Categories
ଆଜିର ଖବର ଜାତୀୟ ଖବର

ଇଣ୍ଡିଆ ଏଆଇ ମିଶନର ସାତଟି ଖମ୍ବ ଉପରେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଗୁରୁତ୍ୱାରୋପ

ନୂଆଦିଲ୍ଲୀ: ଲୋକସଭାରେ ଏଆଇ ପ୍ରଶାସନ ଓ ବିକାଶ ସମ୍ପର୍କରେ ସଂସଦୀୟ ପ୍ରଶ୍ନର ଉତର ଦେଇ କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏଆଇ ପ୍ରଯୁକ୍ତି ବିଦ୍ୟାର ସାର୍ବଜନୀକରଣ ଉପରେ ଭାରତର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ସାତଟି ଖମ୍ବ ଉପରେ ପର୍ଯ୍ୟବସିତ ଇଣ୍ଡିଆ ଏଆଇ ମିଶନର ରୂପାନ୍ତରିତ ପ୍ରଭାବ ଉପରେ କେନ୍ଦ୍ର ମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ସଂସଦୀୟ ପ୍ରଶ୍ନର ଉତର ଦେଇ କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ, ପ୍ରାୟ ୮.୬ ଲକ୍ଷ ପ୍ରାର୍ଥୀ ଫ୍ୟୁଚର ସ୍କିଲସ ପ୍ଲାଟର୍ଫମ ଲାଗି ନିଜ ନାଁ ଲେଖେଇଛନ୍ତି। ଟାଏର ୨ ଓ ଟାଏର ୩ ସହରକୁ ମଜଭୂତ କରିବା ଲକ୍ଷ୍ୟରେ ଏହି ଯାନ୍ତ୍ରିକ ପ୍ରଯୁକ୍ତି ବିଦ୍ୟାକୁ ବିକେନ୍ଦ୍ରୀକରଣ କରାଯାଇଥିବା କଥା କେନ୍ଦ୍ରମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ଗୋରଖପୁର, ଲକ୍ଷନୌ, ସିମଲା, ଔରଙ୍ଗାବାଦ, ପାଟନା, ବକ୍ସର, ମୁଜାଫରପୁର ପରି ସହରରେ ଏଆଇ ଡାଟା ଲାବ ପ୍ରତିଷ୍ଠା କରାଯାଇଥିବା ସେ କହିଛନ୍ତି।

ସାରା ଦେଶରେ ଷ୍ଟାର୍ଟ ଅପ, ଏଆଇ ଲାବ, ୫ ଜି ଲାବ, ସେମି କଣ୍ଡକ୍ଟର ତାଲିମ ବ୍ୟବସ୍ଥା ପରି ବିଭିନ୍ନ କ୍ଷେତ୍ରରେ ସରକାରଙ୍କର ପ୍ରତିବଦ୍ଧତା ରହିଥିବା କେନ୍ଦ୍ର ମନ୍ତ୍ରୀ ଉଲ୍ଲେଖ କରିଛନ୍ତି । କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ଲଜିଷ୍ଟିକ୍ସ ଓ ଅର୍ଥ ପରି ବିଭିନ୍ନ କ୍ଷେତ୍ରରେ ଏଆଇର ବିକାଶ ଦିଗରେ ସରକାର କାମ କରୁଥିବା ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ସାଧାରଣ ଲୋକଙ୍କ ଜୀବନକୁ ପ୍ରଭାବିତ କରୁଥିବା ବିଭିନ୍ନ କ୍ଷେତ୍ରରେ ଏଆଇର ସିଧାସଳଖ ପ୍ରଭାବ ରହିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।