Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ସ୍ମାରକୀ ସ୍ଥଳ ପରିଦର୍ଶନ କଲେ ସଂସ୍କୃତି ସଚିବ

ଭୁବନେଶ୍ୱର/ପୁରୀ:  ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ପୁରୀ ଜିଲ୍ଲାର ସୁଆଣ୍ଡୋ ଗ୍ରାମ ପରିଦର୍ଶନ କରି ସେଠାରେ ନିର୍ମାଣାଧୀନ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ସ୍ମାରକୀସ୍ଥଳ ପରିଦର୍ଶନ କରିଥିଲେ । ସ୍ମାରକୀ ଭିତରେ ନିର୍ମାଣାଧୀନ ମନ୍ଦିର, ସପିଙ୍ଗ କେନ୍ଦ୍ର, ପାର୍କିଂସ୍ଥଳୀ, ଉତ୍କଳମଣି ଗୋପବନ୍ଧୁଙ୍କ ପୈତୃକ ଘର, ଗ୍ରାମରାସ୍ତା, ପ୍ରାକୃତିକ ଭୂଚିତ୍ର ଓ ଉଦ୍ୟାନ କାର‌୍ୟ୍ୟ ଏବଂ ସଂଗ୍ରହାଳୟ ଘର ସହିତ ଅନ୍ୟାନ୍ୟ କାର‌୍ୟ୍ୟଅଗ୍ରଗତି ସମୀକ୍ଷା କରିଥିଲେ ।

ସ୍ମାରକୀର ସମସ୍ତ ନିର୍ମାଣ କାର୍ଯ୍ୟ ଶୀଘ୍ର ସମ୍ପୂର୍ଣ୍ଣ କରିବା ପାଇଁ ତୁରନ୍ତ କାର‌୍ୟ୍ୟାନୁଷ୍ଠାନ ନେବା ନିମନ୍ତେ ଊପସ୍ଥିତ ସଂପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ପରିଦର୍ଶନ ସମୟରେ ପୁରୀ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଶ୍ରୀ ରଞ୍ଜନ କୁମାର ଦାସ, ବିଭାଗୀୟ ଅତିରିକ୍ତ ଶାସନ ସଚିବ ଶ୍ରୀ ମଧୁସୂଦନ ଦାଶ, ପୁରୀ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ, ପୁରୀ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ହେମନ୍ତ କୁମାର ବେହେରା ଏବଂ ଗୋପବନ୍ଧୁଙ୍କ ନାତି ଶ୍ରୀ ଧୀରେନ ଦାଶଙ୍କ ସମେତ ସଂପୃକ୍ତ ନିର୍ମାଣାଧିନ ସଂସ୍ଥାର ମୁଖ୍ୟ ଓ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।

Categories
ବିଶେଷ ଖବର

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ଜନ୍ମ ପୀଠ ବିକାଶ କାର୍ଯ୍ୟ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀଙ୍କ ସଚିବ

ଭୁବନେଶ୍ୱର: ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଓଡ଼ିଆ ଜାତିର ଗର୍ବ ଓ ଗୌରବ ଓଡ଼ିଆ ଜାତି ପାଇଁ ତାଙ୍କ ତ୍ୟାଗକୁ ଏ ଜାତି କେବେ ଭୁଲି ପାରିବ ନାହିଁ। ଗୋପବନ୍ଧୁଙ୍କ ଜନ୍ମପୀଠ ପୁରୀ ଜିଲ୍ଲା ସୁଆଣ୍ଡୋ ଗ୍ରାମକୁ କେବଳ ଏକ ପର୍ଯ୍ୟଟନ ସ୍ଥଳୀ ନୁହେଁ ଏକ ଜ୍ଞାନର କେନ୍ଦ୍ର ଭାବରେ ବିକଶିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଧେଶ କ୍ରମେ କାମ ଆରମ୍ଭ ହୋଇଛି। ଉତ୍କଳମଣିଙ୍କ ତ୍ୟାଗ ପୁତ ଜୀବନ ଓ ଆଦର୍ଶର ପ୍ରଚାର ପ୍ରସାରରେ ମଧ୍ୟ ଏହା ସହାୟକ ହେବ।

ପୂର୍ବରୁ ମୁଖ୍ୟମନ୍ତ୍ରୀ ଗୋପବନ୍ଧୁଙ୍କ ଜନ୍ମପୀଠର ବିକାଶ ଯୋଜନାକୁ ଅନୁମୋଦନ କରିଛନ୍ତି।

ଗୋପବନ୍ଧୁଙ୍କ ଜନ୍ମପୀଠର ବିକାଶ ସେ ଅଞ୍ଚଳର ଜନସାଧାରଣଙ୍କ ବହୁଦିନର ଦାବି ଥିଲା।

ମୁଖ୍ୟମନ୍ତ୍ରୀ ଙ୍କ ସଚିବ (୫ଟି) ଭି. କାର୍ତ୍ତିକେୟ ପାଣ୍ଡିଆନ ଆଜି ସୁଆଣ୍ଡୋ ଯାଇ ସେଠାରେ ଚାଲିଥିବା ବିକାଶ କାମ ବୁଲି ଦେଖିଥିଲେ। ପ୍ରଥମେ ଶ୍ରୀ ପାଣ୍ଡିଆନ ଗୋପବନ୍ଧୁଙ୍କ ସଠି ଘରକୁ ଯାଇ ଉତ୍କଳମଣିଙ୍କ ପ୍ରତି ଶ୍ରଦ୍ଧା ନିବେଦନ କରିଥିଲେ। ଏବଂ ଗୋପବନ୍ଧୁଙ୍କ ଦାୟାଦମାନଙ୍କୁ ଭେଟି ସ୍ମୁତି ପୀଠ ବିଷୟରେ ଆଲୋଚନା କରିଥିଲେ। ଉତ୍କଳମଣିଙ୍କ ଜନ୍ମ ପୀଠର ବିକାଶ ପାଇଁ ସରକାରଙ୍କ ପଦକ୍ଷେପର ସେମାନେ ଉଚ୍ଚ ପ୍ରଶଂସା କରିଥିଲେ।

ରାଜ୍ୟସରକାରଙ୍କ ପକ୍ଷରୁ ଏହାର ପୁନଃରୁଦ୍ଧାର କାର୍ଯ୍ୟ ହାତକୁ ନିଆଯିବା ସହ ଦ୍ରୁତ ଗତିରେ ନିର୍ମାଣ କାର୍ଯ୍ୟ ଜାରି ରହିଛି।

ଶିବ ମନ୍ଦିର, ଦୁଇଟି ପୋଖରୀ, ପୈତୃକ ବାସଗୃହ, ଗ୍ରାମକୁ ଉନ୍ନତ ରାସ୍ତା, ପରିକ୍ରମା ରାସ୍ତା, ପାର୍କ, ମ୍ୟୁଜିଅମର ନିର୍ମାଣ କାର୍ଯ୍ୟକୁ ଆଜି ୫-ଟି ସଚିବ ବୁଲି ଦେଖିଥିବା ବେଳେ ଦୁଇରୁ ତିନିମାସ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଜିଲ୍ଲାପାଳ ଙ୍କୁ ନିର୍ଦେଶ ଦେଇଥିଲେ।

ସୁଆଣ୍ଡୋରେ ନିର୍ମାଣ ହେଉଥିବା ପାର୍କିଙ୍ଗ ପ୍ଲେସ, ରିସେପସନ ସେଣ୍ଟର ତଥା ମନ୍ଦିରର ନିର୍ମାଣ କାର୍ଯ୍ୟକୁ ଶ୍ରୀ ପାଣ୍ଡିଆନ ବୁଲି ଦେଖିବା ସହ ଗୋପବନ୍ଧୁଙ୍କ ସ୍ମୃତି ବହନ କରୁଥିବା ବିଭିନ୍ନ ସାମଗ୍ରୀକୁ ନେଇ ମ୍ୟୁଜିଅମ ଏବଂ ପୋଖରୀ ଆଦିରେ ଚାଲିଥିବା ବିକାଶ କାମ ଅନୁଧ୍ୟାନ କରିଛନ୍ତି। ବିଶେଷ କରି ସୁଆଣ୍ଡୋରେ ଗୋପବନ୍ଧୁଙ୍କ ପନ୍ଦର ଫୁଟ ଉଚ୍ଚ ର ଏକ ବ୍ରୋଞ୍ଚ ପ୍ରତିମୂର୍ତ୍ତି ସ୍ଥାପନ ନେଇ ସେ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ।

ପ୍ରାୟ ୨୪ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଉଥିବା ଏହି ସମସ୍ତ ପ୍ରକଳ୍ପ କାର୍ଯ୍ୟକୁ ଶୀଘ୍ର ଏବଂ ସୁଚାରୁ ରୂପେ ଶେଷ କରିବା ନେଇ ଲକ୍ଷ୍ୟ ରଖାଯାଇଛି ଓ ଏ ଦିଗରେ ଗ୍ରାମବାସୀଙ୍କ ସହଯୋଗ ମଧ୍ୟ କାମନା କରାଯାଇଥିଲା।

ତେବେ ଦୀର୍ଘ ୫୦ ବର୍ଷ ପରେ ସୁଆଣ୍ଡୋ ଗ୍ରାମର ଏଭଳି ଉନ୍ନତି କରଣ କାର୍ଯ୍ୟ କରାଯାଉଥିବା ନେଇ ସୁଆଣ୍ଡୋ ବାସୀ ବେଶ ଗୌରାବାନ୍ୱିତ ମନେ କରିଥିବା ବେଳେ ସରକାରଙ୍କ ଏଭଳି ପ୍ରଚେଷ୍ଟାକୁ ସାଧୁବାଦ ଜଣାଇଛନ୍ତି।

ଏହି ଗସ୍ତ ଅବସରରେ ପୁରୀ ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଜୟଦେବ ଭବନରେ ରାଜ୍ୟସ୍ତରୀୟ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଜୟନ୍ତୀ ପାଳିତ

ଭୁବନେଶ୍ବର: ଉତ୍କଳର ଗର୍ବ ଓ ଗୌରବର ପ୍ରତୀକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ, ମାନବସେବା ଯାହାଙ୍କର ଥିଲା ପରମ ବ୍ରତ, ସ୍ୱଦେଶ ପ୍ରୀତି ଓ ବିଶ୍ୱପ୍ରୀତି ଓ ଜାତିମୁକ୍ତି ପାଇଁ ଜାତୀୟ ମହାଯଜ୍ଞରେ ନିଜକୁ ଆହୂତି ଦେଇଥିବା ଉତ୍କଳମଣି ଜାତିପ୍ରାଣ ପୁଣ୍ୟଶ୍ଳୋକ ଗୋପବନ୍ଧୁ ଦାସ ଯୁଗେ ଯୁଗେ ଏ ଜାତିର ଚିରନମସ୍ୟ ବୋଲି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବରେ ଯୋଗଦେଇ ବିଶିଷ୍ଟ ଅତିଥିମାନେ ମତବ୍ୟକ୍ତ କରିଛନ୍ତି ।

ଆଜି ଜୟଦେବ ଭବନଠାରେ ସୂଚନା ଓ ଲୋକସଂପର୍କ ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଉତ୍ସବରେ ସଭାପତିତ୍ୱ କରି ସୂଚନା ଓ ଲୋକସଂପର୍କ ତଥା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ କହିଲେ ଯେ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସ ଜଣେ ଦରଦୀ ମଣିଷ ଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ପିସିସି ପକ୍ଷରୁ ଉତ୍କଳମଣି ଗୋପବନ୍ଧୁଙ୍କ ଜୟନ୍ତୀ ଉତ୍ସବ ପାଳିତ

ଭୁବନେଶ୍ୱର: ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୫୪ତମ ଜୟନ୍ତୀ ଉତ୍ସବ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ସକାଳେ ଭୁବେନଶ୍ୱର ଗୋପବନ୍ଧୁ ଛକ ସ୍ଥିତ ଗୋପବନ୍ଧୁଙ୍କ ପ୍ରତିମୂର୍ତିରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକଙ୍କ ସମେତ କଂଗ୍ରେସ ନେତୃବୃନ୍ଦ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଗୋପବନ୍ଧୁଙ୍କ ପ୍ରତିମୂର୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା ।

ଏହି ଅବସରରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଏକ ବାର୍ତାରେ କହିଥିଲେ ଯେ ଗୋପବନ୍ଧୁ ତ୍ୟାଗ, ଜନସେବା ଓ ଆଦର୍ଶର ମୂର୍ତିମନ୍ତ ପ୍ରତୀକଥିଲେ । ଆଜିର ଏହି ପବିତ୍ର ଦିବସରେ ଆମ୍ଭେମାନେ ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇପାରିଲେ ତାହାହିଁ ଗୋପବନ୍ଧୁଙ୍କ ପ୍ରତି ଶ୍ରେଷ୍ଠ ସମ୍ମାନ ହେବ ।

ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ସୁରେଶ କୁମାର ରାଉତରାୟ, ଶିବାନନ୍ଦ ରାୟ, ମନୋରଞ୍ଜନ ଦାଶ, ଚିନ୍ମୟ ସୁନ୍ଦର ଦାଶ, ଅମୀୟ କୁମାର ପଟ୍ଟନାୟକ, ବିଶ୍ୱଜିତ ଦାଶ, ପଦ୍ମାକର ଗୁରୁ, ଦୀପକ ମହାପାତ୍ର, ଜ୍ୟୋତିଷ ସାହୁ, ରଜନୀ ମହାନ୍ତି, ଲିଙ୍ଗରାଜ ସାହୁ, ସୁବ୍ରତ ମହାପାତ୍ର, ମନୋରଞ୍ଜନ ରାଉତରାୟ, ସଂକୁନା କହଁର, ଭାସ୍କର ସେଠୀ, ଜୟକୃଷ୍ଣ ସୁବୁଦ୍ଧି, ମିହିର ଆଚାର୍ଯ୍ୟ, ସାଗର ପରିଡ଼ା, ଖଗେଶ୍ୱର ମଲ୍ଲିକ, ରଞ୍ଜିତ ପାତ୍ର, ମନୋଜ ସାହୁ, ଦେବରାଜ ମିଶ୍ର, ଶ୍ରୀଧର ବଳିଆର ସିଂ, ଶୁଭ୍ରଜ୍ୟୋତି ଲେଙ୍କା, ଅକ୍ଷୟ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ।