Categories
ବିଶେଷ ଖବର

ରାହୁଲ ଗାନ୍ଧୀଙ୍କୁ ଅଟକ ରଖିଲା ପୋଲିସ: ଇଡି ବିରୋଧରେ କରୁଥିଲେ ଧାରଣା

ନୂଆଦିଲ୍ଲୀ: ଅର୍ଥ ହେରଫେର ମାମଲାରେ ଇଡି ଆଜି ଦ୍ୱିତୀୟ ଥର ପାଇଁ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ଜେରା କରୁଛି। ସୋନିଆ ଗାନ୍ଧୀଙ୍କ ଏହି ଜେରା ଯୋଗୁଁ କଂଗ୍ରେସରେ କ୍ରୋଧ ଦେଖାଯାଉଛି। ବରିଷ୍ଠ କଂଗ୍ରେସ ନେତାଙ୍କ ସମେତ କର୍ମୀମାନେ ରାସ୍ତାକୁ ଓହ୍ଲାଇ ଏହାକୁ ବିରୋଧ କରୁଛନ୍ତି। ଏହି ପ୍ରରିପ୍ରେକ୍ଷୀରେ ରାହୁଲ ଗାନ୍ଧୀ ମଧ୍ୟ ଦିଲ୍ଲୀର ବିଜୟ ଚୌକରେ ବିରୋଧ କରୁଥିବା କଂଗ୍ରେସ କର୍ମୀମାନଙ୍କ ସହ ଯୋଗ ଦେଇଛନ୍ତି। ଯାହାଫଳରେ ପୋଲିସ ତାଙ୍କୁ ବର୍ତ୍ତମାନ ଅଟକ ରଖିଛି। ରାହୁଲ ଗାନ୍ଧୀଙ୍କୁ କିଙ୍ଗସୱେ କ୍ୟାମ୍ପକୁ ନିଆଯାଇଛି।

ପ୍ରକୃତରେ ରାହୁଲ ଗାନ୍ଧୀ ରାଷ୍ଟ୍ରପତିଙ୍କୁ ଭେଟି ତାଙ୍କୁ ଏକ ସ୍ମାରକପତ୍ର ଦେବାକୁ ଚାହୁଁଥିଲେ। କିନ୍ତୁ ତାଙ୍କୁ ବିଜୟ ଚୌକ ଯିବାକୁ ଦିଆଯାଇନଥିଲା। ଏହା ପରେ ରାହୁଲ ନିଜେ ବିଜୟ ଚୌକ ଠାରେ ଧାରଣାରେ ବସିଥିଲେ। ଏସବୁ ପରେ ରାହୁଲ ଗାନ୍ଧୀଙ୍କୁ ଗିରଫ କରାଯାଇଥିଲା। ଏଥି ସହ ଦଳର ବଡ ନେତାମାନେ ସଂସଦ କମ୍ପ୍ଲେକ୍ସରୁ ବିଜୟ ଚୌକ ପର୍ଯ୍ୟନ୍ତ ପଦଯାତ୍ରା କରିଥିଲେ। ଏହି ସମୟରେ ଅନେକ କଂଗ୍ରେସ ସାଂସଦଙ୍କୁ ଅଟକ ରଖାଯାଇଥିଲା।

ଗିରଫ ହେବା ପରେ ରାହୁଲ ଗାନ୍ଧୀ କହିଛନ୍ତି ଯେ, ଏହି କଂଗ୍ରେସ ସାଂସଦମାନେ ବିଜୟ ଚୌକକୁ ଆସିଛନ୍ତି। ବେରୋଜଗାରୀ, ମୁଦ୍ରାସ୍ଫୀତି ସହ ଅନ୍ୟାନ୍ୟ ପ୍ରସଙ୍ଗରେ ସେ ଆଲୋଚନା କରିବାକୁ ଚାହୁଁଥିଲେ, କିନ୍ତୁ ପୋଲିସ ତାଙ୍କୁ ଏଠାରେ ବସିବାକୁ ଅନୁମତି ଦେଉନାହିଁ। ଅନ୍ୟପକ୍ଷରେ ସଂସଦ ଭିତରେ ଆଲୋଚନା ପାଇଁ ଅନୁମତି ନାହିଁ ଏବଂ ଏଠାରେ ପୋଲିସ ଆମକୁ ଗିରଫ କରୁଛି।

କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି ଯେ, ଆମେ ପୋଲିସର ନିର୍ଦ୍ଦେଶ ବିରୋଧରେ ଧାରଣା କରୁଛୁ। ବିରୋଧୀଙ୍କୁ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ କରିବା ଏବଂ ଆମ ସ୍ୱରକୁ ଦମନ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଅମିତ ଶାହାଙ୍କ ଷଡଯନ୍ତ୍ର। ଆମେ ଭୟ କରିବୁ ନାହିଁ, ଆମର ସଂଗ୍ରାମ ଜାରି ରହିବ।