Categories
ଅପରାଧ ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ନକଲି ଔଷଧର ଉତ୍ତରପ୍ରଦେଶ ଲିଙ୍କ୍ ଉପରେ କାର୍ଯ୍ୟାନୁଷ୍ଠାନ: ବଡ଼ଧରଣର ରାକେଟର ପର୍ଦ୍ଦାଫାଶ୍

ଭୁବନେଶ୍ୱର: ନକଲି ଔଷଧ କାରବାର ବିରୁଦ୍ଧରେ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଉତ୍ତର ପ୍ରଦେଶ ଲିଙ୍କ୍ ସଙ୍କେତ ଉପରେ ଠୋସ୍ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଓଡ଼ିଶା ସରକାର ଉତ୍ତର ପ୍ରଦେଶ ସରକାରଙ୍କୁ ଦେଇଥିବା ସୂଚନା ଓ ତଥ୍ୟ ଭିତ୍ତିରେ ଉତ୍ତର ପ୍ରଦେଶ ଷ୍ଟେଟ୍ ଟାକ୍ସ ଫୋର୍ସ ସନ୍ଦେହ ଜନକ ସ୍ଥାନରେ ଗତକାଲି ଚଢାଉ କରିଥିଲେ। ଓଡ଼ିଶାର ବରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାରୁ ମିଳିଥିବା ସମସ୍ତ ଔଷଧ ଉତ୍ତର ପ୍ରଦେଶରୁ ଅଣାଯାଇଥିବାର ଏହି ଚଢାଉରୁ ଜଣାପଡିଥିଲା।

ସିକନ୍ଦରାବାଦ ପୋଲିସ ଷ୍ଟେସନ୍ ଅନ୍ତର୍ଗତ ବୁଲନ୍ଦସହରର ଅଶୋକ କୁମାରଙ୍କର ଏକ ଘର ଚଢାଉରୁ ସେ ସମସ୍ତ ଔଷଧର ମହଜୁଦି ବିଷୟ ଜଣାପଡିଥିଲା। ତାଙ୍କୁ ଗିରଫ୍ କରାଯାଇ ତାଙ୍କର ସ୍ୱୀକାରୋକ୍ତି ଭିତ୍ତିରେ ଲହତାରା ଥାନା ଅନ୍ତର୍ଗତ ଅନ୍ୟ ଏକ ଗୋଦାମ ଉପରେ ମଧ୍ୟ ଚଢାଉ କାରଯାଇଥିଲା। ସେଠାରୁ ବହୁ ପରିମାଣର ନକଲି ଔଷଧ ଓ ନଗଦ ଟଙ୍କା ଜବତ ହୋଇଥିଲା। ଜବତ ହୋଇଥିବା ଔଷଧର ମୂଲ୍ୟ ପ୍ରାୟ ୭.୩୫ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ନଗଦ ଆକାରରେ ଚଢଉସ୍ଥାନରୁ ୪ ଲକ୍ଷ ଟଙ୍କା ମିଳିଛି। ଏହି ଚଢାଉ ଏକ ବଡ଼ଧରଣର ନକଲି ଔଷଧ ରାକେଟର ପର୍ଦ୍ଦାଫାଶ୍ କରିଛି।

ସୂଚନାଯୋଗ୍ୟ, ଚଳିତ ବର୍ଷ ଫେବୃଆରୀ ମଧ୍ୟ ଭାଗରେ ଆନ୍ତଃରାଜ୍ୟ ନକଲି ଔଷଧ ଅନୁସନ୍ଧାନ ପାଇଁ ଓଡ଼ିଶା ସରକାର ସ୍ୱତନ୍ତ୍ର ଟିମ୍ ଗଠନ କରି ଉତ୍ତର ପ୍ରଦେଶ ପଠାଇଥିଲେ। ଏହି ତଦନ୍ତରେ ସହାୟତା ନିମନ୍ତେ ଓଡ଼ିଶାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଶାସନ ସଚିବ ଶାଳିନୀ ପଣ୍ଡିତ୍ ଉତ୍ତର ପ୍ରଦେଶ ସରକାରଙ୍କ ସଂପୃକ୍ତ ବିଭାଗର ପ୍ରମୁଖ ଶାସନ ସଚିବଙ୍କୁ ଚିଠି ମାଧ୍ୟମରେ ଅନୁରୋଧ କରିଥିଲେ। ଓଡ଼ିଶା ଟିମଙ୍କଠାରୁ ପ୍ରାପ୍ତ ସୂଚନା ଭିତ୍ତିରେ ଉତ୍ତର ପ୍ରଦେଶର ବିଭିନ୍ନ ସ୍ଥାନରେ ଚଢାଉ, ଗିରଫ୍ ଓ ପଚରା ଉଚୁରା ଜାରି ରହିଛି। ରାଜ୍ୟ ସରକାର ପଠାଇଥିବା ସ୍ୱତନ୍ତ୍ର ଟିମ୍ ତାଙ୍କର ଅନୁସନ୍ଧାନ କାର୍ଯ୍ୟ ଚଳାଇ ରଖିଛନ୍ତି।