Categories
ଆଜିର ଖବର ଜାତୀୟ ଖବର

ଆଇଟି ହାର୍ଡୱେର ପାଇଁ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ଯୋଜନା– ୨.୦କୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଆଇଟି ହାର୍ଡୱେର ପାଇଁ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ (ପିଏଲଆଇ) ଯୋଜନା ୨.୦କୁ ମଞ୍ଜୁରି ମିଳିଛି। ଏହି ଯୋଜନା ପାଇଁ ମୋଟ୍‌ ୧୭ ହଜାର କୋଟି ଟଙ୍କାର ବଜେଟ୍‌ ବ୍ୟୟବରାଦ କରାଯାଇଛି।

ପରିଦୃଶ୍ୟ:

ବିଗତ ଆଠ ବର୍ଷ ମଧ୍ୟରେ ଭାରତରେ ବୈଦ୍ୟୁତିକ ସାମଗ୍ରୀ ବା ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ୧୭% ସିଏଜିଆର ହାରରେ କ୍ରମାଗତ ଭାବେ ବୃଦ୍ଧି ପାଉଛି। ଚଳିତ ବର୍ଷ ଉତ୍ପାଦନ କ୍ଷେତ୍ରରେ ଏକ ନୂଆ ରେକର୍ଡ ପ୍ରତିଷ୍ଠା ହୋଇଛି। ଉତ୍ପାଦନ ପରିମାଣ ଚଳିତ ବର୍ଷ ୧୦୫ ବିଲିୟନ ଆମେରିକୀୟ ଡଲାର ବା ପ୍ରାୟ ୯ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି।

ଭାରତ ବିଶ୍ୱର ଦ୍ୱିତୀୟ ସର୍ବବୃହତ ମୋବାଇଲ ଫୋନ୍‌ ନିର୍ମାତାରେ ପରିଣତ ହୋଇଛି ଚଳିତ ବର୍ଷ ହୋଇପାରିଛି। ଚଳିତ ବର୍ଷ ମୋବାଇଲ ଫୋନ୍‌ ରପ୍ତାନି ପରିମାଣ ୧୧ ବିଲିୟନ ଆମେରିକୀୟ ଡଲାର (ପ୍ରାୟ ୯୦ ହଜାର କୋଟି ଟଙ୍କା) ଛୁଇଁବା ସହିତ ଏକ ବୃହତ ମାଇଲଖୁଣ୍ଟ ହାସଲ କରିଛି।

ବିଶ୍ୱ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ଇକୋସିଷ୍ଟମ ଭାରତକୁ ଆସୁଛି ଏବଂ ଭାରତ ଏବେ ବିଶ୍ୱର ଏକ ପ୍ରମୁଖ ବୈଦ୍ୟୁତିକ ସାମଗ୍ରୀ ନିର୍ମାତା ଭାବେ ଉଭା ହେଉଛି।

ପୂର୍ବରୁ ମୋବାଇଲ ଫୋନ ପାଇଁ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ (ପିଏଲଆଇ) ଯୋଜନା ଘୋଷଣା କରାଯାଇଥିଲା, ଏହାର ସଫଳତାକୁ ଦେଖି ଏବେ କେନ୍ଦ୍ର କ୍ୟାବିନେଟ ଆଇଟି ହାର୍ଡୱେର ପାଇଁ ପିଏଲଆଇ ଯୋଜନା ୨.୦କୁ ଅନୁମୋଦନ କରିଛନ୍ତି।

ପ୍ରମୁଖ ବୈଶିଷ୍ଟ୍ୟ:

ଆଇଟି ହାର୍ଡୱେର ପାଇଁ ଘୋଷଣା କରାଯାଇଥିବା ପିଏଲଆଇ ଯୋଜନା ୨.୦ରେ ଲାପଟପ, ଟାବଲେଟ୍‌, ଅଲ୍‌ ଇନ୍‌ ୱାନ ପିସି, ସର୍ଭର ଏବଂ ଅଲଟ୍ରା ସ୍ମଲ ଫର୍ମ ଫ୍ୟାକ୍ଟର ଡିଭାଇସଗୁଡ଼ିକୁ ସାମିଲ କରାଯାଇଛି

ଯୋଜନା ପାଇଁ ୧୭ ହଜାର କୋଟି ଟଙ୍କାର ବଜେଟ୍‌ ବ୍ୟବସ୍ଥା ହୋଇଛି

ଯୋଜନାର ଅବଧି ୬ ବର୍ଷ ରଖାଯାଇଛି

ଏହାଦ୍ୱାରା ୩.୩୫ ଲକ୍ଷ କୋଟି ଟଙ୍କାର ବର୍ଦ୍ଧିତ ଉତ୍ପାଦନ ହେବ ବୋଲି ଆଶା କରାଯାଉଛି

ଯୋଜନା କାର୍ଯ୍ୟକାରୀ ହେଲେ ମୋଟ୍‌ ୨,୪୩୦ କୋଟି ଟଙ୍କାର ବର୍ଦ୍ଧିତ ପୁଞ୍ଜିନିବେଶ ହେବ

ସେହିପରି ୭୫,୦୦୦ ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି

ମହତ୍ୱ:

ସବୁ ପ୍ରମୁଖ ବୈଶ୍ୱିକ ସଂସ୍ଥା ପାଇଁ ଭାରତ ଏକ ବିଶ୍ୱସନୀୟ ଯୋଗାଣ ଶୃଙ୍ଖଳା ସହଯୋଗୀ ଭାବେ ଉଭା ହେଉଛି। ବଡ଼ ଆଇଟି ହାର୍ଡୱେର କମ୍ପାନୀମାନେ ଭାରତରେ ଉତ୍ପାଦନ କାରଖାନା ପ୍ରତିଷ୍ଠା କରିବା ଲାଗି ଆଗ୍ରହ ପ୍ରକାଶ କରୁଛନ୍ତି। ଆହୁରି ଏଥିପାଇଁ ଏକ ଦୃଢ଼ ଆଇଟି ସେବା ଉଦ୍ୟୋଗର ସମର୍ଥନ ରହିଛି ଏବଂ ଦେଶ ଭିତରେ ଏହାର ଭଲ ଚାହିଦା ରହିଛି।

ଅଧିକାଂଶ ବଡ଼ କମ୍ପାନୀ ଭାରତରେ ଥିବା କାରଖାନାରୁ ଘରୋଇ ବଜାରକୁ ସାମଗ୍ରୀ ଯୋଗାଣ କରିବା ସହିତ ଭାରତକୁ ଏକ ରପ୍ତାନି କେନ୍ଦ୍ରରେ ପରିଣତ କରିବା ଲାଗି ଆଗ୍ରହ ପ୍ରକାଶ କରିବେ।

Categories
PIB_NEWS ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଅଟୋ, ଡ୍ରୋନ ଉଦ୍ୟୋଗ ପାଇଁ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ଯୋଜନାକୁ ସରକାରଙ୍କ ମଞ୍ଜୁରି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଆତ୍ମନିର୍ଭର ଭାରତ’ ସଂକଳ୍ପ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ସରକାର ଅଟୋମୋବାଇଲ ଏବଂ ଡ୍ରୋନ ଉଦ୍ୟୋଗ କ୍ଷେତ୍ର ପାଇଁ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ (ପିଏଲଆଇ) ଯୋଜନାକୁ ମଞ୍ଜୁର କରିଛନ୍ତି। ଏହି ଉଦ୍ଦେଶ୍ୟ ନିମନ୍ତେ ୨୬, ୦୫୮ କୋଟି ଟଙ୍କାର ବଜେଟ ବ୍ୟୟବରାଦ କରାଯାଇଛି। ଅଟୋ କ୍ଷେତ୍ର ପାଇଁ ଏହି ପିଏଲଆଇ ଯୋଜନା ଉଚ୍ଚ ମୂଲ୍ୟର ଉନ୍ନତ ଅଟୋମୋଟିଭ ପ୍ରଯୁକ୍ତି ବାହନ ଏବଂ ଉତ୍ପାଦନକୁ ପ୍ରୋତ୍ସାହିତ କରିବ। ଉନ୍ନତ ପ୍ରଯୁକ୍ତି, ଅଧିକ ଦକ୍ଷ ଏବଂ ସବୁଜ ଅଟୋମୋଟିଭ ଉତ୍ପାଦନ କ୍ଷେତ୍ରରେ ଏହା ଏକ ନୂତନ ଯୁଗର ଅୟମାରମ୍ଭ କରିବ।

ଏଥିପୂର୍ବରୁ ୨୦୨୧-୨୨ କେନ୍ଦ୍ର ବଜେଟରେ ୧.୯୭ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ ସହିତ ୧୩ଟି କ୍ଷେତ୍ର ନିମନ୍ତେ ପିଏଲଆଇ ଯୋଜନା ଘୋଷଣା କରାଯାଇଥିଲା। ଏହାର ଅଂଶବିଶେଷ ଭାବେ ଅଟୋମୋବାଇଲ ଏବଂ ଡ୍ରୋନ ଉଦ୍ୟୋଗ କ୍ଷେତ୍ର ପାଇଁ ପିଏଲଆଇ ଯୋଜନାର ଘୋଷଣା କରାଯାଇଛି। ୧୩ଟି କ୍ଷେତ୍ର ପାଇଁ ପିଏଲଆଇ ଯୋଜନା ଘୋଷଣା ଫଳରେ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଦେଶରେ ସର୍ବନିମ୍ନ ୩୭.୫ ଲକ୍ଷ କୋଟି ଟଙ୍କାର ଅତିରିକ୍ତ ନିବେଶ ସୃଷ୍ଟି ହେବ ବୋଲି ଆଶା କରାଯାଉଛି। ଏହା ମଧ୍ୟ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଦେଶରେ ପାଖାପାଖି ୧ କୋଟି ଲୋକଙ୍କ ପାଇଁ ଅତିରିକ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।

ଅଟୋ କ୍ଷେତ୍ର ପାଇଁ ପିଏଲଆଇ ଯୋଜନା ମାଧ୍ୟମରେ ଭାରତରେ ଉନ୍ନତ ଅଟୋମୋଟିଭ ପ୍ରଯୁକ୍ତି ଉତ୍ପାଦ ପ୍ରସ୍ତୁତ କରିବା କ୍ଷେତ୍ରରେ ଦେଖା ଦେଉଥିବା ବ୍ୟୟଜନିତ ଅକ୍ଷମତା ଦୂର କରିବାକୁ ପରିକଳ୍ପନା କରାଯାଇଛି। ଏହି ପ୍ରୋତ୍ସାହନ ଢାଞ୍ଚା ଉନ୍ନତ ଅଟୋମୋଟିଭ ପ୍ରଯୁକ୍ତି ଉତ୍ପାଦର ସ୍ୱଦେଶୀ ବିଶ୍ୱ ଯୋଗାଣ ଶୃଙ୍ଖଳ ପାଇଁ ନୂତନ ନିବେଶ ନିମନ୍ତେ ଉଦ୍ୟୋଗଗୁଡ଼ିକୁ ପ୍ରୋତ୍ସାହିତ କରିବ। ଅଟୋମୋବାଇଲ ଏବଂ ଅଟୋ ସରଞ୍ଜାମ ଉଦ୍ୟୋଗ ପାଇଁ ପିଏଲଆଇ ଯୋଜନା କାର‌୍ୟ୍ୟକାରୀ କରାଯିବା ଫଳରେ ଆସନ୍ତା ପାଞ୍ଚ ବର୍ଷର ଅବଧିରେ ୪୨,୫୦୦ କୋଟି ଟଙ୍କାର ନୂତନ ନିବେଶ ସୃଷ୍ଟି ହେବ ବୋଲି ଅନୁମାନ କରାଯାଉଛି। ସେହିପରି ଏହା ୨.୩ ଲକ୍ଷ କୋଟି ଟଙ୍କାର ବୃଦ୍ଧିଶୀଳ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ସହିତ ୭.୫ ଲକ୍ଷ ଅତିରିକ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଆହୁରି ଏହା ବିଶ୍ୱ ଅଟୋମୋଟିଭ ବାଣିଜ୍ୟ କ୍ଷେତ୍ରରେ ଭାରତର ଯୋଗଦାନକୁ ବୃଦ୍ଧି କରିବ।

ଅଟୋ କ୍ଷେତ୍ର ପାଇଁ ପିଏଲଆଇ ଯୋଜନା ବର୍ତ୍ତମାନର ଅଟୋମୋଟିଭ କମ୍ପାନୀଗୁଡ଼ିକ ସହିତ ବର୍ତ୍ତମାନ ଅଟୋମୋବାଇଲ କିମ୍ବା ଅଟୋମୋବାଇଲ ଉପକରଣ ଉତ୍ପାଦନ ବ୍ୟବସାୟରେ ନଥିବା ନୂତନ ନିବେଶକଙ୍କ ପାଇଁ ଖୋଲା ରହିଛି। ଏହାର ଦୁଇଟି ଉପାଦାନ ରହିଛି ଯଥା : ଚାମ୍ପିୟନ ଓଇଏମ ଇନସେଣ୍ଟିଭ ଯୋଜନା ଏବଂ କମ୍ପୋନେଣ୍ଟ ଚାମ୍ପିୟନ ଇନସେଣ୍ଟିଭ ଯୋଜନା। ଚାମ୍ପିୟନ ଓଇଏମ ପ୍ରୋତ୍ସାହନ ଯୋଜନା ହେଉଛି ଏକ ‘ବିକ୍ରି ମୂଲ୍ୟ ସଂଯୁକ୍ତ’ ଯୋଜନା। ଏହା ସମସ୍ତ ସେଗମେଣ୍ଟର ବ୍ୟାଟେରୀ ଚାଳିତ ବିଦ୍ୟୁତ ବାହାନ ଏବଂ ହାଇଡ୍ରୋଜେନ ଇନ୍ଧନ ସେଲ ବାହନ ଉପରେ ଲାଗୁ ହେବ। କମ୍ପୋନେଣ୍ଟ ଚାମ୍ପିୟନ ପ୍ରୋତ୍ସାହନ ଯୋଜନା ଏକ ‘ବିକ୍ରି ମୂଲ୍ୟ ସଂଯୁକ୍ତ’ ଯୋଜନା ଅଟୋ, ଯାହା ବାହନଗୁଡ଼ିକର ଉନ୍ନତ ଅଟୋମୋଟିଭ ପ୍ରଯୁକ୍ତି ଉପାଦାନ, କମ୍ପ୍ଲିଟଲି ନକ୍ଡ ଡାଉନ (ସିକେଡି) ସେମି ନକ୍ଡ ଡାଉନ (ଏସକେଡି) କିଟ, ଦୁଇ ଚକିଆ, ତିନି ଚକିଆ, ଯାତ୍ରୀବାହୀ ବାହନଗୁଡ଼ିକର ଏଗ୍ରୀଗେଟ୍ସ, ବାଣିଜ୍ୟିକ ବାହନ ଏବଂ ଟ୍ରାକ୍ଟର ଆଦି ଉପରେ ଲାଗୁ ହେବ।

ପୂର୍ବରୁ ଉନ୍ନତ କେମିଷ୍ଟ୍ରି ସେଲ (୧୮,୦୦୦ କୋଟି ଟଙ୍କା) ଏବଂ ବିଦ୍ୟୁତ ଚାଳିତ ବାହନ ଉତ୍ପାଦନର ଦ୍ରୁତ ଅନୁକରଣ (ଫେମ) ଯୋଜନା (୧୦,୦୦୦ କୋଟି ଟଙ୍କା) ପାଇଁ ପିଏଲଆଇ ଯୋଜନା କାର‌୍ୟ୍ୟକାରୀ ହୋଇଛି; ଏହା ସହିତ ଅଟୋମୋଟିଭ କ୍ଷେତ୍ର ପାଇଁ ପିଏଲଆଇ ଯୋଜନା କାର‌୍ୟ୍ୟକାରୀ ହେବ। ଫଳରେ ପାରମ୍ପରିକ ଜୀବାଶ୍ମ ଇନ୍ଧନ ଉପରେ ନିର୍ଭରଶୀଳ ଅଟୋମୋବାଇଲ ପରିବହନ ପ୍ରଣାଳୀ ପରିବର୍ତ୍ତେ ପରିବେଶ ଅନୁକୂଳ ସ୍ୱଚ୍ଛ, ଦୀର୍ଘସ୍ଥାୟୀ, ଉନ୍ନତ ଏବଂ ଅଧିକ ଦକ୍ଷ ବିଦ୍ୟୁତ ଚାଳିତ ବାହନ (ଇଭି) ଆଧାରିତ ପ୍ରଣାଳୀ ଉପଯୋଗ ନିମନ୍ତେ ଭାରତ ସକ୍ଷମ ହୋଇପାରିବ।

ଡ୍ରୋନ ଏବଂ ଡ୍ରୋନ ଉପକରଣ ଉଦ୍ୟୋଗ ପାଇଁ ପିଏଲଆଇ ଯୋଜନା ଏହି ବୈପ୍ଳବିକ ଜ୍ଞାନକୌଶଳର ରଣନୈତିକ, ସାମରିକ ଏବଂ ପରିଚାଳନାଗତ ଉପଯୋଗ ଆବଶ୍ୟକତାର ସମାଧାନ କରୁଛି। ସ୍ପଷ୍ଟ ରାଜସ୍ୱ ଲକ୍ଷ୍ୟ ସହିତ ଉତ୍ପାଦ ଆଧାରିତ ପିଏଲଆଇ ଯୋଜନା ଏବଂ ଘରୋଇ ମୂଲ୍ୟ ବୃଦ୍ଧି ପ୍ରତି ଗୁରୁତ୍ୱ ଦିଆଯାଇଛି। କ୍ଷମତା ନିର୍ମାଣ ଏବଂ ଭାରତର ଅଭିବୃଦ୍ଧି ରଣନୀତି ନିମନ୍ତେ ଏଗୁଡ଼ିକ ପ୍ରମୁଖ ବାହକ ହୋଇପାରିବେ। ଡ୍ରୋନ ଏବଂ ଡ୍ରୋନ ଉପକରଣ ଉଦ୍ୟୋଗ ପାଇଁ ପିଏଲଆଇ ଯୋଜନା, ତିନି ବର୍ଷ ମଧ୍ୟରେ ୫,୦୦୦ କୋଟି ଟଙ୍କାରୁ ଅଧିକ ନୂନତ ନିବେଶ ଏବଂ ୧,୫୦୦ କୋଟି ଟଙ୍କାରୁ ଅଧିକ ବୃଦ୍ଧିଶୀଳ ଉତ୍ପାଦନ ନିମନ୍ତେ ମାର୍ଗପ୍ରଶସ୍ତ କରିବ। ଏହାଛଡ଼ା ଏହି ଯୋଜନା କାର୍ଯ୍ୟକାରୀ ହେବା ଫଳରେ ପାଖାପାଖି ୧୦,୦୦୦ ଅତିରିକ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଭାରତରେ ମୋବାଇଲ ଉତ୍ପାଦନ ପାଇଁ ସାମସଙ୍ଗ୍ ପରି 22 ଟି ବିଦେଶୀ କଂପାନୀ କରିଛନ୍ତି ଆବେଦନ

ନୂଆଦିଲ୍ଲୀ, ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ଯୋଜନା (ପିଏଲଆଇ) ଯୋଗୁଁ ମୋବାଇଲ ଓ ଇଲେକ୍ଟ୍ରୋନିକ୍ସ ଯନ୍ତ୍ରାଂଶ ନିର୍ମାଣକାରୀ ସଂସ୍ଥାଗୁଡିକୁ ବିରାଟ ସଫଳତା ହାସଲ ହେବ। ଏହା କହିଛନ୍ତି କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ଆଇଟି, ଦୂରସଞ୍ଚାର ତଥା ଆଇନ ଓ ନ୍ୟାୟ ମନ୍ତ୍ରୀ ରବି ଶଙ୍କର ପ୍ରସାଦ।

ବୃହତ ସ୍ତରରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ପାଇଁ ପିଏଲଆଇ ଗତ ଏପ୍ରିଲ ପହିଲା ଦିନ ବିଜ୍ଞପିତ ହୋଇଥିଲା। ବିକ୍ରି ବୃଦ୍ଧି ଅନୁସାରେ ପିଏଲଆଇ ଯୋଜନା ଶତକଡା 4 ରୁ 6 ଭାଗ ପର୍ଯ୍ୟନ୍ତ ପ୍ରୋତ୍ସାହନ ଭାରତରେ ଉତ୍ପାଦିତ ସାମଗ୍ରୀ କମ୍ପାନୀଗୁଡ଼ିକୁ ପ୍ରଦାନ କରିବାର ବ୍ୟବସ୍ଥା ଅଛି। ଏହି ଯୋଜନା ପାଇଁ ଆବେଦନର ସମୟ ଜୁଲାଇ 31ଥିବା ବେଳେ ଆଜି ଅଗଷ୍ଟ ପହିଲାରୁ ଏହା ଲାଗୁ ହେଉଛି ।

ମୋଟ 22ଟି କମ୍ପାନୀ ପିଏଲଆଇ ଯୋଜନା ଅଧୀନରେ ସେମାନଙ୍କ ଆବେଦନପତ୍ର ଦାଖଲ କରିଛନ୍ତି । ଆନ୍ତର୍ଜାତିକ ମୋବାଇଲ ଫୋନ ଉତ୍ପାଦନକାରୀ କମ୍ପାନୀ ଯେଉଁ ମୋବାଇଲ ଫୋନ (ଇନଭଏସ ମୂଲ୍ୟ ଆଇଏନଆର 15 ହଜାର)ରୁ ଅଧିକ ସେମାନେ ହେଲେ ସାମସଙ୍ଗ, ଫକ୍ସକନ ହନ ହାଇ, ରାଇଜିଂ ଷ୍ଟାର, ୱିଷ୍ଟର୍ନ ଏବଂ ପେଗାଟର୍ଣ୍ଣ । ଏଥିରୁ 3ଟି କମ୍ପାନୀ ଯଥା ଫକ୍ସକନ ହନ ହାଇ, ୱିଷ୍ଟର୍ନ ଏବଂ ପେଗାଟର୍ଣ୍ଣ ଆପଲ ଆଇ ଫୋନ ପାଇଁ ଚୁକ୍ତିବଦ୍ଧ । ଆପଲର ଶତକଡା 37 ଓ ସାମସଙ୍ଗର ଶତକଡା 22 ଏହିପରି ବିଶ୍ଵର ମୋବାଇଲ ଫୋନ ବିକ୍ରି ରାଜସ୍ୱରୁ ଶତଡକା 60 ଭାଗ ଏହି ଦୁଇ କମ୍ପାନୀ ପାଉଥିବା ବେଳେ ପିଏଲଆଇ ପରି ପ୍ରୋତ୍ସାହନମୂଳକ ଯୋଜନା ଯୋଗୁଁ ଦେଶରେ ସେମାନଙ୍କ ଉତ୍ପାଦନ ବହୁଗୁଣ ବୃଦ୍ଧି ପାଇବ।

ଭାରତୀୟ ମୋବାଇଲ କମ୍ପାନୀଗୁଡ଼ିକ ମଧ୍ୟରୁ ଲାଭା, ଡିକ୍ସନ ଟେକ୍ନୋଲୋଜି, ସୋଯୋ ମାନ୍ୟୁଫେକ୍ଚାରିଙ୍ଗ ସର୍ଭିସ, ଭଗବତୀ (ମିଇକ୍ରୋମାକ୍ସ), ପଡଗେଟ ଇଲେକ୍ଟ୍ରୋନିକ୍ସ ଏବଂ ଅପ୍ଟିମେସ ଇଲେକ୍ଟ୍ରୋନିକ୍ସ ଏହି ଯୋଜନା ଅଧୀନରେ ଆବେଦନ କରିଛନ୍ତି । ଏହି କମ୍ପାନୀଗୁଡ଼ିକ ସେମାନଙ୍କ ନିର୍ମାଣ କାର୍ଯ୍ୟର ବହୁଳ ସଂପ୍ରସାରଣ କରି ଦେଶରେ ମୋବାଇଲ ଫୋନ ନିର୍ମାଣରେ ପ୍ରମୁଖ ଭୂମିକା ନିର୍ବାହ କରିପାରିବେ । ନିର୍ଦ୍ଦିଷ୍ଟ କେତେକ ଇଲେକ୍ଟ୍ରୋନିକ୍ସ ଉପକରଣ କ୍ଷେତ୍ରରେ 10 ଜଣ ଆବେଦନ କରିଥିବା ବେଳେ ସେମାନଙ୍କ ମଧ୍ୟରେ ଏଟି ଏଣ୍ଡ ଏସ, ଆସେଣ୍ଟ ସର୍କିଟ, ଭିଜିକନ, ୱାଲସିନ, ସହସ୍ର, ଭିଟେସ୍କୋ ଏବଂ ନିଓଲିଙ୍କ ପ୍ରମୁଖ ଅଛନ୍ତି।

ଆଗାମୀ 5 ବର୍ଷ ମଧ୍ୟରେ ଏହି ଯୋଜନା ଯୋଗୁଁ ମୋଟ ଉତ୍ପାଦନ 11.50 ଲକ୍ଷ କୋଟି ଟଙ୍କାକୁ ଟପି ଯିବାର ଆଶା କରାଯାଉଛି । ମୋବାଇଲ ଫୋନ ଉତ୍ପାଦନ କରୁଥିବା କମ୍ପାନୀଗୁଡ଼ିକ ମଧ୍ୟରେ 15 ହଜାର ବା ତଦୁର୍ଦ୍ଧ ଇନଭଏସ ଥିବା କ୍ଷେତ୍ରରେ ଉତ୍ପାଦନ 9 ଲକ୍ଷ କୋଟି ଟଙ୍କା ହେବାର ଲକ୍ଷ୍ୟ ଥିବା ବେଳେ ଘରୋଇ କମ୍ପାନୀ ଉତ୍ପାଦନ କ୍ଷେତ୍ରରେ ଏହା 2 ଲକ୍ଷ କୋଟି ଓ ନିର୍ଦ୍ଦିଷ୍ଟ ଇଲେକ୍ଟ୍ରୋନିକ୍ସ ଯନ୍ତ୍ରାଂଶ କ୍ଷେତ୍ରରେ 45 ହଜାର କୋଟି ଟଙ୍କାରେ ପହଞ୍ଚିବାର ଆକଳନ କରାଯାଇଛି ।

ଏହି ଯୋଜନା ଯୋଗୁଁ ରପ୍ତାନିରେ ଉଲ୍ଲେଖନୀୟ ଅଗ୍ରଗତି ହେବାର ଆଶା କରାଯାଉଛି । ଆଗାମୀ 5 ବର୍ଷ ମଧ୍ୟରେ ମୋଟ ଉତ୍ପାଦନ 11.50 ଲକ୍ଷ କୋଟି ଥିବା ବେଳେ ସେଥିରୁ ରପ୍ତାନି ବାବଦରୁ 7 ଲକ୍ଷ କୋଟି ଟଙ୍କା ଆସିବା ଆକଳନ କରାଯାଉଛି । ଏହାଛଡା ଏହି ଯୋଜନାରେ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ 11 ହଜାର କୋଟି ଟଙ୍କାର ଅତିରିକ୍ତ ନିବେଶ କରାଯିବ । ପିଏଲଆଇ ଯୋଜନା ଯୋଗୁଁ ଆଗାମୀ 5 ବର୍ଷ ମଧ୍ୟରେ ପ୍ରାୟ 3 ଲକ୍ଷ ପ୍ରତ୍ୟକ୍ଷ କର୍ମନିଯୁକ୍ତି ସୃଷ୍ଟି ହେଉଥିବା ବେଳେ ଏହାର 3ଗୁଣରୁ ଅଧିକ ପରୋକ୍ଷ ନିଯୁକ୍ତ ସୃଷ୍ଟି ହେବ ।

ଘରୋଇ ମୂଲ୍ୟ ବର୍ତ୍ତମାନ 15 ରୁ 20 ପ୍ରତିଶତ ଥିବା ବେଳେ ଏହା ମୋବାଇଲ କ୍ଷେତ୍ରରେ 30 ରୁ 40 ଭାଗ ଓ ଇଲେକ୍ଟ୍ରୋନିକ୍ସ ଉପକରଣ କ୍ଷେତ୍ରରେ 45 ରୁ 50 ଭାଗ ବୃଦ୍ଧି ପାଇବ । ଆଗାମୀ 2025 ସୁଦ୍ଧା ଦେଶରେ ଇଲେକ୍ଟ୍ରୋନିକ୍ସର ଚାହିଦା ବୃଦ୍ଧି ପାଇବାକୁ ଥିବା ବେଳେ ପିଏଲଆଇ ଯୋଜନା ଯୋଗୁଁ ଇଲେକ୍ଟ୍ରୋନିକ୍ସ ଉପକରଣ ନିର୍ମାଣକାରୀମାନେ ଦେଶରେ ଏକ ପ୍ରତିଯୋଗିତାମୂଳକ ବଜାର ସୃଷ୍ଟି କରିବାରେ ସକ୍ଷମ ହେବେ ଯାହାକି ଆତ୍ମନିର୍ଭର ଭାରତ ଯୋଜନାକୁ ସାକାର କରିବ । ଇଲେକ୍ଟ୍ରୋନିକ ଉତ୍ପାଦନକାରୀ ଘରୋଇ କମ୍ପାନୀମାନେ ସ୍ଥାନୀୟ ଆବଶ୍ୟକତା ପ୍ରତି ଅଧିକ ଗୁରୁତ୍ଵ ଦେବା ସହ ଏହାକୁ ବିଶ୍ଵ ସ୍ତରରେ ପରିଚିତ କରାଇବେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵରେ ହେଉଥିବା ଦୂରଦୃଷ୍ଟି ସମ୍ପନ୍ନ ଡିଜିଟାଲ ଓ ମେକ ଇନ ଇଣ୍ଡିଆ କାର୍ଯ୍ୟକ୍ରମ ଯୋଗୁଁ ଗତ 5 ବର୍ଷ ମଧ୍ୟରେ ଭାରତରେ ଇଲେକ୍ଟ୍ରୋନିକ୍ସ ନିର୍ମାଣ କ୍ଷେତ୍ରରେ ଆଶାନୁରୂପ ଅଗ୍ରଗତି ଘଟିଛି । 2019 ଜାତୀୟ ଇଲେକ୍ଟ୍ରୋନିକ୍ସ ନୀତି ଭାରତକୁ ବିଶ୍ଵ ଦରବାରରେ ପରିଚିତ କରାଇବା ସହ ଦେଶର ଚାହିଦା ପୂରଣ କରି ବିଦେଶକୁ ରପ୍ତାନି କରିବାର ମଧ୍ୟ କ୍ଷମତା ହାସଲ କରିପାରିଛି ।