Categories
ଆଞ୍ଚଳିକ

ବାଣପୁରରେ ଆନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ପାଳିତ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ଆଜି ଅନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବାଣପୁର ବ୍ଲକ ଶିକ୍ଷା ଅଧିକାରୀଙ୍କ ତରଫରୁ ଶତାଧିକ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ବିଇଓ କାର୍ଯ୍ୟାଳୟ ପରିସରରେ ଉକ୍ତ ଦିବସ ପାଳିତ ହୋଇଯାଇଛି।

ଉଦଘାଟନ ଉତ୍ସବରେ ବାଣପୁର ତହସିଲଦାର କୁଞ୍ଜ ବିହାରୀ ବଡ଼ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅତିରିକ୍ତ ବ୍ଲକ ଉନ୍ନୟନ ଅଧିକାରୀ ସୀମାଦ୍ରୀ ପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉପସ୍ଥିତ ଛାତ୍ରଛାତ୍ରୀ ତଥା ଅଭିଭାବକଙ୍କୁ ମୂଲ୍ୟବାନ ଉପଦେଶ ପ୍ରଦାନ କରିବା ସହ ଦିବ୍ୟାଙ୍ଗ ମାନେ ସ୍ୱତନ୍ତ୍ର ଦକ୍ଷତାର ଅଧିକାରୀ, ସେମାନଙ୍କୁ ଦୁର୍ବ୍ୟବହାର ନ ଦେଖାଇ ସେମାନଙ୍କ ଅଧିକାର ପ୍ରାପ୍ତିରେ ସମସ୍ତେ ସହଯୋଗ କରିବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ। ଅନୁରୂପ ଭାବେ ଉଦଯାପନୀ ଉତ୍ସବରେ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ା ରମାକାନ୍ତ ନାୟକ ଯୋଗଦେଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ମନୋବଳ ବଢ଼ାଇଥିଲେ।

ଏହି ଅବସରରେ ତହସିଲଦାର ବିଇଓ କାର୍ଯ୍ୟାଳୟ ପରିସରରେ ପତାକା ଉତ୍ତୋଳନ କରିବା ସହ ଏକ ଶୋଭାଯାତ୍ରାରେ ବାଣପୁର ସହର ପରିକ୍ରମା କରିବା ସହିତ ଦିବ୍ୟଙ୍ଗ ମାନଙ୍କୁ ଭଲ ପାଇବା ପାଇଁ ସଚେତନତା ବାର୍ତ୍ତା ସୃଷ୍ଟି କରିଥିଲେ। ଏହାପରେ ଏକ ବ୍ଲକ ରିଶୋର୍ସ ସେଣ୍ଟର ମଧ୍ୟ ଉଦଘାଟନ କରିଥିଲେ ତହସିଲଦାର ଶ୍ରୀ ବଡ଼ଜେନା। ସଭାଶେଷରେ ଜଣେ ଦିବ୍ୟାଙ୍ଗ ଛାତ୍ର, ଜଣେ ଅଭିଭାବକ ଏବଂ ଜଣେ ଶ୍ରେଷ୍ଠ ଶିକ୍ଷକଙ୍କୁ ସମ୍ମାନିତ କରାଯାଇଥିଲା।

ସେହିପରି ଭାବେ ପୁର୍ବରୁ ଅନୁଷ୍ଠିତ ହୋଇଯାଇଥିବା ବିଭିନ୍ନ ପ୍ରତିଯୋଗିତାରେ ବ୍ଲକର ୩୬ ଜଣ କୃତି ଛାତ୍ରଛାତ୍ରୀଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବାଣପୁର ବିଇଓ ସନାତନ ଜାଲି ସଭାପତିତ୍ୱ କରିଥିବା ବେଳେ ଅତିରିକ୍ତ ବିଇଓ ସନ୍ଧ୍ୟାରାଣୀ ହରିଚନ୍ଦନ ଏବଂ ମନୋଜ କୁମାର ହରିଚନ୍ଦନ ଏହାକୁ ପରିଚାଳନା କରିଥିଲେ।