Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଇ-ଶ୍ରମ ପୋର୍ଟାଲରେ ଅସଂଗଠିତ କ୍ଷେତ୍ରର ଶ୍ରମିକଙ୍କ ପଞ୍ଜୀକରଣ ୪ କୋଟି ଟପିଲା; ସବୁଠୁ ଆଗରେ ଓଡ଼ିଶା

ଭୁବନେଶ୍ବର: ମାତ୍ର ଦୁଇ ମାସ ମଧ୍ୟରେ ଇ-ଶ୍ରମ ପୋର୍ଟାଲରେ ୪ କୋଟିରୁ ଅଧିକ ଅସଂଗଠିତ କ୍ଷେତ୍ରର ଶ୍ରମିକ ପଞ୍ଜୀକରଣ କରିଛନ୍ତି। ସର୍ବାଧିକ ସଂଖ୍ୟକ ଶ୍ରମିକ ପଞ୍ଜୀକରଣ କରିବାରେ ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ଓଡ଼ିଶା ସର୍ବାଗ୍ରେ ରହିଛି। ସଦ୍ୟତମ ତଥ୍ୟ ଅନୁଯାୟୀ, ଏହି ପୋର୍ଟାଲରେ ଓଡ଼ିଶାର ୮୮ ଲକ୍ଷ ୩୫ ହଜାର ୫୭୨ ଜଣ ଶ୍ରମିକ ପଞ୍ଜୀକରଣ କରିଛନ୍ତି। ଟୁଇଟ୍ ଯୋଗେ ଏହି ସୂଚନା ଦେଇ ଶ୍ରମ ଏବଂ ନିୟୋଜନ ମନ୍ତ୍ରୀ ଶ୍ରୀ ଭୂପେନ୍ଦର ଯାଦବ କହିଛନ୍ତି ଯେ, ଏହି ପୋର୍ଟାଲରେ ପଞ୍ଜୀକରଣ କରିବା ପରେ ଅସଂଗଠିତ କ୍ଷେତ୍ରର ଶ୍ରମିକମାନେ ସହଜରେ ସରକାରୀ ଯୋଜନାଗୁଡ଼ିକର ଲାଭ ପାଇପାରିବେ।

ନିର୍ମାଣ, ବସ୍ତ୍ର ଉତ୍ପାଦନ, ମତ୍ସ୍ୟଚାଷ, ଗିଗ୍ ଓ ପ୍ଲାଟଫର୍ମ କାମ, ଉଠାଦୋକାନୀ, ଘରୋଇ କର୍ମଜୀବୀ, କୃଷି ଏବଂ ଆନୁସଙ୍ଗିକ କ୍ଷେତ୍ର, ପରିବହନ କ୍ଷେତ୍ର ଆଦି ବିଭିନ୍ନ କ୍ଷେତ୍ରର ଶ୍ରମିକମାନେ ଏହି ପୋର୍ଟାଲରେ ପଞ୍ଜୀକରଣ କରିଛନ୍ତି। ଏଥିମଧ୍ୟରୁ କେତେକ କ୍ଷେତ୍ରରେ ବହୁସଂଖ୍ୟାରେ ପ୍ରବାସୀ ଶ୍ରମିକ ନିୟୋଜିତ ଅଛନ୍ତି। ପ୍ରବାସୀ ଶ୍ରମିକଙ୍କ ସମେତ ଅସଂଗଠିତ କ୍ଷେତ୍ରର ସମସ୍ତ ଶ୍ରମିକ ଇ-ଶ୍ରମ ପୋର୍ଟାଲରେ ପଞ୍ଜୀକରଣ କରିବା ଜରିଆରେ ସରକାରଙ୍କ ବିଭିନ୍ନ ସାମାଜିକ ସୁରକ୍ଷା ଏବଂ ନିଯୁକ୍ତି ଆଧାରିତ ଯୋଜନାର ଲାଭ ପାଇବାକୁ ସକ୍ଷମ ହେବେ।

ସଦ୍ୟତମ ତଥ୍ୟ ଅନୁଯାୟୀ, ୪.୦୯ କୋଟି ଶ୍ରମିକ ଏହି ପୋର୍ଟାଲରେ ପଞ୍ଜୀକରଣ କରିଛନ୍ତି। ଏଥିମଧ୍ୟରୁ ୫୦.୦୨ ପ୍ରତିଶତ ହିତାଧିକାରୀ ମହିଳା ଏବଂ ୪୯.୯୮ ପ୍ରତିଶତ ହିତାଧିକାରୀ ପୁରୁଷ। ପ୍ରାୟତଃ ସମାନ ସଂଖ୍ୟକ ପୁରୁଷ ଏବଂ ମହିଳାମାନେ ଏହି ଅଭିଯାନର ଅଂଶବିଶେଷ ହେବା ବିଶେଷ ଉତ୍ସାହଜନକ। ଲିଙ୍ଗ ଅନୁପାତରେ ସାପ୍ତାହିକ ପଞ୍ଜୀକରଣ ବୃଦ୍ଧି ପରିଲକ୍ଷିତ ହୋଇଛି। ପୁରୁଷ ଓ ମହିଳା ଶ୍ରମିକମାନେ ତୁଳନାତ୍ମକ ଭାବେ ପଞ୍ଜୀକରଣ କରୁଛନ୍ତି, ଯାହାକି ନିମ୍ନ ଗ୍ରାଫରେ ପ୍ରଦର୍ଶିତ କରାଯାଇଛି।

ସଦ୍ୟତମ ତଥ୍ୟ ଅନୁଯାୟୀ, ଏହି ପୋର୍ଟାଲରେ ଶ୍ରମିକ ପଞ୍ଜୀକରଣ କରିବାରେ ଓଡ଼ିଶା ସବୁଠୁ ଆଗରେ ରହିଥିବା ବେଳେ ଏହାପଛକୁ ପଶ୍ଚିମବଙ୍ଗ, ଉତ୍ତର ପ୍ରଦେଶ, ବିହାର ଏବଂ ମଧ୍ୟପ୍ରଦେଶ ରହିଛନ୍ତି। ନିମ୍ନ ଗ୍ରାଫରେ ଏହାର ତଥ୍ୟ ପ୍ରଦାନ କରାଯାଇଛି। ତେବେ ଛୋଟ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକରେ ମଧ୍ୟ ଶ୍ରମିକ ପଞ୍ଜୀକରଣ ସଂଖ୍ୟା ଉତ୍ସାହଜନକ ରହିଛି।

କୃଷି ଏବଂ ନିର୍ମାଣ ଶ୍ରମିକ କ୍ଷେତ୍ରର ସର୍ବାଧିକ ସଂଖ୍ୟକ ଶ୍ରମିକ ପୋର୍ଟାଲରେ ପଞ୍ଜୀକରଣ କରିଛନ୍ତି। ଭାରତରେ ଏହି ଦୁଇଟି କ୍ଷେତ୍ରରେ ସର୍ବାଧିକ ସଂଖ୍ୟକ ଲୋକମାନଙ୍କୁ ନିଯୁକ୍ତି ମିଳିଥାଏ। ଏହାଛଡ଼ା ଘରୋଇ ଏବଂ ପାରିବାରିକ ଶ୍ରମିକ, ବସ୍ତ୍ର ଉତ୍ପାଦନ କ୍ଷେତ୍ରର ଶ୍ରମିକ, ଅଟୋମୋବାଇଲ ଏବଂ ସାମଗ୍ରୀ ପରିବହନ ଶ୍ରମିକ, ଇଲେକ୍ଟ୍ରୋନିକ୍ସ ଏବଂ ହାର୍ଡୱେର ଶ୍ରମିକ, କ୍ୟାପିଟାଲ ସାମଗ୍ରୀ, ଶିକ୍ଷା, ସ୍ବାସ୍ଥ୍ୟ, ଖୁଚୁରା ବ୍ୟବସାୟ, ପର୍ଯ୍ୟଟନ ଓ ଆତିଥେୟ, ଖାଦ୍ୟ ଉଦ୍ୟୋଗ ଏବଂ ଅହୁରି ବିଭିନ୍ନ ପେସା ଏବଂ କ୍ଷେତ୍ରର ଶ୍ରମିକମାନେ ଏହି ପୋର୍ଟାଲରେ ପଞ୍ଜୀକରଣ କରିଛନ୍ତି।

ପଞ୍ଜୀକରଣ କରିଥିବା ୬୫.୬୮ ପ୍ରତିଶତ ଶ୍ରମିକଙ୍କ ବୟସ ୧୬ରୁ ୪୦ ବର୍ଷ ମଧ୍ୟରେ ଏବଂ ୩୪.୩୨ ପ୍ରତିଶତ ଶ୍ରମିକଙ୍କ ବୟସ ୪୦ ବର୍ଷ କିମ୍ବା ତଦୁର୍ଦ୍ଧ୍ବ ରହିଛି।  ଅନ୍ୟାନ୍ୟ ପଛୁଆ ବର୍ଗ ଏବଂ ସାଧାରଣ ବର୍ଗରୁ ଯଥାକ୍ରମେ ୪୩ ଏବଂ ୨୭ ପ୍ରତିଶତ ଶ୍ରମିକ ପଞ୍ଜୀକରଣ କରିଛନ୍ତି। ସେହିପରି ଅନୁସୂଚିତ ଜାତି ଏବଂ ଜନଜାତି ବର୍ଗରୁ ଯଥାକ୍ରମେ ୨୩ ଏବଂ ୭ ପ୍ରତିଶତ ଶ୍ରମିକ ପଞ୍ଜୀକରଣ କରିଛନ୍ତି।

ଉପରୋକ୍ତ ଗ୍ରାଫରେ ଦିଆଯାଇଥିବା ତଥ୍ୟରେ ଦର୍ଶାଯାଇଛି ଯେ ଜନସେବା କେନ୍ଦ୍ର (ସିଏସସି) ମାଧ୍ୟମରେ ଅଧିକ ସଂଖ୍ୟକ ଶ୍ରମିକ ପଞ୍ଜୀକରଣ କରିଛନ୍ତି। କେରଳ, ଗୋଆ ଏବଂ କେତେକ ଉତ୍ତରପୂର୍ବାଞ୍ଚଳ ରାଜ୍ୟ ସମେତ ଦାଦ୍ରା ଓ ନଗର ହାଭେଳୀ, ଆଣ୍ଡାମାନ ଓ ନିକୋବାର ଏବଂ ଲଦାଖ ଭଳି କେନ୍ଦ୍ର ଶାସିତ ପ୍ରଦେଶରେ ବହୁସଂଖ୍ୟକ ଶ୍ରମିକ ବ୍ୟକ୍ତିଗତ ଭାବେ ପଞ୍ଜୀକରଣ କରିଥିବା ଦେଖାଯାଇଛି। ପ୍ରତି ସପ୍ତାହରେ ସିଏସସି ମାଧ୍ୟମରେ ଶ୍ରମିକ ପଞ୍ଜୀକରଣ ବୃଦ୍ଧି ପାଉଛି।

ଉଲ୍ଲେଖନୀୟ କଥା ହେଉଛି ଜନସେବା କେନ୍ଦ୍ର ଜରିଆରେ ସର୍ବାଧିକ ୭୭ ପ୍ରତିଶତ ଶ୍ରମିକ ପଞ୍ଜୀକରଣ କରିଛନ୍ତି। କମ ସୁବିଧା ଥିବା ଅଞ୍ଚଳରେ ଜନସେବା କେନ୍ଦ୍ରଗୁଡ଼ିକ ପ୍ରମୁଖ ଭୂମିକା ନିର୍ବାହ କରୁଥିବା ଏଥିରୁ ପ୍ରମାଣିତ ହେଉଛି। ସେଥିପାଇଁ ଜନସେବା କେନ୍ଦ୍ରଗୁଡ଼ିକ ଜରିଆରେ ଶ୍ରମିକମାନେ ଅଧିକରୁ ଅଧିକ ସଂଖ୍ୟାରେ ଆସି ପଞ୍ଜୀକରଣ କରିବା ଲାଗି ସରକାରଙ୍କ ପକ୍ଷରୁ ପ୍ରୋତ୍ସାହିତ କରାଯାଉଛି। ଏହାଦ୍ବାରା ଉପାନ୍ତ ଅଞ୍ଚଳରେ ଥିବା ଶ୍ରମିକମାନେ ବିଭିନ୍ନ ସରକାରୀ କଲ୍ୟାଣମୂଳକ ଯୋଜନାର ଲାଭ ପାଇବାକୁ ସକ୍ଷମ ହେବେ।

ଶ୍ରମ ଓ ନିୟୋଜନ ମନ୍ତ୍ରୀ ଶ୍ରୀ ଭୂପେନ୍ଦର ଯାଦବ, ରାଷ୍ଟ୍ରମନ୍ତ୍ରୀ ଶ୍ରୀ ରାମେଶ୍ବର ତେଲି, ମନ୍ତ୍ରଣାଳୟ ସଚିବ ଶ୍ରୀ ସୁନୀଲ ବର୍ଥଓ୍ବାଲଙ୍କ ସମେତ କେନ୍ଦ୍ରୀୟ ଶ୍ରମ ଆୟୋଗ, ଏବଂ ଅନ୍ୟ ଆଞ୍ଚଳିକ କାର୍ଯ୍ୟାଳୟର ଶ୍ରମ ଆୟୋଗର ଆୟୁକ୍ତ ଓ ଅଧିକାରୀମାନେ ଅସଂଗଠିତ କ୍ଷେତ୍ରର ଶ୍ରମିକ ଓ ବିଭିନ୍ନ ଶ୍ରମିକ ସଂଗଠନର ନେତାମାନଙ୍କ ସହିତ ଆଲୋଚନା କରୁଛନ୍ତି। ସେମାନଙ୍କୁ ଅଧିକ ସଂଖ୍ୟାରେ ଇ-ଶ୍ରମ ପୋର୍ଟାଲରେ ପଞ୍ଜୀକରଣ କରିବା ଲାଗି ନିବେଦନ କରୁଛନ୍ତି।

ଇ-ଶ୍ରମ ମୋବାଇଲ ଆପ୍ଲିକେସନ କିମ୍ବା ୱେବସାଇଟ ମାଧ୍ୟମରେ ଶ୍ରମିକମାନେ ନିଜେ ଅନଲାଇନରେ ପଞ୍ଜୀକରଣ କରିପାରିବେ। ସେମାନେ ମଧ୍ୟ ଜନ ସେବା କେନ୍ଦ୍ର, ରାଜ୍ୟ ସେବା କେନ୍ଦ୍ର, ଶ୍ରମ ସୁବିଧା କେନ୍ଦ୍ର, ନିର୍ଦ୍ଦିଷ୍ଟ ଡାକ ଘରେ ଥିବା ଡାକ ବିଭାଗର ଡିଜିଟାଲ ସେବା କେନ୍ଦ୍ରକୁ ଯାଇ ଏହି ପୋର୍ଟାଲରେ ନିଜର ପଞ୍ଜୀକରଣ କରାଇପାରିବେ।

ଇ-ଶ୍ରମ ପୋର୍ଟାଲରେ ପଞ୍ଜୀକରଣ ପରେ ଅସଂଗଠିତ କ୍ଷେତ୍ରର ଶ୍ରମିକମାନେ ଏକ ଡିଜିଟାଲ ଇ-ଶ୍ରମ କାର୍ଡ ପାଇବେ ଏବଂ ସେମାନେ ପୋର୍ଟାଲ କିମ୍ବା ମୋବାଇଲ ଆପ୍ ମାଧ୍ୟମରେ ସେମାନଙ୍କର ପ୍ରୋଫାଇଲ ଅପଡେଟ୍ କରିପାରିବେ। ସେମାନଙ୍କୁ ଇ-ଶ୍ରମ କାର୍ଡ ଉପରେ ଗୋଟିଏ ଏକକ ପରିଚୟ ସଂଖ୍ୟା ମିଳିବ। ସାରା ଦେଶରେ ସାମାଜିକ ସୁରକ୍ଷା ଯୋଜନାର ଲାଭ ପାଇବା ପାଇଁ ଏହା ଗ୍ରହଣୀୟ ହେବ। ଇ-ଶ୍ରମ ପୋର୍ଟାଲରେ ପଞ୍ଜିକୃତ ହୋଇଥିବା ଶ୍ରମିକ ଦୁର୍ଘଟଣାରେ ମୃତ୍ୟୁବରଣ କଲେ ତାଙ୍କର ନିକଟ ସମ୍ପର୍କୀମାନେ ୨ ଲକ୍ଷ ଟଙ୍କାର ବୀମା ରାଶି ପାଇବେ। ଆଂଶିକ ଅକ୍ଷମତା କ୍ଷେତ୍ରରେ ଶ୍ରମିକମାନଙ୍କୁ ୧ ଲକ୍ଷ ଟଙ୍କାର ସହାୟତା ମିଳିବ।

Categories
PIB_NEWS ଜାତୀୟ ଖବର ବିଶେଷ ଖବର

ଦେଶରେ ଆରମ୍ଭ ହେଲା ଅସଂଗଠିତ ଶ୍ରମିକମାନଙ୍କ ପଞ୍ଜୀକରଣ, ଇ-ଶ୍ରମ ପୋର୍ଟାଲ ଉନ୍ମୋଚନ

ନୂଆଦିଲ୍ଲୀ, କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଆଜି ବିଧିବଦ୍ଧ ଭାବେ ଇ-ଶ୍ରମ ପୋର୍ଟାଲର ଶୁଭାରମ୍ଭ କରିବା ସହିତ ଏହାକୁ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକୁ ହସ୍ତାନ୍ତର କରିଛନ୍ତି। ଏହି ଅବସରରେ ଶ୍ରମ ଓ ନିୟୋଜନ ଏବଂ ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ରାମେଶ୍ବର ତେଲି ଉପସ୍ଥିତ ଥିଲେ।

ଭାରତ ଇତିହାସରେ ପ୍ରଥମ ଥର ପାଇଁ ଏପରି ଏକ ବ୍ୟବସ୍ଥା ସୃଷ୍ଟି କରାଯାଇଛି ଯେଉଁଥିରେ ୩୮ କୋଟି ଅସଂଗଠିତ କ୍ଷେତ୍ରର ଶ୍ରମିକମାନେ ପଞ୍ଜୀକରଣ କରିପାରିବେ। ଏଥିରେ ଶ୍ରମିକମାନେ ନିଜର ପଞ୍ଜୀକରଣ ସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାର ଲାଭ ପାଇପାରିବେ ବୋଲି ଶ୍ରମ ମନ୍ତ୍ରୀ କହିଥିଲେ।

ଭାରତର ରାଷ୍ଟ୍ର ନିର୍ମାତା ଅସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କ କଲ୍ୟାଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂକଳ୍ପ ଦିଗରେ ଏହା ଆଉ ଏକ ଐତିହାସିକ ପଦକ୍ଷେପ ବୋଲି ସେ ଜୋର ଦେଇ କହିଥିଲେ।

ଇ-ଶ୍ରମ ପୋର୍ଟାଲରେ ପଞ୍ଜିକୃତ ହେଉଥିବା ପ୍ରତ୍ୟେକ ଶ୍ରମିକଙ୍କୁ ୨ ଲକ୍ଷ ଟଙ୍କାର ଦୁର୍ଘଟଣା ବୀମା ମଞ୍ଜୁର କରିଥିବାରୁ ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ଭୂପେନ୍ଦ୍ର ଯାଦବ। ଇ-ଶ୍ରମ ପୋର୍ଟାଲରେ ପଞ୍ଜୀକରଣ କରିଥିବା ପ୍ରତ୍ୟେକ ଶ୍ରମିକଙ୍କର ଦୁର୍ଘଟଣା ଜନିତ ମୃତ୍ୟୁ କିମ୍ବା ସ୍ଥାୟୀ ଅକ୍ଷମତା କ୍ଷେତ୍ରରେ ପୀଡ଼ିତ ୨ ଲକ୍ଷ ଟଙ୍କାର ବୀମା ରାଶି ପାଇବାକୁ ଯୋଗ୍ୟ ବିବେଚିତ ହେବେ। ସେହିପରି ଆଂଶିକ ରୂପରେ ଅକ୍ଷମ ହେଲେ ୧ ଲକ୍ଷ ଟଙ୍କାର ବୀମା ପାଇପାରିବେ। ସରକାର ସବୁବେଳେ ଶ୍ରମିକମାନଙ୍କ କଲ୍ୟାଣ ପ୍ରତି ପ୍ରତିବଦ୍ଧ ବୋଲି ସେ କହିଥିଲେ।

ଶ୍ରମ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ତେଲି ଇ-ଶ୍ରମ ପୋର୍ଟାଲର ବୈଶିଷ୍ଟ୍ୟଗୁଡ଼ିକ ବିଷୟରେ ଉଲ୍ଲେଖ କରିବା ସହିତ ଏଥିରେ ସମସ୍ତ ଅସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କର ପଞ୍ଜୀକରଣ ନିମନ୍ତେ ଆରମ୍ଭ ହୋଇଥିବା ଅଭିଯାନରେ ଅଂଶଗ୍ରହଣ କରିବା ଲାଗି ସମସ୍ତ ଦେଶବାସୀଙ୍କୁ ଆହ୍ବାନ କରିଥିଲେ।

ଏହି ଅବସରରେ, ଉଭୟ ମନ୍ତ୍ରୀମାନେ ଆଜମେର, ଦିବ୍ରୁଗଡ଼, ଚେନ୍ନାଇ ଓ ବାରଣାସୀର ଶ୍ରମିକମାନଙ୍କ ସହିତ ଆଲୋଚନା କରିଥିଲେ ଯେଉଁମାନେ ଜନ ସେବା କେନ୍ଦ୍ର ଜରିଆରେ ଏହି ଭର୍ଚୁଆଲ ମାଧ୍ୟମରେ ଏହି ପୋର୍ଟାଲ ଉନ୍ମୋଚନ କାର‌୍ୟ୍ୟକ୍ରମରେ ଯୋଡ଼ି ହୋଇ ନିଜନିଜର ଅନୁଭୂତି ବଖାଣିଥିଲେ। ମନ୍ତ୍ରୀଦ୍ବୟ ସେମାନଙ୍କୁ ଦୁର୍ଘଟଣା ବୀମା ସମ୍ପର୍କରେ ସୂଚନା ଦେବା ସହିତ ଏହି ପୋର୍ଟାଲରେ ପଞ୍ଜୀକରଣ କରିବାର ଲାଭ ବିଷୟରେ କହିଥିଲେ।

କାର୍ଯ୍ୟକ୍ରମରେ ଶ୍ରମ ମନ୍ତ୍ରଣାଳୟର ସଚିବ ଅପୂର୍ବ ଚନ୍ଦ୍ର କହିଥିଲେ ଯେ ଦେଶର ଇତିହାସରେ ଏହି ପୋର୍ଟାଲ ଏକ ବୃହତ ପରିବର୍ତ୍ତନ ଆଣିବ। ଦେଶର ୩୮ କୋଟି ଅସଂଗଠିତ ଶ୍ରମିକଙ୍କୁ ଏହି ଗୋଟିଏ ପୋର୍ଟାଲରେ ପଞ୍ଜୀକରଣ କରାଯିବ ବୋଲି ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଜନ ସେବା କେନ୍ଦ୍ର କିମ୍ବା ଅନ୍ୟତ୍ର ଅସଂଗଠିତ କ୍ଷେତ୍ରର ଶ୍ରମିକମାନେ ଏହି ପୋର୍ଟାଲରେ ପଞ୍ଜୀକରଣ କରିପାରିବେ। ଏଥିପାଇଁ ସେମାନଙ୍କୁ କୌଣସି ପ୍ରକାରର ଦେୟ ଦେବାକୁ ପଡ଼ିବ ନାହିଁ।

ପଞ୍ଜୀକରଣ କରିବା ପରେ ଶ୍ରମିକମାନଙ୍କୁ ଏକ ଇ-ଶ୍ରମ କାର୍ଡ ଦିଆଯିବ ଯାହାର ଏକ ଅଭିନବ ୟୁନିଭର୍ସାଲ ଆକାଉଣ୍ଟ ନମ୍ବର ରହିବ। ଏହି କାର୍ଡ ଜରିଆରେ ଶ୍ରମିକମାନେ ଯେକୌଣସି ସ୍ଥାନରେ ଏବଂ ଯେକୌଣସି ସମୟରେ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାର ଲାଭ ପାରିବେ।

କାର‌୍ୟ୍ୟକ୍ରମରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମୁଖ୍ୟ ଶାସନ ସଚିବ, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଶ୍ରମ ବିଭାଗ ପ୍ରମୁଖ ସଚିବ, ଶ୍ରମ କମିଶନରମାନେ ଭର୍ଚୁଆଲ ମାଧ୍ୟମରେ ଯୋଗ ଦେଇଥିଲେ। ଅସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କୁ ପଞ୍ଜୀକରଣ କରିବା ଦିଗରେ ପ୍ରମୁଖ ଭୂମିକା ନିର୍ବାହ କରିବାକୁ ଥିବା ୪ ଲକ୍ଷରୁ ଅଧିକ ଜନସେବା କେନ୍ଦ୍ର ଏହି ଉନ୍ମୋଚନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

ପୂର୍ବରୁ ପ୍ରଥମ ଓ ଦ୍ବିତୀୟ ପ୍ରାକ୍ ଉନ୍ମୋଚନ ବୈଠକରେ ଏହି ପୋର୍ଟାଲ ସମ୍ପର୍କରେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ମାନଙ୍କୁ ସୂଚନା ଦିଆଯାଇସାରିଛି। ଏହାକୁ କାର‌୍ୟ୍ୟକାରୀ କରିବା ଲାଗି ଆବଶ୍ୟକ ମାର୍ଗଦର୍ଶିକା ମଧ୍ୟ ଜାରି କରାଯାଇଛି। କୋଭିଡ ପରିସ୍ଥିତିକୁ ଦୃଷ୍ଟିରେ ରଖି ଭର୍ଚୁଆଲ ମାଧ୍ୟମରେ ଏହି ପୋର୍ଟାଲର ଶୁଭାରମ୍ଭ କରିବା ସହିତ ଅସଂଗଠିତ ଶ୍ରମିକଙ୍କ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ କରିବା ଲାଗି ଏହାକୁ ରାଜ୍ୟମାନଙ୍କୁ ହସ୍ତାନ୍ତର କରାଯାଇଛି।
ପୋର୍ଟାଲ ଉନ୍ମୋଚନ ପୂର୍ବରୁ ବିଭିନ୍ନ ଶ୍ରମିକ ସଂଗଠନଗୁଡ଼ିକର ପ୍ରତିନିଧିମାନଙ୍କ ସହିତ କେନ୍ଦ୍ର ଶ୍ରମ ମନ୍ତ୍ରୀ ଆଲୋଚନା କରିଥିଲେ ଏବଂ ସଂଗଠନର ନେତାମାନେ ଏପରି ଏକ ପୋର୍ଟାଲ ଆରମ୍ଭ କରାଯିବାକୁ ସ୍ବାଗତ କରିଛନ୍ତି।