Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ଫେସବୁକରେ ଧାର୍ମିକ ଭାବନାକୁ ଆଘାତ ଦେବା ପରି ଆପତ୍ତିଜନକ ପୋଷ୍ଟ କରି ଅଭିଯୁକ୍ତ ଗିରଫ

ଖୋର୍ଦ୍ଧା: ନିକଟରେ ଖୋର୍ଦ୍ଧା ଟାଉନ ଥାନା ମୁକୁନ୍ଦପ୍ରସାଦରେ ଗୋ ହତ୍ୟାକୁ ନେଇ ଉତ୍ତେଜନା ସୃଷ୍ଟି ହେବା ପରେ ଉପଜିଲ୍ଲାପାଳ ଦୀପ୍ତିରଞ୍ଜନ ସେଠିଙ୍କ ଅଧ୍ୟକ୍ଷତାରେ ଏକ ଶାନ୍ତି କମିଟି ଗଠନ କରାଯାଇଥିଲା। ଉକ୍ତ ଘଟଣାକୁ ନେଇ ଯଦି କୌଣସି ବ୍ୟକ୍ତି ଅଶାନ୍ତ ବାତାବରଣ ସୃଷ୍ଟି କରିବା ପାଇଁ ପୁନଶ୍ଚ କିଛି ଉତ୍ତେଜନା ମୂଳକ କାର୍ଯ୍ୟ କରେ ତେବେ ତାଙ୍କୁ ଆଇନ ଅନୁଯାୟୀ ଦଣ୍ଡିତ କରାଯିବ ବୋଲି ଶାନ୍ତି କମିଟିରେ ନିଷ୍ପତ୍ତି ହୋଇଥିଲା।

ତେବେ ଉକ୍ତ ଘଟଣାକୁ ନେଇ ଜଣେ ବ୍ୟକ୍ତି ନିଜ ଫେସବୁକ ଆକାଉଣ୍ଟରେ ଆପତ୍ତିଜନକ ପୋଷ୍ଟ କରି ପୋଲିସ ଦ୍ୱାରା ଗିରଫ ହୋଇଛନ୍ତି। ଅଭିଯୁକ୍ତ ଜଣକ ମୁକୁନ୍ଦପ୍ରସାଦ ଅଞ୍ଚଳର ହବିବ ଖାନ (୨୫) ବୋଲି ଜଣାପଡିଛି। ସେ ତାଙ୍କ ଫେସବୁକ ଆକାଉଣ୍ଟରେ ଧାର୍ମିକ ଭାବନା ତଥା ସାମ୍ପ୍ରଦାୟିକ ସମନ୍ୱୟକୁ ବାଧା ଦେବା ପରି ଅପମାନଜନକ ପୋଷ୍ଟ କରିଥିଲେ।

ଏହା ଜାଣିବା ପରେ ଖୋର୍ଦ୍ଧା ଶିଳ୍ପାଞ୍ଚଳ ଫାଣ୍ଡି ଅଧିକାରୀ ବାସୁଦେବ ଜୟସିଂହ ନିଜଆଡୁ କେସ ନମ୍ବର ୪୭୦/୨୩, ଦଫା ୨୯୪, ୫୦୬, ୧୫୩ (କ) ରେ ମାମଲା ରୁଜୁ କରିଛନ୍ତି।

ଅନୁରୂପ ଭାବେ ଅଭିଯୁକ୍ତଙ୍କୁ ଧରିବା ପାଇଁ ଟାଉନ ଥାନା ଅତିରିକ୍ତ ଆଇଆଇସି ସ୍ନିଗ୍ଧାମୟୀ ବରାଳଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇଥିଲା। ବର୍ତ୍ତମାନ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି।

ଯଦି କୌଣସି ବ୍ୟକ୍ତି ଧାର୍ମିକ ଭାବନାକୁ ଆଘାତ ଦେବା ତଥା ସାମ୍ପ୍ରଦାୟିକ ସମନ୍ୱୟକୁ ବାଧା ଦେବା ପରି କାର୍ଯ୍ୟ କରିବ ତାକୁ ଆଇନ ଅନୁଯାୟୀ ଦଣ୍ଡିତ କରାଯିବ ବୋଲି ତଦନ୍ତକାରି ଅଧିକାରିଣୀ ଶ୍ରୀମତୀ ବରାଳ କହିଛନ୍ତି।

Categories
ଅପରାଧ ଆଜିର ଖବର ଜାତୀୟ ଖବର ମନୋରଂଜନ

ଶରଦ ପାୱାରଙ୍କ ଉପରେ ଆପତ୍ତିଜନକ ପୋଷ୍ଟ କରି ଅଭିନେତ୍ରୀ କେତକୀ ଚିଟଲେ ଗିରଫ

ମୁମ୍ବାଇ: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଶରଦ ପାୱାରଙ୍କ ବିରୋଧରେ ବିବାଦୀୟ ପୋଷ୍ଟ ପୋଷ୍ଟ କରିଥିବାରୁ ମରାଠୀ ଅଭିନେତ୍ରୀ କେତକୀ ଚିଟଲେଙ୍କୁ ଥାନେ ପୋଲିସ ଗିରଫ କରିଛି। ତାଙ୍କୁ ଆଜି ଥାନେ କୋର୍ଟରେ ହାଜର କରାଯାଇଛି। ମେ ୧୮ ତାରିଖ ପର୍ଯ୍ୟନ୍ତ କୋର୍ଟ ତାଙ୍କୁ ପୋଲିସ ହେପାଜତକୁ ପଠାଇଛନ୍ତି।

ପ୍ରକାଶ ଯୋଗ୍ୟ ଯେ ଅଭିନେତ୍ରୀ ସୋସିଆଲ ମିଡିଆରେ ଶରଦ ପାୱାରଙ୍କ ବିରୋଧରେ ଏକ ଆପତ୍ତିଜନକ ପୋଷ୍ଟ କରିଥିଲେ। ସେ ଟ୍ୱିଟରରେ ଶରଦ ପାୱାରଙ୍କ ବିରୋଧରେ ଏକ ଆପତ୍ତିଜନକ ପୋଷ୍ଟ କରିଥିଲେ, ଯାହା ପରେ ଥାନେ ପୋଲିସ ତାଙ୍କୁ ଗିରଫ କରିଥିଲା। ଏଥି ସହିତ, ମୁମ୍ବାଇର ଭୋଇୱାଡା ପୋଲିସ ଷ୍ଟେସନରେ କେତକୀଙ୍କ ବିରୋଧରେ ଆଇପିସିର ୧୫୩ଏ, ୫୦୦, ୫୦୧, ୫୦୪, ୫୦୬ ଏବଂ ୩୪ ଅନୁଯାୟୀ ମାମଲା ରୁଜୁ ହୋଇଛି। ତାଙ୍କ ବିରୋଧରେ ଏପର୍ଯ୍ୟନ୍ତ ମୋଟ ୫ ଟି ମାମଲା ରୁଜୁ ହୋଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଫେକ ଫେସବୁକ ଆଇଡି ଖୋଲି ଆଇନଜୀବୀଙ୍କ ନାମରେ ଆପତ୍ତିଜନକ ପୋଷ୍ଟ ମାମଲା: ଦୁଇ ଗିରଫ

ଭୁବନେଶ୍ବର: ସୋମବାର ସନ୍ଧ୍ୟାରେ ବାଣପୁର ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଚୋରା ମୋବାଇଲ ସିମ କାର୍ଡ ବିକ୍ରି ଅଭିଯୋଗରେ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ମୁତାବକ ଦୀର୍ଘ ଏକ ବର୍ଷ ହେବ ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳର ଜନୈକ ଆଇନଜୀବିଙ୍କୁ ଏକ ଫେକ ଫେସବୁକ ଆଇଡି ମାଧ୍ୟମରେ ନାନାଦି କଟୁ ଏବଂ ଅଶ୍ଳୀଳ ମନ୍ତ୍ୟବ ଦେବା ସହ ଆପତ୍ତିଜନକ ଫଟୋଚିତ୍ର ଭାଇରାଲ କରି ବଦନାମ କରିବା ପାଇଁ ଅହରହ ଉଦ୍ୟମ କରାଯାଉଥିଲା। ଏ ନେଇ ଅଭିଯୋଗକାରୀ ବାଣପୁର ଥାନାରେ ଏକ ଲିଖିତ ଅଭିଯୋଗ କରିବାରୁ ପୋଲିସ ତୁରନ୍ତ ମାମଲା ରୁଜୁ କରି ତଦନ୍ତ ଜାରି ରହିଥିଲା।

ତେବେ ଏ ନେଇ ଦୀର୍ଘ ଦିନ ବିତି ଯାଇଥିଲେ ସୁଦ୍ଧା ପୋଲିସର କାର୍ଯ୍ୟାନୁଷ୍ଠାନ ଶୁନ ରହିଥିଲା। ମାତ୍ର ଗତ କାଲି ସନ୍ଧ୍ୟାରେ ପୋଲିସ ହଠାତ ଚେଇଁ ଉଠିବାପରି ସଂପୃକ୍ତ ଫେସବୁକ ଆଇଡିକୁ ଭିତିକରି ମୋବାଇଲ ସିମ ବିକ୍ରେତା ଯଥା ବାଣପୁର ଥାନା ନିକଟସ୍ଥ ଦ୍ୱାରିକା କମ୍ୟୁନିକେସନ ନାମକ ଏକ ମୋବାଇଲ ଦୋକାନର ମାଲିକ କେଦାରନାଥ ସେନାପତି (୪୩) ଏବଂ ତାଙ୍କ କର୍ମଚାରୀ ସୋମନାଥ ସେନାପତି (୨୧) ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଉକ୍ତ ଦୁଇ ଅଭିଯୁକ୍ତ ଜଣକ ଚୋରା ସିମ ବିକ୍ରି କରି ଉକ୍ତ କଳା କାରନାମାର ଅଂଶବିଶେଷ ଥିବା ପୋଲିସ କହିଛି। ତେବେ ଦିନକୁ ଦିନ ଚୋରା ସିମ ବାବଦରେ ଆଇନ କଠୋର ହେଉଥିବାବେଳେ କିପରି ଉକ୍ତ ଦୁଇ ଜଣ ଅଭିଯୁକ୍ତ ଏପରି କାଣ୍ଡ କଲେ ତାହା ଚର୍ଚ୍ଚାର ବିଷୟ ପାଲଟିଛି।

ସେହିପରି ଭାବେ ବାଣପୁର, ବାଲୁଗାଁ ଅଞ୍ଚଳରେ ଏପରି ଘଟଣା ବାରମ୍ବାର ଘଟୁଥିଲେ ସୁଦ୍ଧା ପୋଲିସ ପକ୍ଷରୁ କୌଣସି ମୋବାଇଲ ଦୋକାନ ଯାଞ୍ଚ ନହେଵା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଚୋରା ସିମ ବିକ୍ରେତାକୁ ପୋଲିସ ଗିରଫ କରିଥିବା ବେଳେ ଏପର୍ଯ୍ୟନ୍ତ ମୁଖ୍ୟ ଅଭିଯୁକ୍ତକୁ ଧରିବାକୁ ସଫଳ ନହେଵା ପୋଲିସର ପାରିବାପଣିଆ ଉପରେ ପ୍ରଶ୍ନବାଚି ସୃଷ୍ଟି କରିଛି।

ତେବେ ଉକ୍ତ ମାମଲାର ତଦନ୍ତ ଜାରିରହିଛି ଏବଂ ତଦନ୍ତ ଘେରରେ ଯାହାର ସମ୍ପୃକ୍ତି ସାମ୍ନାକୁ ଆସିବ ସେମାନଙ୍କ ଉପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହା ସହ ଖୁବ ଶୀଘ୍ର ମୁଖ୍ୟ ଅଭିଯୁକ୍ତ ଧରାପଡ଼ିବ ବୋଲି ବାଣପୁର ଆଇଆଇସି ରଶ୍ମିରଂଜନ ସାହୁ ସୂଚନା ଦେଇଛନ୍ତି।