Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡ଼ିଶା ଗଣମାଧ୍ୟମ ପରିବାର ପକ୍ଷରୁ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ଭାରତୀୟ ଗଣମାଧ୍ୟମ ଜଗତର ରାମୋଜୀ ରାଓଙ୍କ ବିୟୋଗରେ ଓଡ଼ିଶାର ମିଡିଆ ପରିବାର ଗଭୀର ଶୋକ ପ୍ରକାଶ ପାଇଛି। ବିଭିନ୍ନ ଗଣମାଧ୍ୟମର ସମ୍ପାଦକ, ପ୍ରତିନିଧି ଏବଂ ମିଡିଆ ସହ ଜଡ଼ିତ ବ୍ୟକ୍ତିମାନେ ଏକାଠି ହୋଇ ଶନିବାର ସନ୍ଧ୍ୟାରେ ଦିବଙ୍ଗତ ଆତ୍ମାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

ଭୁବନେଶ୍ୱର ଜୟଦେବ ଭବନ ସମ୍ମୁଖରେ ଗଣମାଧ୍ୟମର ବିଭିନ୍ନ ବିଭାଗରେ କାମ କରୁଥିବା ପ୍ରତିନିଧିମାନେ ଏକାଠି ହୋଇ ରାମୋଜୀ ରାଓଙ୍କ ଫଟୋରେ ପୁଷ୍ପ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହି ଅବସରରେ ନୀରବ ପ୍ରାର୍ଥନା କରିବା ସହ ଭାରତୀୟ ଗଣମାଧ୍ୟମ ଓ ଚଳଚ୍ଚିତ୍ର ଜଗତକୁ ତାଙ୍କର ବିଶେଷ ଅବଦାନ ସମ୍ପର୍କରେ ଉପସ୍ଥିତ ବ୍ୟକ୍ତିମାନେ ସ୍ମରଣ କରିଥିଲେ।

ଏହି ପ୍ରାର୍ଥନା କାର୍ଯ୍ୟକ୍ରମରେ ରାମୋଜୀ ରାଓଙ୍କ ସହ ଅତୀତରେ କାମ କରିଥିବା ବରିଷ୍ଠ ଗଣମାଧ୍ୟମ ବ୍ୟକ୍ତିମାନଙ୍କ ସହ ବିଭିନ୍ନ ପ୍ରିଣ୍ଟ, ଇଲେକ୍ଟ୍ରୋନିକ୍, ଡିଜିଟାଲ ମିଡିଆର ପ୍ରତିନିଧିମାନେ ଯୋଗ ଦେଇଥିଲେ। ବିଭିନ୍ନ ଗଣମାଧ୍ୟମର ଫଟୋଗ୍ରାଫର ଓ ଭିଡିଓ ଜର୍ଣ୍ଣାଲିଷ୍ଟମାନେ ମଧ୍ୟ ଏହି ଅମର ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ଆଗାମୀ ଦିନରେ ଏହି ବଳିଷ୍ଠ ଗଣମାଧ୍ୟମ ବ୍ୟକ୍ତିତ୍ୱଙ୍କ ପାଇଁ ଏକ ବିଶେଷ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରିବାକୁ ଉପସ୍ଥିତ ବ୍ୟକ୍ତିମାନେ ପ୍ରସ୍ତାବ ଦେଇଛନ୍ତି। ଏ ବାବଦରେ କାର୍ଯ୍ୟକ୍ରମ ସ୍ଥିର କରି ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ଏଥିରେ ଯୋଗ ଦେବା ପାଇଁ ଅନୁରୋଧ କରାଯିବ ବୋଲି ବରିଷ୍ଠ ସାମ୍ବାଦିକ ନୀଳାମ୍ବର ରଥ ସୂଚନା ଦେଇଛନ୍ତି।

ଭାରତର ସିନେମା, ପ୍ରିଣ୍ଟ, ଟେଲିଭିଜନ ଏବଂ ଡିଜିଟାଲ ଗଣମାଧ୍ୟମ ଜଗତର ଅନ୍ୟତମ ଶୀର୍ଷ ବ୍ୟକ୍ତିତ୍ୱ ତଥା ଈନାଡୁ, ଈଟିଭି ଏବଂ ଈଟିଭି ଭାରତ ଭଳି ପ୍ରମୁଖ ମିଡିଆର ପ୍ରତିଷ୍ଠାତା ଥିଲେ ରାମୋଜୀ ରାଓ। ଶନିବାର ଭୋର ସମୟରେ ହାଇଦ୍ରାବାଦଠାରେ ତାଙ୍କର ପରଲୋକ ହୋଇଛି।

ଭାରତୀୟ ସିନେମା ଜଗତର ଜଣେ ପରିଚିତ ନିର୍ମାତା ଓ ପ୍ରଯୋଜକ ଥିଲେ ରାମୋଜୀ ରାଓ। ହିନ୍ଦୀ ଏବଂ ତେଲୁଗୁ ଭାଷାରେ ସେ ଅନେକ ସୁପରହିଟ୍ ସିନେମା ଦେଇଛନ୍ତି। ବିଶେଷକରି, ରାମୋଜୀ ଫିଲ୍ମ ସିଟି ଭଳି ଦେଶର ଏକ ଅଭିନବ ଫିଲ୍ମ ଷ୍ଟୁଡିଓ ପ୍ରତିଷ୍ଠା କରି ସେ ଆମ ସିନେ ଜଗତକୁ ଏକ ବହୁତ ବଡ଼ ଭେଟି ଦେଇଥିଲେ।

ଭାରତୀୟ ନ୍ୟୁଜ ମିଡିଆରେ ଏକ ନୂଆ ଯୁଗ ଆରମ୍ଭ କରିଥିଲେ ରାମୋଜୀ ରାଓ। ତେଲୁଗୁ ଭାଷାରେ ସେ ଈନାଡୁ ଭଳି ଏକ ବହୁ ସଂସ୍କରଣ ବିଶିଷ୍ଟ ପ୍ରଭାବଶାଳୀ ଖବରକାଗଜ ଠିଆ କରିଥିଲେ। ପରବର୍ତ୍ତୀ ସମୟରେ ଈନାଡୁ ନେଟୱର୍କ ଅଧୀନରେ ବିଭିନ୍ନ ଭାରତୀୟ ଭାଷାରେ ଟେଲିଭିଜନ ଚ୍ୟାନେଲ ଖୋଲି ସେ ଆଉ ଏକ ମାଇଲଖୁଣ୍ଟ ସ୍ଥାପନ କରିଥିଲେ।

ଭାରତର ଆଞ୍ଚଳିକ ଟେଲିଭିଜନର ପ୍ରସାର କ୍ଷେତ୍ରରେ ଈଟିଭି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଉଭୟ ମନୋରଞ୍ଜନ ଏବଂ ସମ୍ବାଦ ପରିବେଷଣ କ୍ଷେତ୍ରରେ ଦେଶରେ ଏକ ବିପ୍ଲବ ଆଣିଥିଲା ଏହି ମିଡିଆ ନେଟୱର୍କ।

ଓଡ଼ିଶାର ଗଣମାଧ୍ୟମ ବିଶେଷକରି, ମନୋରଞ୍ଜନ ଏବଂ ନ୍ୟୁଜ ମିଡିଆ ଉଭୟର ପ୍ରସାର କ୍ଷେତ୍ରରେ ରାମୋଜୀ ରାଓଙ୍କ ଭୂମିକା ସ୍ମରଣୀୟ। ସେ ୨୦୦୨ ମସିହା ଜାନୁଆରୀ ୨୭ ତାରିଖରେ ପ୍ରଥମ ଓଡ଼ିଆ ୨୪ ଘଣ୍ଟିଆ ଘରୋଇ ସାଟେଲାଇଟ୍ ଚ୍ୟାନେଲ ଉପହାର ଦେଇଥିଲେ। ଈଟିଭି ଓଡ଼ିଆ ତିଆରି କରିଥିବା ଶହ ଶହ ନିର୍ଦ୍ଦେଶକ, ପ୍ରଯୋଜକ, କଳାକାର, ଟେକ୍ନିସିଆନ, ଆଙ୍କର ଏବଂ ସାମ୍ବାଦିକ ଆଜି ଓଡ଼ିଶାର ବିଭିନ୍ନ ଗଣମାଧ୍ୟମର କାର୍ଯ୍ୟ ପରିସରକୁ ସମୃଦ୍ଧ କରୁଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ମନୋରଂଜନ ରାଜ୍ୟ ଖବର

ଆଜି ମିଡିଆ ବାଦସାହା ରାମୋଜୀ ରାଓଙ୍କ ଜନ୍ମ ଦିନ, ତାଙ୍କର ପୁରା ନାମ କଣ ?

ଭୁବନେଶ୍ବର: ଆଜି ହେଉଛି ଭାରତର ପ୍ରଖ୍ୟାତ ମିଡିଆମ୍ୟାନ ବା ମିଡିଆ ବାଦଶାହା ରାମୋଜୀ ରାଓଙ୍କ ଜନ୍ମ ଦିନ। ଆଜି ସେ ୮୭ ବର୍ଷ ବୟସରେ ପାଦ ଦେଇଛନ୍ତି। ତାଙ୍କର ଜନ୍ମଦିନରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ଶୁଅ ଛୁଟି। ସେ ଦେଶରେ ଆଞ୍ଚଳିକ ଭାଷାର ଇଲଟ୍ରୋନିକ ମିଡିଆ ପ୍ରତିଷ୍ଠା କରି ନିଜର ଏକ ସ୍ବତନ୍ତ୍ର ପରିଚୟ ତିଆରି କରିଛିନ୍ତି। ‘ ଇଟିଭି ‘ ଚ୍ୟାନେଲ ହେଉଛି ଦେଶର ଘରେ ଘରେ ପରିଚିତ ହୋଇଥିବା ଏକ ନାମ।

ସାରା ଦେଶରେ ଇଟିଭି ଯେପରି ନାମ କମାଇଥିଲା ଠିକ୍ ସେହିପରି ଓଡିଶାରେ ମଧ୍ୟ ‘ଇଟିଭି ଓଡିଆ’ ମିଡିଆ ଜଗତରେ ଏକ ବାଦଶାହା ହୋଇ ପାରିଥିଲା। ୨୦୦୧ ମସିହାରେ ଓଡିଶାରେ ଆରମ୍ଭ ହୋଇଥିଲା ଇଟିଭି ଓଡିଆ ଚ୍ୟାନେଲ। ସେତେବେଳେ ଓଡିଶାରେ ଟେଲିଭିଜନ ମିଡିଆର କୌଣସି ସ୍ଥିତି ନ ଥିଲା। ରାଜ୍ୟରେ ଟେଲିଭିଜନ ହେଉଛି ଏକ ଆକର୍ଷିତ ମନୋରଂଜନର ମାଧ୍ୟମ ବୋଲି ଇଟିଭି ଓଡିଆ ପ୍ରମାଣିତ କରିଥିଲା। ଓଡିଶାରେ ଟେଲି କଳାକାର ସୃଷ୍ଟି କରିବାରେ ମଧ୍ୟ ଇଟିଭି ଓଡିଆ ସକ୍ଷମ ହୋଇ ପାରିଥିଲା। ଯାହାର ପଛରେ ଥିଲେ ଖୋଦ ରାମୋଜୀ ରାଓଙ୍କ ପ୍ରଚେଷ୍ଠା।

ସେହିପରି ନ୍ୟୁଜ କ୍ଷେତ୍ରରେ ମଧ୍ୟ ‘ଇଟିଭି ଓଡିଆ’ ଓଡିଶାରେ ଏକ ବ୍ରାଣ୍ଡ ତିଆରି କରିଥିଲା। ସେତେବେଳେ ଇଟିଭି ନ୍ୟୁଜ ଲୋକଙ୍କର ବିଶ୍ବାସ ଯୋଗ୍ୟ ମାଧ୍ୟମ ଥିଲା। ଦର୍ଶକମାନେ ଏପରିକି ନେତାମାନେ ମଧ୍ୟ ସଂଧ୍ୟା ସାତଟା ବେଳର ନ୍ୟୁଜ ଦେଖିବା ପାଇଁ ଅପେକ୍ଷା କରି ରହୁଥିଲେ। ଏବେ ମଧ୍ୟ ଲୋକଙ୍କ ମନରେ ସେହି ଇଟିଭି ନ୍ୟୁଜର ଛାପ ରହି ଆସିଛି। ଏହାକୁ ସ୍ବାଧୀନ ଭାବେ ପରିଚାଳନା କରିବା ପଛରେ ହାତ ଥିଲା ଏହାର ଅଧ୍ୟକ୍ଷ ରାମୋଜୀ ରାଓଙ୍କ ନିଷ୍ଠା। ଆଜି ଓଡିଶାର ଟିଭି ମିଡିଆ ଜଗତରେ ଯେଉଁମାନେ ନାମ କମାଇଛନ୍ତି ସେମାନଙ୍କର ଏହି ‘ଇଟିଭି ଓଡିଆ’ ହେଉଛି ଜନ୍ମପୀଠ। ସେମାନଙ୍କ ପାଇଁ ରାମୋଜୀ ରାଓ ପାଲଟିଛନ୍ତି ଭଗବାନ।

କେବଳ ମିଡିଆ ନୁହେଁ, ହାଇଦ୍ରାବାଦରେ ସେ ‘ରାମୋଜୀ ଫିଲ୍ମ ସିଟି’ ନିର୍ମାଣ କରି ଭାରତୀୟ ସିନେମା ପାଇଁ ସୃଷ୍ଟି କରିଛନ୍ତି ଏକ ଇତିହାସ। ଏକଦା ଫିଲ୍ମ ଷୁଡିଓ ଭାବେ ପରିଚିତ ଥିବା ଏହି ଫିଲ୍ମ ସିଟି ବର୍ତ୍ତମାନ ପର୍ଯ୍ୟଟନର ଏକ ପ୍ରମୁଖ କ୍ଷେତ୍ର ଭାବେ ପରିଗଣିତ ହୋଇପାରିଛି। ଆଜି ସେହି ସିଟିକୁ ହଜାର ହଜାର ପର୍ଯ୍ୟଟକ ଭ୍ରମଣ କରି ସେଠାର ବିଭିନ୍ନ କୃତ୍ରିମ ସ୍ଥାପତ୍ୟ ଦେଖି ବିମୋହିତ ହୋଇପଡୁଛନ୍ତି। ସେହିପରି ଚଳଚିତ୍ର ନିର୍ମାଣ କ୍ଷେତ୍ରରେ ରାମୋଜୀ ରାଓ ମଧ୍ୟ ସୃଷ୍ଟି କରିଛନ୍ତି ଇତିହାସ।

୧୯୩୬ ମସିହା ନଭେମ୍ବର ୧୬ ତାରିଖରେ ଆନ୍ଧ୍ର ପ୍ରଦେଶର ପେଡାପାରୁପୁଡିରେ ଜନ୍ମ ଗ୍ରହଣ କରିଛନ୍ତି ଭାରତୀୟ ମଡିଆ ଜଗତର ଏହି ପ୍ରତିଷ୍ଠିତ ବ୍ୟକ୍ତି ରାମୋଜୀ ରାଓ। ତାଙ୍କର ପୁରା ନାମ ହେଉଛି ଚେରୁକୁରୀ ରାମା ରାଓ। ହେଲେ ପରବର୍ତ୍ତି ସମୟରେ ସେ ରାମୋଜୀ ରାଓ ଭାବେ ପରିଚିତ ହୋଇଛନ୍ତି। ତାଙ୍କର ଏପରି ଉଦ୍ୟମ ପାଇଁ ସେ ଭାରତର ସର୍ବଶ୍ରେଷ୍ଠ ବେସାମରିକ ସମ୍ମାନ ପଦ୍ମବିଭୂଷଣରେ ସମ୍ମାନିତ ହୋଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ବ୍ୟକ୍ତିତ୍ୱ ମନୋରଂଜନ ରାଜ୍ୟ ଖବର ସିନେମା

ବରିଷ୍ଠ ଟିଭି ମିଡିଆ ବ୍ୟକ୍ତିତ୍ବ ଅକ୍ଷୟ ମହାନ୍ତିଙ୍କ ପରଲୋକ, ବିଭିନ୍ନ ମହଲରେ ଶୋକ

ଭୁବନେଶ୍ବର: ଓଡିଶା ଟିଭି ମିଡିଆ ଜଗତର ପ୍ରତିଷ୍ଠିତ ବ୍ୟକ୍ତିତ୍ବ ଅକ୍ଷୟ ମହାନ୍ତିଙ୍କର ଆଜି ସକାଳ ସାତଟା ବେଳେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା। ସେ ଭୁବନେଶ୍ୱରର ନୀଳାଦ୍ରି ବିହାର ସେକ୍ଟର ୧ରେ ଥିବା ନିଜ ବାସଭବନରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି।

ସେ ଜଣେ ବିଶିଷ୍ଟ ନାଟ୍ୟକାର, ଦିଲ୍ଲୀ ଦୂରଦର୍ଶନର ବରିଷ୍ଠ ଅଧିକାରୀ ଓ ପ୍ରଶାସକ ତଥା ଓଡ଼ିଆ ଭାଷା ସାହିତ୍ୟର ବିଶିଷ୍ଟ ଲେଖକ ଥିଲେ। ସେ ରାମୋଜୀ ଫିଲ୍ମ ସିଟି ହାଇଦ୍ରାବାଦରେ ଇଟିଭିର ବରିଷ୍ଠ ପ୍ରଯୋଜକ ତଥା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରି ଅବସର ନେଇଥିଲେ।

ଆଜି ପୁରୀ ସ୍ବର୍ଗ ଦ୍ବାରରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ। ପ୍ରକାଶ ଥାଉକି ଅବସର ପରେ ସ୍ଵର୍ଗତ ମହାନ୍ତି ଓଡ଼ିଆ ଦୃଶ୍ୟମାନ ସାହିତ୍ୟ ଉପରେ ଡଃ ହରିହର କାନୁନଗୋଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଗବେଷଣା କରି ପିଏଚଡ଼ି ଡିଗ୍ରୀ ଲାଭ କରିଛନ୍ତି। ସେ ହେଉଛନ୍ତି ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କ ନିଜ ବଡବାପା।

ତାଙ୍କ ବିୟୋଗରେ ଓଡିଆ ଟିଭି ମିଡିଆ ଜଗତରେ ଶୋକର ଛାୟା ଖେଳିଯାଇଛି।