Categories
ଆଜିର ଖବର ରାଜ୍ୟ ଖବର

ଉଗ୍ରରୂପ ନେଲା ଚିଲିକା ବିଜେଡିର ଗୋଷ୍ଠୀ କନ୍ଦଳ: ପୂର୍ବତନ ବିଧାୟକଙ୍କ କୁଶ ପୁତ୍ତଳିକା ଦାହ କଲେ ଦଳୀୟ କର୍ମୀ

ସୀତାରାମ ଅଗ୍ରୱାଲ

ଚିଲିକା: ଉଗ୍ରରୂପ ନେଲା ଚିଲିକା ବିଜେଡିର ଗୋଷ୍ଠୀ କନ୍ଦଳ। ପୂର୍ବତନ ବିଜେଡି ବିଧାୟକ ରଘୁନାଥ ସାହୁଙ୍କ ବିରୁଦ୍ଧରେ ଦଳୀୟ ନେତାମାନେ ଆଜି ରଣ ହୁଙ୍କାର ଦେଇଛନ୍ତି। ପୂର୍ବତନ ବିଧାୟକଙ୍କ ବିରୋଧରେ ଆଜି ଚିଲିକାରେ ଏକ ପ୍ରତିବାଦ ଶୋଭାଯାତ୍ରା କରାଯାଇଛି। ଯେଉଁଥିରେ ତାଙ୍କୁ ଦଳରୁ ବହିଷ୍କାର କରିବା ପାଇଁ ଉପସ୍ଥିତ କର୍ମୀମାନେ ଦାବି କରିଛନ୍ତି।

ସୂଚନା ଥାଉକି ଗତ ୨୩ ତାରିଖ ଦିନ ଚିଲିକା ପୂର୍ବତନ ବିଜେଡି ବିଧାୟକ ରଘୁନାଥ ସାହୁ ନିଜ ବାସଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ଜରିଆରେ ଚିଲିକା ବିଧାୟକ, ଜିଲ୍ଲା ପରିଷଦ ଉପସଭାପତି, ସାଂସଦ ପ୍ରତିନିଧି ଏବଂ ଅନ୍ୟ ଦଳୀୟ ନେତାଙ୍କ ବିରୁଦ୍ଧରେ ବିସ୍ଫୋରକ ବୟାନ ଦେଇଥିବା ବେଳେ ରାଜ୍ୟ ରାଜନୀତିରେ ଭୁକମ୍ପନ ସୃଷ୍ଟି ହୋଇଥିଲା।  ସେ ସିଧାସଳଖ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଦୁର୍ନୀତିଗ୍ରସ୍ତ ବିଧାୟକ କହିବା ସହ ତାଙ୍କୁ ୫ ପ୍ରତିଶତ ପିସି ନଦେଲେ କିଛି କାମ ହେଉନି ବୋଲି କହିଥିଲେ। ଅନୁରୂପ ଭାବେ ଜିଲ୍ଲା ପରିଷଦ ଉପସଭାପତି ଗୋପୀନାଥ ମହାରଣା ଏବଂ ସାଂସଦ ପ୍ରତିନିଧି ମାନସ ପ୍ରଧାନଙ୍କ ବିରୁଦ୍ଧରେ ମଧ୍ୟ ସାଙ୍ଘାତିକ ଅଭିଯୋଗ ଆଣିଥିଲେ।

ତେବେ ଏହାର ଜବାବରେ ଜିଲ୍ଲା ପରିଷଦ ଉପସଭାପତି ଗୋପୀନାଥ ମହାରଣାଙ୍କ ନେତୃତ୍ୱରେ ଆଜି ଏକ ପ୍ରତିବାଦ ଶୋଭାଯାତ୍ରା ବାଲୁଗାଁରେ ଅନୁଷ୍ଠିତ ହୋଇଥିଲା।  ବିଜେଡିର ଶତାଧିକ କର୍ମୀ ସ୍ଥାନୀୟ ମା’ ଉତ୍ତରାୟଣୀ ମନ୍ଦିର ନିକଟରୁ ପ୍ରତିବାଦ ଶୋଭାଯାତ୍ରାରେ ବାହାରି ଗାନ୍ଧୀ ଛକ ପର୍ଯ୍ୟନ୍ତ ଯାଇଥିଲେ ଏବଂ ସେଠାରେ ରଘୁନାଥ ସାହୁଙ୍କୁ ବିଜେଡିରୁ ବହିଷ୍କାର ଦାବିରେ ତାଙ୍କର କୁଶ ପୁତ୍ତଳିକା ମଧ୍ୟ ଦାହ କରିଥିଲେ।

ରଘୁନାଥ ସାହୁ ବିଜେପିର ଏଜେଣ୍ଟ ଭଳି କାମ କରୁଛନ୍ତି ଏବଂ ଦଳବିରୋଧୀ କାର୍ଯ୍ୟ କରୁଛନ୍ତି ବୋଲି ଗୋପୀନାଥ କହିଥିଲେ। ଅନୁରୂପ ଭାବେ ଗୋପୀନାଥ ନିଜ ପରିବାରବର୍ଗଙ୍କ ନାମରେ କୋଟି କୋଟି ଟଙ୍କାର କାମ ନେଇଥିବାର ଅଭିଯୋଗକୁ ମଧ୍ୟ ଖଣ୍ଡନ କରିଥିଲେ।  ଯଦି ପୂର୍ବତନ ବିଧାୟକ ଏହାର ପ୍ରମାଣ ଦେଇଦେବେ, ତେବେ ଗୋପୀନାଥ ଲଣ୍ଡା ହୋଇ ନିର୍ବାଚନମଣ୍ଡଳୀ ଜନସାଧାରଣଙ୍କୁ କ୍ଷମା ମାଗିବା ସହ ରାଜନୀତିରୁ ସନ୍ନ୍ୟାସ ନେବେ ବୋଲି ଗଣମାଧ୍ୟମ ସମ୍ମୁଖରେ ଘୋଷଣା କରିଥିଲେ।

ସେହିପରି ଭାବେ ସାଂସଦ ପ୍ରତିନିଧି ମାନସ ରଞ୍ଜନ ପ୍ରଧାନ ମଧ୍ୟ ପୂର୍ବତନ ବିଧାୟକଙ୍କ ଉପରେ ବର୍ଷିଥିଲେ। ତେବେ ଉକ୍ତ ପ୍ରତିବାଦ ଶୋଭାଯାତ୍ରାରେ କିଛି ତୁଙ୍ଗ ବିଜେଡି ନେତା ଉପସ୍ଥିତ ଥିବାବେଳେ ଏଠାରେ ବାଣପୁର ଓ ବାଲୁଗାଁ ଏନଏସିର ଅଧ୍ୟକ୍ଷଙ୍କ ଅନୁପସ୍ଥିତି ଚର୍ଚ୍ଚାର ବିଷୟ ପାଲଟିଛି।

ତେବେ ଏ ନେଇ ପୂର୍ବତନ ଚିଲିକା ବିଧାୟକ ରଘୁନାଥ ସାହୁଙ୍କୁ ଯୋଗାଯୋଗ କରାଯାଇଥିବା ବେଳେ ଆସନ୍ତାକାଲି ଚିଲିକା ବ୍ଲକ ବିଜେଡି କର୍ମୀ ସମ୍ମିଳନୀରେ ସେ ଉକ୍ତ ପ୍ରତିବାଦ ଶୋଭାଯାତ୍ରାର ଉତ୍ତର ଦେବେ ବୋଲି କହିଛନ୍ତି।