Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତା ୯ ରେ ନାଚୁଣୀ ଥାନାକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ: ଶେଷ ପର୍ଯ୍ୟାୟରେ ସମସ୍ତ ପ୍ରସ୍ତୁତି

ସୀତାରାମ ଅଗ୍ରୱାଲ

ନାଚୁଣୀ: ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ଆସନ୍ତା ସୋମବାର ଦିନ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ନାଚୁଣୀ ଥାନା ଉଦଘାଟିତ ହେବ। ଏହାକୁ ଭରଚୁଆଲ ମୋଡ଼ରେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏ ନେଇ ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କଟାରିଆ ସୂଚନା ଦେଇଛନ୍ତି।

ତେବେ ଉଦଘାଟନ ନିମନ୍ତେ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ବର୍ଦ୍ଧିତ ଜନସଂଖ୍ୟା ଓ ପ୍ରଶାସନିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟରେ ଆଉ ୩୬ଟି ନୂଆ ପୋଲିସ ଥାନା ଖୋଲିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଛି ମାସ ତଳେ ଅନୁମୋଦନ କରିଥିଲେ, ଯେଉଁଥିରେ ନାଚୁଣୀ ଫାଣ୍ଡି ଅନ୍ୟତମ।

ବର୍ତ୍ତମାନ ନାଚୁଣୀ ଫାଣ୍ଡି ବାଣପୁର ଥାନା ଅଧୀନରେ ଥିବା ବେଳେ ସୋମବାର ଠାରୁ ଏହା ସ୍ୱତନ୍ତ୍ର ଥାନା ହେବ। ନାଚୁଣୀ ଥାନା ଅଧୀନରେ ଗମ୍ଭାରୀମୁଣ୍ଡା ବିଟ ହାଉସ ରହିବା ସହ ବାଣପୁର ବ୍ଲକର ଛଅ ଗୋଟି ପଞ୍ଚାୟତ ଯଥା ନାଚୁଣୀ, ମୋରାମୋରି, ଗମ୍ଭାରୀମୁଣ୍ଡା, ଦେଓଗାଁ, ଆୟତ୍ତପୁର, କୁଲେଇ ଏବଂ ଚିଲିକା ବ୍ଲକର ଚାରି ଗୋଟି ପଞ୍ଚାୟତ ଯଥା କୁମାଣ୍ଡଳ ପାଟଣା, ହରିପୁର, ବଉଳାବନ୍ଧ ଏବଂ ନଈରୀ ଏହା ଅଧୀନରେ ରହିବ।

ଏହି ପରିପ୍ରେକ୍ଷୀରେ ନାଚୁଣୀ ଥାନା ପାଇଁ ଜଣେ ଇନ୍ସପେକ୍ଟର, ଜଣେ ମହିଳା ସବ ଇନ୍ସପେକ୍ଟର ସମେତ ଦୁଇ ଜଣ ସବ ଇନ୍ସପେକ୍ଟର, ଦୁଇ ଏଏସଆଇ ନିୟୋଜିତ ହୋଇଥିବାର ଏସପି ଶ୍ରୀ କଟାରିଆ କହିଛନ୍ତି।

ତେବେ ପୂର୍ବପରି ନାଚୁଣୀ ଥାନାର ମାମଲା ଗୁଡ଼ିକ ଉଭୟ ବାଣପୁର ଓ ଚିଲିକା କୋର୍ଟରେ ବିଚାର ହେବାକୁ ଥିବା ବେଳେ ବାଣପୁର ମେଡିକାଲ ଅଧୀନରେ ଏହା ରହିବ ବୋଲି ଜଣାପଡିଛି। ୯ ତାରିଖରୁ ବାଲୁଗାଁ ପୋଲିସ ସବ ଡିଭିଜନ ଅଧୀନରେ ନାଚୁଣୀ କୁ ମିଶାଇ ୫ ଗୋଟି ଥାନା ରହିବ। ଉକ୍ତ ଉଦଘାଟନ ଉତ୍ସବରେ ଖୋର୍ଦ୍ଧା ଏସପି, ବାଲୁଗାଁ ଏସଡିପିଓ, ବାଣପୁର ଆଇଆଇସି ଆଦି ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି।

ତତସହିତ ନାଚୁଣୀ ଥାନା ବର୍ତ୍ତମାନ ଅସ୍ଥାୟୀ ଭାବେ ଫାଣ୍ଡି ପରିସରରେ କାର୍ଯ୍ୟକ୍ଷମ ହେବ ଏବଂ ଫାଣ୍ଡି ପଛ ପାର୍ଶ୍ୱରେ ଉଭୟ ନାଚୁଣୀ ନୂତନ ଥାନା ଏବଂ ବାଲୁଗାଁ ଏସଡ଼ିପିଓଙ୍କ ନୂତନ କାର୍ଯ୍ୟାଳୟ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଥିବାର ଏସପି କହିଛନ୍ତି।

Categories
ବିଶେଷ ଖବର ବ୍ୟବସାୟ

ଓଡ଼ିଶାର ପ୍ରଥମ ବିଳାସପୁର୍ଣ ହାଉସ ବୋଟ ‘ଗରୁଡ଼’ କୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ ଏହାର ବୈଶିଷ୍ଟ୍ୟ

ସୀତାରାମ ଅଗ୍ରୱାଲ

ଚିଲିକା: ଆସନ୍ତା କାଲିଠାରୁ ଚିଲିକାରେ କାର୍ଯ୍ୟକ୍ଷମ ହେବ ବହୁ ପ୍ରତିକ୍ଷୀତ ଓଡ଼ିଶାର ପ୍ରଥମ ବିଳାସପୁର୍ଣ୍ଣ ହାଉସ୍‌ବୋଟ୍‌ ‘ଗରୁଡ଼’। ଏହାକୁ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ରଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସକାଳ ୯.୩୦ ମିନିଟ ସମୟରେ ଭରଚୁଆଲି ଉଦଘାଟନ କରିବେ ବୋଲି ଏହାର ପରିଚାଳନା ଦାୟିତ୍ୱ ନେଇଥିବା ଘରୋଇ ସଂସ୍ଥା ‘ବିକାଶ ଇକୋ ରିସୋର୍ଟସ’ ର ପରିଚାଳନା ନିର୍ଦ୍ଦେଶକ ମୁରଲୀ କ୍ରିଷ୍ଣା ଦଶରୀ ଏବଂ ନିର୍ଦ୍ଦେଶକ ଗୌତମ ଅଗ୍ରୱାଲଙ୍କ ପକ୍ଷରୁ ସୂଚନା ମିଳିଛି।

ଡବଲ୍‌ ଇଞ୍ଜିନ୍‌ ବିଶିଷ୍ଟ ‘ଗରୁଡ଼’ ବୋଟ‌ର ଲମ୍ବା ୧୦୫ଫୁଟ ଏବଂ ଓସାର ୨୨ଫୁଟ ଥିବା ବେଳେ ଚିଲିକାର ଜଳବାୟୁ ଅନୁଯାୟୀ ଏହାକୁ ନିର୍ମାଣ କରାଯାଇଛି। ବୋଟ‌ର ତଳ ମହଲାରେ ବିଳାସପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ବାର‌ ଓ ଲାଉଞ୍ଜ ଅଛି, ଯେଉଁଠାରେ ଏକକାଳୀନ ଭାବେ ସର୍ବାଧିକ ୩୦ ଜଣ ବ୍ୟକ୍ତି ଏକାଠି ହୋଇପାରିବେ।

ସେହିପରି ଭାବେ ବୋଟକୁ ସର୍ବାଧିକ ୬ ଦମ୍ପତି ୨୪ ଘଣ୍ଟିଆ ପ୍ୟାକେଜ ଅନୁଯାୟୀ ବୁକ କରିପାରିବେ। ଜଳଖିଆ, ମଧ୍ୟାହ୍ନ ଭୋଜନ, ସନ୍ଧ୍ୟା ଜଳଖିଆ ଏବଂ ରାତ୍ରଭୋଜନ ବ୍ୟବସ୍ଥା ଉକ୍ତ ପ୍ୟାକେଜରେ ଅନ୍ତର୍ଭୁକ୍ତ ଅଟେ।

ବିଶେଷ ଆକର୍ଷଣ ଭାବେ ଚିଲିକା ପ୍ରସିଦ୍ଧ ଚିଙ୍ଗୁଡ଼ି, କଙ୍କଡା ଏବଂ ଖଈଙ୍ଗା ମାଛ ମଧ୍ୟ ଖାଦ୍ୟରେ ରହିବ। ବୋଟର ପ୍ରାଇଭେଟ ଲାଉଞ୍ଜରେ ଚାରି ଗୋଟି ପ୍ରିମିୟମ ରୁମ ରହିଛି ଏବଂ ଦୁଇ ଗୋଟି ସୁଟ ରୁମ ଅଛି ଯେଉଁଥିରେ ପର୍ଯ୍ୟଟକ ମାନେ ଚିଲକାକୁ ୧୮୦ ଡିଗ୍ରୀରୁ ଉପଭୋଗ କରିପାରିବେ ଏବଂ ବସିବା ଲାଗି କିଙ୍ଗ ସାଇଜ ବେଡ଼ ଓ ସୋଫାର ବ୍ୟବସ୍ଥା ଅଛି।

ବେଳାଭୂମିରେ ସନ‌ବାଥ‌, ମସାଜ ‌, କ୍ରୀଡ଼ା, ଗୀତ ନାଚ, ଡ଼ଲଫିନ ଓ ବିଦେଶୀ ପକ୍ଷୀ ଦେଖିବା, ଚିଲିକାରେ ବିଶେଷ ସମୟ କଟାଇବାର ଆଦି ମଜା ନେଇପାରିବେ ପର୍ଯ୍ୟଟକ ମାନେ। ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ବୋଟରେ ଜୀବନ ରକ୍ଷାକାରି ଉପକରଣ ରହିବା ସମେତ ଜରୁରୀକାଳିନ ପରିସ୍ଥିତିରେ ସେମାନଙ୍କୁ ବୋଟରୁ ସ୍ଥାନାନ୍ତର ନିମନ୍ତେ ଏକ ବ୍ୟାକ‌ଅପ‌ ବୋଟର ବ୍ୟବସ୍ଥା ମଧ୍ୟ କରାଯାଇଛି। ‌ସୁରକ୍ଷା ସେନସର ଏବଂ ଅଗ୍ନି ନିରାପତ୍ତା ଉପକରଣ ବ୍ୟବସ୍ଥା ମଧ୍ୟ ରହିଛି ଏହି ବୋଟରେ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ବୋଟ ଚାଲିବା ସମୟରେ ପ୍ରଦୂଷଣ ଓ ବର୍ଯ୍ୟବସ୍ତୁ ପରିଚାଳନାକୁ ଗୁରୁତ୍ୱ ଦିଆଯାଇଛି ଏବଂ ଏଥିଲାଗି ବିଏସଭିଆଇ ଇଂଜିନ ବୋଟରେ ଲଗାଯାଇଛି।

ତେବେ ପର୍ଯ୍ୟଟକଙ୍କୁ ‘ ଗରୁଡ଼’ ବୋଟର ମଜା ନେବା ପାଇଁ ଗଣିବାକୁ ପଡିବ ୨୦-୨୫ ହଜାର ଟଙ୍କା, ଯାହାକି ୨୪ ଘଣ୍ଟା ପ୍ୟାକେଜ ପାଇଁ ଉପଲବ୍ଧ। ଏଥି ନିମନ୍ତେ ସେମାନଙ୍କୁ www.vikashecoresorts.com ୱେବସାଇଟ ରୁ ଅନଲାଇନ ବୁକିଂ କରିବାକୁ ପଡ଼ିବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି।

ତେବେ ଅନଲାଇନ ବୁକିଂ ବ୍ୟବସ୍ଥା ଆସନ୍ତା ଏକ ସପ୍ତାହ ମଧ୍ୟରେ କାର୍ଯ୍ୟକ୍ଷମ ହେବ ବୋଲି ଜଣାପଡିଛି। ସୂଚନା ଥାଉ କି ‘ ବିକାଶ ଇକୋ ରିସୋର୍ଟସ’ ଖୁବ କମ ଦିନ ମଧ୍ୟରେ ଓଡ଼ିଶାରେ ଏହାର ବ୍ୟବସାୟକୁ ଶୀର୍ଷରେ ପହଞ୍ଚାଇ ଲୋକପ୍ରିୟ ହୋଇପାରିଛି।