Categories
ଆଜିର ଖବର

ପ୍ରକାଶ ପାଇଲା ଦଶମ ପରୀକ୍ଷା ଫଳ: ଉତ୍ତୀର୍ଣ୍ଣ ହେଲେ ୯୭.୮୯ ପ୍ରତିଶତ ଛାତ୍ରଛାତ୍ରୀ

ଭୁବନେଶ୍ବର: ଆଜି ରାଜ୍ୟରେ ଦଶମ ପରୀକ୍ଷା ଫଳ ପ୍ରକାଶ ପାଇଛି। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଦଶମ ପରୀକ୍ଷା ଫଳ ଘୋଷଣା କରିଛନ୍ତି। ତେବେ ମୋଟ ୯୭.୮୯ ପ୍ରତିଶତ ଛାତ୍ରଛାତ୍ରୀ ଏହି ପରୀକ୍ଷାରେ ପାସ୍ କରିଛନ୍ତି। ସେହିପରି ଚଳିତ ବର୍ଷ ଏକ୍ସରେଗୁଲାରରେ ୮୮.୩୩ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି।

ଚଳିତ ମାଟ୍ରିକ ପରୀକ୍ଷାରେ ମୋଟ ୫ ଲକ୍ଷ ୭୪ ହଜାର ୧୨୫ ଜଣ ଛାତ୍ରଛାତ୍ରୀଙ୍କର ମୂଲ୍ୟାୟନ ହୋଇଥିବା ବେଳେ ୫ ଲକ୍ଷ ୬୨ ହଜାର ୧୦ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭ ହଜାର ୭୦୩ ଜଣ ଛାତ୍ରଛାତ୍ରୀ ପରୀକ୍ଷାରେ ବିଫଳ ହୋଇଥିବା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ପାସ୍‌ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୬୫୬ ଜଣ ଏ-୧ ଗ୍ରେଡ୍‌ ପାଇଥିବା ବେଳେ, ୨୨ ହଜାର ୧୩୧ ଜଣ ଏ-୨ ଗ୍ରେଡ୍, ୫୨ ହଜାର ୧୯୯ ଜଣ ବି-୧ ଗ୍ରେଡ୍, ୯୪ ହଜାର ୪୭୫ ଜଣ ବି-୨ ଗ୍ରେଡ୍‌ ପାଇଛନ୍ତି। ସେହିଭଳି ଏକ୍ସରେଗୁଲାରରେ ୫୩ ହଜାର ୨୭୯ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୪୭ ହଜାର ୬୦ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି।

୫୯୪୫ଟି ସ୍କୁଲରେ ଶତ ପ୍ରତିଶତ ପିଲା ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଚଳିତ ବର୍ଷ କୌଣସି ବିଦ୍ୟାଳୟରେ ଶୂନ୍ୟ ରେଜଲ୍ଟ ହୋଇନାହିଁ।

ଉଲ୍ଲେଖ ଯୋଗ୍ୟ ଯେ, ଏହି ପରୀକ୍ଷା ଫଳକୁ ନେଇ ଯେଉଁ ଛାତ୍ରଛାତ୍ରୀ ସନ୍ତୁଷ୍ଟ ନହେବେ, ସ୍ଥିତି ଠିକ ହେବା ପରେ ସେମାନେ ଅଫଲାଇନରେ ପରୀକ୍ଷା ଦେଇପାରିବେ। ତେବେ ୱେବସାଇଟରେ ଏହାରରେଜଲ୍ଟ ଉପଲବ୍ଧ ହେଉଛି। www.bseodisha.ac.in ୱେବସାଇଟରେ ପରୀକ୍ଷା ଫଳ ଉପଲବ୍ଧ ହେଉଛି। ଏହାସହ www.bseodisha.nic.in ୱେବସାଇଟରେ ମଧ୍ୟ ପରୀକ୍ଷା ଫଳ ଛାତ୍ରଛାତ୍ରୀ ଦେଖିପାରିବେ। ଇଣ୍ଟରନେଟ୍ ସୁବିଧା ନଥିବା ଛାତ୍ରଛାତ୍ରୀମାନେ ଏସଏମଏସ ମାଧ୍ୟମରେ ପରୀକ୍ଷା ଫଳ ଜାଣିପାରିବେ। OR01<ROLL NO> ଲେଖି ଛାତ୍ରଛାତ୍ରୀମାନେ ୫୬୭୬୭୫୦କୁ ଏସଏମଏସ କଲେ ପରୀକ୍ଷା ଫଳ ମିଳିବ।