Categories
ଅପରାଧ ଆଜିର ଖବର ଜାତୀୟ ଖବର

ଭିଏଚପି ଏବଂ ଆରଏସଏସ କାର୍ଯ୍ୟାଳୟରେ ବିସ୍ଫୋରଣ କରିବାକୁ ଧମକ: ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ନୂଆଦିଲ୍ଲୀ: ଝଣ୍ଡେୱାଲାନର ଭିଏଚପି କାର୍ଯ୍ୟାଳୟରେ ପ୍ରବେଶ କରି ବୋମା ବିସ୍ଫୋରଣ କରିବାକୁ ଜଣେ ବ୍ୟକ୍ତି ଧମକ ଦେଉଥିଲେ। ଆଜି ଦିଲ୍ଲୀ ପୋଲିସ ନିୟନ୍ତ୍ରଣ କକ୍ଷରୁ ଏ ସୂଚନା ପାଇଥିଲା। ଖବର ପାଇବା ପରେ ତୁରନ୍ତ ଦିଲ୍ଲୀ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେତେବେଳକୁ ଭିଏଚପି କାର୍ଯ୍ୟାଳୟରେ ଉପସ୍ଥିତ ଥିବା ଭିଏଚପି ଦିଲ୍ଲୀ ମନ୍ତ୍ରୀ ସୁରେନ୍ଦ୍ର କୁମାର ଅଭିଯୁକ୍ତଙ୍କୁ ପକାବୁ କରିଦେଇଥିଲେ। ତାପରେ ପୋଲିସ ତାଙ୍କୁ ଗିରଫ କରିଥିଲା।

ଦିଲ୍ଲୀ ପୋଲିସର ସୂଚନାନୁସାରେ, ଆଜି ମଧ୍ୟାହ୍ନ ୧୨.୪୧ ସମୟରେ ଏକ କଲ ଆସିଥିଲା ​​ଯେ, କେହି ଜଣେ ଝଣ୍ଡେୱାଲାନରେ ଅବସ୍ଥିତ ଭିଏଚପି ଅଫିସରେ ପ୍ରବେଶ କରି ବିସ୍ଫୋରଣ କରିବାକୁ ଧମକ ଦେଉଛନ୍ତି। ପୋଲିସର କହିବାନୁସାରେ, ଅଭିଯୁକ୍ତଙ୍କ ନାମ ପ୍ରିନ୍ସ ପାଣ୍ଡେ। ପଚରାଉଚୁରାରେ ପ୍ରିନ୍ସ କହିଛନ୍ତି ଯେ ସେ ମଧ୍ୟପ୍ରଦେଶ ବାସିନ୍ଦା ଏବଂ ଫତେହପୁର ବେରୀରେ ତାଙ୍କ ମାଉସୀ ଘରେ ସେ ରହୁଥିଲେ।

ପୋଲିସର ସୂଚନାନୁସାରେ, ପ୍ରିନ୍ସ କେବଳ ଜୁଲାଇ ୨୨ ତାରିଖରେ ଦିଲ୍ଲୀ ଆସିଥିଲେ। ପଚରାଉଚରା ବେଳେ ପ୍ରିନ୍ସ କହିଛନ୍ତି ଯେ, ତାଙ୍କ ଗାଁର ଏକ ପରିବାର ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିଥିଲେ। ସେଥିପାଇଁ ସେ କ୍ରୋଧିତ ହେଲେ ଯେ କାହିଁକି କେହି କିଛି କରୁନାହାଁନ୍ତି। ତେଣୁ ଧ୍ୟାନ ପାଇବା ପାଇଁ ସେ ଏହା କରିଥିଲେ।

ଦିଲ୍ଲୀ ପୋଲିସର ସୂଚନାନୁସାରେ, ପଚରାଉଚରା ବେଳେ ପ୍ରିନ୍ସ ନିଜକୁ ଆରଏସଏସର ସମର୍ଥକ ବୋଲି କହିଛନ୍ତି। ବର୍ତ୍ତମାନ ଅଭିଯୁକ୍ତଙ୍କ ଦାବିର ସତ୍ୟତା ଜାଣିବା ପାଇଁ ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ପଚରାଉଚରା କରୁଛି।