ରତୀକ୍ଷା କେନ୍ଦ୍ର ସ୍ଥାପନ କରିବା । ଆଜି ମୋର ସ୍ୱପ୍ନ ପୂରଣ ହେଲା । ସାଂସଦ ଶ୍ରୀମତୀ ଷଡଙ୍ଗୀ ଭୁବନେଶ୍ୱର ନୟାପଲ୍ଲୀ ଠାରେ ଏକ ଶ୍ରମିକ ପ୍ରତୀକ୍ଷା କେନ୍ଦ୍ର ନିର୍ମାଣ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଥିଲେ ।

କାର୍ଯ୍ୟକ୍ରମରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମରେ ଏକାମ୍ର-ଭୁବନେଶ୍ୱର ବିଧାୟକ ବାବୁ ସିଂ, ମେୟର ସୁଲୋଚନା ଦାସ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ପ୍ରମୁଖ ଅଭିଭାଷଣ ରଖିଥିଲେ।

ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ପ୍ରମୁଖ ଶାସନ ସଚିବ ଚିତ୍ରା ଅରୁମୁଗମ୍ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଶ୍ରମ ଆୟୁକ୍ତ ଇନ୍ଦ୍ରମଣୀ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଞ୍ଚଳିକ

ରଣପୁର: ଆନ୍ତର୍ଜାତିକ ଶ୍ରମିକ ଦିବସ ଉପଲକ୍ଷେ ଆଇନ ସଚେତନତା ଶିବିର

ରଣପୁର: ମେ ୧ ତାରିଖକୁ ଆନ୍ତର୍ଜାତିକ ଶ୍ରମିକ ଦିବସ ଭାବେ ପାଳନ କରାଯାଏ। ଏହି ପରିପ୍ରେକ୍ଷୀରେ ଆଜି ସାରା ବିଶ୍ୱରେ ଶ୍ରମିକ ଦିବସ ପାଳନ କରାଯାଉଛି। ଶ୍ରମିକମାନଙ୍କୁ ସମ୍ମାନ ଦେବା ସହିତ ଶ୍ରମିକମାନଙ୍କ ଅଧିକାର ପାଇଁ ସ୍ୱର ଉତ୍ତୋଳନ କରିବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଏ। ସମାଜ ପ୍ରତି ଶ୍ରମିକମାନଙ୍କ ଅବଦାନ ଅତୁଳନୀୟ।

ଏହି ପରିପ୍ରେକ୍ଷୀରେ ରଣପୁର ତାଲୁକ ଲିଗାଲ ସର୍ଭିସ କମିଟି ପକ୍ଷରୁ ନରସିଂହପୁର ମଧ୍ୟ ଇଁରାଜୀ ବିଦ୍ୟାଳୟରେ ଆନ୍ତର୍ଜାତିକ ଶ୍ରମିକ ଦିବସ ଉପଲକ୍ଷେ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ରଣପୁର କୋର୍ଟ ବିଚାରପତି ତଥା ତାଲୁକ ଲିଗାଲ ସର୍ଭିସ କମିଟିର ଅଧ୍ୟକ୍ଷ ଗୌରୀ ଶଙ୍କର ପଣ୍ଡା, ମୁଖ୍ୟ ବକ୍ତା ଭାବେ ରଣପୁର ବାର ଆସୋସିଏସନର ସଭାପତି ତଥା ବରିଷ୍ଠ ଆଇନୀଜୀବୀ ସୁବାଷ ଚନ୍ଦ୍ର ଜେନା, ସମ୍ମାନୀତ ଅତିଥି ଭାବେ ରଣପୁର ବାର ଆସୋସିଏସନର ସମ୍ପାଦକ ସତ୍ୟ ରଞ୍ଜନ ମତ୍ତା, ବରିଷ୍ଠ ଆଇନୀଜୀବୀ କୃପାସିନ୍ଧୁ ବେହେରା, ଜନ ମଙ୍ଗଳ ଅଧିକାରୀ ଶୁଭଶ୍ରୀ ଶୁଭସ୍ମିତା, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଶୋକ କୁମାର ଦାଶ, ସାଧନ କେନ୍ଦ୍ର କର୍ମୀ ସୁଶୀଲ କୁମାର ରଣା, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୁନୀଲ କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ।

ଏହି ସଚେତନତା ଶିବିରରେ ଶିଶୁ ଶ୍ରମିକ ଏବଂ ଶ୍ରମିକମାନଙ୍କ ବିଭିନ୍ନ ସୁବିଧା ଅସୁବିଧା ଉପରେ ଆଲୋଚନା କରଯାଇଥିଲା। ନରସିଂହପୁର ଗ୍ରାମବାସୀ, ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଭ୍ୟ ଉପସ୍ଥିତ ଥିଲେ। ତାଲୁକ ଲିଗାଲ ସର୍ଭିସ କମିଟିର ସଦସ୍ୟ ରାଜେଶ କୁମାର ମଲ୍ଲିକ ଓ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଏବଂ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଆନ୍ତର୍ଜାତିକ ଶ୍ରମିକ ଦିବସ-୨୦୨୨ ସମାରୋହ, ଜାଣନ୍ତୁ କଣ କରିଛନ୍ତି ଓଡିଶା ସରକାର

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଶ୍ରମ ଓ କମର୍ଚାରୀ ରାଜ୍ୟ ବୀମା ବିଭାଗ ତରଫରୁ ମଇ ୧ ତାରିଖରେ ରାଜ୍ୟସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ଭୁବନେଶ୍ୱରସ୍ଥିତ ଜୟଦେବ ଭବନରେ ପାଳିତ ହୋଇଯାଇଛି। ଏହି ସମାରୋହକୁ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ।
ଓଡ଼ିଶା ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ରାଜ୍ୟରେ କାର୍ଯ୍ୟରତ ଶ୍ରମିକମାନଙ୍କର ସାମାଜିକ ଓ ଅର୍ଥନୈତିକ ବିକାଶ ନିମନ୍ତେ ନିରନ୍ତର ଭାବେ କାର୍ଯ୍ୟ କରୁଛି।

ନିର୍ମାଣ ଶ୍ରମିକମାନଙ୍କର କଲ୍ୟାଣ ପାଇଁ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ ଗଠନ କରାଯାଇ ଅଦ୍ୟାବଧି ୩୫ ଲକ୍ଷରୁ ଊର୍ଦ୍ଧ ନିର୍ମାଣ ଶ୍ରମିକଙ୍କୁ ଏହି ବୋର୍ଡ଼ ଅଧିନରେ ପଞ୍ଜିକୃତ କରାଯାଇ ମୋଟ ୨୬୬୦ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି । ପଞ୍ଜିକୃତ ନିର୍ମାଣ ଶ୍ରମିକ ତଥା ସେମାନଙ୍କ ପରିବାରଙ୍କୁ ଶିକ୍ଷାବୃତ୍ତି, ବିବାହ, ପ୍ରସୂତି, ମୃତୁ୍ୟ, ଅନ୍ତ୍ୟେଷ୍ଟିକ୍ରିୟା ସକାଶେ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି।

ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ସହଭାଗିତାରେ ଏହି କଲ୍ୟାଣ ବୋର୍ଡ଼ ମାଧ୍ୟମରେ ‘ନିର୍ମାଣ ଶ୍ରମିକ ପକ୍କାଘର ଯୋଜନା’, ‘ନିର୍ମାଣ ଶ୍ରମିକ ପେନସନ୍‌ ଯୋଜନା’, ସରକାରୀ ଆଇ.ଟି.ଆଇ ଓ ଡିପ୍ଲୋମା ଅନୁଷ୍ଠାନରେ ଶିକ୍ଷା ନିମନ୍ତେ ‘ନିର୍ମାଣ କୁସୁମ ଯୋଜନା’ କାର୍ଯ୍ୟକାରୀ କରାଯାଉଛି । ସେହିପରି ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କ ପାଇଁ ଓଡ଼ିଶା ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ଼ ଗଠନ କରାଯାଇ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଛି ।

ପ୍ରବାସୀ ଶ୍ରମିକମାନଙ୍କର ସୁରକ୍ଷା ପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବା ସହ ରାଜ୍ୟର ୪ଟି ପ୍ରବାସୀ ଶ୍ରମିକପ୍ରବଣ ଜିଲ୍ଲା ଯଥା ବଲାଙ୍ଗୀର, ବରଗଡ଼, କଳାହାଣ୍ଡି ଓ ନୂଆପଡ଼ାର ୪୭୭ଟି ପଂଚାୟତରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହାୟତା ପ୍ୟାକେଜ୍‌ କାର୍ଯ୍ୟକାରୀ ହେଉଛି ।
ରାଜ୍ୟ ସରକାରଙ୍କ ୫-‘ଟି’ ଉପକ୍ରମରେ PAReSHRAM portal କାର୍ଯ୍ୟକାରୀ କରାଯାଇ ୫୨ଗୋଟି ବିଭିନ୍ନ ସେବା ଅନ୍‌ଲାଇନ୍‌ ମାଧ୍ୟମରେ ଯୋଗାଇ ଦିଆଯାଉଛି, ଯାହା ରାଜ୍ୟରେ ବ୍ୟବସାୟ ସରଳୀକରଣ ଦିଗରେ ସହାୟକ ହେବା ସହ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସ୍ୱଚ୍ଛତାର ସହ ସେବା ଯୋଗାଇ ପାରିଛି । ଅଦ୍ୟାବଧି, ଏହି ପୋର୍ଟାଲ ମାଧ୍ୟମରେ ୧୬,୫୦୦ରୁ ଊଦ୍ଧ୍ୱର୍ ସେବା ପ୍ରଦାନ କରାଯାଇଛି ।

ଆଜିର ଏହି ସମାରୋହରେ ମନ୍ତ୍ରୀ ଶ୍ରୀ ସିଂହ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ର ନୂତନ ଅନ୍‌ଲାଇନ୍‌ ପୋର୍ଟାଲ https:\\nirmanshramik.odisha.gov.in କୁ ଲୋକାର୍ପଣ କରି କହିଥିଲେ ଯେ ଏହି ବ୍ୟବସ୍ଥା ଦ୍ୱାରା ନିର୍ମାଣ ଶ୍ରମିକମାନଙ୍କୁ ପଞ୍ଜିକରଣ, ନବୀକରଣ ଓ ସହାୟତା ଆବେଦନ ନିମନ୍ତେ ଏବେ ଆଉ ଶ୍ରମ କାର୍ଯ୍ୟାଳୟକୁ ଯିବାକୁ ପଡ଼ିବ ନାହିଁ । ଶ୍ରମିକ ଭାଇଭଉଣୀମାନେ ଘରେ ବସି ମଧ୍ୟ ଉପରୋକ୍ତ ସେବା ପାଇପାରିବେ । ଏହି ଅବସରରେ ମନ୍ତ୍ରୀ ରାଜ୍ୟ ଶ୍ରମ ନିର୍ଦ୍ଦେଶାଳୟ (www.labourdirectorate.odisha.gov.in)ଏବଂ କାରଖାନା ଓ ବାଷ୍ପିତ୍ର ନିର୍ଦ୍ଦେଶାଳୟ (www.dfb.odisha.gov.in) ର ଦୁଇଗୋଟି େୱବ୍‌ସାଇଟ୍‌କୁ ମଧ୍ୟ ଲୋକାର୍ପଣ କରିଥିଲେ । ତତ୍‌ସହିତ ‘ଶ୍ରମ କଲ୍ୟାଣ’ ନାମକ ଏକ ବୁଲେଟିନ୍‌ ମଧ୍ୟ ଉନ୍ମୋଚିତ ହୋଇଥିଲା । ବିଭିନ୍ନ ଶ୍ରମିକ ଭାଇଭଉଣୀମାନଙ୍କୁ ବିଭାଗ ତରଫରୁ ମୁଖ୍ୟଅତିଥି ଆର୍ଥିକ ସହାୟତା ପ୍ରଦାନ କରିଥିଲେ ।

ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ର ଅଧ୍ୟକ୍ଷ ଶ୍ରୀ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଉପସ୍ଥିତ ଶ୍ରମିକମାନଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ ଯେ ଶ୍ରମିକମାନଙ୍କର ସର୍ବାଙ୍ଗୀନ ବିକାଶ ଓ ବହୁବିଧ କଲ୍ୟାଣ ରାଜ୍ୟ ସରକାରଙ୍କ ପ୍ରାଥମିକତା । ନିର୍ମାଣ ଶ୍ରମିକମାନଙ୍କର କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିବାରେ ଆମ ରାଜ୍ୟ ଭାରତବର୍ଷରେ ଆଜି ଏକ ଅଗ୍ରଣୀ ରାଜ୍ୟ ଭାବେ ପରିଗଣିତ ହୋଇଛି ।

ଏହି ସମାରୋହରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଯୋଗଦେଇ କହିଥିଲେ ଯେ ରାଜ୍ୟ ସରକାର ଶ୍ରମିକମାନଙ୍କର ବହୁବିଧ କଲ୍ୟାଣ ନିମନ୍ତେ ଅଙ୍ଗୀକାରବଦ୍ଧ ଓ ସର୍ବଦା ସେମାନଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ ପ୍ରଚେଷ୍ଟା ଜାରି ରଖିଛନ୍ତି । ଶ୍ରମିକ ଭାଇଭଉଣୀମାନଙ୍କ ପାଇଁ ଉତ୍ସର୍ଗୀକୃତ ମନୋଭାବ ନେଇ ଅହରହ କାର୍ଯ୍ୟ କରୁଥିବା ପ୍ରମୁଖ ଶ୍ରମିକ ସଂଗଠନର ୪ଜଣ ଶ୍ରମିକ ନେତାଙ୍କୁ ଏହି କାର୍ଯ୍ୟକ୍ରମରେ ‘ବିଜୁ ଶ୍ରମିକ ବନ୍ଧୁ ସମ୍ମାନ-୨୦୨୨’ରେ ସମ୍ମାନିତ କରାଯାଇଥିଲା।

ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ପ୍ରମୁଖ ଶାସନ ସଚିବ ଚିତ୍ରା ଆରୁମୁଗମ୍‌ ସ୍ୱାଗତ ଭାଷଣ ଦେଇଥିଲାବେଳେ ଶ୍ରମ ଆୟୁକ୍ତ ଡ. ଏନ୍‌. ଥିରୁମାଲା ନାଏକ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ବିଭାଗର ବରିଷ୍ଠ ପଦାଧିକାରୀ, ବିଭିନ୍ନ ଶ୍ରମିକ ସଂଗଠନର ନେତୃମଣ୍ଡଳୀ ଏବଂ ବହୁ ଶ୍ରମିକ ଭାଇଭଉଣୀମାନେ ଯୋଗ ଦେଇଥିଲେ ।