Categories
ବିଶେଷ ଖବର

ପାର୍ବତୀ ଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ ଅଧିନରେ ୫୯ଟି ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପାର୍ବତୀ ଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ରମରେ ରାଜ୍ୟର ୧୩ଟି ଜିଲ୍ଲାରେ ୫୯ଟି ମେଗା ଲିଫ୍ଟ ପ୍ରକଳ୍ପ ଉଦ୍‌ଘାଟନ କରିଛନ୍ତି। ଏହା ଦ୍ୱାରା ୮୦ ହଜାର ହେକ୍ଟର ଢିପ ଜମିକୁ ଜଳସେଚନର ସୁବିଧା ମିଳି ପାରିଛି। ଏଥିପାଇଁ ୨,୫୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଏହା ସହିତ ମୁଖ୍ୟମନ୍ତ୍ରୀ ୩୩ଟି ମେଗା ଲିଫ୍ଟ ପ୍ରକଳ୍ପ ପାଇଁ ଭିତ୍ତିସ୍ଥାପନ ମଧ୍ୟ କରିଛନ୍ତି। ଏ ସବୁ ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ପରେ ୯ଟି ଜିଲ୍ଲାର ୫୦ ହଜାର ହେକ୍ଟର ଜମିକୁ ଜଳସେଚନର ସୁବିଧା ମିଳିପାରିବ।

କାର୍ଯ୍ୟକ୍ରମରେ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଚାଷୀଭାଇ ହେଉଛନ୍ତି ଦେଶର ଶ୍ରେଷ୍ଠ ସେବକ। ସେମାନେ ଆମ ଅର୍ଥନୀତିର ମେରୁଦଣ୍ଡ। ସେମାନଙ୍କ ତ୍ୟାଗ ଓ ପରିଶ୍ରମ ରାଜ୍ୟ ପାଇଁ ଅନେକ ଗୌରବ ଆଣିଛି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସେ ପ୍ରତିଦିନ ତାଙ୍କ ଘରେ ଚାଷୀ ଭାଇଭଉଣୀମାନଙ୍କୁ ଭେଟୁଛନ୍ତି ଓ ସେମାନଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା ମଧ୍ୟ କରୁଛନ୍ତି। ଚାଷୀ ଭାଇମାନେ ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ ହେଉଥିବା ବିଷୟ ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଏଥିପାଇଁ ଖୁସି ବ୍ୟକ୍ତ କରିଥିଲେ।

କୃଷକମାନଙ୍କ ପାଇଁ ରାଜ୍ୟ ସରକାର କାର୍ଯ୍ୟକାରୀ କରୁଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ରାଜ୍ୟ ସରକାରଙ୍କ କୃଷି ବଜେଟ୍‌ ୫ ବର୍ଷରେ ୩ ଗୁଣ ହୋଇ ଏବେ ୨୫ ହଜାର କୋଟି ଟଙ୍କାରେ ପହଞ୍ଚିଛି। ସେ କହିଥିଲେ ଯେ କାଳିଆ ଯୋଜନା ଚାଷୀ ଭାଇମାନଙ୍କ ପାଇଁ ବହୁତ ଉପକାରୀ ସାବ୍ୟସ୍ତ ହୋଇଛି। ରାଜ୍ୟ ସରକାର ଚାଷୀଭାଇମାନଙ୍କ ଫସଲବୀମାର ପ୍ରିମୟମ ପାଇଁ ୬୦୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ସେହିପରି ବିନା ସୁଧରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ମଧ୍ୟ ଦିଆଯାଉଛି।

ରାଜ୍ୟରେ ଜଳସେଚନର ବିକାଶ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ୫-ଟି ଉପକ୍ରମରେ ଜଳସେଚନର ବିକାଶ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯାଇଛି। ଅପର ଇନ୍ଦ୍ରାବତୀ, ଲୋୟର ଇନ୍ଦ୍ର, ଦେଓ ଏବଂ ସୁବର୍ଣ୍ଣରେଖା ପରି ବଡ ବଡ ପ୍ରକଳ୍ପରୁ ଚାଷୀମାନେ ଜଳସେଚନ ସୁବିଧା ପାଉଛନ୍ତି। ଏହା ଛଡା ଗଙ୍ଗାଧର ମେହର ପ୍ରକଳ୍ପ ଓ ଲୋୟର ସୁକତେଲ ପରି ଅନ୍ୟ ବଡ ବଡ ପ୍ରକଳ୍ପ ମଧ୍ୟ ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ ହେବାକୁ ଯାଉଛି ବୋଲି ସେ କହିଥିଲେ। ନଦୀଗୁଡିକରେ ସବୁଦିନ ପାଣି ମିଳିବାର ସୁବିଧା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦ଟି ନଦୀଗର୍ଭ ଜଳାଶୟ ପ୍ରକଳ୍ପ କରାଯାଉଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହିସବୁ ପ୍ରକଳ୍ପ ଦ୍ୱାରା ରାଜ୍ୟର କୃଷି କ୍ଷେତ୍ର ସମୃଦ୍ଧ ହେବ ଏବଂ ଚାଷୀଭାଇଙ୍କର ରୋଜଗାର ବୃଦ୍ଧି ହେବ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମେଗା ଲିଫ୍ଟର ସୁପରିଚାଳନା ପାଇଁ ଓକାକ୍ ଦ୍ୱାରା ପ୍ରସ୍ତୁତ e-megalift App ର ଲୋକାର୍ପଣ କରିଥିଲେ।

ସୂଚନାଯୋଗ୍ୟ ଯେ ୨୦୧୧ ମସିହାରେ ରାଜ୍ୟରେ ପାର୍ବତୀ ଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ ଆରମ୍ଭ ହୋଇଥିଲା। ଏଥିରେ ୨୦୮ଟି ପ୍ରକଳ୍ପ ସଫଳତାର ସହ ଶେଷ ହୋଇଛି ଏବଂ ଏହା ଦ୍ୱାରା ୨,୬୪,୩୩୦ ହେକ୍ଟର ଚାଷ ଜମିକୁ ଜଳସେଚନର ସୁବିଧା ମିଳିଛି। ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ  ୧୭୦ଟି ପ୍ରକଳ୍ପ ହାତକୁ ନିଆଯାଇଛି। ଏହା ଦ୍ୱାରା ୧,୧୩,୫୪୦ ହେକ୍ଟର ଜମି ଜଳସେଚିତ ହୋଇପାରିବ।

କାର୍ଯ୍ୟକ୍ରମରେ ରାଜ୍ୟ ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ ଯୋଗଦେଇ କହିଥିଲେ ଯେ ଆଜି ଜଳସମ୍ପଦ ବିଭାଗ ତଥା ଆମ ରାଜ୍ୟ ପାଇଁ ଏକ ସ୍ମରଣୀୟ ଦିନ ହୋଇ ରହିବ। ଢିପ ଅଞ୍ଚଳରେ ପାଣି ଅଭାବ ଯୋଗୁ ଚାଷୀମାନଙ୍କର ସମସ୍ୟାକୁ ଦୃଷ୍ଟିରେ ରଖି ଆରମ୍ଭ କରାଯାଇଥିବା ଆମର ଏହି ପାର୍ବତୀଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ ଆଜି ମୁଖ୍ୟମନ୍ତ୍ରୀଙ୍କର ଦିଗ୍‌ଦର୍ଶନ ଓ ଆନ୍ତରିକତା ଯୋଗୁ ରାଜ୍ୟରେ ଜଳସେଚନ କ୍ଷେତ୍ରରେ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିପାରିଛି। ଏ ପ୍ରକଳ୍ପ ଜରିଆରେ ଚାଷୀମାନଙ୍କର ଢିପ ଜମିରେ ଜଳସେଚନ ଠିକ୍ ଭାବରେ ହୋଇ ଜୀବନଧାରଣ ଓ ସାମଗ୍ରୀକ ବିକାଶ କ୍ଷେତ୍ରରେ ପରିବର୍ତ୍ତନ ଆସିଛି।

କାର୍ଯ୍ୟକ୍ରମରେ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଏବଂ ଘସିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର ଯୋଗଦେଇ କହିଥିଲେ ଯେ ଏହି ପ୍ରକଳ୍ପ କାର୍ଯ୍ୟକାରିତା ଯୋଗୁ ତାଙ୍କ ଅଞ୍ଚଳର ଚାଷୀ ଭାଇଭଉଣୀମାନେ ବହୁଳ ଭାବେ ଉପକୃତ ହେବେ ଏବଂ ମୁଖ୍ୟମନ୍ତ୍ରୀ ମେଗା ଲିଫ୍ଟ ସ୍ଥାପନ ପାଇଁ କଥା ଦେଇଥିଲେ, କଥା ରଖି ସେ ଏହାକୁ କାମରେ କରି ଦେଖାଇଦେଲେ। ଅଞ୍ଚଳବାସୀ ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ବହୁତ ବହୁତ ଧନ୍ୟବାଦ ଦେଉଛନ୍ତି ବୋଲି ସେମାନେ କହିଥିଲେ।

କାର୍ଯ୍ୟକ୍ରମ ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡାର ଚାଷୀ ଲକ୍ଷ୍ମଣ ବାରିକ ଏବଂ ଢେଙ୍କାନାଳର ବବିତା ପାତ୍ର ମୁଖ୍ୟମନ୍ତ୍ରୀଙ୍କ ସହିତ ଭିଡିଓ କନ୍‌ଫରେନ୍‌ସିଂରେ ଆଲୋଚନା ଜରିଆରେ କହିଥିଲେ ଯେ ମେଗା ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରିତା ଯୋଗୁ ଆମ ଚାଷୀକୂଳର ବହୁତ ଉନ୍ନତି ଘଟିବ ଏବଂ ଆମ ଚାଷଜମିକୁ ପାଣି ଠିକ୍‌ ଭାବରେ ମିଳିବ। ଆମେ ପନିପରିବାଠାରୁ ଆରମ୍ଭ କରି ସମସ୍ତ ପ୍ରକାର ଚାଷ କାର୍ଯ୍ୟ ଠିକ୍ ଭାବରେ କରିପାରିବୁ। ଏହି ପ୍ରକଳ୍ପ କାର୍ଯକାରୀ କରିଥିବାରୁ ଆମ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ଆମେ ଧନ୍ୟବାଦ ଜଣାଉଛୁ ବୋଲି ସେମାନେ କହିଥିଲେ।

କାର୍ଯ୍ୟକ୍ରମରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ ପାଢୀ, ଜଳ ସମ୍ପଦ ବିଭାଗର ବରିଷ୍ଠ ଅଧିକାରୀଗଣ, ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଓ ଚାଷୀ ଭାଇଭଉଣୀମାନେ ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମରେ ଉନ୍ନୟନ କମିଶନର ତଥା  ଜଳସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସୁନ୍ଦରଗଡ଼ ଜିଲ୍ଲାରେ ଚାଷୀଙ୍କ ଆୟ ବଢ଼ାଇବାରେ ବିଶେଷ ସହାୟକ ହେଉଛି ଉଠା-ଜଳସେଚନ ପ୍ରକଳ୍ପ 

ସୁନ୍ଦରଗଡ଼: “ଆଗରୁ ପାଣି ଅସୁବିଧା ଯୋଗୁଁ ଭଲ ଚାଷବାସ ହେଉ ନଥିଲା। ଏପରିକି ଧାନ ଚାଷ କରିବାକୁ ମୋର ସାହସ ହେଉ ନଥିଲା। କିନ୍ତୁ, ଇଚ୍ଛା ନଦୀରେ ଉଠାଜଳସେଚନ ପ୍ରକଳ୍ପ ହେବା ଫଳରେ ମୁଁ ଏବେ ଧାନ ସହିତ ବିଭିନ୍ନ ପ୍ରକାରର ପନିପରିବା ଚାଷ କରିପାରୁଛି। ଏଥିରୁ ଭଲ ଦି’ ପଇସା ରୋଜଗାର ମଧ୍ୟ ହେଉଛି”, କହନ୍ତି ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ବ୍ଲକ ସାଲେଟିକ୍ରା ଗାଁର ଚାଷୀ ନରସିଂହ ନାଏକ।

ନରସିଂହଙ୍କର ୨ ଏକରରୁ ଅଧିକ ଚାଷଜମି ରହିଛି। ସେଥିରେ ସେ ଏବେ ଧାନ ସହିତ ପୋଟଳ, ବାଇଗଣ, କଲରା, ଅମୃତଭଣ୍ଡା ଆଦି ପନିପରିବା ଲଗାଇଛନ୍ତି। ଘରେ ଖାଇବା ସହ ବଜାରରେ ବିକ୍ରି କରି ନରସିଂହ ଭଲ ଦି’ ପଇସା ରୋଜଗାର କରୁଛନ୍ତି। ଏହି ଚାଷବାସ କାମରେ ନରସିଂହଙ୍କୁ ତାଙ୍କ ସ୍ତ୍ରୀ ମୀନା ନାଏକ ସହଯୋଗ କରୁଛନ୍ତି।

ଚାଷଜମିକୁ ଜଳସେଚନର ସୁବିଧା ହେବାରୁ ନରସିଂହ ୭୦ ଡେସିମିଲ ଜମିରେ କଦଳୀ ଚାଷ ମଧ୍ୟ କରିଛନ୍ତି। ଓମ୍ବାଡସି ପାଣ୍ଠିର ଆର୍ଥିକ ସହାୟତାରେ କରିଥିବା କଦଳୀ ଚାଷରୁ ସେ ବର୍ତ୍ତମାନ ସୁଦ୍ଧା ଦେଢ଼ ଲକ୍ଷରୁ ଅଧିକ ଟଙ୍କା ରୋଜଗାର କରିପାରିଛନ୍ତି। ଏହି ଟଙ୍କାରେ ନରସିଂହ ତାଙ୍କ ଘର ଚଳାଇବା ସହ ଦୁଇ ଝିଅଙ୍କୁ କଲେଜରେ ପାଠ ପଢ଼ାଉଛନ୍ତି।

ନରସିଂହ ନାଏକଙ୍କ ଭଳି ସୁନ୍ଦରଗଡ଼ ଜିଲ୍ଲାର ଅନେକ ଚାଷୀଙ୍କ ମୁହଁରେ ଉଠାଜଳସେଚନ ପ୍ରକଳ୍ପ ହସ ଫୁଟାଇପାରିଛି। ପାଣି ଅଭାବରୁ ଯେଉଁ ଜମି ଆଗରୁ ପଡ଼ିଆ ପଡୁଥିଲା ସେଠାରେ ଆଜି ସବୁଜିମା ଭରି ଯାଇଛି। ଚାଷୀମାନେ ଧାନ ସହିତ ବିରି, ମୁଗ ଓ ବିଭିନ୍ନ ପ୍ରକାରର ପନିପରିବା ଭଳି ଆୟକାରୀ ଫସଲ କରି ଆର୍ଥିକ ଭାବେ ସଶକ୍ତ ହୋଇପାରୁଛନ୍ତି।

ବଣପାହାଡ଼ ଘେରା ତଥା ଆଦିବାସୀ ବହୁଳ ସୁନ୍ଦରଗଡ଼ ଜିଲ୍ଲା ଦେଇ ବହି ଯାଇଛି ବ୍ରାହ୍ମଣୀ, କୋଏଲ, ଶଙ୍ଖ ଏବଂ ଇଚ୍ଛା ନଦୀ। ତା’ଛଡ଼ା ଖଣ୍ଡାଧାର, ଜରଦା, ଖରାପାଣି, ଲାଉଡ଼ା ଆଦି ନାଳ ମଧ୍ୟ ରହିଛି। ଏହି ନଦୀ ଏବଂ ନାଳର ପାଣିକୁ ଚାଷ କାମରେ ବ୍ୟବହାର କରିବା ଲାଗି ପ୍ରଶାସନ ପକ୍ଷରୁ ଛୋଟ ବଡ଼ ୮ ହଜାର ୪୮୫ଟି ଉଠାଜଳସେଚନ ପ୍ରକଳ୍ପ କରାଯାଇଛି। ଏହା ଫଳରେ ସୁନ୍ଦରଗଡ଼ ଜିଲ୍ଲାରେ ଚାଷ କ୍ଷେତ୍ରରେ ବିଶେଷ ଉନ୍ନତି ଆସିପାରିଛି ବୋଲି କହିଛନ୍ତି ଓଡ଼ିଶା ଉଠାଜଳସେଚନ ନିଗମ ସୁନ୍ଦରଗଡ଼ ଡିଭିଜନର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଗିରୀଶ ଚନ୍ଦ୍ର ବେହେରା।

ଜିଲ୍ଲାରେ ଥିବା ମୋଟ ଉଠାଜଳସେଚନ ପ୍ରକଳ୍ପ ମଧ୍ୟରୁ ୧୨୯୩ଟି ଗୋଷ୍ଠୀ ପ୍ରକଳ୍ପ ବିଭିନ୍ନ ନଦୀ ଓ ନାଳର ଜଳଧାର ଉପରେ ରହିଛି। ଏହାଛଡ଼ା ବିଭିନ୍ନ ନଦୀରେ ୫୧ଟି ଅତି କ୍ଷୁଦ୍ର ଉଠାଜଳସେଚନ ପ୍ରକଳ୍ପ କରାଯାଇଛି। ସେହିପରି ଜିଲ୍ଲାର ବିଭିନ୍ନ ସ୍ଥାନରେ ୭ ହଜାର ୧୪୧ଟି ଗଭୀର ନଳକୂଅ ଖୋଳାଯାଇ ସ୍ଥାନୀୟ ଚାଷୀମାନଙ୍କ ଜମିକୁ ପାଣି ଯୋଗାଇ ଦିଆଯାଉଛି।

ଏହିସବୁ ପ୍ରକଳ୍ପ ଯୋଗୁଁ ଜିଲ୍ଲାର ମୋଟ ୬୬ ହଜାର ୭୨୪ ହେକ୍ଟର ଚାଷଜମିକୁ ଜଳସେଚନର ସୁବିଧା ମିଳିପାରୁଛି। ଏହାଦ୍ୱାରା ୪୫ ହଜାରରୁ ଅଧିକ ଚାଷୀ ଉପକୃତ ହୋଇପାରୁଛନ୍ତି। ଏହି କାର୍ଯ୍ୟକ୍ରମ ପାଇଁ ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମଏଫ) ଏବଂ ଆରଆଇଡିଏଫ ପାଣ୍ଠିରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି।

ଜଳ ପରିଚାଳନାକୁ ସୁବ୍ୟବସ୍ଥିତ କରିବା ପାଇଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ପାଣି ପଞ୍ଚାୟତ ଗଠନ କରାଯାଇଛି। ଗୋଷ୍ଠୀ ଉଠାଜଳସେଚନ ପ୍ରକଳ୍ପ ସ୍ଥାପନ ହେବା ପରେ ତାହାକୁ ସ୍ଥାନୀୟ ପାଣି ପଞ୍ଚାୟତକୁ ହସ୍ତାନ୍ତର କରାଯାଉଛି। ବର୍ତ୍ତମାନ ଜିଲ୍ଲାରେ ୧୨୯୩ଟି ପାଣି ପଞ୍ଚାୟତ ଗଠନ କରାଯାଇଛି। ଚାଷୀମାନେ ଏକାଠି ହୋଇ ନିଜ ନିଜ ଅଞ୍ଚଳରେ ଏହି ଜଳ ପରିଚାଳନା କଥା ବୁଝୁଛନ୍ତି।

ଏହି ଜଳସେଚନ ପ୍ରକଳ୍ପ ଦ୍ୱାରା ଉପକୃତ ହେଉଥିବା ଲେଫ୍ରିପଡ଼ା ବ୍ଲକର ଆଉ ଜଣେ ହିତାଧିକାରୀ ମହେନ୍ଦ୍ର ଶଙ୍କରିଆ କହନ୍ତି, “୭ ବର୍ଷ ତଳେ ପଡ଼ିଆ ଜମିରେ ମୁଁ ଆମ୍ବ ଗଛ ଲଗାଇଥିଲି। ଜଳସେଚନର ସୁବିଧା ନଥିବାରୁ ମୁଁ ଆଉ କିଛି ଚାଷ କରିପାରୁ ନଥିଲିୟ ଉଠାଜଳସେଚନ ପ୍ରକଳ୍ପ ହେବା ଯୋଗୁଁ ମୁଁ ଏବେ ବିଭିନ୍ନ ଚାଷ କରି ଲାଭବାନ ହୋଇପାରୁଛି।’

“ଜଳସେଚନ ସୁବିଧା ହେବାରୁ ମୁଁ ମୋ ଜମିରେ ବାଇଗଣ, ଲଙ୍କା ଆଦି ଚାଷ କରୁଛି। ଏହି ଚାଷରୁ ବର୍ତ୍ତମାନ ସୁଦ୍ଧା ମୁଁ ୨୦ରୁ ୩୦ ହଜାର ଟଙ୍କା ପାଇଛି। ମୁଁ କଦଳୀ ଚାଷ ମଧ୍ୟ କରିଛି । ଆଗକୁ କଦଳୀ ବିକ୍ରି କରି ଭଲ ରୋଜଗାର କରିବି ବୋଲି ଆଶା ରହିଛି”, କହନ୍ତି ଜିଲ୍ଲାର ଆଉ ଜଣେ ଚାଷୀ ପ୍ରଫୁଲ୍ଲ ରାଖା।

ଜମିକୁ ଜଳ, ଚାଷୀଙ୍କୁ ବଳ। ତେଣୁ ଚାଷୀମାନଙ୍କ ଜୀବିକାକୁ ସୁନିଶ୍ଚିତ କରିବା ସହିତ ଆୟ ଦୁଇ ଗୁଣ କରିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ନଦୀ, ନାଳ ଭଳି ସ୍ଥାନୀୟ ଜଳ ଉତ୍ସକୁ ବ୍ୟବହାର କରି ଚାଷଜମିକୁ ଜଳସେଚନ ଉପରେ ପ୍ରାଥମିକତା ଦିଆଯାଉଛି। ସୁନ୍ଦରଗଡ଼ ଜିଲ୍ଲାରେ ଉଠାଜଳସେଚନ ପ୍ରକଳ୍ପ ନିର୍ମାଣ ହେବା ଫଳରେ ଚାଷୀ ପରିବାର ଏହାର ବିଶେଷ ସୁଫଳ ପାଇପାରୁଛନ୍ତି।