Categories
ଆଜିର ଖବର

ସୋଆ ପକ୍ଷରୁ ଉତ୍କଳ ଦିବସ ପାଳିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ସୋମବାର ୮୯ତମ ଉତ୍କଳ ଦିବସ ପାଳିତ ହୋଇଯାଇଛି। ୧୯୩୬ ମସିହା ଏପ୍ରିଲ ୧ ତାରିଖ ଦିନ ଭାଷା ଭିତିକ ରାଜ୍ୟ ଭାବେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହେବାର ସ୍ମୃତିକୁ ଉଦ୍‌ଜୀବିତ କରି ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହି ଦିବସ ପାଳନ କରାଯାଇଛି।

ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଭିନ୍ନ ଅନୁଷ୍ଠାନର ଡିନ୍‌, ଫ୍ୟାକଲ୍ଟି, ବରିଷ୍ଠ କର୍ମକର୍ତା ଓ କର୍ମଚାରୀମାନେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ବିନ୍ଧାଣୀ ତଥା ବରପୁତ୍ର ଉତ୍କଳ ଗୌରବ ମଧୁସୁଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେଓ, ବ୍ୟାସକବି ଫକୀର ମୋହନ ସେନାପତି, ସ୍ୱଭାବ କବି ଗଙ୍ଗାଧର ମେହେର ଓ ଡକ୍ଟର ହରେକୃଷ୍ଣ ମହତାବଙ୍କ ସ୍ମୃତିରେ ତାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

ଏହି ମହାପୁରୁଷ ମାନଙ୍କର ଅବଦାନର ସ୍ମୃତିଚାରଣ କରି ପ୍ରଫେସର ନନ୍ଦ କହିଥିଲେ ଯେ ୨୦୩୬ ସୁଦ୍ଧା ଓଡ଼ିଶାକୁ ଏକ ବିକଶିତ ରାଜ୍ୟ ଭାବେ ଗଢ଼ି ତୋଳିବାରେ ଆମ ସମସ୍ତଙ୍କର ଦାୟିତ୍ୱ ରହିଛି। ରାଜ୍ୟର ପ୍ରଗତି ନେଇ ପ୍ରଫେସର ନନ୍ଦ କହିଥିଲେ ଯେ କଳା ଓ ସଂସ୍କୃତି, ସାହିତ୍ୟ, ବିଜ୍ଞାନ ଓ ପ୍ରଯୁକ୍ତି ଶିଳ୍ପ, ଶିକ୍ଷା ଓ କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶାର ଅନେକ ଅବଦାନ ରହିଛି।

ଏହି ଅବସରରେ ଆୟୋଜିତ ଏକ ଆଲୋଚନାଚକ୍ରରେ ସୋଆର ଉପକୁଳପତି ପ୍ରଫେସର ଶିତିକଣ୍ଠ ମିଶ୍ର, ପରୀକ୍ଷା ନିୟନ୍ତ୍ରକ ପ୍ରଫେସର ମଞ୍ଜୁଳା ଦାସ, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌)ର ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍‌ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଭେଟେରିନାରୀ ସାଇନ୍‌ସେସ୍ ଆଣ୍ଡ ଆନିମଲ ହଜବ୍ୟାଣ୍ଡରିର ଡିନ୍ ପ୍ରଫେସର ବ୍ରହ୍ମଦେବ ପଟ୍ଟନାୟକ, ସ୍କୁଲ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟର ଡିନ୍ ପ୍ରଫେସର ସୁଶାନ୍ତ ରଞ୍ଜନ ଚଇନି, ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ସ୍କୁଲ୍ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍‌ର ଆଡିସ୍ନାଲ୍ ଡିନ୍ ପ୍ରଫେସର ଦେବଜ୍ୟୋତି ଦାସ, ଆଡିସ୍‌ନାଲ୍ ଡିନ୍ (ଷ୍ଟୁଡେଂଟ ଆଫେୟାର୍ସ) ଆଇଟିଇଆର୍‌ର ପ୍ରଫେସର ରେଣୁ ଶର୍ମା, ଲିଗାଲ୍ ଆଫେୟାର୍ସ ନିର୍ଦ୍ଦେଶକ ଶ୍ରୀ ସଞ୍ଜୟ କୁମାର ସାହୁ, ଏଚ୍‌ଆର୍ ଅଫିସର ଶଶାଙ୍କ ଚୌଧୁରୀ ଏବଂ ଜଏଂଟ ରେଜିଷ୍ଟ୍ରାର ଡକ୍ଟର ମଧୁବ୍ରତା ମହାନ୍ତି ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ରଖିଥିଲେ।

ଆଗାମୀ ବର୍ଷ ଠାରୁ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଓଡ଼ିଆ ଭାଷାକୁ ଅଧିକ ଲୋକପ୍ରିୟ କରିବା ପରିପ୍ରେକ୍ଷୀରେ ଉତ୍କଳ ଦିବସ ଉପଲକ୍ଷେ ଓଡ଼ିଆ ରଚନା ଓ ବକ୍ତୃତା ପ୍ରତିଯୋଗିତା ଆୟୋଜନ କରାଯିବ ବୋଲି ନିଷ୍ପତି ନିଆଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶା ଦିବସ ଉପଲକ୍ଷେ ଭୁବନେଶ୍ବରରେ ଆୟୋଜିତ ହେଲା ବରପୁତ୍ରଙ୍କ ଉପରେ ପ୍ରଦର୍ଶନୀ

ଭୁବନେଶ୍ବର: ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ସମ୍ବନ୍ଧିତ ଫଟୋଚିତ୍ର ପ୍ରଦର୍ଶନୀ ଜୟଦେବ ଭବନରେ ଉଦଘାଟିତ ହୋଇଯାଇଛି। ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ।

କାର୍ଯ୍ୟକ୍ରମରେ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂ ଓ ନିର୍ଦ୍ଦେଶକଙ୍କ ସମେତ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ପ୍ରଦର୍ଶନୀରେ ପାରଳା ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି, ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ, ଫକୀର ମୋହନ ସେନାପତିଙ୍କ ଠାରୁ ଆରମ୍ଭ କରି ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତ, କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର, ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ, ଉତ୍କଳ ସମ୍ମିଳନୀ ସହିତ ଜଡିତ ବ୍ରଜ ସୁନ୍ଦର ଦାସ ଏବଂ ଆଦିନେତା ବିଚିତ୍ରାନନ୍ଦ ଦାସଙ୍କ ଫଟୋଚିତ୍ର ସହ ୧୯୩୬ ଏବଂ ବର୍ତ୍ତମାନ ଓଡ଼ିଶାର ମାନଚିତ୍ର ଏଥିରେ ସ୍ଥାନ ପାଇଥିଲା।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଉତ୍କଳ ଦିବସ ଉପଲକ୍ଷେ ସୁନ୍ଦର ଆଲୋକରେ ଝଲସୁଛି ରାଜଧାନୀର ବିଭିନ୍ନ ଅଫିସ ବିଲଡିଂ

ଭୁବନେଶ୍ବର: ଆଜି ହେଉଛି ଉତ୍କଳ ଦିବସ ବା ଓଡିଶା ଦିବସ। ଏହି ଉପଲକ୍ଷେ ଗତକାଲି ରାତିରେ ରାଜଧାନୀର ସମସ୍ତ ସରକାରୀ ବିଲିଡିଂକୁ ରଂଗୀନ ଆଲୋକରେ ସଜା ଯାଇଥିଲା। ଯାହା ବାଟରେ ଯାଉଥିବା ଲୋକଙ୍କୁ ବେଶ ଆକୃଷ୍ଠ କରିପାରିଥିଲା।

ଏଥିରେ ଓଡିଶା ରାଜଭବନ, ଲୋକସେବା ଭବନ, କୃଷି ଭବନ, ଖାରବେଳ ଭବନ, ପୋଲିସ କମିଶନରେଟ ଅଫିସ ପ୍ରମୁଖ ବିଲିଡିଂରେ ରଂଗୀନ ଆଲୋକରେ ଝଲସୁଥିଲା। ଏହି ଆଲୋକମାଳାରେ ଓଡିଶାର ଜନସାଧାରଣଙ୍କୁ ସ୍ବାଗତ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଆଜି ଓଡିଶା ଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଜ୍ୟବାସୀଙ୍କୁ ଶୁଭେଚ୍ଛା

ଭୁବନେଶ୍ବର: ଆଜି ହେଉଛି ଉତ୍କଳ ଦିବସ ବା ଓଡିଶା ଦିବସ। ଏହି ଉପଲକ୍ଷେ ଆଜି ସାରା ରାଜ୍ୟରେ ପାଳନ ହେଉଛି ଏହି ଦିବସ। ଆଜି ଭୁବନେଶ୍ବରରେ ରାଜ୍ୟ ସରକାରଙ୍କ ତରଫରୁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହିତ ପ୍ରଦର୍ଶନୀର ମଧ୍ୟ ଆୟୋଜନ କରାଯାଇଛି।

ଏହି ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଯେ, ସବୁ କ୍ଷେତ୍ରରେ ଓଡ଼ିଶା ଲେଖୁଛି ଏକ ଗରିମାମୟ ଇତିହାସ। ପ୍ରତିଟି ଓଡ଼ିଆଙ୍କ ପ୍ରତିବଦ୍ଧତାରେ ଓଡ଼ିଶା ହୋଇଛି ସମୃଦ୍ଧ। ରୂପାନ୍ତରଣର ଏ ଯୁଗ ସହ ତାଳ ଦେଇ ‘ବିକଶିତ ଓଡ଼ିଶା’ ଗଠନ କରିବା ହେଉଛି ଓଡ଼ିଆର ସଙ୍କଳ୍ପ। ଏହି ‘ଓଡ଼ିଶା ଦିବସ’ରେ ଆସନ୍ତୁ ଆମ ଅସ୍ମିତା ଓ ସ୍ୱାଭିମାନକୁ ଆହୁରି ବଳିଷ୍ଠ କରି ‘ବିକଶିତ ଓଡ଼ିଶା’ ଗଢ଼ିବା ଦିଗରେ ଆଗକୁ ବଢ଼ିବା।

Categories
ଆଞ୍ଚଳିକ

ମହାସମାରୋହରେ ଖୋର୍ଦ୍ଧାରେ ପାଳିତ ହେଲା ଓଡିଶା ଦିବସ

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଜିଲ୍ଲାରେ ମହା ସମାରୋହରେ ଓଡିଶା ଦିବସ ପାଳନ ହୋଇଯାଇଛି। ଏହି ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଥିଲା। ବନ୍ଦେ ଉତ୍କଳ ଜନନୀ ସଂଗୀତ ପରିବେଷଣ କରାଯାଇଥିଲା। ମୁଖ୍ୟ ଅତିଥି, ଏବଂ ଉପସ୍ଥିତ ଅତିଥି ମାନଙ୍କ ଗହଣରେ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା।  ବନ୍ଦେ ଉତ୍କଳ ଜନନୀ ସଂଗୀତ ପରିବେଷଣ କରାଯାଇଥିଲା।

ଏହା ପରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି, ଜିଲ୍ଲା ପରିଷଦ ଅଧକ୍ଷା ରୂପଶ୍ରୀ ରାଣୀ ଗୁମାନସିଂହ, ମୁଖ୍ୟ ସଭାପତି କେ ସୁଦର୍ଶନ ଚକ୍ରବର୍ତ୍ତୀ, ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା, ଜ଼ିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ଉପ ଜିଲ୍ଲା ପାଳ ଦୀପ୍ତି ରଞ୍ଜନ ସେଠି, ତହସିଲଦାର, ଖୋର୍ଦ୍ଧା,ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ୱନାଥ ତରାଇ,କାର୍ଯ୍ୟ ନିର୍ବାହୀ ଅଧିକାରୀ, ପୌର ପରିଷଦ, ଖୋର୍ଦ୍ଧା ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଜ୍ୟୋତ୍ସ୍ନା ମୟୀ ଆଚାର୍ଯ୍ୟ ସ୍ୱାଗତ ଭାଷଣ ରଖିଥିଲେ।ଜିଲ୍ଲା ସଂସ୍କୃତି ଅଧିକାରୀ ସଭା ପରିଚାଳନା କରିଥିଲେ।

ମୁଖ୍ୟ ଅତିଥି ତାଙ୍କ ଅଭିଭାଷଣ ରେ କହିଲେ. ଯେ ଶୁଖିଲା ପତ୍ର ନ ହୋଇ ମେହେନ୍ଦି ପତ୍ର କୁ ଯେମିତି ବ୍ୟବହାର କରାଯାଇପାରେ ସେହିଭଳି ଅନ୍ୟର ଉପକାରରେ ଆସିବା ଦରକାର।ଜିଲ୍ଲାପାଳ କହିଲେ ସମସ୍ତ ଅଧିକାରୀ ଭଲ କାମ କରିବାକୁ ଶପଥ ନେବା ଦରକାର। ଅନ୍ୟ ସମସ୍ତ ଅତିଥି ସେମାନଙ୍କ ଅଭିଭାଷଣ ରଖିଥିଲେ। ପରେ ପରେ ଓଡିଶା ଦିବସ ଉପଲକ୍ଷେ ପୁରସ୍କାର ବିତ୍ତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା।

ପ୍ରଥମେ ରାଜ୍ୟ ଶିକ୍ଷକ ପୁରସ୍କାର ଜଣେ କୃତ୍ତି ଶିକ୍ଷୟିତ୍ରୀ, କବିତା କାନୁନଗୋ, ସହକାରୀ ଶିକ୍ଷୟିତ୍ରୀ, ବରମୁଣ୍ଡା ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ଭୁବନେଶ୍ୱର ଏବଂ ଉପେନ୍ଦ୍ର ଦାସ, ସହକାରୀ ଶିକ୍ଷକ, ଦଧିବାମନଦେବ ନୋଡାଲ ଉଚ୍ଚ ବିଦ୍ୟାଳୟ ପଙ୍ଗାର ସିଂହ ଙ୍କୁ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ତରଫରୁ ପ୍ରତ୍ୟେକ ଙ୍କୁ ଏକ ଉତ୍ତରୀୟ,ପୁଷଗୁଛ 25,000/-ଟଙ୍କାର ଡ୍ରାଫ୍ଟ ପ୍ରଦାନ କରାଯାଇଥିଲା। ଏହାପରେ 5 ଜଣ ଏନ. ସି. ସି କାଡ଼େଟ ଯଥାକ୍ରମେ ଶ୍ରେୟ ମିଶ୍ର, ଶାସ୍ୱତୀ ନାରାୟଣ ଆଚାର୍ଯ୍ୟ, ସୋନାଲି ସାହୂ, ପଦ୍ମିନୀ ସେଠି, ଓ ସମୃଦ୍ଧି ସାମନ୍ତରାୟ ଙ୍କୁ ଫଳକ, ପ୍ରଶଂସା ପତ୍ର ପୁରସ୍କୃତ କରାଯାଇଥିଲା।

ଏହାପରେ ଓଡିଶା ଦିବସ ଉପଲକ୍ଷେ କରାଯାଇଥିବା ପ୍ରାଥମିକ, ଉଚ୍ଚ ପ୍ରାଥମିକ, ଉଚ୍ଚ ବିଦ୍ଦ୍ୟାଳୟ / ମହାବିଦ୍ୟାଳୟ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ର ଫଳାଫଳ ଘୋଷଣା କରାଯାଇଥିଲା ଏବଂ ପ୍ରଥମ, ଦ୍ଵିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରୀ/ଛାତ୍ରଙ୍କୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ତରଫରୁ ପୁରସ୍କାର ଏବଂ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା।

ଶେଷରେ ଦେଶାତ୍ମ ବୋଧକ ନୃତ୍ୟ ପରିବେଷଣ କରାଯାଇଥିଲା, ଏଥିରେ ବିଜେଵି ଉଚ୍ଚ ବିଦ୍ୟାଳୟ, ଗୁରୁଜଙ୍ଗ ସରକାରୀ ଉଚ୍ଚ ବିଦ୍ୟାଳୟ, ମୁକୁନ୍ଦ ପ୍ରସାଦ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ଆର୍ଯ୍ୟଭଟ୍ଟ ଆନସିଏଣ୍ଟ ଏକାଡେମୀ, ସିଗମା ପବ୍ଲିକ ସ୍କୁଲ ନୃତ୍ୟ ପରିବେଷଣ କରିଥିଲେ। ଶେଷ ରେ ସୁର ଭାଇବ୍ରେସନ ଜୟଶ୍ରୀ ଧଳ ଓ ସାଥି ଦେଶାତ୍ମବୋଧକ ସଂଗୀତ ପରିବେଷଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଚଣ୍ଡୀଗଡ଼ରେ ହର୍ଷୋଲ୍ଲାସରେ ପାଳିତ ହେଲା ଉତ୍କଳ ଦିବସ

ଚଣ୍ଡୀଗଡ଼: ଉତ୍କଳ ଦିବସ ଚଣ୍ଡିଗଡର ସେକ୍ଟର 31-ଡି,ରେ ଥିବା ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ହର୍ଷୋଲ୍ଲାସର ସହ ପାଳିତ ହୋଇଛି। ଏଥିରେ ପଞ୍ଚକୁଲା, ମୋହାଲି ଏବଂ ଚଣ୍ଡୀଗଡ଼ ତ୍ରୈନଗରୀ ଓ ଏହାର ଆଖପାଖରେ ରହୁଥିବା ହଜାରୁ ଅଧିକ ଓଡ଼ିଆ ଭାଷାଭାଷୀ ଅତି ଉତ୍ସାହର ସହ ଯୋଗ ଦେଇଥିଲେ।

ଏଥିରେ ଚଣ୍ଡୀଗଡ଼ କେନ୍ଦ୍ର ଶାସିତ ଅଞ୍ଚଳର ବିଜ୍ଞାନ ଓ ପ୍ରଯୁକ୍ତି ନିର୍ଦ୍ଦେଶକ ତଥା ପ୍ରଧାନ ବନ ସଂରକ୍ଷକ ଦେବେନ୍ଦ୍ର ଦଳାଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ମାତୃଭାଷା ଓଡ଼ିଆର ସୁରକ୍ଷା ଏବଂ ଉତ୍ତରପିଢ଼ିକୁ ଏହା କିଭଳି ଦିଆଯାଇପାରିବ ତାହା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ଏହାସହ ଯିଏ ଯେଉଁଠି ବି ଥାଆନ୍ତୁ ନା କାହିଁକି, ଓଡ଼ିଶାର ସାମଗ୍ରୀକ ବିକାଶ ଦିଗରେ ସମସ୍ତେ ନିଜ କ୍ଷମତା ଓ ଦକ୍ଷତା ମୁତାବକ ଉଦ୍ୟମ କରିବା ଜରୁରୀ ବୋଲିକହିଥିଲେ ସେ। ସେହିଭଳି ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ ଫୁସଫୁସ ରୋଗ ବିଶେଷଜ୍ଞ ପଦ୍ମଶ୍ରୀ ଡାକ୍ତର ଦିଗମ୍ବର ବେହେରା କହିଥିଲେ ଯେ, ଆମ ସମୃଦ୍ଧ ଗୌରବମୟ ଇତିହାସକୁ ଯଦିଓ ଆମେ ମନେପକାଇବା ଜରୁରୀ, କିନ୍ତୁ ଓଡ଼ିଶାର ଭବିଷ୍ୟତକୁ କିଭଳି ସମୃଦ୍ଧ କରାଯାଇପାରିବ, ସେ ଦିଗରେ କାମ କରିବାର ଆବଶ୍ୟକତା ରହିଛି।

ଶ୍ରୀଜଗନ୍ନାଥ ମନ୍ଦିରକୁ ପରିଚାଳନା କରୁଥିବା ଚଣ୍ଡୀଗଡ଼ ଉତ୍କଳ ସାଂସ୍କୃତିକ ସଂଘର ସଭାପତି ଡକ୍ଟର ଆର.କେ.ରଥ, ଉପ-ସଭାପତି ଏସ୍.କେ.ଭୂୟାଁ ଏବଂ ସମ୍ପାଦକ ଅରୁଣ ମଲ୍ଲିକଙ୍କ ତତ୍ତ୍ୱାବଧାନରେ ଏହି ଉତ୍ସବ ଅନୁଷ୍ଠିତ ହୋଇଥିଲା। ସହ ସମ୍ପାଦକ ଅନୀଲ ମଲ୍ଲିକ ଉତ୍ସବ ପରିଚାଳନା କରିଥିଲେ।

ସ୍ଥାନୀୟ ଅଞ୍ଚଳରେ ରହୁଥିବା କୁନି କୁନି ଓଡ଼ିଆ ପିଲା ଏବଂ ଛାତ୍ରଛାତ୍ରୀମାନେ ପରିବେଷଣ କରିଥିଲେ ଓଡ଼ିଶୀ, ସମ୍ବଲପୁରୀ, କଥକ ଏବଂ ଭାରତନାଟ୍ୟମ୍। ବନ୍ଦେ ଉତ୍କଳ ଜନନୀ ସଂଗୀତରୁ ଉତ୍ସବର ଆରମ୍ଭ ହୋଇଥିବା ବେଳେ ଏଥିରେ ଶ୍ରୀଜଗନ୍ନାଥାଷ୍ଟକମ୍ ଉପସ୍ଥାପନ କରିଥିଲେ ଭୂମି ଶତରୂପା। ସାଂସ୍କୃତିକ କାର୍ଯ୍ୟକ୍ରମ ଶେଷରେ ସମସ୍ତଙ୍କୁ ଏକ ସ୍ମୃତିଚିହ୍ନ ପ୍ରଦାନ କରିଥିଲେ ଉତ୍କଳ ସାଂସ୍କୃତିକ ସଂଘର ସଭାପତି ଏବଂ ଉପସଭାପତି।

ଉତ୍ସବରେ ଅଂଶଗ୍ରହଣ କରିଥିବା ଓଡ଼ିଆମାନେ ଅତି ଆନନ୍ଦିତ ଥିଲେ। ସେମାନଙ୍କ କହିବା କଥା, ଓଡ଼ିଶା ବାହାରେ ସମଗ୍ର ବିଶ୍ୱରେ ଆମର ଏକମାତ୍ର ପରିଚୟ ହେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ମାତୃଭାଷା ଓଡ଼ିଆ। ଏ ଉଭୟେ ଆମକୁ ଏଠାକୁ ଟାଣି ଆଣନ୍ତି। ଏହା ହିଁ ଆମକୁ ଏକାଠି କରାଇ ପାରିଛନ୍ତି। ଶ୍ରୀଜଗନ୍ନାଥଙ୍କ ଦର୍ଶନ ସହିତ ଓଡ଼ିଆମାନେ ଏକାଠି ହୋଇ ଉତ୍କଳ ଦିବସ ପାଳନା କରିବା କୌଣସି ମହାର୍ଘ ସୁଯୋଗଠାରୁ କମ୍ ନୁହେଁ।

ଏହି ଉତ୍ସବରେ ପିଲାରୁ ବୁଢ଼ା ସବୁ ବୟସର ଲୋକ ଯୋଗ ଦେଇଥିଲେ। ସମସ୍ତଙ୍କ ଭିତରେ ଥିଲା ଓଡ଼ିଆ ବୋଲି ନିଜକୁ ଗର୍ବିତ ମନେ କରିବାର ଏକ ନିଆରା ଅନୁଭବ। ପରିଶେଷରେ ସମସ୍ତଙ୍କ ପାଇଁ ମହାପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ କେନ୍ଦ୍ରମନ୍ତ୍ରୀ: ନୂତନ ଷ୍ଟାଡ଼ିୟମ ପାଇଁ କଲେ ଭୂମିପୂଜନ

କୋରାପୁଟ: କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ‘ଉତ୍କଳ ଦିବସ’ର ମହାନ ଅବସରରେ କୋରାପୁଟ ଜିଲ୍ଲା ସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ନୂତନ ଷ୍ଟାଡ଼ିୟମ ପାଇଁ ଭୂମିପୂଜନ କରିବା ସହ ପ୍ରାଧ୍ୟାପକଙ୍କ ପାଇଁ ଓ୍ୱାର୍କ ଷ୍ଟେସନ ଓ ଡିଜିଟାଲ ଭାଷା ଲ୍ୟାବର ଉଦଘାଟନ କରିଛନ୍ତି। ଏହାସହ ବିଶ୍ୱବିଦ୍ୟାଳୟରେ ସନ୍ଥ କବି ଭୀମ ଭୋଇ ଚେୟାର ପ୍ରତିଷ୍ଠା କରାଯାଇଛି।

ଏହି ଅବସରରେ ଶ୍ରୀ ପ୍ରଧାନ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ବି.ଇଡି ବିଭାଗ ଏବଂ ଓଡ଼ିଆ ବିଭାଗ ମିଳିତ ଭାବେ କୋରାପୁଟରେ କଥିତ ସମସ୍ତ ଜନଜାତି ଭାଷାରେ ପାଠ୍ୟକ୍ରମ ପ୍ରସ୍ତୁତ କରିବା ପାଇଁ ପରାମର୍ଶ ଦେଇଛନ୍ତି। ବିଶ୍ୱବିଦ୍ୟାଳୟ ହଜାର ବର୍ଷ ପୂର୍ବରୁ ସମାଜର ପୂରଣ କରିବାର ଦାୟିତ୍ୱ ନେଇଥିଲେ। ଭାଷା ପାଇଁ ମଧ୍ୟ ଦାୟିତ୍ୱ ନେବାକୁ ପଡିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ। ସେହିପରି ବର୍ତ୍ତମାନ ସମୟରେ ପେଟ୍ରୋକେମିକାଲ ସେକ୍ଟର ସବୁଠୁ ସ୍ପିଡରେ ଗ୍ରୋଥ କରୁଛି । କେବଳ ଫିଜିକ୍ସ ପଢାଇବା ନା ପେଟ୍ରୋକେମିକାଲ ରିଲେଟେଡ୍ ଆପ୍ଲାଏଡ ପେଟ୍ରୋକେମିକାଲ କେମେଷ୍ଟ୍ରି ପଢାଇବା। ତେଣୁ ଆଧୁନିକ ସମୟ ସହ ତାଳ ଦେଇ ପାଠପଢା ଉପରେ ଗୁରୁତ୍ୱ ଦେବାକୁ ସେ କହିଥିଲେ।

ମହିମା ଗୋସାଇଁଙ୍କ ବିଚାରକୁ ପ୍ରଚାର ପ୍ରସାର କରିବା ଓ ଭୀମ ଭୋଇଙ୍କ ବୌଦ୍ଧିକ ପକ୍ଷକୁ ସମାଜ ସାମ୍ନାରେ ଉପସ୍ଥାପିତ କରିବା ପାଇଁ ଦାୟିତ୍ୱ ଦିଆଯାଇଛି। ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଏବଂ ଛତିଶଗଡ଼ ବିଳାସପୁର ସ୍ଥିତ ଗୁରୁ ଘାସିଦାସ ବିଶ୍ୱବିଦ୍ୟାଳୟ ପରେ ଆଜି ଉତ୍କଳ ଦିବସରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଏହି ଚେୟାର ଖୋଲାଯିବା ଖୁସିର ବିଷୟ।

ଶାବର ଶ୍ରୀକ୍ଷେତ୍ର କୋରାପୁଟରେ ଶହୀଦ ଲକ୍ଷ୍ମଣ ନାଏକଙ୍କ ଦାୟଦର ଯୁବବର୍ଗଙ୍କ ମଧ୍ୟରେ କ୍ରୀଡା, ଦକ୍ଷତା, ଜଙ୍ଗଲ ସୁରକ୍ଷା, ଜୈବ ବିବିଧତାକୁ ସମୃଦ୍ଧ କରିବା ଦିଗରେ ଅଦମ୍ୟ ସାହସ ଓ ଉତ୍ସାହ ଅଛି। କୋରାପୁଟ ମାନବ ସଭ୍ୟତାର ପ୍ରାଚୀନ ପ୍ରୟୋଗଶାଳା। ଏହି ଅମୂଲ୍ୟ ଜ୍ଞାନ ଭଣ୍ଡାରକୁ ଏକବିଂଶ ଶତାବ୍ଦୀରେ ପୁନର୍ଜୀବିତ କରିବା। ଏହାସହ ଓଡ଼ିଶା ୨୦୩୬ରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ଶତବାର୍ଷିକୀ ପୂରଣ କରିବାର ସମୟ ଅବଧିରେ ଯୁବପିଢିଙ୍କୁ ବଡ ଭାବିବା ବଡ ସ୍ୱପ୍ନ ଦେଖିବା ପାଇଁ କେନ୍ଦ୍ରମନ୍ତ୍ରୀ ଆହ୍ୱାନ କରିଥିଲେ।

ଉଲ୍ଲେଖନୀୟ ଯେ, ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷ ଏବଂ ପ୍ରାଧ୍ୟାପକଙ୍କ ସହ ଅନୁଷ୍ଠିତ ସମୀକ୍ଷା ବୈଠକରେ ଯୋଗଦେଇଥିଲେ କେନ୍ଦ୍ରମନ୍ତ୍ରୀ। କୋରାପୁଟର ସ୍ଥାନୀୟ କୁଇ ଭାଷାରେ ଗବେଷଣା କରିବା, ଅଞ୍ଚଳର ଜୈବିକ ଚାଷକୁ ପ୍ରୋତ୍ସାହନ, ଭାରତମାଳା ପ୍ରକଳ୍ପ ଦ୍ୱାରା ଅର୍ଥନୀତିର ଅଭିବୃଦ୍ଧି ଏବଂ ଜିଲ୍ଲାରେ ପର୍ଯ୍ୟଟନର ବିକାଶ ଦିଗରେ ଆଲୋଚନା କରିଥିଲେ। ଏହାସହ ପ୍ରାଧ୍ୟାପକ ନିଯୁକ୍ତି ସହ କ୍ୟାମ୍ପସର ଓଭରାଲ କ୍ୟାପିଟାଲ ସ୍ପେଣ୍ଡିଂ, ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ଆଧାରିତ ପାଠ୍ୟକ୍ରମ ନେଇ ଆଲୋଚନା ହୋଇଥିଲା। ସେଣ୍ଟରାଲ ୟୁନିଭରସିଟିର ଶ୍ରୀବୃଦ୍ଧି କରିବା ପାଇଁ ସବୁ ପଦକ୍ଷେପ ନିଆଯିବା ନେଇ ଶ୍ରୀ ପ୍ରଧାନ ମତପ୍ରକାଶ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଉତ୍କଳ ଦିବସରେ ସୋଆ ଏସ୍‌ଏଚ୍‌ଏମ୍‌ରେ ଆରମ୍ଭ ହେଲା “ପଖାଳ ଉତ୍ସବ”

ଭୁବନେଶ୍ୱର: ଓଡିଶାର ପାରମ୍ପରିକ ଖାଦ୍ୟ ‘ପଖାଳ’ର ପ୍ରଚାର ଓ ପ୍ରସାର କରିବା ଉଦ୍ଦେଶ୍ୟରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟରେ (ଏସ୍‌ଏଚ୍‌ଏମ୍ ) ଏପ୍ରିଲ୍‌୧ ଉତ୍କଳ ଦିବସ ଦିନ “ପଖାଳ ଉତ୍ସବ” ଆରମ୍ଭ ହୋଇଛି। ୫ ଦିନ ବ୍ୟାପି ଚାଲିବାକୁ ଥିବା ଏହି ଉତ୍ସବକୁ ସୋଆର ଉପସଭାପତି ଶାଶ୍ୱତୀ ଦାସ ଶୁଭାରମ୍ଭ କରିଛନ୍ତି।

ଏସ୍‌ଏଚ୍‌ଏମ୍‌ର ଛାତ୍ରଛାତ୍ରୀ, ଫାକଲ୍ଟି ଓ ଅନ୍ୟାନ୍ୟ କର୍ମକର୍ତାଙ୍କ ମିଳିତ ଉଦ୍ୟମରେ ଆରମ୍ଭ ହୋଇଥିବା ଏହି ଉଦ୍ୟମ ଦ୍ୱାରା ପ୍ରତ୍ୟେକ ଓଡ଼ିଆଙ୍କ ଘରେ ପଖାଳକୁ ଆଦୃତ କରାଇବାର ଉଦ୍ଦେଶ୍ୟ ରହିଛି।

ଏହି ଉତ୍ସବର ଶୁଭାରମ୍ଭ କରି ଏହା ଏକ ଅଭିନବ ପ୍ରୟାସ ବୋଲି ଶ୍ରୀମତି ଦାସ କହିଥିଲେ। ବିଶ୍ୱ ଦରବାରରେ ପଖାଳ ଓଡ଼ିଆଙ୍କ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ଏବଂ ଏହା ଦ୍ୱାରା ଓଡ଼ିଆଙ୍କ ଅସ୍ମିତା ଅଧିକ ସୁଦୃଢ଼ ହେଉଛି ବୋଲି ସେ କହିଛନ୍ତି।

ପ୍ରତ୍ୟେକ ଓଡ଼ିଆଙ୍କର ପ୍ରିୟ ଖାଦ୍ୟ ହେଉଛି ପଖାଳ। ତେଣୁ ଓଡିଆଙ୍କ ଖାଦ୍ୟ ରୁଚିକୁ ଦୃଷ୍ଟିକୁ ରଖି ପଖାଳ ଏବଂ ଅନ୍ୟାନ୍ୟ ଆମିଷ ଓ ନିରାମିଷ ବ୍ୟଞ୍ଜନର ବ୍ୟବସ୍ଥା ନିଶ୍ଚିତ ଭାବେ ସ୍ୱାଗତ ଯୋଗ୍ୟ। ଉତ୍କଳ ଦିବସ ଅବସରରେ ଶୁଭେଚ୍ଛା ଜଣାଇବା ସହ ପଖାଳ ଉତ୍ସବର ଆୟୋଜନ କରିଥିବାରୁ ଶ୍ରୀମତି ଦାସ ଏସ୍‌ଏଚ୍‌ଏମ୍‌ର ସମସ୍ତ କାର୍ଯ୍ୟକର୍ତାମାନଙ୍କର ଉଦ୍ୟମକୁ ସାଧୁବାଦ ଜଣାଇଥିଲେ।

ପଖାଳ ଉତ୍ସବ ପରିପ୍ରେକ୍ଷୀରେ କୃତ୍ରିମ ପୋଖରୀ, କୂଅ, ବିଭିନ୍ନ ପ୍ରକାର ପରିବା ଚାଷ ଓ ଗ୍ରାମଦେବୀଙ୍କ ମୂର୍ତୀର ପୂଜାର୍ଚ୍ଚନା ଭଳି ଛାତ୍ରଛାତ୍ରୀମାନଙ୍କ ପ୍ରୟାସରେ ଏକ ଗ୍ରାମୀଣ ପରିବେଶ ସୃଷ୍ଟି କରାଯାଇଥିବା ବେଳେ ତିନୋଟି ଥିମ୍‌କୁ ନେଇ ଡାଏନିଂ ହଲ୍ ଆୟୋଜିତ ହୋଇଛି। ଏହି ତିନୋଟି ଡାଏନିଂ ହଲ୍‌କୁ ଅର୍କକ୍ଷେତ୍ର, ନଳବଣ ଓ ପିପିଲି ମଠସାହି ଭାବେ ନାମକରଣ କରାଯାଇଛି।

ସେହିପରି ପଖାଳ ଉତ୍ସବର ଗୁରୁତ୍ୱ ସମ୍ପର୍କରେ ସୂଚନା ଦେଇ ଏସ୍‌ଏଚ୍‌ଏମ୍‌ର ଡିନ୍ ପ୍ରଫେସର ଅନୁପ କୁମାର ସାମନ୍ତରାୟ କହିଥିଲେ ଯେ ଉତ୍କଳ ଦିବସରେ ପଖାଳ ଉତ୍ସବ ପାଳନ କରିବା ଆମ ପାଇଁ ଗୌରବ। ପାଂଚ ଦିନ ଧରି ଆୟୋଜିତ ହୋଇଥିବା ଏହି ପଖାଳ ଦିବସରେ ପଖାଳ ସହିତ ବିଭିନ୍ନ ପକ୍ରାରର ବ୍ୟଞ୍ଜନ ପରଷା ଯିବ ବୋଲି ସେ କହିଥିଲେ।

ଏହି ପଖାଳ ଉତ୍ସବରେ ଅତିଥିମାନଙ୍କୁ ଉଷୁନା ପଖାଳ, ଅରୁଆ ପଖାଳ, ଦହି ପଖାଳ, ଅଦା ପଖାଳ, ଛୁଙ୍କ ପଖାଳ ଏବଂ ଲେମ୍ବୁ ପଖାଳ ପ୍ରଭୃତି ପରଷା ଯାଉଛି। ସେହିପରି ପଖାଳ ଭାତକୁ ସୁହାଇଲା ଭଳି ବିଭିନ୍ନ ପ୍ରକାରର ଆମିଷ ଓ ନିରାମିଷ ବ୍ୟଞ୍ଜନ ଯେପରିକି – ମାଛ ପତ୍ରପୋଡା, ଚିଙ୍ଗୁଡି ଛେଚା, ଶୁଖୁଆ ଭଜା, ଚୁନା ମାଛ ଭଜା, ଆଚାରୀ କୁକୁଡା, ପୋହଳା ମାଛ ଭଜା, ଚିଙ୍ଗୁଡି ଝରଝରି, ମାଛ ଭଜା, ଛତୁ ପତ୍ରପୋଡା, ଛତୁ ଭଜା, ଆଳୁ ଭଜା, ବାଇଗଣ ଭରତା, ଗୋଟା କଲରା ଭଜା, କଖାରୁ ଫୁଲ ପିଠଉ, ଶାଗ ବଡି ଭଜା, ନଡ଼ିଆ ଭଜା, ପରିବା ଭଜା, ଆମ୍ବ ଚଟଣୀ, ପୋଡା ଟମାଟୋ , ପନିର ଭୁଜିଆ, ଆଳୁ ଚଟଣୀ, ଆଳୁ ସଜନା ଛୁଇଁ ବେସର, ଭେଣ୍ଡି ଭଜା ଓ ବଡି ଚୁରା ପ୍ରଭୃତି ପରିବେଷଣ କରାଯାଉଛି।

ଅତିଥିମାନଙ୍କୁ ଏସ୍‌ଏଚ୍‌ଏମ୍‌ର ରେଷ୍ଟୁରାଂଟ ପରିସରରେ ୫ ଦିନ ବ୍ୟାପି ଅନୁଷ୍ଠିତ ହୋଇଥିବା ପଖାଳ ଉତ୍ସବରେ ଦିନ ୧୨ ଟାରୁ ୩ ଟା ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ପଖାଳ ପରଷା ଯିବ। ଓଡିଶାର ଜନସାଧାରଣଙ୍କ ଖାଦ୍ୟ ରୁଚିକୁ ଲକ୍ଷ୍ୟ କରି ମିଠା ପାନ ମଧ୍ୟ ପରିବେଷଣ କରାଯାଉଛି।

ଏହି ଅବସରରେ ଫୁଡ୍ ଆଣ୍ଡ ବେଭ୍‌ରେଜ୍‌ର ପ୍ରଫେସର (ଡକ୍ଟର) ସୁଶାନ୍ତ ରଞ୍ଜନ ଚଇନି, ପ୍ରଫେସର ସଂଘମିତ୍ରା ମିଶ୍ର, ଜେନେରାଲ ମ୍ୟାନେଜମେଂଟ ପ୍ରଫେସର (ଡକ୍ଟର) ସସ୍ମିତା ମହାନ୍ତି, ପ୍ରଫେସର ସ୍ମିତା ମହାପାତ୍ର ପ୍ରମୁଖ ଫ୍ୟାକଲ୍ଟିମାନେ ଉପସ୍ଥିତ ଥିଲେ।

Categories
ବିଶେଷ ଖବର

ଉତ୍କଳ ଦିବସରୁ ରାଜ୍ୟରେ ଆରମ୍ଭ ହେଲା ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଭାରତର ଜି-୨୦ ଅଧ୍ୟକ୍ଷତା ଅଧୀନରେ ଦେଶର ବିଭିନ୍ନ ପ୍ରାନ୍ତରେ ପର୍ଯ୍ୟାୟକ୍ରମେ ଭିନ୍ନ ଭିନ୍ନ ବିଷୟବସ୍ତୁକୁ ନେଇ ବୈଠକମାନ ଆୟୋଜନ କରାଯାଉଛି। ଆସନ୍ତା ୨୭ରୁ ୨୯ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଠାରେ ଜି-୨୦ ଶିକ୍ଷା କାର୍ଯ୍ୟ ଗୋଷ୍ଠୀର ତୃତୀୟ ବୈଠକ ଆୟୋଜନ କରାଯିବ। ଶିକ୍ଷା କାର୍ଯ୍ୟ ଗୋଷ୍ଠୀ ବୈଠକ ନିମନ୍ତେ ଜନସଚେନତା ସୃଷ୍ଟି ଲାଗି ଆଜି ଉତ୍କଳ ଦିବସ ଠାରୁ ରାଜ୍ୟବ୍ୟାପୀ ଜନ-ଭାଗିଦାରୀ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି।

ଜନ-ଭାଗିଦାରୀ ମାଧ୍ୟମରେ ଭାରତର ଜି-୨୦ ଅଧ୍ୟକ୍ଷତାକୁ ସଫଳ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହ୍ୱାନ କରିଛନ୍ତି। କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମାର୍ଗଦର୍ଶନରେ ପ୍ରାୟ ଏକ ମାସ ଧରି ଓଡ଼ିଶାର ବିଭିନ୍ନ ସ୍ଥାନରେ ଜି-୨୦ ସମ୍ବନ୍ଧୀୟ ଜନ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏଥିରେ ୩୫ରୁ ଅଧିକ ଶିକ୍ଷାନୁଷ୍ଠାନ ଅଂଶଗ୍ରହଣ କରୁଛନ୍ତି। ଜି୨୦କୁ ଜନଭାଗିଦାରୀ ଆନ୍ଦୋଳନରେ ପରିଣତ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ।

ଆଜି ପ୍ରଥମ ଦିନରେ ଆଇଆଇଟି ଭୁବନେଶ୍ୱର, ଆଇଆଇଏମ ସମ୍ବଲପୁର, ଏନଆଇଟି ରାଉରକେଲା ସମେତ ରାଜ୍ୟର ବିଭିନ୍ନ ସହରରେ ଥିବା ଶିକ୍ଷାନୁଷ୍ଠାନଗୁଡ଼ିକରେ ଜନ-ଭାଗିଦାରୀ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଜି-୨୦ ଶିକ୍ଷା କାର୍ଯ୍ୟ ଗୋଷ୍ଠୀ ଏବଂ ଜନଭାଗିଦାରୀ କାର୍ଯ୍ୟକ୍ରମର ନୋଡାଲ ଏଜେନ୍ସି ଭାବେ ଆଇଆଇଟି ଭୁବନେଶ୍ୱର ପକ୍ଷରୁ ସାଇକେଲ ରାଲି ଏବଂ ପୋଷ୍ଟର ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସେହିପରି ଏସଡିଆଇ ଭୁବନେଶ୍ୱର ପକ୍ଷରୁ ମଧ୍ୟ ଯୋଗ ଶିବିର ଓ ଲୋଗୋ ଉନ୍ମୋଚନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀ ଏବଂ ଜନଭାଗିଦାରୀ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା।

କିଟ୍‌ ବିଶ୍ୱବିଦ୍ୟାଳୟ ଠାରେ ‘‘ପ୍ରଯୁକ୍ତି ଆଧାରିତ ଅଧ୍ୟୟନକୁ ଅଧିକ ସମାବେଶୀ, ଗୁଣାତ୍ମକ ଓ ସହଭାଗୀ କରିବା’’ ବିଷୟବସ୍ତୁକୁ ନେଇ ଏକ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜନ କରାଯାଇଥିବା ପ୍ରଭାତ ଫେରି ଏବଂ ସାଇକେଲ ଶୋଭାଯାତ୍ରାରେ ୨୦୦ରୁ ଅଧିକ ଛାତ୍ରଛାତ୍ରୀ, ଶିକ୍ଷକ ଓ କର୍ମଚାରୀ ସାମିଲ ହୋଇଥିଲେ।

ଭୁବନେଶ୍ୱର ଆଚାର୍ଯ୍ୟ ବିହାରସ୍ଥିତ ସିଏସଆଇଆର- ଖଣିଜ ଏବଂ ବସ୍ତୁ ପ୍ରଯୁକ୍ତି ପ୍ରତିଷ୍ଠାନ ଠାରେ ଜନ-ଭାଗିଦାରୀ କାର୍ଯ୍ୟକ୍ରମର ଅଂଶବିଶେଷ ସ୍ୱରୂପ ପ୍ରଭାତଫେରି ଆୟୋଜନ କରାଯାଇଥିଲା। ମୁଖ୍ୟ ବୈଜ୍ଞାନିକ ଡକ୍ଟର ଏକେ ସାହୁ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଏଥିରେ ପ୍ରତିଷ୍ଠାନର ବୈଜ୍ଞାନିକ, କର୍ମଚାରୀ, ଛାତ୍ରଛାତ୍ରୀଙ୍କ ସମେତ ୧୦୦ରୁ ଅଧିକ ଲୋକ ସାମିଲ ହୋଇଥିଲେ। ସମସ୍ତଙ୍କୁ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ଜି୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀ ବୈଠକ ସମ୍ପର୍କରେ ସଚେତନ କରାଯାଇଥିଲା।

ସେହିପରି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ପକ୍ଷରୁ ଏହାର କ୍ୟାମ୍ପସ ପରିସରରେ ପ୍ରଭାତ ଫେରି ଆୟୋଜନ କରାଯାଇଥିଲା। ଜି୨୦ ଜନଭାଗିଦାରୀ କାର୍ଯ୍ୟକ୍ରମ ଅଧୀନରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ପ୍ରତିଷ୍ଠାନର ଅଧ୍ୟକ୍ଷ ପ୍ରଫେସର ପି.ସି ଅଗ୍ରୱାଲ ଉଦଘାଟନ କରିଥିଲେ। ଅନୁଷ୍ଠାନର ଡିନ୍‌, ଡି.ଏମ ସ୍କୁଲର ପ୍ରଧାନ ଶିକ୍ଷକ, ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ ଓ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ପ୍ରାୟ ୩୦୦ରୁ ଅଧିକ ଲୋକ ଏଥିରେ ସାମିଲ ହୋଇଥିଲେ।

ଅନ୍ୟପଟେ ଭୁବନେଶ୍ୱରସ୍ଥିତ ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। କୋଣାର୍କର ଚନ୍ଦ୍ରଭାଗା ବେଳାଭୂମିରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଆୟୋଜନ କରାଯିବା ସହିତ କୋଣାର୍କସ୍ଥିତ ଜବାହର ନବୋଦୟ ବିଦ୍ୟାଳୟ ଠାରେ ଜି-୨୦ ଜନଭାଗିଦାରୀ ବିଷୟବସ୍ତୁ ଉପରେ ଆଧାରିତ ଏକ ପ୍ରଶ୍ନୋତ୍ତର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।  କୋଣାର୍କ ଜବାହର ନବୋଦୟ ବିଦ୍ୟାଳୟର ସବୁ ଛାତ୍ରଛାତ୍ରୀ ଓ କର୍ମଚାରୀମାନଙ୍କୁ ଭୁବନେଶ୍ୱରରେ ଆୟୋଜନ କରାଯିବାକୁ ଥିବା ଜି-୨୦ ଶିକ୍ଷା କାର୍ଯ୍ୟ ଗୋଷ୍ଠୀ ବୈଠକର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ସଚେତନ କରାଯାଇଥିଲା। ପ୍ରଶ୍ନୋତ୍ତର ପ୍ରତିଯୋଗିତାରେ ପ୍ରାୟ ୮୦ରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ।

ସେହିପରି ଭୁବନେଶ୍ୱର ସ୍ଥିତ ବିଆଇଆଇଟିଏମ ପକ୍ଷରୁ ଜି-୨୦ ଜନ ଭାଗିଦାରୀ କାର୍ଯ୍ୟକ୍ରମର ଅଂଶବିଶେଷ ସ୍ୱରୂପ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ଅବସରରେ ଜି୨୦ ପୋଷ୍ଟର ଉନ୍ମୋଚନ କରାଯିବା ସହିତ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ମଧ୍ୟରେ ଟି-ସାର୍ଟ ଓ ଟୋପି ବିତରଣ କରାଯାଇଥିଲା। ବିଆଇଆଇଟିଏମ ଦ୍ୱାରା ଡିଏଲଏଫ ସାଇବର ସିଟୀ ଦିଗରେ ଏକ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା ଯେଉଁଥିରେ ଛାତ୍ରଛାତ୍ରୀ, ପ୍ରାଧ୍ୟାପକ, କର୍ମଚାରୀମାନେ ହାତରେ ପୋଷ୍ଟର, ବ୍ୟାନର ଧରି ଜି-୨୦ ଶିକ୍ଷା କାର୍ଯ୍ୟ ଗୋଷ୍ଠୀ ବୈଠକ ଏବଂ ଜନ-ଭାଗିଦାରୀ କାର୍ଯ୍ୟକ୍ରମ ସମ୍ପର୍କରେ ସଚେତନତା ସୃଷ୍ଟି କରିଥିଲେ ।

ଅନୁରୂପ ଭାବେ ଇସ୍ପାତ ନଗରୀ ରାଉରକେଲା ଠାରେ ଏନଆଇଟି ରାଉରକେଲା ପକ୍ଷରୁ ଉତ୍କଳ ଦିବସ ଉପଲକ୍ଷେ ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀ ଜନଭାଗିଦାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହାକୁ ଏନଆଇଟି ରାଉରକେଲାର ନିର୍ଦ୍ଦେଶକ ପ୍ରଫେସର କେ. ଉମାମହେଶ୍ୱର ରାଓ ଉଦଘାଟନ କରିଥିଲେ। ଭାରତର ଜି-୨୦ ଅଧ୍ୟକ୍ଷତା ଏବଂ ଏଥିରେ ଜନସାଧାରଣଙ୍କ ସହଭାଗିତା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲାଗି ୧୦ଟି ପ୍ରମୁଖ ଶିକ୍ଷାନୁଷ୍ଠାନ ମଧ୍ୟରେ ଏନଆଇଟି ରାଉରକେଲାକୁ ଚୟନ କରାଯାଇଛି । ସୁନ୍ଦରଗଡ଼, ଝାରସୁଗୁଡ଼ା ଏବଂ ବରଗଡ଼ ଜିଲ୍ଲାରେ ଭାରତର ଜି୨୦ ଅଧ୍ୟକ୍ଷତା ସମ୍ପର୍କରେ ପ୍ରଚାର ପ୍ରସାର କରିବା ଲାଗି ଏନଆଇଟି ରାଉରକେଲା ଦ୍ୱାରା ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଆଜିର ଜନଭାଗିଦାରୀ କାର୍ଯ୍ୟକ୍ରମ ଅବସରରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ଓଡ଼ିଶୀ ନୃତ୍ୟ, ସଙ୍ଗୀତ ଓ କବିତା ଆବୃତ୍ତି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା।

ଅନ୍ୟପକ୍ଷରେ ଯାଜପୁର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜି୨୦ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶିକ୍ଷା ବିଭାଗର ଅଧିକାରୀ, ଜିଲ୍ଲା ସ୍କୁଲ ଛାତ୍ରଛାତ୍ରୀ ଓ ଅନ୍ୟ ଅଂଶୀଦାରମାନେ ଅଂଶଗ୍ରହଣ କରିଥିଲେ । ଭୁବନେଶ୍ୱରସ୍ଥିତ ଏନସିଇଆରଟି ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମର ସଚେତନତା ସାଇକେଲ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା ଯେଉଁଥିରେ ୧୩୦ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।

ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମ ଶୁଭାରମ୍ଭ ଉପଲକ୍ଷେ ଭୁବନେଶ୍ୱର ସିପେଟ୍‌ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଅନୁଷ୍ଠାନର ଛାତ୍ରଛାତ୍ରୀ, ଶିକ୍ଷକ ଓ କର୍ମଚାରୀମାନେ ଶୋଭାଯାତ୍ରାରେ ଯାଇ ଜି-୨୦ ସମ୍ପର୍କରେ ସଚେତନତା ସୃଷ୍ଟି କରିଥିଲେ ।

ଅନ୍ୟପକ୍ଷରେ ସମ୍ବଲପୁର ଆଇଆଇଏମ ପକ୍ଷରୁ ଜି-୨୦ ଶିକ୍ଷା କାର୍ଯ୍ୟ ଗୋଷ୍ଠୀର ତୃତୀୟ ବୈଠକ ଏବଂ ଜନଭାଗିଦାରୀ କାର୍ଯ୍ୟକ୍ରମର ଅଂଶବିଶେଷ ସ୍ୱରୂପ ସମ୍ବଲପୁର ଜବାହର ନବୋଦୟ ବିଦ୍ୟାଳୟ ଠାରେ ‘‘ଷ୍ଟାର୍ଟଅପ୍‌ ଏବଂ ଭବିଷ୍ୟତର କାର୍ଯ୍ୟ’’ ସମ୍ପର୍କରେ ଏକ ସେମିନାର ଆୟୋଜନ କରାଯାଇଥିଲା। ଏଥିରେ ଆଇଆଇଏମର ଅଧ୍ୟାପକ, ଜେଏନଭିର ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ  ଅଂଶଗ୍ରହଣ କରିଥିଲେ ।

Categories
ଆଞ୍ଚଳିକ

ବାଲୁଗାଁ ଏନଏସି ରେ ପାଳନ ହେଲା ଉତ୍କଳ ଦିବସ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ବାଲୁଗାଁ ଏନଏସି ରେ ଉତ୍କଳ ଦିବସ ପାଳନ ହୋଇଯାଇଛି।  ଏହି ଅବସରରେ ବାଲୁଗାଁ ଏନଏସି ନଗରପାଳିକା ସୁକାନ୍ତି ପାଇକରାୟ, ଉପନଗରପାଳ ଭଗବାନ ପ୍ରଧାନ, କାଉନସିଲର ଅଭିମନ୍ୟୁ ସ୍ୱାଇଁ, ଅନିତା ସ୍ୱାଇଁ, ବିଜେଡି ଉପସଭାପତି ଗଣେଶ ପ୍ରଧାନ, କାର୍ଯ୍ୟକାରୀ ସଭାପତି ବୁଲା ଖାଁ, ସାଂସଦ ପ୍ରତିନିଧି ଅକ୍ଷୟ ରଣସିଂହ, ଡିଜିଟାଲ ସେକ୍ରେଟାରୀ ବଟକୃଷ୍ଣ ପ୍ରଧାନ ଏବଂ ସମସ୍ତ ଏନଏସି କର୍ମଚାରୀ, ବାଲୁଗାଁ ଏନଏସି ବିଜେଡିର କର୍ମୀ, ନାରୀ ନେତ୍ରୀମାନେ ଏନଏସି କାର୍ଯ୍ୟାଳୟ ଠାରେ ଉତ୍କଳ ଦିବସ ପାଳନ କରିଥିଲେ। ଏହାପରେ ଚାଲି ଚାଲି ଯାଇ ଗାନ୍ଧିଛକ ଠାରେ ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କୁ ପୁଷ୍ପ ମାଲ୍ୟାର୍ପଣ କରିଥିଲେ।

ତା’ପରେ ବାଲୁଗାଁ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶ୍ରୀମତୀ ପାଇକରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉତ୍କଳର ମହାପୁରୁଷ ମାନଙ୍କୁ ପୁଷ୍ପ ମାଲ୍ୟାର୍ପଣ କରିଥିଲେ। ସେଠାରୁ ବାଲୁଗାଁ ଚିଲିକା କୂଳଠାରେ ଥିବା ସରକାରୀ ବାଳିକା ବିଦ୍ୟାଳୟରେ ପାଳନ ହେଉ ଥିବା ଉତ୍କଳ ଦିବସରେ ନିଜର ଯୋଗ ଦେଇଥିଲେ।

ଶେଷରେ ଜରା ନିବାସରେ ବୃଦ୍ଧ ବୃଦ୍ଧାଙ୍କୁ କିଛି ଶୁଖିଲା ଖାଦ୍ୟ ବଣ୍ଟନ କରି ତାଙ୍କର ସୁବିଧା ଅସୁବିଧା ପଚାରି ବୁଝିବା ସହ ବିଦ୍ୟାଳୟ ମାନଙ୍କ ଉନ୍ନତି ବିଷୟରେ ଆଲୋଚନା କରିଥିଲେ।

Categories
ଆଞ୍ଚଳିକ

ରଣପୁର: ବିଦ୍ୟାଳୟରେ ୮୮ତମ ଉତ୍କଳ ଦିବସ ପାଳିତ

ରଣପୁର: ଆଜି ୮୮ତମ ଉତ୍କଳ ଦିବସ ବା ଓଡ଼ିଶା ଦିବସ। ୧୯୩୬ ମସିହା, ଏପ୍ରିଲ ୧ ତାରିଖରେ ଓଡ଼ିଶା ଏକ ସ୍ୱତନ୍ତ୍ର ରାଜ୍ୟ ଭାବେ ନବଗଠିତ ହୋଇଥିଲା। ଏହି ସ୍ମୃତିରେ ପ୍ରତି ବର୍ଷ ଆଜିର ଦିନକୁ ଉତ୍କଳ ଦିବସ ବା ଓଡ଼ିଶା ଦିବସ ଭାବେ ପାଳନ କରାଯାଏ। ଭାଷା ଭିତ୍ତିରେ ରାଜ୍ୟଗଠନ ହେବାରେ ଓଡ଼ିଶା ଭାରତର ପ୍ରଥମ ରାଜ୍ୟ।

ଏହି ଅବସରରେ ରଣପୁର ବ୍ଲକର ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନଗୁଡିକରେ ଉତ୍କଳ ଦିବସ ପାଳିତ ହୋଇ ଯାଇଛି। ବଜ୍ରକୋଟ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ସୁଶୀଲ କୁମାର ରଣା ନେତୃତ୍ୱରେ ଏହି ଦିବସ ଧୁମଧାମର ସହ ପାଳିତ ହୋଇ ଯାଇଛି।  ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅବକାଶ ସ୍ୱାଇଁ, ସହକାରୀ ଶିକ୍ଷୟତ୍ରୀ ପଦ୍ମାବତୀ ବେହେରା, ଅଙ୍ଗନବାଡି କର୍ମୀ ପୁଷ୍ପମଞ୍ଜରୀ ଦେଇ, କାନନବାଳା ସାହୁ ପ୍ରମୁଖ ଉପସ୍ଥିତ ରହି ଉତ୍କଲ ଦିବସର ଆଭିମୁଖ୍ୟ ସମ୍ପର୍କରେ ବୁଝାଇ ଥିଲେ।

ସେହିପରି ବିଲଗାଡ଼ିଆ ପ୍ରାଥମିକ ବିଦ୍ୟାଳୟ, ମନ୍ଦାକିନୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ପିମ୍ପଲ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଗୌରାଙ୍ଗପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଗୌରାଙ୍ଗପୁର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ନୀଳକଣ୍ଠ ଦେବ ପ୍ରାଥମିକ ବିଦ୍ୟାଳୟ, ବଜେନ୍ଦ୍ର ଚନ୍ଦ୍ର ଉଚ୍ଚ ବିଦ୍ୟାଳୟ, ଚାରିଅଟ ପବ୍ଲିକ ସ୍କୁଲ, କଳିଙ୍ଗ ଲୋଟସ ଆଦି ବିଦ୍ୟାଳୟଗୁଡିକରେ ଏହି ଦିବସ ପାଳିତ ହୋଇ ଯାଇଛି।

ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ନିମନ୍ତେ ମଧୁସୂଦନ ଦାସ, ଫକୀର ମୋହନ ସେନାପତି, ଗୋପବନ୍ଧୁ ଦାସ, ନୀଳକଣ୍ଠ ଦାସ, ଗଙ୍ଗାଧର ମେହେର, ରାଧାନାଥ ରାୟ, ବାସୁଦେବ ସୁଢଳ ଦେବ ଓ କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରଚେଷ୍ଟାରେ ଆନ୍ଦୋଳନ ତେଜିଥିଲା। ପ୍ରଥମେ ୬ଟି ଜିଲ୍ଲା କଟକ, ପୁରୀ, ବାଲେଶ୍ୱର, ସମ୍ବଲପୁର, କୋରାପୁଟ ଓ ଗଞ୍ଜାମକୁ ନେଇ ଓଡ଼ିଶା ଗଠନ କରାଯାଇଥିଲା। ୧୯୯୨ ମସିହାରେ ଓଡ଼ିଶାର ୧୩ଟି ଜିଲ୍ଲାକୁ ପୁନର୍ବିଭାଜନ କରି ୩୦ଟି ଜିଲ୍ଲାରେ ଭାଗ କରାଗଲା। ଏହି ଅବସରରେ ଉତ୍କଳ ଦିବସ ପାଳନ ଅବସରରେ ସ୍ୱତନ୍ତ୍ର ପ୍ରଦେଶ ଗଠନର କର୍ଣ୍ଣଧାରମାନଙ୍କୁ ସମ୍ମାନ ଓ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି।

Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଚାଷୀଙ୍କ ବ୍ୟାଙ୍କ ଖାତାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଠାଇଲେ ୮୭୭ କୋଟି ଟଙ୍କା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଓଡ଼ିଶା ଦିବସ ଅବସରରେ ରାଜ୍ୟର ଚାଷୀ ଭାଇ ଭଉଣୀ ମାନଙ୍କୁ କାଳିଆ ସହାୟତା ପ୍ରଦାନ କରିଛନ୍ତି। ଚଳିତ ଖରିଫ ଋତୁରେ ଚାଷ କାମ ପାଇଁ ଏହି ସହାୟତା ଦିଆ ଯାଇଛି।

ଝାରସୁଗୁଡ଼ା ବ୍ୟତୀତ ରାଜ୍ୟର ସବୁ ଅଞ୍ଚଳର କୃଷକ ମାନେ ଏହି ସହାୟତା ପାଇଛନ୍ତି। ୪୩ ଲକ୍ଷ ରୁ ଅଧିକ ଚାଷୀ ପରିବାରଙ୍କୁ ୮୭୭ କୋଟି ଟଙ୍କା ସହାୟତା ଚାଷୀଙ୍କ ବ୍ଯାଙ୍କ ଖାତା କୁ ଦିଆ ଯାଇଛି।

ଏହି ଅବସରରେ ଚାଷୀ ଭାଇ ମାନଙ୍କୁ ଓଡ଼ିଶା ଦିବସର ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଚାଷୀ ଙ୍କ କଲ୍ଯାଣ ସହ ରାଜ୍ୟର ବିକାଶ ଯୋଡି ହୋଇ ରହିଛି ତେଣୁ ଆଜିର ପବିତ୍ର ଦିନ ରେ କାଳିଆ ସହାୟତା ପ୍ରଦାନ କରି ଆମେ ନୂଆ ଅର୍ଥିକ ବର୍ଷ ଆରମ୍ଭ କଲୁ।

ଓଡ଼ିଶା ଆଜି ଖାଦ୍ୟ ଶସ୍ୟ ଉତ୍ପାଦନ ରେ ଆତ୍ମ ନିର୍ଭର ହେବା ସହିତ ଦେଶର ଖାଦ୍ୟ ଭଣ୍ଡାରକୁ ଅନ୍ନ ଯୋଗାଇ ପାରୁଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଏହି ଗୌରବର ଶ୍ରେୟ ରାଜ୍ୟର ଲକ୍ଷ ଲକ୍ଷ ଚାଷୀ ଭାଇ ଭଉଣୀ ମାନଙ୍କୁ ଦେଇଥିଲେ।

ଚାଷର ଉନ୍ନତି ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି ବୋଲି ପ୍ରକାଶ କରି ମୁଖ୍ୟ ମନ୍ତ୍ରୀ ସେମାନଙ୍କୁ କୃଷିରେ ଅଧିକ ମେସିନ ଓ ଆଧୁନିକ ଯନ୍ତ୍ରପାତି ବ୍ୟବହାର କରିବା ପାଇଁ ପରାମର୍ଶ ଦେଇଥିଲେ। ରାଜ୍ୟରେ ପୁଷ୍ଟି ଯୁକ୍ତ ଖାଦ୍ୟର ଉତ୍ପାଦନ ବୃଦ୍ଧି ଓ ଚାଷୀ ମାନଙ୍କ ରୋଜଗାରରେ ଉନ୍ନତି ପାଇଁ ରାଜ୍ୟ ସରକାର ଅନେକ ଶସ୍ୟ ଭିତ୍ତିକ ମିଶନ କାର୍ଯ୍ୟକରୀ କରୁଛନ୍ତି ବୋଲି ପ୍ରକାଶ କରି ସେ ଚାଷୀ ମାନଙ୍କୁ ଫସଲ ବିବିଧ କରଣ ଉପରେ ଗୁରୁତ୍ଵ ଦେବା ପାଇଁ ପରାମର୍ଶ ଦେଇଥିଲେ।

ଏହି ଅବସରରେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ କହିଲେ ଯେ କାଳିଆ ଯୋଜନା ଚାଷୀ ମାନଙ୍କୁ ଆତ୍ମ ନିର୍ଭର କରିଛି। ଚାଷ ପାଇଁ ଧାର ଉଧାର ରୁ ମୁକ୍ତି ମିଳିବା ସହିତ ଚାଷୀଙ୍କ ମନୋବଳ ବୃଦ୍ଧି ପାଇଛି।

ଏହି ଅବସରରେ ମାଲକାନଗିରିର ଗୋପୀନାଥ ପାଙ୍ଗି, ପୁରୀ ଜିଲ୍ଲା ପିପିଲିର ସୁଲୋଚନା ନାୟକ, ବରଗଡର ଦିପାଞ୍ଜଳି ପ୍ରମୁଖ ଚାଷୀ କାଳିଆ ସହାୟତା ସମ୍ପର୍କରେ ସେମାନଙ୍କ ମତାମତ ରଖିଥିଲେ। ଏହାଦ୍ବାରା ସେମାନଙ୍କ ଜୀବନରେ ଆସିଥିବା ପରିବର୍ତ୍ତନ ଉପରେ ନିଜର ମତାମତ ଦେଇଥିଲେ।

ଗଞ୍ଜାମ ଜିଲ୍ଲାର କୁକୁଡ଼ାଖଣ୍ଡି ବ୍ଲକ ର କାଳିଆ ବୃତ୍ତି ଲାଭ କରିଥିବା କିରଣ କୁମାର ସାହୁ କିପରି ଏହି ସହାୟତା ଦ୍ଵାରା ସେ ଆଜି ବ୍ରହ୍ମପୁର ମେଡିକାଲ କଲେଜରେ ଡ଼ାକ୍ତରୀ ପାଠ ପଢିବା ପାଇଁ ସୁଯୋଗ ପାଇଛନ୍ତି ସେ ବିଷୟରେ ବର୍ଣ୍ଣନା କରିଥଲେ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଶ୍ରୀ ଭି କେ ପଣ୍ଡିଆନ୍ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଏହି କାର୍ଯ୍ୟକ୍ରମ ରେ କାଳିଆ ଯୋଜନାର ଉପଦେଷ୍ଟା ମାନେ ,ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା, ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ ପ୍ରମୁଖ ଉପସ୍ଥିତ ଥିଲେ।

କୃଷି ବିଭାଗ ପ୍ରମୁଖ ସଚିବ ଶ୍ରୀ ଅରବିନ୍ଦ ପାଢ଼ୀ ସ୍ବାଗତ ଭାଷଣ ଦେଇଥିଲେ ଓ କୃଷି ନିର୍ଦ୍ଦେଶକ ଧନ୍ୟବାଦ୍ ଅର୍ପଣ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ଓଡିଶା ଦିବସ ଉପଲକ୍ଷେ ରାଜ୍ୟବାସୀଙ୍କୁ ରାଷ୍ଟ୍ରପତି କହିଲେ ଏମିତି କଥା

ନୂଆଦିଲ୍ଲୀ: ଆଜି ହେଉଛି ଉତ୍କଳ ବା ଓଡିଶା ଦିବସ। ଏହି ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ଟୁଇଟ ଯୋଗେ କହିଛନ୍ତି ଯେ,

‘ଓଡ଼ିଶା ଦିବସ ଅବସରରେ ମୁଁ ପ୍ରିୟ ଦେଶବାସୀଙ୍କୁ ବିଶେଷକରି ଓଡିଶାବାସୀଙ୍କୁ ହାର୍ଦିକ ଅଭିନନ୍ଦନ ଜଣାଉଛି।ପ୍ରଚୁର ପ୍ରାକୃତିକ ସମ୍ପଦ ଏବଂ ଦକ୍ଷ ଓ କର୍ମଠ ଲୋକଶକ୍ତି ଆଧାରରେ ଓଡ଼ିଶା ,ଆମ ଅର୍ଥବ୍ୟବସ୍ଥାର ଗ୍ରୋଥ୍ ଇଞ୍ଜିନ ହେବାର ସାମର୍ଥ୍ୟ ବହନ କରେ। ମୁଁ ଓଡ଼ିଶାର ଭାଇ ଓ ଭଉଣୀ ମାନଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରୁଛି।’

Categories
ଆଜିର ଖବର ରାଜ୍ୟ ଖବର

ଉତ୍କଳ ଦିବସ ଉପଲକ୍ଷେ ଓଡିଆରେ ଶୁଭେଚ୍ଛା ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ଓଡିଶା ଦିବସ ଉପଲକ୍ଷେ ବିଭିନ୍ନ ମହଲରୁ ଶୁଭେଚ୍ଛା ପ୍ରଦାନ କରାଯାଉଛି। ସେହିପରି ଆଜିର ଏହି ଦିବସ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ଓଡିଆ ଭାଷାରେ ଏହି ଶୁଭେଚ୍ଛା ଜଣାଇଛନ୍ତି। ସେ ଟୁଇଟ କରି କହିଛନ୍ତି ଯେ,

ଉତ୍କଳ ଦିବସର ହାର୍ଦ୍ଦିକ ଶୁଭେଚ୍ଛା। ଏହି ଦିନ ଆମ ଦେଶର ପ୍ରଗତିରେ ଓଡ଼ିଶା, ଓଡିଆ ଜନସାଧାରଣ ଏବଂ ସଂସ୍କୃତିର ସମୃଦ୍ଧ ଅବଦାନକୁ ଜାଣିବାର ଅବସର। ଓଡ଼ିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ଏବଂ ସମୃଦ୍ଧି କାମନା କରୁଛି।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶା ଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୁଭେଚ୍ଛା

ଭୁବନେଶ୍ବର: ଆଜି ହେଉଛି ଉତ୍କଳ ବା ଓଡିଶା ଦିବସ। ୧୯୩୬ ମସିହା ଆଜିର ଦିନରେ ଓଡିଆ ଭାଷା ଭିତ୍ତିକ ଉତ୍କଳ ପ୍ରଦେଶ ଗଠନ ହୋଇଥିଲା। ସେଥିପାଇଁ ସେତେବେଳେ ଓଡିଶାର ମହାନ ବରପୁତ୍ରଙ୍କ ଅବଦାନ ଅତୁଳନୀୟ। ଏହି ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ,

‘ଓଡ଼ିଶା ଦିବସ ଅବସରରେ ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ବରେଣ୍ୟ ସାଧକମାନଙ୍କୁ ଏହି ଅବସରରେ ମୋର ସମ୍ମାନ ଜଣାଉଛି। ଆସନ୍ତୁ ଓଡ଼ିଆ ଜାତିର ଅସ୍ମିତା ଓ ସ୍ଵାଭିମାନକୁ ବଜାୟ ରଖି ଏକ ନୂଆ ଓଡ଼ିଶା, ଉଚ୍ଚାକାଂକ୍ଷୀ ଓଡ଼ିଶା ଗଠନ ଦିଗରେ ସଙ୍କଳ୍ପବଦ୍ଧ ହୋଇ ଆଗକୁ ବଢିବା।’

Categories
ବିଶେଷ ଖବର ରାଜ୍ୟ ଖବର

ଉତ୍କୃଷ୍ଟ କଳାର ଦେଶ ‘ଉତ୍କଳ’

ପ୍ରଦୀପ ସେନାପତି

‘ଉତ୍କଳ’ ଉତ୍କୃଷ୍ଟ କଳାର ଦେଶ। ଭାଷା ନାହିଁ ତ ଆମର ଜାତି ନାହିଁ? ଉତ୍କଳର କାରୁକାର୍ଯ୍ୟ, ପର୍ବପର୍ବାଣି, ପ୍ରଥା ଓ ପରମ୍ପରା ବିଶ୍ୱବିଦିତ। ଇତିହାସର ପୃଷ୍ଟା ଭିତରେ ଉତ୍କଳୀୟମାନଙ୍କର ବୀରତ୍ୱ, ତ୍ୟାଗ, ଆଦର୍ଶ ଓ ପରଂପରା ଚର୍ଚ୍ଚିତ ବିଶ୍ୱବିଖ୍ୟାତ। ଅତୀତରେ ଆମର ଏହି ଉତ୍କଳ ଥିଲା ଛିନ୍ନମସ୍ତା। ଉତ୍କଳ ବୋଲି ଏକ ନିର୍ଦ୍ଦିଷ୍ଟ ଭୁଖଣ୍ଡ ନଥିଲା। ଉତ୍କଳୀୟମାନଙ୍କର ସ୍ୱତନ୍ତ୍ର ପରିଚୟ ନଥିଲା।

୧୯୩୬ ମସିହା ଏପ୍ରିଲ ମାସ ଥିଲା ଓଡ଼ିଆ ଜାତିପାଇଁ ଏକ ସ୍ମରଣୀୟ ଦିବସ। ଏହି ଦିନ ଓଡ଼ିଶା ଏକ ସ୍ୱତନ୍ତ୍ର ପ୍ରଦେଶରେ ପରିଣତ ହେଲା। ଇତିମଧ୍ୟରେ ୧୯୩୬ରୁ ୨୦୨୨ ଦୀର୍ଘ ୮୬ବର୍ଷ ବିତିଯାଇଛି। ବ୍ୟକ୍ତିହେଉ କିମ୍ବା ଜାତିହେଉ ଆତ୍ମ ପରିଚୟ ହିଁ ତା’ର ନିଜସ୍ୱ ଜୀବନର ମହାର୍ଘପୁଞ୍ଜି। ବିନା ଆତ୍ମ ପରିଚୟରେ କୌଣସି ଜାତି ନିଜକୁ ବିଶ୍ୱଦରବାରରେ ଉପସ୍ଥାପନ କରିପାରିନଥାଏ। ଓଡ଼ିଆ ଜାତିର ଭାଷା, ସାହିତ୍ୟ ଓ ସଂସ୍କୃତି ହିଁ ଉତ୍କଳ ପ୍ରଦେଶର ଏକ ସ୍ୱତନ୍ତ୍ର ପରିଚୟ ବହନ କରିଛି।

ବର୍ଷ ବର୍ଷ ଧରି ପରାଧୀନତାର ଶୃଙ୍ଖଳରେ ବନ୍ଧାହୋଇ ମଧ୍ୟ ଓଡ଼ିଶାବାସୀ ଜାବୁଡ଼ି ଧରିଛନ୍ତି ନିଜର ଭାଷା, ସାହିତ୍ୟ, ସଂସ୍କୃତି ତଥା ପରମ୍ପରାକୁ। ଯେତେ ଗରିବ ହେଲେ ମଧ୍ୟ ଉତ୍କଳର ଗୌରବୋଜ୍ଜ୍ୱଳ ଏøତିହ୍ୟ ଏ ଜାତିର ଆତ୍ମ ଉପ୍‌ଲବ୍ôଧ ଓ ଆତ୍ମ ପରିଚୟର ସଂଜ୍ଞା ବହନ କରିଆସୁଛି। ଉତ୍କଳ ଦିବସର ମହାନତା ଆଜି ଓଡ଼ିଆ ଜାତିର ଇତିହାସ ଓ ଓଡ଼ିଆ ଜାତିର ପ୍ରାଚୀନ ଗୌରବ ଓ ଆଭିଜାତ୍ୟକୁ ମନେପକାଇ ଦେବା ସଂଗେ ସଂଗେ ଆମର ସ୍ୱାଭିମାନ ଜାଗ୍ରତ କରିବା ପାଇଁ ଅଜସ୍ର ପ୍ରେରଣା ଯୋଗାଇଥାଏ।

ଉତ୍କଳ ଦିବସ ହିଁ ପ୍ରତ୍ୟେକ ଓଡ଼ିଆର ଆତ୍ମବିଶ୍ୱାସର ମାପକାଠି। ଯେଉଁ ମହାନ ଓଡ଼ିଆମାନଙ୍କର ତ୍ୟାଗ, ତପସ୍ୟା ଓ ସାଧନାର ଫଳ ସ୍ୱରୂପ ଓଡ଼ିଶା ଆଜି ଏକ ସ୍ୱତନ୍ତ୍ର ପରିଚୟ ପାଇପାରିଛି, ସେମାନଙ୍କୁ ଆଜିର ଏହି ପବିତ୍ର ଦିବସରେ ଭକ୍ତିପୂତ ପ୍ରଣାମ। ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନପରେ ଭାରତବର୍ଷ ସ୍ୱାଧୀନ ହୋଇଛି। ପରାଧୀନତାର ଶୃଙ୍ଖଳରୁ ମୁକ୍ତ ହୋଇଛି ଏହି ଉତ୍କୃଷ୍ଟ ରାଜ୍ୟ ଉତ୍କଳ। ଆଜି ଅବଶ୍ୟ ଅନେକବର୍ଷ ବିତିଗଲାଣି।

ଓଡ଼ିଶାରେ ଅନେକ ପ୍ରଗତିମୂଳକ କାର୍ଯ୍ୟ ହୋଇଛି। ଗରୀବଙ୍କ ସଂଖ୍ୟା ବହୁମାତ୍ରାରେ ହ୍ରାସ ପାଇଛି। ଆହୁରି ଅନେକ ସମସ୍ୟା ମଧ୍ୟ ରହିଛି। ଶିଳ୍ପ, ଶିକ୍ଷା, ସ୍ୱାସ୍ଥ୍ୟ, କଳା, ସଂସ୍କୃତି ତଥା ପର୍ଯ୍ୟଟନ କ୍ଷେତ୍ରରେ ଓଡ଼ିଶା ଅନେକ ବାଟ ଆଗେଇ ଯାଇଛି। ତଥାପି ଓଡ଼ିଶା ଏକ ଗରୀବ ରାଜ୍ୟର ପରିଚୟ ବହନ କରିଆସୁଛି। ଛିନ୍ନ ବିଚ୍ଛିନ୍ନ ଉତ୍କଳର ଏକତ୍ରିକରଣ ପାଇଁ ଗଠନ କରାଯାଇଥିଲା ଉତ୍କଳ ସମ୍ମିଳନୀ। ଏତିକି ବେଳେ ମଧୁସୂଦନ ଦାସ ଲେଖିଥିଲେ –

ଏହି ସମ୍ମିଳନୀ ଜାତି ପ୍ରାଣ ବିନ୍ଦୁ
କୋଟି ପ୍ରାଣବିନ୍ଦୁ ଧରେ
ତୋର ପ୍ରାଣବିନ୍ଦୁ ମିଶାଇ ଦେ ଭାଇ
ଡ଼େଇଁ ପଡ଼ି ସିନ୍ଧୁ ନୀରେ
ସେହିପରି ଗୋପବଂଧୁ ମଧ୍ୟ କବିତାରେ ଲେଖିଥିଲେ-
ମିଶୁମୋର ଦେହ ଏ ଦେଶ ମାଟିରେ
ଦେଶବାସୀ ଚାଳି ଯାଆନ୍ତୁ ପିଠିରେ
ଦେଶର ସ୍ୱରାଜ୍ୟ ପଥେ ଯେତେ ଗାଡ଼
ପୁରୁ ତହିଁ ପଡ଼ି ମୋର ମାଂସ ହାଡ଼।

ପ୍ରତି ରକ୍ତବିନ୍ଦୁରେ ଦେଶ ପ୍ରେମର ଭାବ ଜାଗ୍ରତ କରାଏ। ମଧୁସୂଦନ ଦାସ, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ, କୃଷ୍ଣ ଚନ୍ଦ୍ର ଗଜପତି, ବ୍ୟାସକବି ଫକୀରମୋହନ, ଗୋପବଂଧୁ ଦାସ, ପଣ୍ଡିତ ଗୋଦାବରୀଶ ମିଶ୍ର, କର୍ମବୀର ଗୌରୀଶଙ୍କର, ସ୍ୱଭାବ କବି ଗଙ୍ଗାଧର ମେହେର ତଥା ଉତ୍କଳ କେଶରୀ ମହତାବଙ୍କର ନିଷ୍ଠାପର ସାଧନା ତଥା ଉଦ୍ୟମରେ ଉତ୍କଳ ଆଜି ତା’ର ଏକ ସ୍ମିତି ପାଇପାରିଛି। ଆଜି ବି ଆମକୁ ଉଦ୍‌ବୁଦ୍ଧ କରାଏ ସେହି କାଳଜୟୀ ପଦ-

ମାତୃଭୂମି ମାତୃଭାଷାର ମମତା
ଯା ହୃଦେ ଜନମି ନାହିଁ
ତାକୁ ଯଦି ଜ୍ଞାନି ଗୁଣିରେ ଗଣିବା
ଓଡ଼ିଆ ରହିବେ ନାହିଁ ( ଗଙ୍ଗାଧର ମେହେର)

ଆଜି ଅନେକ ଓଡ଼ିଆ ଭାଷାଭାଷୀ ଅଞ୍ଚଳ ଆନ୍ଧ୍ର, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ମଧ୍ୟରେ ମିଶି ରହିଛି। ଯାହାକୁ ଏକତ୍ରିକରଣ କରାଯାଇପାରୁ ନାହିଁ। ଫଳରେ ପୂର୍ଣ୍ଣାଙ୍ଗ ଉତ୍କଳ ଗଠନର ସ୍ୱପ୍ନ ସତେ ଯେପରି ଆଜି ଅଧୁରା ରହିଯାଇଛି। ତଥାପି ଆଜି ପ୍ରବାସୀ ଓଡ଼ିଆମାନେ ଓଡ଼ିଆଭାଷା ଓ ସଂସ୍କୃତିକୁ ନିଜର ବୋଲି ଭାବିବା ସଂଗେସଂଗେ ନିଜକୁ ଓଡ଼ିଆ ବୋଲି ଭାବି ଗର୍ବ କରନ୍ତି।

ସାରା ବିଶ୍ୱର ମାନଚିତ୍ରରେ ଉତ୍କଳ ସୃଷ୍ଟି କରିଛି ଏକ ସ୍ୱତନ୍ତ୍ର ପରିଚୟ। ଇତିହାସର ଉତ୍କଳ, କଳିଙ୍ଗ, କଙ୍ଗୋଦ, ତୋଷଳ, କାନ୍ତାର, ଉଡ଼୍ର, ଓଡ଼୍ର ରାଜ୍ୟ ହିଁ ଆଜିର ଓଡ଼ିଶା। ଓଡ଼ିଶାର ମାଟିତଳେ ଭରି ରହିଛି ପ୍ରଚୁର ଖଣିଜ ସମ୍ପଦ। ଓଡ଼ିଆମାନେ ଉନ୍ନତ ବୁଦ୍ଧି, କୌଶଳ, ମନପ୍ରାଣ ଓ ସାହସ ଦେଇ ଏହି ଖଣିଜ ସମ୍ପଦର ସୁବିନିଯୋଗ କରିପାରିଲେ ବିଶ୍ୱ ଦରବାରରେ ଓଡ଼ିଶା ଏକ ଉନ୍ନତ ରାଜ୍ୟଭାବେ ପରିଗଣିତ ହୋଇପାରିବ।

ଆଜି ଓଡ଼ିଶାରେ ଯେଉଁ ସମସ୍ୟା ଉପୁଜିଛି ସେଥିରେ ଭାଷା ସମସ୍ୟା ହେଉଛି ମୁଖ୍ୟ । ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇଛି ସତ, ହେଲେ ଭାଷା ପ୍ରତି ଓଡ଼ିଆମାନଙ୍କର ଆନ୍ତରିକତାର ଅଭାବବୋଧ ପରିଲକ୍ଷିତ ହେଉଛି। ଦିନକୁ ଦିନ ଓଡ଼ିଆ ଭାଷାର ବ୍ୟବହାର ସଂଙ୍କୁଚିତ ହେବାରେ ଲାଗିଛି। ଆମ ଖାଦ୍ୟପ୍ରେୟ ତଥା ସାମାଜିକ ଚଳଣିରେ ମଧ୍ୟ ପରିବର୍ତ୍ତନ ଆସିଛି।

ଆମେ ସମସ୍ତେ ଯେପରି ଓଡ଼ିଆର ପରିଚୟ ଦେଇ ବଂଚିବାକୁ ଆଉ ଚାହୁଁ ନାହୁଁ। ଆମର ଭାଷା, ସଂସ୍କୃତି ଓ ପରମ୍ପରା ସବୁ ଯେପରି କାଳର କରାଳ ଗତିରେ ଲୀନ ହେବାକୁ ବସିଲାଣି। ଆମ ପିଲାମାନଙ୍କର ମୁହଁରୁ ଇଂରେଜ ଭାଷା ଦ୍ୱିପଦ ଶୁଣି ଆମେ ଯେପରି କୃତ୍ୟକୃତ୍ୟ ହେଉଛୁ ଓଡ଼ିଆ ଭାଷାର ଅନ୍ଧାରୀ ଭବିଷ୍ୟତ ବିଷୟରେ ଥରେ ବି ଚିନ୍ତା କରିବାକୁ ସୁଯୋଗ ପାଉନାହୁଁ। ହେଲେ ବିଳପି ଉଠୁଛି ଆଜି ମା ଉତ୍କଳର ଆତ୍ମା। ଅଶ୍ରୁଳ ଆଖିରେ ସେ ଚାହିଁ ରହିଛି ଉତ୍କଳୀୟମାନଙ୍କର ଦୟା ଆଉ ଅନୁକମ୍ପାକୁ।

ଆଜି ସମୟ ଆସିଛି ଚିନ୍ତା କରିବାକୁ। ଉତ୍କଳର ଭାଷା ସଂସ୍କୃତି ଓ ପରମ୍ପରାକୁ। କିଭଳି ସବୁଦିନ ବଞ୍ଚାଇ ରଖିବାକୁ। ହେଲେ ଚିନ୍ତା କରିବାକୁ ହେବ ପ୍ରତ୍ୟକ ଓଡ଼ିଆଙ୍କୁ। ମନ ଓ ହୃଦୟ ଭିତରେ ପରିବର୍ତ୍ତନ ଆଣିବାକୁ। ଭାଷା, ସଂସ୍କୃତି ଓ ପରମ୍ପରା ପ୍ରତି ଗଭୀର ଆନ୍ତରିକତା ତଥା ଶ୍ରଦ୍ଧା ରଖିବାକୁ। ସ୍ୱାର୍ଥ, ମୋହ, ଲୋଭ ଠାରୁ ଦୂରରେ ରହି ଉତ୍କଳ ମାଆର ସେବାରେ ଜୀବନକୁ ଉତ୍ସର୍ଗ କରିବାକୁ ହେବ।

ଆମେ ଆମର ବାପାକୁ ବାପ ବୋଲି ନଡ଼ାକି ମଉସାକୁ ବାପବୋଲି ସମ୍ବୋଧନ କରି ଗର୍ବ ଅନୁଭବ କରୁଛେ। ପଦେ ଇଂରେଜି କହିଦେଲେ ଗର୍ବରେ ଫାଟି ପଡ଼ୁଛେ । ତେଣୁ ଏହି ପରିପ୍ରେକ୍ଷୀରେ ଆଜିର ଏହି ପବିତ୍ର ଦିବସରେ ପ୍ରତ୍ୟକ ଓଡ଼ିଆର ହୋଇଉଠୁ ଏକ ଆଦର୍ଶ ଅନୁଚିନ୍ତା, ଯେଉଁ ଅନୁଚିନ୍ତା ଗଢିତୋଳୁ ଏକ ଉତ୍କୃଷ୍ଟ ରାଜ୍ୟ ନବ ଉତ୍କଳ। ଜୟ ମା ଉତ୍କଳଜନନୀ, ତୁମ ଚରଣେ ଶତ ପ୍ରଣାମ।

(ଲେଖକ ହେଉଛନ୍ତି ରାଜ୍ୟ ସଭାପତି, ଓଡ଼ିଶା ସାମ୍ବାଦିକ ସୁରକ୍ଷା ସଂଗଠନ ସାମନ୍ତରାପୁର, ପୁରୁଣା ଭୁବନେଶ୍ୱର, ମୋ- ୭୮୪୮୮୯୮୪୫୬)

Categories
ଆଜିର ଖବର ଜାତୀୟ ଖବର

ନୂଆଦିଲ୍ଲୀରେ ଉତ୍କଳ ଦିବସ ପାଳନ

ନୂଆଦିଲ୍ଲୀ: ଏ ବର୍ଷ ନୂଆଦିଲ୍ଲୀ ସ୍ଥିତ ଗାନ୍ଧୀ ଭଵନ, ନର୍ଥ କ୍ୟାମ୍ପସ ଠରେ ଉତ୍କଳ ଦିବସ ପାଳନ କଲା ଦିଲ୍ଲୀ ଓଡ଼ିଆ ଷ୍ଟୁଡେଣ୍ଟ ଆସୋସିଏସନ ବା ଦୋସା। ଏହି ପରିପ୍ରେକ୍ଷୀରେ ମୂଖ୍ୟ ଅତିଥି ରୂପେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ଵର ସାଂସଦ ଶ୍ରୀ ପ୍ରତାପ ଷଡ଼ଙ୍ଗୀ ଯୋଗ ଦେଇଥିଲେ।

ସେ ଓଡ଼ିଶା ଦିବସ ପାଳନର ଆଭିମୁଖ୍ୟ ତଥା ଓଡିଶାର ବରପୁତ୍ର ମାନଙ୍କ ଅବଦାନ, ଓଡ଼ିଆ ଭାଷା ସଂସ୍କୃତି ଏବଂ ଇତିହାସ ବିଷୟରେ ତାଙ୍କ ଅଭିଭାଷଣରେ ଆଲୋକପାତ କରିଥିଲେ।
ଅନ୍ୟ ଅତିଥି ମାନଙ୍କ ଭିତରେ ଦିଲ୍ଲୀ ବିଶ୍ଵବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ବିଶ୍ୱଜିତ ପାଣି, ମିରିଣ୍ଡା ହାଉସ ଅଧ୍ୟକ୍ଷା ବିଜୟଲକ୍ଷ୍ମୀ ନନ୍ଦ, ପ୍ରଫେସର କମଳାକାନ୍ତ ପ୍ରମୂଖ ଯୋଗ ରାଜନୀତିରେ ଶିକ୍ଷିତ ଯୁବ ସମାଜର ଭୂମିକା ବିଷୟରେ ଆଲୋଚନା କରି ଥିଲେ।

ତତ ସଂଗେ ସଂଗେ ଦୋସା ତରଫରୁ ମାଗଜିନ ମାଲାଞ୍ଚ ଲୋକାର୍ପଣ କରାଯିବା ସହ ଓଡ଼ିଆ ସଙ୍ଗୀତ, ସମ୍ବଲପୁରୀ ନୃତ୍ୟ ଓ କାର୍ଯ୍ୟକ୍ରମ ଶେଷରେ ରାତ୍ର ଭୋଜନରେ ସୁସ୍ୱାଦୁ ଓଡ଼ିଆ ଖାଦ୍ୟର ଵିଶେଷ ଆୟୋଜନ କରାଯାଇଥିଲା। ଏହି ଉତ୍ସବଟିକୁ ଦୋସାର ସଭାପତି ଅଖଫାନ୍ ବେହେରା, ଉପସଭାପତି ଅନୁଷ୍କା ଭୂୟାଁ ଓ ବିଶ୍ୱ ବିଦ୍ୟାଳୟର ଅନେକ ଛାତ୍ର ଛାତ୍ରୀ ସହଯୋଗ କରିଥିଲେ। ଏହି ଉତ୍ସବରେ ନୂଆଦିଲ୍ଲୀର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଓ ସାମାଜିକ ସଂଗଠନ ମଧ୍ୟ ଯୋଗ ଦେଇଥିଲେ

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ବିଶ୍ୱବ୍ୟାପି ରିଲିଜ୍ ହେଲା “ଉତ୍କଳ ଜନନୀ ମମତାମୟୀ”

ଭୁବନେଶ୍ଵର: ପବିତ୍ର ଉତ୍କଳ ଦିବସରେ ଭୁବନେଶ୍ୱରସ୍ଥିତ ରୋଟାରୀ କ୍ଲବ ଅଡିଟୋରିୟମରେ  ପଦ୍ମଶ୍ରୀ ବାବା ବଳିଆଙ୍କ ରଚିତ ପବିତ୍ର ପଟ୍ଟନାୟକଂକ ସଂଗୀତ ନିର୍ଦ୍ଦେଶନାର ଦେଶାତ୍ମବୋଧକ ସଂଗୀତ “ଉତ୍କଳ ଜନନୀ ମମତାମୟୀ” ସଂଗୀତ ଲୋକାର୍ପିତ ହୋଇଯାଇଛି। ଓଡିଶାର ଆଗ ଧାଡିର ୧୦ ଜଣ କଂଠଶିଳ୍ପୀ ଏହି ସଙ୍ଗୀତକୁ ଗାଇଛନ୍ତି।

ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ବାବା ବଳିଆ ଯୋଗ ଦେଇଥିବା ବେଳେ ସମ୍ମାନୀତଅତିଥି୍ ଭାବେ ବିଶ୍ଵ ଓଡ଼ିଆ ଡକ୍ଟର ସୁରେନ୍ଦ୍ର ନାଥ ମହାପାତ୍ର ସଭାପତି ବିଶ୍ୱ ଓଡିଆ ମହାସଂଘ, ଶ୍ରୀ ଚୈତନ୍ୟ ପାଇକ ସଭାପତି ଓଡିଶା କଳାକାର ମହାସଂଘ, ଶୁଭଶ୍ରୀ ଦାଶ ସମାଜ ସେବିକା ତଥା ନିର୍ଦ୍ଦେଶିକା ଆଇଏସ୍ ଡି ଓ ସଂଗୀତ ନିର୍ଦ୍ଦେଶକ ପବିତ୍ର ପଟ୍ଟନାୟକ।

ଏହି ସ୍ବତନ୍ତ୍ର ଗୀତ ଟିରେ କଣ୍ଠଦାନ କରିଛନ୍ତି କଣ୍ଠଶିଳ୍ପୀ ସତ୍ୟଜିତ୍ ଶଶାଂକ, ସ୍ୱୟମ୍ ପାଢୀ, ପିକେ, କୁମାର ଦିଲ୍ଲୀପ ଅନ୍ତରା ଚକ୍ରବର୍ତ୍ତୀ, ଜାଗ୍ରୁତି ମିଶ୍ର, ପ୍ରତିଭା ପ୍ରଧାନ, ସ୍ନେହା ବେବର୍ତ୍ତା ଓ ସସ୍ମିତା ମହାନ୍ତି। ସଂଗୀତ ଉନ୍ମୋଚନ ଉତ୍ସବକୁ ସଂଚାଳନା କରି ଥିଲେ ସହକାରୀ ସଂଗୀତ ନିର୍ଦ୍ଦେଶକ ନିହାର ଆଚାର୍ଯ୍ୟ। ବିଶ୍ୱର ୪୦ ଟି ଦେଶରେ ଏ ଗୀତର ଭିଡିଓ ରିଲିଜ୍ ହେବାକୁ ଯାଉଛି।

Categories
ଆଞ୍ଚଳିକ

ଉତ୍କଳ ଦିବସ: ଜିଲ୍ଲା ପ୍ରଶାସନ ପକ୍ଷରୁ ଖୋର୍ଦ୍ଧା ସହର ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ

ଖୋର୍ଦ୍ଧା: ଉତ୍କଳ ଦିବସ ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଖୋର୍ଦ୍ଧା ସହର ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରାଯାଇଛି। ଖୋର୍ଦ୍ଧା କୋର୍ଟ ପରିସରସ୍ଥ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୁପଶ୍ରୀରାଣୀ ଗୁମାନସିଂ, ଖୋର୍ଦ୍ଧା ପୌରାଧ୍ୟକ୍ଷା କନକଲକ୍ଷ୍ମୀ ମହାନ୍ତି, ବିଧାୟକ ଜ୍ୟୋତିରିନ୍ଦ୍ରନାଥ ମିତ୍ର, ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ମନୋଜ ପାଢୀଙ୍କ ସମେତ ଖୋର୍ଦ୍ଧା ଓକିଲ ସଂଘର କର୍ମକର୍ତ୍ତା, ବୁଦ୍ଧିଜିବୀମାନେ ପୁଷ୍ପମାଲ୍ୟାର୍ପଣ କରିଥିଲେ।

ପରେ ବିଜେବି ହାଇସ୍କୁଲ ପରିସର ବକ୍ସି ଜଗବନ୍ଧୁ, ସମବାୟ ବ୍ୟାଙ୍କ ଛକ ପ୍ରାଣନାଥ ପଟ୍ଟନାୟକ ଏବଂ ପଞ୍ଚ ପାଇକ ଛକ ସ୍ଥିତ ପଞ୍ଚ ପାଇକଙ୍କ ପୀଠରେ ପୁଷ୍ପମାଲ୍ୟାର୍ପଣ କରାଯାଇଥିଲା। ଏଥିସହିତ ମେଡିକାଲରେ ରୋଗୀଙ୍କୁ ଫଳ ବଣ୍ଟନ କରାଯାଇଥିଲା। ସନ୍ଧ୍ୟାରେ ଟାଉନହଲରେ ସଭା ଓ ସାସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

Categories
ଆଜିର ଖବର ଜାତୀୟ ଖବର

ଓଡିଶା ଦିବସ ଉପଲକ୍ଷେ ରାଷ୍ଟ୍ରପତି ରାମନାଥ କୋବିନ୍ଦ କଣ କହିଲେ

ନୂଆଦିଲ୍ଲୀ: ଆଜି ଓଡିଶା ଦିବସ ଉପଲକ୍ଷେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓଡିଶାବାସୀଙ୍କ ଅଭିନନ୍ଦନ ଜଣାଇଛନ୍ତି। ସେ ଏକ ଟୁଇଟ କରି ଅଭିନନ୍ଦନ ସହିତ ଶୁଭେଚ୍ଛା ଜଣାଇଛନ୍ତି।

ସେ ଟୁଇଟ କରି କହିଛନ୍ତି ଯେ,

ଓଡ଼ିଶା ଦିବସରେ ରାଜ୍ୟବାସୀଙ୍କୁ ମୋର ଶୁଭେଚ୍ଛା। ହେଉଛି ଓଡିଶା ପ୍ରଭୃ ଜଗନ୍ନାଥ, ପ୍ରଭୃ ଲିଙ୍ଗରାଜ, କୋଣାର୍କ ଏବଂ ଅନ୍ୟାନ୍ୟ ସମୃଦ୍ଧ ଐତିହ୍ୟର ମନ୍ଦିରର ଭୂମି। ଓଡ଼ିଶା ବିଶ୍ୱକୁ ହିଂସାଠାରୁ ଦୂରେଇ ରହି ଶାନ୍ତି ଏବଂ ପ୍ରେମର ବାର୍ତ୍ତା ଦେଇଥିଲା। ରାଜ୍ୟର ଅଗ୍ରଗତି ପାଇଁ ମୋର ଶୁଭେଚ୍ଛା।

Categories
ଆଜିର ଖବର ଜାତୀୟ ଖବର

ଉତ୍କଳ ଦିବସ ଉପଲକ୍ଷେ ପ୍ରଧାନମନ୍ତ୍ରୀଙ୍କ ଓଡିଶାବାସୀଙ୍କୁ ଅଭିନନ୍ଦନ

ନୂଆଦିଲ୍ଲୀ: ଆଜି ଉତ୍କଳ ଦିବସ ଉପଲକ୍ଷେ ଓଡିଶା ବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେ ଏକ ଟୁଇଟି କରି ଓଡିଶୀବାସୀଙ୍କୁ ମୋର ଅଭିନନ୍ଦନ ବୋଲି କହିଛନ୍ତି।

ଟୁଇଟରେ ମୋଦୀ କହିଛନ୍ତି ଯେ, “ଉତ୍କଳ ଦିବସର ବିଶେଷ ଉତ୍ସବରେ ଓଡିଶାବାସୀଙ୍କୁ ଶୁଭେଚ୍ଛା। ଭାରତର ପ୍ରଗତିରେ ଓଡିଆ ଲୋକମାନେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଉଛନ୍ତି ଏବଂ ଓଡିଆ ସଂସ୍କୃତି ସର୍ବଭାରତୀୟ ସ୍ତରରେ ପ୍ରଶଂସିତ। ଭବିଷ୍ୟତରେ ଓଡ଼ିଶାର ବିକାଶ ପାଇଁ ମୁଁ ପ୍ରାର୍ଥନା କରୁଛି।”