Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଓଡ଼ିଶୀ ଗବେଷଣା କେନ୍ଦ୍ରରେ ‘ଓଡ଼ିଶୀ ଆସର’

ଭୁବନେଶ୍ୱର: ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ପ୍ରସ୍ତୁତ “ଓଡ଼ିଶୀ ଆସର” ଓଡ଼ିଶୀ ଗବେଷଣା କେନ୍ଦ୍ରର ନିଜସ୍ୱ ପ୍ରେକ୍ଷାଳୟ “ଉତ୍କଳ ରଂଗମଞ୍ଚ”ରେ ଶୁକ୍ରବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ଉଭୟ ଓଡ଼ିଶୀ ନୃତ୍ୟ ଓ ଓଡ଼ିଶୀ ସଂଗୀତର ଭାବଧାରାକୁ ନେଇ ଏହି କାର୍ଯ୍ୟକ୍ରମର ଆୟୋଜନ ପ୍ରତି ମାସର ଶେଷ ସପ୍ତାହରେ ଅନୁଷ୍ଠିତ ହୋଇଥାଏ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶୀ ଗବେଷଣା କେନ୍ଦ୍ରର ଗୁରୁ ଏବଂ ଶିକ୍ଷାନବୀଶ ତଥା ଛାତ୍ରଛାତ୍ରୀମାନେ ସଂଗୀତ ଓ ନୃତ୍ୟ ପରିବେଷଣ କରିଥାଆନ୍ତି। ଓଡ଼ିଶୀ ସଂଗୀତର ଶାସ୍ତ୍ରୀୟ ମାନ୍ୟତା ଉଦ୍ଦେଶ୍ୟରେ ଏହା ସରକାରୀ ସ୍ତରରେ ଅନନ୍ୟ ପଦକ୍ଷେପ।

ଅନୁଷ୍ଠିତ ଏହି “ଓଡ଼ିଶୀ ଆସର” କାର୍ଯ୍ୟକ୍ରମର ପ୍ରାରମ୍ଭରେ ସୁନିତାରାଣୀ ବିଶ୍ୱାଳ (ଏକକ ଗାୟନ), ଅର୍ପିତା ସାହୁ ଏବଂ ସ୍ମୃତିରେଖା ପ୍ରତିହାରୀ (ଦ୍ୱେତ ଗାୟନ), ରାସବିହାରୀ ନାଥ, ଅତିଥି କଳାକାର (ଏକକ ଗାୟନ) ଓଡ଼ିଶୀ ସଂଗୀତ ପରିବେଷଣ କରିଥିଲେ। ପରେ ପରେ ମର୍ଦ୍ଦଳ ବାଦନ ପରିବେଷଣ କରିଥିଲେ ସୌମ୍ୟରଞ୍ଜନ ନାୟକ, ଅତିଥି କଳାକାର ଏବଂ କାର୍ଯ୍ୟକ୍ରମ ଶେଷରେ ଏକକ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ, ଅତିଥି କଳାକାର ମିନତୀ ପ୍ରଧାନ। ବାଦ୍ୟଯନ୍ତ୍ରରେ ସେମାନଙ୍କୁ ସହଯୋଗ କରିଥିଲେ – ଗୁରୁ କେଶବ ଚନ୍ଦ୍ର ରାଉତ, ସ୍ୱପ୍ନେଶ୍ୱର ଚକ୍ରବର୍ତ୍ତୀ (ସୀତାର୍‌), ରମେଶ ଚନ୍ଦ୍ର ଦାଶ (ବେହେଲା), କାଳନ୍ଦୀ ଚରଣ ପରିଡ଼ା (ମର୍ଦ୍ଦଳ)।

ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ ନିର୍ବାହୀ ସୁବୋଧ ଚନ୍ଦ୍ର ଆଚାର୍ଯ୍ୟଙ୍କ ପୌରହିତ୍ୟରେ ଉକ୍ତ କାର୍ଯ୍ୟକ୍ରମକୁ ସଂଯୋଜନା ଓ ପରିଚାଳନା କରିଥିଲେ ଓଡ଼ିଶୀ ଗବେଷଣା କେନ୍ଦ୍ରର ପ୍ରଶାସନିକ ଅଧିକାରୀ ଅନୁଜା ତାରିଣୀ ମିଶ୍ର। ଉକ୍ତ କାର୍ଯ୍ୟକ୍ରମ ଦର୍ଶକ ମହଲରେ ବେଶ୍ ଆଦୃତ ହେବା ସହିତ ଏହିପରି କାର୍ଯ୍ୟକ୍ରମ ଅଧିକ ଆୟୋଜନ ହେବା ନିମନ୍ତେ ଦର୍ଶକ ମହଲରେ ଆଲୋଚନା ପ୍ରକାଶ ପାଇଛି।