Categories
ଅପରାଧ ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଶାକର୍ମୀଙ୍କୁ ମହିଳା ଡାକ୍ତରଙ୍କ ଚାପୁଡା ମାଡ, ଥାନାରେ ମାମଲା

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ସଦରମହକୁମା ଭବାନୀପାଟଣା ଡାକ୍ତରଖାନାରେ ଜନୈକା ଆଶାକର୍ମୀଙ୍କୁ ସେଠାରେ କାର୍ଯ୍ୟରତ ମହିଳା ଡାକ୍ତର ଚାପୁଡା ମାଡ ମାରିବା ଘଟଣା ଥାନାରେ ପହଂଚିଛି।

ଘଟଣାରୁ ପ୍ରକାଶ ଯେ, ଥୁଆମୂଲ ରାମପୁର ବ୍ଲକ ବଣ୍ଡାବାଗ ଗ୍ରାମର ଆଶାକର୍ମୀ ସଙ୍ଗୀତା ନାଏକ ଜନୈକ ଗର୍ଭବତୀ କ୍ଷୀରମଣି ଝଡିଆଙ୍କୁ ସାଙ୍ଗରେ ନେଇ ଡାକ୍ତରଖାନାକୁ ଆସିଥିଲେ। ଅଧିକ ଯନ୍ତ୍ରଣା ହେବାରୁ ସଂପୃକ୍ତ ଗର୍ଭବତୀଙ୍କୁ ଲେବର ରୁମକୁ ନିଆଯାଇଥିବା ବେଳେ ସେଠାରେ କାର୍ଯ୍ୟରତ ସ୍ତ୍ରୀରୋଗ ବିଶେଷଜ୍ଞ ମହିଳା ଡାକ୍ତର ହେମାଙ୍ଗୀନି ମେହେର ଚିକିତ୍ସାରେ ଅବହେଳା କରିବାରୁ ଆଶାକର୍ମୀ ଜଣକ ଡାକ୍ତରଙ୍କୁ ଶୀଘ୍ର ଚିକିତ୍ସା କରିବାକୁ ଅନନୁୟ କରିଥିବା ପ୍ରକାଶ। ସେଥିରେ ଉତକ୍ଷିପ୍ତ ହୋଇ ମହିଳା ଡାକ୍ତର ଆଶାକର୍ମୀଙ୍କୁ ଚାପୁଡା ମାରିଥିବାର ସିଡିଏମଓଙ୍କ ପାଖରେ ଲିଖିତ ଅଭିଯୋଗ ହୋଇଥିଲା।

ଏପରିକି ଆଶାକର୍ମୀ ଜଣକ ସଂଘକୁ ଜଣାଇବା ପରେ ଜିଲ୍ଲା ଆଶାକର୍ମୀ ସଂଘ ପକ୍ଷରୁ ସିଡିଏମଓଙ୍କ କାର୍ଯ୍ୟାଲୟ ଘେରାଉ କରାଯାଇ କାର୍ଯ୍ୟାନୁଷ୍ଠାନ ଦାବୀ କରାଯାଇଥିଲା। ଏସଂପର୍କରେ ସିଡିଏମଓ ଡା. ପ୍ରତାପ ଚନ୍ଦ ବେହେରା ଉଭୟ ପକ୍ଷଙ୍କ ମତାମତ ଶୁଣିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।

ଆଶା କର୍ମୀ ସଂଘ ପକ୍ଷରୁ ଡାକ୍ତର ହେମାଙ୍ଗୀନି ମେହେରଙ୍କ ବିରୁଦ୍ଧରେ ଭବାନୀପାଟନା ଟାଉନଥାନାରେ ଅଭିଯୋଗ ହେବାପରେ ଆଇପିସି ଦଫା ୨୯୪,୩୪୧,୩୨୩ ଅନୁସାରେ କେଶ ନଂ. ୩୬୦ ରେ ଏକ କେସ ରୁଜ୍ଜୁ କରାଯାଇ ତଦନ୍ତ ଚାଲିଥିବା ଥାନାଧିକାରୀ ପ୍ରଦୀପ କୁମାର ଧାରୁଆଙ୍କ ସୂତ୍ରରୁ ପ୍ରକାଶ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ମୃତ୍ୟୁବରଣ କଲେ ଆଶାକର୍ମୀ: ଚାରି ଦିନ ପୂର୍ବରୁ ନେଇଥିଲେ କରୋନା ଟିକା

ଗୁଣ୍ଟୁର: ଆନ୍ଧ୍ରପ୍ରଦେଶ ଗୁଣ୍ଟୁର ଜିଲ୍ଲାରେ ଏକ ଆଶାକର୍ମୀଙ୍କ ଆଜି ସକାଳେ ହସ୍ପିଟାଲରେ ମୃତ୍ୟୁ ହୋଇଯାଇଛି। ମୃତ ଆଶା କର୍ମୀ ଚାରି ଦିନ ପୂର୍ବରୁ କରୋନା ଟିକା ନେଇଥିଲେ। ହେଲେ ଡାକ୍ତରଙ୍କ କହିବା ଅନୁଯାୟୀ, ଆଶା କର୍ମୀଙ୍କ ବ୍ରେନ ଷ୍ଟ୍ରୋକ ଯୋଗୁଁ ମୃତ୍ୟୁ ହୋଇଛି। ମୃତ ମହିଳା ଆଶା କର୍ମୀଙ୍କ ନାମ ବିଜୟ ଲକ୍ଷ୍ମୀ (୪୨) ବୋଲି ଜଣାପଡିଛି। ବିଜୟ ଲକ୍ଷ୍ମୀ ଗତ ୧୯ ତାରିଖରେ ଟିକା ନେଇଥିଲେ। ଟିକା ନେବା ପରେ ସେ ତୁରନ୍ତ ଅସୁସ୍ଥ ହୋଇପଡିଥିଲେ। ୨୧ ତାରିଖରେ ସେ ଅଚେତ ହେବା ପରେ ତାଙ୍କୁ ଗୁଣ୍ଟୁରର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ଆଜି ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି।

ତେବେ କରୋନା ଟିକା ଯୋଗୁଁ ବିଜୟ ଲକ୍ଷ୍ମୀଙ୍କ ମୃତ୍ୟୁ ହୋଇଛି ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି। ଏହାପରେ ଜିଲ୍ଲାପାଳ ସାମୁଏଲ ଆନନ୍ଦ କୁମାର ଡାକ୍ତରଖାନାରେ ପହଞ୍ଚି ମୃତକ ଆଶକର୍ମୀଙ୍କ ପରିବାର ଲୋକଙ୍କ ସହ ସାକ୍ଷାତ କରିଥିଲେ। ମୃତକ ଆଶକର୍ମୀଙ୍କ ପୁଅକୁ ଚାକିରୀ, ଘର ପାଇଁ ଜମି ଏବଂ ଆର୍ଥିକ ସହାୟତା ସରକାରଙ୍କ ପକ୍ଷରୁ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।