Categories
ଆଞ୍ଚଳିକ

ନାକଟିଦେଉଳରେ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟମେଳା ଅନୁଷ୍ଠିତ, ୮୯୨ ଜଣ ରୋଗୀ ସ୍ୱାସ୍ଥ୍ୟ ପରୀକ୍ଷା

କନ୍ଦର୍ପ ବେହେରା
ରେଢାଖୋଲ: ନାକଟିଦେଉଳ ମହାବିଦ୍ୟାଳୟ ପରିସରରେ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟମେଳା ଅନୁଷ୍ଠିତ ହୋଇଯାଇଛି। ଏହି ସ୍ୱାସ୍ଥ୍ୟମେଳାରେ ବିଶେଷଜ୍ଞ ଡାକ୍ତରଙ୍କ ଦ୍ୱାରା ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ମାଗଣା ଚିକିତ୍ସା ଓ ଔଷଧ ବଂଟନ କରାଯାଇଥିଲା। ଏଥିରେ ବିଶେଷଜ୍ଞ ଡାକ୍ତରଙ୍କ ଦ୍ୱାରା ସ୍ତ୍ରୀ ଓ ପ୍ରସୂତି ସେବା, ଶିଶୁ ରୋଗ ଚିକିତ୍ସା, ଭେଷଜ ଚିକିତ୍ସା, ଦାନ୍ତ ରୋଗ ଚିକିତ୍ସା, ଆୟୁଷ ଚିକିତ୍ସା, ଯୋଗ, ମଧୁମେହ ନିରୁପଣ, ରକ୍ତଚାପ ନିରୂପଣ, ମୁଖ ଗହ୍ୱର ଓ କର୍କଟ ନିରୂପଣ, ସ୍ୱାସ୍ଥ୍ୟ ପରାମର୍ଶ ସେବା, କୋଭିଡ ପରୀକ୍ଷା ଓ ଟିକାକରଣ, ମାଗଣା ରୋଗ ନିର୍ଣ୍ଣୟ ,ମାଗଣା ଔଷଧ ପ୍ରଦାନ କରାଯାଇଥିଲା।

ଏହି ଶିବିରକୁ ନାକଟିଦେଉଳ ବ୍ଲକ ଅଧ୍ୟକ୍ଷା ସ୍ୱରୁପାରାଣୀ ସାହୁ, ଜୋନ ୨ ଜିଲ୍ଲା ପରିଷଦ ସଭ୍ୟା ଟିକେଶ୍ୱରୀ ମେହେର, ନାକଟିଦେଉଳ ସରପଂଚ ଜିତେନ୍ଦ୍ରିୟ ସାହୁ, ଯୁକ୍ତ ୨ ଅଧ୍ୟକ୍ଷ କନ୍ଦର୍ପ ରାଉଳ, ଯୁକ୍ତ ୩ ଅଧ୍ୟକ୍ଷ ସୁଧିର କୁମାର ସାହୁ, ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ସ୍ୱାସ୍ଥ୍ୟ ଶିବିରକୁ ଉଦ୍‌ଘାଟନ କରିଥିଲେ। ଡ. ଅଜୟ କୁମାର ରାଉତ, ଡ. ରାମକୃଷ୍ଣ ପତି, ଡ. ଶରତ ଚନ୍ଦ୍ର ଘରାଇ, ଡ. ଚିନ୍ମୟ କର, ଡ. ଲିଲିବାଳା ବେହେରା, ଡ. ସ୍ୱବନିକା କୟାରକୁର ପ୍ରମୁଖ ବିଶେଷଜ୍ଞ ଡାକ୍ତର ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ନାକଟିଦେଉଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ. ଅମୁଲ୍ୟ ରତ୍ନ ମହନ୍ତ ଶିବିର ପରିଚାଳନା କରିଥିବା ବେଳେ ବ୍ଲକ କାର୍ଯ୍ୟକ୍ରମ ପରିଚାଳକ ମଧୁସୁଦନ ପୋଢ ସହଯୋଗ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ନାକଟିଦେଉଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କର୍ମଚାରୀ ଓ ସ୍ୱାସ୍ଥ୍ୟ କର୍ମୀମାନେ ଉପସ୍ଥିତ ଥିଲେ। ଏହି ଶିବିରରେ ୮୯୨ ଜଣ ରୋଗୀ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ସେମାନଙ୍କୁ ମାଗଣାରେ ଔଷଧ ବଂଟନ କରାଯାଇଥିଲା।