Categories
ଆଜିର ଖବର ଜାତୀୟ ଖବର

କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କ ଇସ୍ତଫା ଦାବି କଲା କଂଗ୍ରେସ: ଝିଅଙ୍କ ବିଷୟରେ ଲଗାଇଲା ଗୁରୁତର ଅଭିଯୋଗ

ନୂଆଦିଲ୍ଲୀ: କଂଗ୍ରେସ ପକ୍ଷରୁ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ହୋଇଛି। ଦଳ ସ୍ମୃତି ଇରାନୀଙ୍କ ଇସ୍ତଫା ତୁରନ୍ତ ନେବାକୁ ପ୍ରଧାନମନ୍ତ୍ରୀଙ୍କୁ କହିଛନ୍ତି। ବାସ୍ତବରେ ଇରାନୀଙ୍କ ଝିଅ ସମ୍ପର୍କରେ କଂଗ୍ରେସ ପକ୍ଷରୁ ଏହି ଅଭିଯୋଗ କରାଯାଉଛି। ଯେଉଁଥିରେ ସ୍ମୃତି ଇରାନୀଙ୍କ ଝିଅ ଗୋଆରେ ଚାଲୁଥିବା ବାରରେ ନକଲି ଲାଇସେନ୍ସ ଥିବା ଅଭିଯୋଗ ହୋଇଛି। କଂଗ୍ରେସ ନେତାମାନେ କହିଛନ୍ତି ଯେ ଏହି ଲାଇସେନ୍ସକୁ ନକଲି ଢଙ୍ଗରେ ଦିଆଯାଇଛି। ଯାହାର ଅନୁସନ୍ଧାନ କରାଯିବା ଉଚିତ୍।

କଂଗ୍ରେସ ନେତା ଜୟରାମ ରମେଶ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଆମେ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଇରାନୀଙ୍କ ଇସ୍ତଫା ଦାବିକରିଛୁ। ଏହା ଇରାନୀଙ୍କ ବିରୁଦ୍ଧରେ ଅଭିଯୋଗ ନୁହେଁ, ଏହା ସମ୍ପୂର୍ଣ୍ଣ ଦଲିଲ ଯାହା ଆରଟିଆଇରୁ ନିଆଯାଇଛି। ଗୋଆରେ ଚାଲୁଥିବା ଏକ ବାରରେ ସ୍ମୃତି ଇରାନୀଙ୍କ ଝିଅଙ୍କ ଦ୍ଵାରା ନକଲି ଲାଇସେନ୍ସ ଥିବା ଅଭିଯୋଗ ହୋଇଛି। ଏହା ବେଆଇନ ଭାବରେ ଘଟିଛି। ମୃତ ବ୍ୟକ୍ତିଙ୍କ ନାମରେ ଏହି ଲାଇସେନ୍ସ ନିଆଯାଇଛି। ଗୋଆର ନିୟମ ଅନୁଯାୟୀ ରେଷ୍ଟୁରାଣ୍ଟକୁ ଏକ ଲାଇସେନ୍ସ ମିଳିପାରିବ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ମାହାଙ୍ଗା ହତ୍ୟାକାଣ୍ଡ ଘଟଣା: ଆଇନ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଚିଲିକାରେ ବିକ୍ଷୋଭ

ସୀତାରାମ ଅଗ୍ରୱାଲ
ଚିଲିକା: ମାହାଙ୍ଗା ଡବଲ ମର୍ଡର ପ୍ରତିବାଦରେ ଆଜି ଚିଲିକା ନିର୍ବାଚନମଣ୍ଡଳୀର ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବାଲୁଗାଁଠାରେ ଏକ ବିକ୍ଷୋଭ ଶୋଭାଯାତ୍ରା କରାଯାଇଛି। ଅପରାହ୍ନ ୪ ଟା ସମୟରେ ଖୋର୍ଦ୍ଧା ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ସମ୍ପାଦକ ପଠାଣି ବଳବନ୍ତରାୟଙ୍କ ନେତୃତ୍ବରେ ଏକ ବିକ୍ଷୋଭ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ହତ୍ୟାକାଣ୍ଡର ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ଏବଂ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଇସ୍ତଫା ଦାବି କରି ବାଲୁଗାଁ ଗାନ୍ଧୀ ଛକଠାରୁ ବାଲୁଗାଁ ଥାନା ପର୍ଯ୍ୟନ୍ତ ବିକ୍ଷୋଭ ଶୋଭାଯାତ୍ରା କରାଯାଇଛି। ଏହି ଶୋଭାଯାତ୍ରାରେ ଯୁବ ମୋର୍ଚ୍ଚା ପକ୍ଷରୁ ବାଲୁଗାଁ ଥାନା ସମ୍ମୁଖରେ ଆଇନ ମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା।

ଉଲ୍ଲେଖ ଯୋଗ୍ୟ ଯେ, ଶନିବାର ଦିନ ସାଲେପୁର ନଗର ମଣ୍ଡଳର ପ୍ରଭାରୀ କୁଳମଣି ବରାଳ ଏବଂ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କ ସହିତ ବାଇକରେ ନିଜ ଘରକୁ ଫେରୁଥିଲେ। ନୃତ୍ତାଙ୍ଗସ୍ଥିତ ଜଂକୋଟି ଗାଁ ପାଖରେ କିଛି ଦୁର୍ବୃତ୍ତ ସେମାନଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। କୁଳମଣି ଓ ଦିବ୍ୟସିଂହ ବାଇକ‌ରୁ ପଡ଼ିଯିବା ପରେ ମାରଣାସ୍ତ୍ରରେ ଉଭୟଙ୍କ ମୁଣ୍ଡ ଓ ମୁହଁଙ୍କୁ ହାଣି ଦୁର୍ବୃତ୍ତମାନେ ପଳାଇଥିଲେ। ଉଭୟଙ୍କୁ ମାହାଙ୍ଗା ହସ୍ପିଟାଲରେ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତର କୁଳମଣିଙ୍କୁ ମୃତ ଘୋଷଣା କରିଥିଲେ। ଦିବ୍ୟସିଂହଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ବିଳମ୍ବିତ ରାତିରେ ସେଠାରେ ଦିବ୍ୟସିଂହଙ୍କର ମୃତ୍ୟୁ ଘଟିଥିଲା। ଏହି ହତ୍ୟା ଘଟଣାରେ ଆଇନ ମନ୍ତ୍ରୀଙ୍କ ପାଖ ଲୋକ ସମ୍ପୃକ୍ତ ଥିବା ନେଇ ପରିବାର ଲୋକେ ଅଭିଯୋଗ କରିଥିଲେ। ଏହି ଘଟଣାରେ ବର୍ତ୍ତମାନ ପର୍ଯ୍ୟନ୍ତ ୪ ଜଣ ଅଭିଯୁକ୍ତଙ୍କୁ ମାହଙ୍ଗା ପୋଲିସ ଅଟକ ରଖିଛି। କିନ୍ତୁ ଏହି ଘଟଣାରେ ମନ୍ତ୍ରୀଙ୍କ ସମ୍ପୃକ୍ତି ରହିଛି ବୋଲି ଅଭିଯୋଗ କରୁଛି। ତେବେ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ରାଜ୍ୟର ସମସ୍ତ ଥାନାରେ ବିଜେପିକୁ ପକ୍ଷରୁ ବିକ୍ଷୋଭ କରାଯାଉଛି।

ଆଜିର ଏହି ବିକ୍ଷୋଭ ଶୋଭାଯାତ୍ରାରେ ଖୋର୍ଦ୍ଧା ଜିଲ୍ଲା ସାଧାରଣ ସମ୍ପାଦକ ଦୁଷ୍ମନ୍ତ ହରିଚନ୍ଦନ, ଜିଲ୍ଲା ଉପସଭାପତି ବିଜୟ ବିଶ୍ୱାଳ, ବିଜେପି ଜିଲ୍ଲା ସମ୍ପାଦକ ବିଦ୍ୟୁତ କୁମାର କାଣ୍ଡି, ମଣ୍ଡଳ ସମ୍ପାଦକ ପ୍ରଶାନ୍ତ ସାହୁ, ବିରଜାଇ ମଣ୍ଡଳ ସଭାପତି ଜିତେନ୍ଦ୍ର ଭୋଳ, ଶ୍ୟାମ ସୁନ୍ଦର ପ୍ରଧାନ, ସୌମ୍ୟରଞ୍ଜନ ସାମନ୍ତରାୟ, ନିରଞ୍ଜନ ସେଠି, ତପନ ପ୍ରଧାନ, କାହ୍ନୁ ଚରଣ ପଲେଇ, ସମର ରଞ୍ଜନ ସୁବୁଦ୍ଧି ପ୍ରମୁଖଙ୍କ ସମେତ ବିଜେପି ଯୁବମୋର୍ଚା ର ଶତାଧିକ ପୁରୁଷ ଏବଂ ମହିଳା କର୍ମୀମାନେ ଯୋଗଦେଇଥିଲେ।