Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ନିଜ ପ୍ରିୟଜନଙ୍କୁ ଛାଡି ଇସଲାମାବାଦରୁ ପଳାଇଲେ ଇମ୍ରାନ ଖାନ

ନୂଆଦିଲ୍ଲୀ: ପାକିସ୍ତାନରେ ଅବିଶ୍ୱାସ ପ୍ରସ୍ତାବରେ ବିରୋଧୀଙ୍କ ବିଜୟ ପରେ ଇମ୍ରାନ ଖାନ ଇସଲାମାବାଦ ଛାଡିଥିବା ବେଳେ ଅନ୍ୟପକ୍ଷରେ ତାଙ୍କ ନିକଟତମ ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଇମ୍ରାନ ଖାନଙ୍କ ମୁଖପାତ୍ର ଡକ୍ଟର ଆର୍ସଲାନ ଖାଲିଦଙ୍କ ଘରେ ଚଢାଉ କରାଯାଇଛି। ସୂଚନାନୁସାରେ, ଆର୍ସଲାନଙ୍କ ପରିବାରର ସମସ୍ତ ସଦସ୍ୟଙ୍କଠାରୁ ଫୋନ୍‌ ମଧ୍ୟ ଛଡ଼ାଇନିଆଯାଇଛି।

ପିଟିଆଇ ଦଳ ନିଜେ ଟ୍ୱିଟ୍ କରି ଆର୍ସଲାନ୍ ଖାଲିଦଙ୍କ ଘରେ ହୋଇଥିବା ଚଢାଉ ସମ୍ପର୍କରେ ସୂଚନା ଦେଇଛି। ପାର୍ଟି ପକ୍ଷରୁ କୁହାଯାଇଛି ଯେ, “ଏହା ଅତ୍ୟନ୍ତ ବିବ୍ରତ ଖବର। ଡକ୍ଟର ଆର୍ସଲାନ ଖାଲିଦଙ୍କ ଘରେ ଚଢାଉ କରାଯାଇଛି। ତାଙ୍କ ପରିବାରର ସମସ୍ତ ସଦସ୍ୟଙ୍କ ଠାରୁ ମୋବାଇଲ୍ ଫୋନ୍ ମଧ୍ୟ ଛଡ଼ାଇ ନିଆଯାଇଛି।”

ଦଳ କହିଛି ଯେ, ସୋସିଆଲ ମିଡିଆରେ ଆର୍ସଲାନ କାହାକୁ କିଛି କହି ନାହାଁନ୍ତି କିମ୍ବା କୌଣସି ଅପମାନଜନକ ଶବ୍ଦ ବ୍ୟବହାର କରିନାହାଁନ୍ତି। ତେବେ ଆର୍ସଲାନଙ୍କ ଘରେ ହୋଇଥିବା ଚଢାଉର କାରଣ ସମ୍ପର୍କରେ କୌଣସି ସଠିକ୍ ସୂଚନା ନାହିଁ।

ପ୍ରକାଶ ଯୋଗ୍ୟ ଯେ, ଇମ୍ରାନ ଖାନ, ଫୱାଦ ଚୌଧୁରୀଙ୍କ ସମେତ ଶାହ ମାସୁଦଙ୍କ ବିରୋଧରେ ଏକ ପିଟିସନ ଦାଖଲ କରାଯାଇଛି। ସୂଚନାନୁସାରେ, ଏପ୍ରିଲ ୧୧ ତାରିଖରେ ହାଇକୋର୍ଟଙ୍କ ଦ୍ଵାରା ଶୁଣାଣି ହେବ। ଏହି ତିନିଜଣଙ୍କ ନାମକୁ ଏକ୍ଜିଟ୍ କଣ୍ଟ୍ରୋଲ୍ ତାଲିକାରେ ରଖିବାକୁ ଦାବି ରହିଛି। ଏଥିପାଇଁ ଇମ୍ରାନ ଖାନଙ୍କୁ ଦେଶ ଛାଡିବାକୁ ବାରଣ କରାଯାଇଛି।