Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଉତ୍କଳିକାର ପ୍ରତିଷ୍ଠା ଦିବସ: ମାର୍କେଟିଂ ଓ ସୋର୍ସିଂ ହବ୍‌ର ଶୁଭ ଉଦ୍‌ଘାଟନ

ଭୁବନେଶ୍ୱର: ଓଡ଼ିଶା ହସ୍ତଶିଳ୍ପ ଉଦ୍ୟୋଗର ବିକାଶ ତଥା ହସ୍ତଶିଳ୍ପ କାରିଗରମାନଙ୍କ ଉତ୍ପାଦିତ ସାମଗ୍ରୀର ବିକ୍ରୟ ମାଧ୍ୟମରେ ଓଡ଼ିଶାର କାରିଗରମାନଙ୍କୁ କର୍ମସଂସ୍ଥାନ ଯୋଗାଇବା ଉଦ୍ଦେଶ୍ୟରେ କାରିଗରମାନଙ୍କ ପ୍ରତ୍ୟକ୍ଷ ସହଯୋଗରେ ଓଡ଼ିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଏକ ଶୀର୍ଷ ସମବାୟ ଅନୁଷ୍ଠାନ ଭାବରେ ୧୯୫୯ ମସିହା ମଇ ୧୩ ତାରିଖରେ ଗଠିତ ହୋଇଥିଲା। ଏହି ଶୀର୍ଷ ସମବାୟ ଅନୁଷ୍ଠାନରେ ରାଜ୍ୟ ସରକାର, କେନ୍ଦ୍ର ସରକାର ଓ ୧୧୬ ଗୋଟି ପ୍ରାଥମିକ ହସ୍ତଶିଳ୍ପ ସମବାୟ ସମିତି ସଦସ୍ୟ ଅଛନ୍ତି।

ଓଡ଼ିଶା ହସ୍ତଶିଳ୍ପ କାରିଗରମାନଙ୍କର ସାମଗ୍ରିକ ଉନ୍ନତି ନିମନ୍ତେ ଉତ୍କଳିକା ଊଭୟ ରାଜ୍ୟ ଭିତରେ ୮ ଗୋଟି ଶାଖା ଯଥା: ଭୁବନେଶ୍ୱର, କଟକ, ପୁରୀ, ଭୁବନେଶ୍ୱର ଏୟାରପୋର୍ଟ, ଅନୁଗୋଳ, ରାଉରକେଲା, ସମ୍ବଲପୁର ଓ ଜୟପୁର ଏବଂ ରାଜ୍ୟ ବାହାରେ ୬ ଗୋଟି ଶାଖା ଯଥା: ନୂଆଦିଲ୍ଲୀ, ମୁମ୍ବାଇ, କଲିକତା, ପୁନେ, ବେଙ୍ଗାଲୁରୁ ଓ ହାଇଦ୍ରାବାଦ ସର୍ବମୋଟ ୧୪ଟି ଶାଖା କାର୍ଯ୍ୟ କରୁଛି । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଆର୍ଥିକ ସହାୟତାରେ ଆୟୋଜିତ ପ୍ରଦର୍ଶନୀ ମାଧ୍ୟମରେ କାରିଗରମାନଙ୍କର ଉତ୍ପାଦିତ ସାମଗ୍ରୀଗୁଡ଼ିକର ବିକ୍ରୟ କରାଯାଉଛି।

ଏକ ବୃହତ୍‌ ଏବଂ ଆଧୁନିକ ହସ୍ତଶିଳ୍ପ ବିପଣନ କେନ୍ଦ୍ର ମାଧ୍ୟମରେ କାରିଗରମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀଗୁଡ଼ିକୁ ପ୍ରଦର୍ଶନ ଏବଂ ବିକ୍ରୟ କରିବା ସହିତ ଉଭୟ କ୍ରେତା ଏବଂ ବିକ୍ରେତାଙ୍କ ଭାବବିନିମୟ ମାଧ୍ୟମରେ ଗୁଣବତ୍ତା ସାମଗ୍ରୀର ଉତ୍ପାଦନ ନିମନ୍ତେ କାରିଗରମାନଙ୍କୁ ପ୍ରୋତ୍ସାହିତ କରିବା ଓ ହସ୍ତଶିଳ୍ପ ପ୍ରତି ଗ୍ରାହକମାନଙ୍କୁ ଆକୃଷ୍ଟ କରିବା ଉଦ୍ଦେଶ୍ୟରେ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଆର୍ଥିକ ସହାୟତାରେ ମୁଖ୍ୟ କାର୍ଯ୍ୟାଳୟ ରସୁଲଗଡ଼, ଭୁବନେଶ୍ୱରଠାରେ ମାର୍କେଟିଂ ଓ ସୋର୍ସିଂ ହବ୍‌ର ଶୁଭ ଉଦ୍‌ଘାଟନ ହୋଇଛି।

ଓଡ଼ିଶା ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅଧିନସ୍ଥ ହସ୍ତଶିଳ୍ପ ନିର୍ଦ୍ଦେଶାଳୟ, ଓଡ଼ିଶା, ଭୁବନେଶ୍ୱରଙ୍କ ଆର୍ଥିକ ସହାୟତାରେ ଓଡ଼ିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଲିଃ (ଉତ୍କଳିକା) ଦ୍ୱାରା ଏକ ୪୫ ଦିନ ବ୍ୟାପୀ ରାଜ୍ୟସ୍ତରୀୟ ପ୍ରଦର୍ଶନୀ (ହସ୍ତଶିଳ୍ପ ଓ ହସ୍ତତନ୍ତ ପ୍ରଦର୍ଶନୀ-୨୦୨୩) ୧୩ ମଇ ୨୦୨୩ରୁ ୨୬ ଜୁନ ୨୦୨୩ ପର୍ଯ୍ୟନ୍ତ ମାର୍କେଟିଂ ଓ ସୋର୍ସିଂ ହବ୍‌, ରସୁଲଗଡ଼, ଭୁବନେଶ୍ୱରଠାରେ ଆୟୋଜିତ ହେଉଛି।

ଏଥିରେ ଓଡ଼ିଶାର ୧୧ଟି ଜିଲ୍ଲାର ୩୦ ଜଣ ହସ୍ତଶିଳ୍ପ କାରିଗର ଅଂଶଗ୍ରହଣ କରିବା ସହିତ ସେମାନଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀମାନ ପ୍ରଦର୍ଶନ କରିବା ସଙ୍ଗେ ସଙ୍ଗେ ବିକ୍ରୟ କରିବାର ସୁବିଧା କରାଯାଇଛି । ଓଡ଼ିଶାର ଖୋର୍ଦ୍ଧା, ପୁରୀ, ଗଞ୍ଜାମ, କଟକ, କେନ୍ଦ୍ରାପଡ଼ା, ଢେଙ୍କାନାଳ, ବଲାଙ୍ଗିର, ବରଗଡ଼, କୋରାପୁଟ ଓ ନୟାଗଡ଼ ଜିଲ୍ଲାରୁ ବିଭିନ୍ନ ପ୍ରକାରର ହସ୍ତଶିଳ୍ପ/ହସ୍ତତନ୍ତ ସାମଗ୍ରୀ ଯଥା ପଥର ଖୋଦେଇ, କାଠ ଖୋଦେଇ, ସବାଇ ଘାସ, ଗୋଲ୍‌ଡେନ୍‌ ଗ୍ରାସ୍‌, ଚାନ୍ଦୁଆ, ପଟ୍ଟଚିତ୍ର, ରୂପା ତାରକସୀ, ଆଦିବାସୀ ଜୁଏଲାରୀ, ତାଳପତ୍ର ଖୋଦେଇ, ଶାମୁକା, କଂସା ଓ ପିତ୍ତଳ, ଡୋକ୍ରା, ଶିଙ୍ଘ, ଝୋଟ କାମ, ଧାନଶିଳ୍ପ, ଟେରାକୋଟା, ହସ୍ତତନ୍ତ ଶାଢ଼ି, ଡ୍ରେସ୍‌ ଇତ୍ୟାଦି ଭଳି ଅତି ଉତ୍କୃଷ୍ଟ ମାନର ସାମଗ୍ରୀଗୁଡ଼ିକର ପ୍ରଦର୍ଶନ କରୁଛନ୍ତି।

ଏହିଭଳି ଏକ ପ୍ରଦର୍ଶନୀର ଆୟୋଜନ ଓ ପରିଚାଳନା ତଥା ସର୍ବୋପରି କ୍ରୟକୁ ଦୃଷ୍ଟିରେ ରଖାଯାଇ ଆନୁମାନିକ ୫୦ ଲକ୍ଷ ଟଙ୍କାର ବ୍ୟବସାୟ ଆକଳନ କରାଯାଇଛି ଏବଂ ୩୦ ହଜାରରୁ ଊଦ୍ଧ୍ୱର୍ ଦର୍ଶକଙ୍କ ଆଗମନର ସମ୍ଭାବନା ରହିଛି।

ଓଡ଼ିଶା ଉତ୍କୃଷ୍ଟ କଳାର ରାଜ୍ୟ। ଆମର ଏକ ମହାନ ହସ୍ତତନ୍ତ ଓ ହସ୍ତଶିଳ୍ପ ପରମ୍ପରା ରହିଛି। ଏଭଳି ପ୍ରଦର୍ଶନୀର ଆୟୋଜନ ଦ୍ୱାରା ରାଜ୍ୟର ହସ୍ତତନ୍ତ ଓ ହସ୍ତଶିଳ୍ପର ପ୍ରଚାରପ୍ରସାର ହେବା ସହ ଆମର କାରିଗରମାନେ ସେମାନଙ୍କ ସାମଗ୍ରୀର ବିକ୍ରୟ ପାଇଁ ସୁଯୋଗ ପାଇବେ। ଏହା ସେମାନଙ୍କର ଆର୍ଥିକ ଉନ୍ନତି ସହ ରାଜ୍ୟର ହସ୍ତଶିଳ୍ପ ଓ ହସ୍ତତନ୍ତ ସାମଗ୍ରୀର ଦେଶବିଦେଶରେ ଆଦୃତି ବୃଦ୍ଧି ପାଇପାରିବ।

ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ରୀତା ସାହୁ ଏହି ଉତ୍ସବର ଶୁଭ ଉଦ୍‌ଘାଟନ କରିଛନ୍ତି। ଖଦୀ ଓ ଗ୍ରାମୋଦ୍ୟୋଗ ବୋର୍ଡର ସଭାପତି ସଂଗ୍ରାମ କେଶରୀ ପାଇକରାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ସ୍ୱତନ୍ତ୍ର ସଚିବ ସରୋଜ କୁମାର ପଟେଲ, ହସ୍ତଶିଳ୍ପ ନିର୍ଦ୍ଦେଶାଳୟର ନିର୍ଦ୍ଦେଶିକା ପ୍ରଣତୀ ଛୋଟରାୟ, ଉତ୍କଳିକାର ସଭାପତି କୁମାରୀ ଦେବସ୍ମିତା ସାହୁ, ଉତ୍କଳିକାର ଉପସଭାପତି ପ୍ରଶାନ୍ତ କୁମାର ମହାପାତ୍ର, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ଯୁଗ୍ମ ସଚିବ ତଥା ଉତ୍କଳିକାର ପରିଚାଳନା ନିର୍ଦ୍ଦେଶିକା କଲ୍ୟାଣୀ ପଟ୍ଟନାୟକ, ଭାରତ ସରକାରଙ୍କ ବିକାଶ ଆୟୁକ୍ତ (ହସ୍ତଶିଳ୍ପ), ବୟନ ମନ୍ତ୍ରାଳୟର ବରିଷ୍ଠ ସହନିର୍ଦ୍ଦେଶକ ଅଶୋକ କୁମାର ହୋତା ଏବଂ ଅନ୍ୟ ଅଧିକାରୀଗଣ ଏହି ବିଶେଷ ଉତ୍ସବରେ ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶାର କଂସାପିତ୍ତଳ ହସ୍ତଶିଳ୍ପ ସାମଗ୍ରୀକୁ ମିଳିବ ଜିଆଇ ମାନ୍ୟତା, ସରକାର କଲେ ଆବେଦନ

ଭୁବନେଶ୍ବର:  ଓଡ଼ିଶାରେ ଉତ୍ପାଦିତ ହସ୍ତଶିଳ୍ପ ସାମଗ୍ରୀଗୁଡିକର ବୈଶିଷ୍ଟ୍ୟ ସୁରକ୍ଷା କରିବା ଓ ଏହାର ବେଆଇନ ବ୍ୟବହାର ବନ୍ଦ କରିବାକୁ ରାଜ୍ୟ ସରକାର ପଦକ୍ଷେପ ଆରମ୍ଭ କରିଛନ୍ତି। କାରିଗର ଓ ଖାଉଟିମାନଙ୍କର ସ୍ୱାର୍ଥରକ୍ଷା ଉଦ୍ଦେଶ୍ୟରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଓଡ଼ିଶାରେ ଉତ୍ପାଦିତ ହସ୍ତଶିଳ୍ପ ସାମଗ୍ରୀଗୁଡିକର ଭୌଗୋଳିକ ସୂଚକାଙ୍କ ମାନ୍ୟତା ପାଇଁ ବିଶେଷ ପଦକ୍ଷେପ ନେଉଛନ୍ତି।

ଅନ୍ତର୍ଜାତୀୟ ବଜାରରେ ଓଡ଼ିଶାର ହସ୍ତଶିଳ୍ପର ଏକ ସ୍ୱତନ୍ତ୍ର ବ୍ରାଣ୍ଡ ସୃଷ୍ଟି ନିମନ୍ତେ ଏହା ମଧ୍ୟ ସହାୟକ ହେବ। ହସ୍ତଶିଳ୍ପ ସାମଗ୍ରୀ ବିଷୟରେ ଅଧିକ ସଚେତନତା ସୃଷ୍ଟି ହେବ ଓ କାରିଗରମାନେ ଉପକୃତ ହେବେ।

ଚଳିତ ମାସ ୫ ତାରିଖରେ ଓଡ଼ିଶା କଂସା ଓ ପିତ୍ତଳ କାମର ଜିଆଇ ମାନ୍ୟତା ପାଇଁ ବିଭାଗ ତରଫରୁ ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ଅଧିନସ୍ଥ ‘ଉତ୍କଳିକା’ ମାଧ୍ୟମରେ ଆବେଦନ କରାଯାଇଅଛି। ବର୍ଷକ ମଧ୍ୟରେ ହସ୍ତଶିଳ୍ପ କ୍ଷେତ୍ରରେ ଭୌଗୋଳିକ ସୂଚକାଙ୍କ ପଞ୍ଜୀକରଣ ନିମନ୍ତେ ଏହା ହେଉଛି ତୃତୀୟ ଆବେଦନ। କଂସା ଓ ପିତ୍ତଳ କାମ ପାଇଁ ପିତ୍ତଳ ଓ ଅନ୍ୟ ଧାତୁ ବ୍ୟବହାର କରି ରାଜ୍ୟର ବିଭିନ୍ନ ପ୍ରାନ୍ତରେ ପ୍ରଚଳିତ ଉତ୍ପାଦନ ପ୍ରଣାଳୀ ଓ ସାମଗ୍ରୀଗୁଡିକର ବିସ୍ତୃତ ବିବରଣୀ ପ୍ରସ୍ତୁତି କ୍ରମେ ଆବେଦନ କରାଯାଇଅଛି। ଏଥି ପାଇଁ ୨୮ଟି ଜିଲ୍ଲାରେ ଅବସ୍ଥିତ ଅନେକ କଂସା ଓ ପିତ୍ତଳ ହସ୍ତଶିଳ୍ପ ପୁଞ୍ଜରୁ ତଥ୍ୟ ସଂଗ୍ରହ କରାଯାଇଅଛି ।

ପୂର୍ବରୁ କୋଣାର୍କ ପଥର ଖୋଦେଇ , ପିପିଲି ଚାନ୍ଦୁଆ ଓ ଓଡ଼ିଶା ପଟ୍ଟଚିତ୍ରର ଭୌଗଳିକ ସୂଚକାଙ୍କ ପଞ୍ଜୀକରଣ କରାଯାଇଅଛି। ଏତଦ୍‌ବ୍ୟତୀତ କଟକ ଚାନ୍ଦି ତାରକସୀ ଓ ଓଡ଼ିଶା କାଇଁଚ କାମ ହସ୍ତଶିଳ୍ପର ଭୌଗୋଳିକ ସୂଚକାଙ୍କ ପଞ୍ଜୀକରଣ ନିମନ୍ତେ ଆବେଦନ କରାଯାଇଅଛି ଓ ଏହା ଏବେ ଚେନ୍ନାଇସ୍ଥିତ ଭୌଗୋଳିକ ସୂଚକାଙ୍କରେ ରେଜିଷ୍ଟେସନ୍‌ ପାଇଁ ବିଚାରାଧିନ ରହିଛି।

ପରବର୍ତ୍ତୀ ପର୍ଯ୍ୟାୟରେ ବେଳଗୁଣ୍ଠାର ନମନୀୟ ପିତ୍ତଳ ମାଛ, ବରପାଲିର ଟେରାକୋଟା ଛାତ ଟାଇଲ୍‌, ପୁରୀର କାଗଜ ମୁଖା, ଢେଙ୍କାନାଳ ଜିଲ୍ଲା ଜିରାଳର ନଡା କାମ , ବାଲେଶ୍ୱରର ଲାଖ କାମ, ଓଡ଼ିଶା ଢୋକରା କାଷ୍ଟିଙ୍ଗ, ନୀଳଗିରିର ପଥର କାମ ଓ ପଥର ବାସନ, ବଲାଙ୍ଗୀର ଧାନରୁ ପ୍ରସ୍ତୁତ ହସ୍ତଶିଳ୍ପ, ସୁବର୍ଣପୁରର ଟେରାକୋଟା, ଗଜପତି ଜିଲ୍ଲାର ଶିଂଗ କାମ, ନବରଙ୍ଗପୁରର ଲାଖ ପେଡି ଓ ପୁରୀର ତାଳପତ୍ର ପୋଥି ଚିତ୍ର ପରି ହସ୍ତଶିଳ୍ପର ଜିଆଇ ମାନ୍ୟତା ପାଇଁ ଆବେଦନ ନିମନ୍ତେ ପଦକ୍ଷେପ ନିଆଯାଉଅଛି ବୋଲି ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ସୂତ୍ରରୁ ପ୍ରକାଶ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଓଡିଶାର ବିଭିନ୍ନ ପାଟଶାଢୀ, ହାତବୁଣା ସାର୍ଟ କିଣିବେ କି ? ଜାଣନ୍ତୁ ଉତ୍କଳିକାର ଆରମ୍ଭ ହେଲା ଅନଲାଇନ ବିକ୍ରି

ଭୁବନେଶ୍ୱର, ଆଜିଠାରୁ ଉତ୍କଳିକାର ନିଜସ୍ୱ ୱେବ୍‌ସାଇଟ୍‌ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ ଦ୍ୱାରା ଗୁଗୁଲ ମିଟ୍‌ ମାଧ୍ୟମରେ ଲୋକାର୍ପିତ ହୋଇଯାଇଛି । ଏଥର ଗ୍ରାହକମାନେ www.utkalikaodisha.com ମାଧ୍ୟମରେ ଲଗ୍‌ଇନ୍‌ କରି ଏବଂ ଗୁଗୁଲ ପ୍ଲେଷ୍ଟୋରରୁ ଉତ୍କଳିକା ଆପ୍ ଡାଉନ୍‌ଲୋଡ୍‌ କରି ପସନ୍ଦ ମୁତାବକ ହସ୍ତତନ୍ତ ଶାଢ଼ି ଓ ଅନ୍ୟାନ୍ୟ ସାମଗ୍ରୀ ଅର୍ଡର କରି ପାରିବେ । ବର୍ତ୍ତମାନ ସମ୍ବଲପୁରୀ ଶାଢ଼ି ସହିତ ପଟ୍ଟଚିତ୍ର, ଶାଢ଼ି, ରଘୁରାଜପୁର ପଟ୍ଟଚିତ୍ର, ଜନଜାତି ଅଳଙ୍କାର ଏବଂ ଓଡ଼ିଶା ଗହଣା ଇତ୍ୟାଦି ବିକ୍ରୟ ପାଇଁ ଉପଲବ୍ଧ ଅଛି ।

ନିକଟ ଭବିଷ୍ୟତରେ ବିଭିନ୍ନ ପ୍ରକାରର ଓଡ଼ିଶା କାରିଗରମାନଙ୍କ ଦ୍ୱାରା ପ୍ରସ୍ତୁତ ହସ୍ତଶିଳ୍ପ ଏବଂ ହସ୍ତତନ୍ତ ସାମଗ୍ରୀ ଏହି ଓ୍ୱେବ୍‌ସାଇଟ୍‌ରେ ଉପଲବ୍ଧ କରାଯିବ ଗତ ୧ ବର୍ଷରୁ ଊର୍ଦ୍ଧ କେବଳ ଓଡ଼ିଶା ନୁହେଁ,ସାରା ବିଶ୍ୱ କୋଭିଡ୍‌-୧୯ ଦ୍ୱାରା କବଳିତ ହୋଇ ଜନସମାଜ ଖୁବ୍‌ ଦୁର୍ଦ୍ଦଶା ଭୋଗ କରୁଛନ୍ତି । ସାରା ବିଶ୍ୱରେ ଆର୍ଥିକ ମାନ୍ଦାବସ୍ଥା ଦେଖା ଦେଇଛି । ଏ ଅବସରରେ ଆମ ଓଡ଼ିଶାର ବିଭିନ୍ନ ହସ୍ତତନ୍ତ, ବୟନଶିଳ୍ପ ଏବଂ ହସ୍ତଶିଳ୍ପକୁ ଆଧାର କରି ଜୀବିକା ନିର୍ବାହ କରୁଥିବା ବ୍ୟବସାୟମାନ ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଛିା

ଏଣୁ ହସ୍ତତନ୍ତ,ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ଅନ୍ତର୍ଗତ ଉତ୍କଳିକା ଅନ୍‌ଲାଇନ୍‌ ବ୍ୟବସାୟ ମାଧ୍ୟମରେ ହସ୍ତଶିଳ୍ପ ଓ ହସ୍ତତନ୍ତ ସାମଗ୍ରୀ ବିକ୍ରୟ କରିବାକୁ ମନସ୍ଥ କରି ନିଜସ୍ୱ ୱେବ୍‌ସାଇଟ୍‌ ଆରମ୍ଭ କରିଛି । ଏହା ଦ୍ୱାରା ଉଭୟ ହସ୍ତଶିଳ୍ପୀ ଓ ଗ୍ରାହକମାନେ ବହୁଳ ଭାବେ ଉ ପକୃତ ହେବା ସଙ୍ଗେ ସଙ୍ଗେ ଉତ୍କଳିକାର ବ୍ୟବସାୟର ପୁନରୁଦ୍ଧାର ହୋଇ ମାନ୍ଦାବସ୍ଥାରୁ ମୁକ୍ତି ପାଇଁ ଆଶା କରାଯାଉଛି ।

ଅନ୍‌ଲାଇନ୍‌ ବ୍ୟବସାୟ ଦ୍ୱାରା ଘରେ ବସି ମଧ୍ୟ ଗ୍ରାହକମାନେ ଉତ୍ତମ ସେବା ପାଇ ପାରିବେ । ଉତ୍କଳିକା ମାଧ୍ୟମରେ ମଧ୍ୟ ଉତ୍ପାଦଗୁଡ଼ିକ ଆହୁରି ଅଧିକରୁ ଅଧିକ ଲୋକାଭିମୁଖୀ ହେବାର ସୁଯୋଗ ରହିବ । ଫିଡ୍‌ବ୍ୟାକ୍‌ ମାଧ୍ୟମରେ ମଧ୍ୟ ଉତ୍କଳିକା ଗ୍ରାହକମାନଙ୍କ ଚାହିଦା ମୁତାବକ ଉତ୍ପାଦଗୁଡ଼ିକର ଆହୁରି ଆଧୁନିକୀକରଣ ଓ ଯୁଗୋ ପଯୋଗୀ କରି ଆକର୍ଷଣୀୟ କରିବାର ସଂକଳ୍ପ ନେଇଛି ।

ଏହି ଲୋକା ର୍ପଣ ଉତ୍ସବରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା, ଅତିରିକ୍ତ ଶାସନ ସଚିବ ଶ୍ରୀ ସରୋଜ କୁମାର ପଟେଲ, ହସ୍ତ ଓ କୁଟୀର ଶିଳ୍ପ ନିର୍ଦ୍ଦେଶକ ଶ୍ରୀ ସନାତନ ନାୟକ, ଉତ୍କଳିକାର ପରିଚାଳନା ନିର୍ଦ୍ଦେଶିକା ଶ୍ରୀମତୀ ସ୍ୱୟଂ ପ୍ରଭା ମୁଦୁଲି ଯୋଗଦେଇଥିଲେ ।

ଉତ୍କଳିକାର ଶିଳ୍ପ ବିକାଶ ଅଧିକାରୀ ରଶ୍ ମିରେଖା,ହସ୍ତଶିଳ୍ପ ବିକାଶ ଅଧିକାରୀ ପଦ୍ମିନୀ ମିଶ୍ର,ହସ୍ତଶିଳ୍ପ ବିକାଶ ଅଧିକାରୀ ପ୍ରୀତିଶ୍‌ କୁମାର ବେହେରାଙ୍କ ସମେତ ଉତ୍କଳିକାର କର୍ମଚାରୀମାନେ ମଧ୍ୟ ଏହି ଉତ୍ସବରେ ଗୁଗୁଲ୍‌ ମିଟ୍‌ ମାଧ୍ୟମରେ ଯୋଗ ଦେଇଥିଲେ ।