Categories
ବିଶେଷ ଖବର

ଉତ୍ତରାଖଣ୍ଡରେ ବିଭିନ୍ନ ବିକାଶମୂଳକ ଯୋଜନାର ଶିଳାନ୍ୟାସ ଓ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ 

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରାଖଣ୍ଡର ପିଥୋରଗଡ଼ ଠାରେ ପ୍ରାୟ ୪୨୦୦ କୋଟି ଟଙ୍କାର ବିିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି। ସେଗୁଡ଼ିକ ମଧ୍ୟରେ ଗ୍ରାମ୍ୟ ବିକାଶ, ସଡ଼କ, ଶକ୍ତି, ଜଳସେଚନ, ପାନୀୟଜଳ, ଉଦ୍ୟାନ କୃଷି, ଶିକ୍ଷା, ସ୍ୱାସ୍ଥ୍ୟ ଓ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଅନ୍ତର୍ଭୁକ୍ତ। ବିିଭିନ୍ନ

ସମବେତ ଜନତାଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ଉତ୍ତରାଖଣ୍ଡବାସୀଙ୍କ ଅଭୂତପୂର୍ବ ସ୍ନେହ ପ୍ରଦର୍ଶନ ଯୋଗୁ କୃତଜ୍ଞତା ପ୍ରକାଶ କରିବା ସହ ଏ ପ୍ରକାର ଅନାବିଳ ପ୍ରେମ ‘ଗଙ୍ଗାର ସ୍ୱଚ୍ଛ ସଲୀଳ ଧାରା’ ବୋଲି କହିଥିଲେ। ପ୍ରଧାନମନ୍ତ୍ରୀ ଶୌର୍ଯ୍ୟ ଓ ଆଧ୍ୟାତ୍ମିକତାର ମାଟି ଓ ବିଶେଷ କରି ସାହସୀ ମାତୃଶକ୍ତି ପ୍ରତି ନତମସ୍ତକ ହୋଇ ସମ୍ମାନ ଜଣାଇଥିଲେ । ବଦ୍ରୀନାଥ ଧାମରେ ଜୟ ବଦ୍ରୀ ବିଶାଳ ଧ୍ୱନୀରେ ଗଡ଼ୱାଲ ରାଇଫଲ୍ସର ଉତ୍ସାହୀ ଯବାନମାନଙ୍କ ଧ୍ୱନୀ ପ୍ରକମ୍ପିତ ହେଉଥିବା ବେଳେ, ଗଙ୍ଗେଲୀହାଟ କାଳୀ ମନ୍ଦିରର ଘଣ୍ଟ ଧ୍ୱନୀ କୁମାୟୁଁ ରେଜିମେଣ୍ଟ ଯବାନମାନଙ୍କୁ ଉତ୍ସାହିତ କରୁଛି । ମାନସଖଣ୍ଡରେ ପ୍ରଧାନମନ୍ତ୍ରୀ ବୈଦ୍ୟନାଥ, ନନ୍ଦାଦେବୀ, ପୂର୍ଣ୍ଣଗିରି, କସାରଦେବୀ, କଇଁଚିଧାମ, କତ୍ରାମାଲ, ନାନକମାତା, ରୀତା ସାହିବ ଓ ଅସଂଖ୍ୟ ଧାର୍ମିକସ୍ଥଳୀ ଭୂମିର ସାହସ ଓ ଐତିହ୍ୟର ଉଦାହରଣ ଦେଇଥିଲେ। “ଆପଣମାନଙ୍କ ମଧ୍ୟରେ ଉତ୍ତରାଖଣ୍ଡରେ ରହି ମୁଁ ଆଶୀର୍ବାଦ ଲାଭ କରିବା ଭଳି ମନେ କରୁଛି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ପୂର୍ବରୁ ପ୍ରଧାନନ୍ତ୍ରୀ ପାର୍ବତୀ କୁଣ୍ଡରେ ପୂଜା ଦେବା ସହ ଦର୍ଶନ କରିଥିଲେ। “ମୁଁ ପ୍ରତ୍ୟେକ ଭାରତବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ କାମନା କରିବା ସହ ବିକଶିତ ଭାରତକୁ ଶକ୍ତି ଦେବା ପାଇଁ ପ୍ରାର୍ଥନା କଲି। ଯେପରି ଉତ୍ତରାଖଣ୍ଡବାସୀଙ୍କ ସମସ୍ତ ଆକାଂକ୍ଷା ପୂରଣ ହେବ ସେଥିପାଇଁ ମୁଁ ଆଶୀର୍ବାଦ ଭିକ୍ଷା କଲି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ପ୍ରଧାନମନ୍ତ୍ରୀ ତାଙ୍କର ସୈନିକ, କଳାକାର ଓ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ସହ ଭେଟିବା ବିଷୟ ନେଇ ସେ ସୁରକ୍ଷା, ସମୃଦ୍ଧି ଓ ସଂସ୍କୃତିର ସ୍ତମ୍ଭମାନଙ୍କୁ ଭେଟିଥିବା ପ୍ରକାଶ କରିଥିଲେ। ଏହି ଯୁଗ ଉତ୍ତରାଖଣ୍ଡର ଯୁଗ ହେବ ବୋଲି ପ୍ରଧାନମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। “ଆମ ସରକାର ଉତ୍ତରାଖଣ୍ଡବାସୀଙ୍କ ଜୀବନରେ ସୁଖ ସ୍ୱାଚ୍ଛନ୍ଦ୍ୟ ଆଣିବା ପାଇଁ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରୁଛି” ବୋଲି ସେ କହିଥିଲେ। ସେ ତାଙ୍କର ଉତ୍ତରାଖଣ୍ଡ ସହ ଦୀର୍ଘଦିନର ଅନ୍ତରଙ୍ଗତା ନେଇ ମଧ୍ୟ ପ୍ରକାଶ କରିଥିଲେ। ନାରୀଶକ୍ତି ବନ୍ଦନ ଅଧିନିୟମକୁ ନେଇ ରାଜ୍ୟର ସମର୍ଥନ ସମ୍ପର୍କରେ ସେ ଅବତାରଣା କରିଥିଲେ।

ଭାରତ ଯେପରି ବିକାଶର ଗତି ବୃଦ୍ଧି କରିଚାଲିଛି ସେ ସମ୍ପର୍କରେ ସେ କହିଥିଲେ । “ସମଗ୍ର ବିଶ୍ୱ ଏବେ ଭାରତ ଓ ଭାରତୀୟମାନଙ୍କ ଅବଦାନକୁ ସ୍ୱୀକୃତି ଦେଇଛି” ବୋଲି ସେ କହିଥିଲେ । ଅତୀତର ଅବସାଦଗ୍ରସ୍ତ ସମୟର ସ୍ମୃତିଚାରଣ ଶ୍ରୀ ମୋଦୀ ବିଶ୍ୱ ମଞ୍ଚରେ ଭାରତର ମଜଭୁତ ଉପସ୍ଥାପନାର ଉଦାହରଣ ଦେବା ସହ ଜି-୨୦ ଶିଖର ସମ୍ମିଳନୀର ପରିଚାଳନା ଯୋଗୁ ଭାରତ ବୈଶ୍ୱିକ ସ୍ତରରେ ପ୍ରଶଂସାଭାଜନ ହୋଇପାରିଛି ବୋଲି କହିଥିଲେ। ଦୀର୍ଘ ଦିନର ବ୍ୟବଧାନ ପରେ ଜନସାଧାରଣ ଏକ ସ୍ଥିର ଓ ମଜଭୁତ ସରକାର ବାଛିଥିବାରୁ ସେ ଜନସାଧାରଣଙ୍କୁ ଏହି ସଫଳତାର ଶ୍ରେୟ ଦେଇଥିଲେ। ତାଙ୍କର ବୈଶ୍ୱିକ ଉପସ୍ଥିତି ୧୪୦ କୋଟି ଭାରତୀୟଙ୍କ ଆସ୍ଥା ଓ ବିଶ୍ୱାସ ଉପରେ ପର୍ଯ୍ୟବସିତ ବୋଲି ଶ୍ରୀ ମୋଦୀ କହିଥିଲେ ।

ଗତ ପାଞ୍ଚ ବର୍ଷ ମଧ୍ୟରେ ୧୩.୫ କୋଟି ଜନସାଧାରଣ ଦାରିଦ୍ର୍ୟ ସୀମାରେଖା ଉପରକୁ ଉଠିଥିବା ବେଳେ, ସେ ସରକାରଙ୍କ ସାମଗ୍ରିକ ଅନ୍ତର୍ଭୁକ୍ତୀକରଣକୁ ଏଥିପାଇଁ ଶ୍ରେୟ ଦେବା ସହ ସମାଜର ସବୁଠାରୁ ଦୂରଦୂରନ୍ତରେ ରହୁଥିବା ବ୍ୟକ୍ତି ମଧ୍ୟ ଯୋଜନାର ସୁଫଳ ପାଉଥିବା ପ୍ରକାଶ କରିଥିଲେ । “ସମଗ୍ର ବିଶ୍ୱ ଚମକ୍ରୃତ ହୋଇଛି” ବୋଲି କହି ୧୩.୫ କୋଟି ବ୍ୟକ୍ତିଙ୍କ ମଧ୍ୟରୁ ଅଧିକାଂଶ ଦୂରଦୂରାନ୍ତ ଓ ପାହାଡ଼ିଆ ଅଞ୍ଚଳର ବୋଲି କହିଥିଲେ । ଭାରତ ନିଜର ସମାର୍ଥ୍ୟକୁ ଆଧାର କରି ଦେଶର ଦାରିଦ୍ର୍ୟ ଉନ୍ମୁଳନ କରାଯାଇପାରିବ ଓ ଏହି ସାଢ଼େ ତେର କୋଟି ବ୍ୟକ୍ତିଙ୍କ ଦାରିଦ୍ର୍ୟ ସୀମାରେଖା ଉପରକୁ ଆସିବା ତାହାର ଉଦାହରଣ ବୋଲି ଶ୍ରୀ ମୋଦୀ କହିଥିଲେ ।

ପୂର୍ବ ସରକାରଗଣ ‘ଗରିବୀ ହଟାଓ’ ଭଳି ସ୍ଳୋଗାନ ମାନ ଦେଇଥିଲେ ମଧ୍ୟ ମୋଦୀ ହିଁ ଦାୟିତ୍ୱ ଓ ଏହି ବୋଝ ମୁଣ୍ଡ ଉପରକୁ ଦେବା ଦ୍ୱାରା ହିଁ ସମ୍ଭବ କହିଥିବା ସେ ପ୍ରକାଶ କରିଥିଲେ । “ମିଳିମିଶି ଆମେ ଦାରିଦ୍ର୍ୟ ଦୂର କରିପାରିବା” ବୋଲି ସେ ଗୁରୁତ୍ୱଆରୋପ କରିଥିଲେ । ଚନ୍ଦ୍ରଯାନ ଚନ୍ଦ୍ରର ଦକ୍ଷିଣ ପାଶ୍ୱର୍ରେ ସଫଳତାର ସହ ଅବତରଣ କଲା ଓ ଆଗରୁ ବିଶ୍ୱରେ କୌଣସି ଦେଶ ଏପର୍ଯ୍ୟନ୍ତ ଏହା କରିପାରିନାହାନ୍ତି । “ଯେଉଁଠି ଚନ୍ଦ୍ରଯାନ ଅବତରଣ କରିଥିଲା ତାହାର ନାମକରଣ ଶିବଶକ୍ତି ଭାବେ କରାଯାଇଛି ଓ ଉତ୍ତରାଖଣ୍ଡର ବର୍ତ୍ତମାନ ପରିଚୟ ଚନ୍ଦ୍ର ସହିତ ରହିଛି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଶିବଶକ୍ତି ଯୋଗ ଉତ୍ତରାଖଣ୍ଡର ପ୍ରତ୍ୟେକ ସ୍ଥାନରେ ବିରାଜିତ ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ ଭାରତର କ୍ରୀଡ଼ା ନୈପୂଣ୍ୟର ପ୍ରଶଂସା କରି ସବୁଥର ତୁଳନାରେ ସର୍ବାଧିକ ପଦକ ହାସଲ କରିଥିବା ପ୍ରକାଶ କରିଥିଲେ । ଉତ୍ତରାଖଣ୍ଡ ମଧ୍ୟ ଆଠଜଣ କ୍ରୀଡ଼ାବିତଙ୍କୁ ଏସୀୟ କ୍ରୀଡ଼ାକୁ ପଠାଇଥିବା ବେଳେ ଲକ୍ଷ୍ୟ ସେନ ଓ ବନ୍ଦନା କଟାରିଆ ପଦକ ବିଜୟୀ ହୋଇଥିଲେ । ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଦର୍ଶକ ମଣ୍ଡଳୀ ମୋବାଇଲ ଫୋନର ଲାଇଟ ଜାଳି ସଫଳତାକୁ ସ୍ୱାଗତ ଜଣାଇଥିଲେ । ଖେଳାଳିମାନଙ୍କୁ ତାଲିମ ଓ ଭିତ୍ତିଭୂମି ସହ ସରକାର ସମ୍ପୂର୍ଣ୍ଣ ସମର୍ଥନ ଯୋଗାଇ ଦେଉଛନ୍ତି । ଆଜି ହାଲଦ୍ୱାନୀରେ ହକି ପଡ଼ିଆ ଓ ରୁଦ୍ରପୁର ଠାରେ ସାଇକେଲ ଚାଳନା ଟ୍ରାକର ଶିଳାନ୍ୟାସ ହୋଇଛି । ଜାତୀୟ କ୍ରୀଡ଼ା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ନିମନ୍ତେ ପ୍ରଧାନମନ୍ତ୍ରୀ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

“ଦେଶର ସୀମା ରକ୍ଷା କରୁଥିବା ଯବାନ ଉତ୍ତରାଖଣ୍ଡର ପ୍ରତ୍ୟେକ ଗ୍ରାମରୁ ଜନ୍ମ ନେଇଛନ୍ତି” ବୋଲି କହିବା ସହ ଶ୍ରୀ ମୋଦୀ ବର୍ତ୍ତମାନର ସରକାର ଯୁଗ ଯୁଗ ଧରି ପଡ଼ି ରହିଥିବା ‘ୱାନ ର୍ୟାଙ୍କ ୱାନ ପେନସନ’ ସମସ୍ୟାର ସମାଧାନ କରି ପୂର୍ବତନ ସୈନିକମାନଙ୍କ ଦାବି ପୂରଣ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ୭୦ ହଜାର କୋଟିରୁ ଅଧିକ ଟଙ୍କା ପୂର୍ବତନ ସୈନିକମାନଙ୍କ ଖାତାକୁ ହସ୍ତାନ୍ତର ହୋଇଛି ଓ ଏହା ଫଳରେ ୭୫ ହଜାର ପୂର୍ବତନ ସୈନିକ ପରିବାର ଉପକୃତ ହୋଇଛନ୍ତି । ସରକାରଙ୍କ ଅଗ୍ରାଧିକାର ମଧ୍ୟରେ ସୀମାବର୍ତ୍ତୀ ଅଞ୍ଚଳର ବିକାଶ ମୁଖ୍ୟ ସ୍ଥାନ ଅଧିକାର କରେ ଓ ସେଥିପାଇଁ ସେସବୁ ଅଞ୍ଚଳ ଦ୍ରୁତ ବିକାଶ ହେଉଛି । ସୀମାବର୍ତ୍ତୀ ଅଞ୍ଚଳର ବିକାଶ ପୂର୍ବ ସରକାରଙ୍କ ଦ୍ୱାରା ଅବହେଳିତ ହୋଇଥିବାରୁ ପଡ଼ୋଶୀ ରାଜ୍ୟ ଭିତ୍ତିଭୂମି ବିକାଶ କରି ସେ ଅଞ୍ଚଳ ଅକ୍ତିଆର କରିବା ସମ୍ଭାବନା ରହିଛି । “ନବ ଭାରତ କାହାରିକୁ ଡରେ ନାହିଁ କି କାହାକୁ ଭୟଭୀତ କରାଏ ନାହିଁ” ବୋଲି କହି ସୀମାନ୍ତରେ ହେଉଥିବା ଭିତ୍ତିଭୂମି ବିକାଶ ସମ୍ପର୍କରେ ଅବତାରଣା କରିଥିଲେ । ଗତ ନଅ ବର୍ଷ ମଧ୍ୟରେ ୪୨୦୦ କିଲୋମିଟରରୁ ଅଧିକ ସଡ଼କ, ୨୫୦ଟି ପୋଲ ଓ ୨୨ଟି ସୁଡ଼ଙ୍ଗ ନିର୍ମାଣ ହୋଇଛି । ବର୍ତ୍ତମାନ ସୀମାବର୍ତ୍ତୀ ଅଞ୍ଚଳରେ ରେଳ ସେବା ଆରମ୍ଭ କରିବାକୁ ଯୋଜନା ହେଉଛି ବୋଲି ସେ କହିଥିଲେ ।

ମଜଭୁତ ଗ୍ରାମ ଯୋଜନା ଆଜି ଶେଷ ଗ୍ରାମକୁ ମଧ୍ୟ ପ୍ରଥମ ଗ୍ରାମରେ ପରିଣତ କରିପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । “ଯେଉଁମାନେ ଗାଁ ଛାଡ଼ିଛନ୍ତି ସେମାନଙ୍କୁ ସେଠାକୁ ଫେରାଇ ଆଣିବା ପାଇଁ ଆମେ ଉଦ୍ୟମ କରୁଛୁ । ଆମେ ଗ୍ରାମାଞ୍ଚଳରେ ପର୍ଯ୍ୟଟନର ବିକାଶ ପାଇଁ ମଧ୍ୟ ଚେଷ୍ଟା କରୁଛୁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଅତୀତରେ ଭୂଲ ନୀତି ପାଇଁ ଜଳ, ଔଷଧ, ସଡ଼କ, ଶିକ୍ଷା ଓ ଡାକ୍ତରୀ ସୁବିଧା ଅଭାବ ଯୋଗୁ ଲୋକମାନେ ସେମାନଙ୍କ ଘର ଛାଡୁଥିଲେ। ଏହି ସବୁ ଅଞ୍ଚଳରେ ଉତ୍ତରାଖଣ୍ଡରେ ନୂତନ ସୁବିଧା ଓ ଭିତ୍ତିଭୂମିର ବିକାଶ ହେଉଛି । ସଡ଼କ ଓ ଜଳସେଚନ ସୁବିଧା ଯୋଗୁ ସେଓ କୃଷିରେ ସୁବିଧା ହେବ ଓ ଆଜି ପଲି ହାଉସ୍ ଯୋଜନା ଆରମ୍ଭ କରାଯାଇଛି । ଏସବୁ ପ୍ରକଳ୍ପ ପାଇଁ ୧୧୦୦ କୋଟି ଟଙ୍କା ଖର୍ଚ୍ଚ ହେବ । “ଆମ ଉତ୍ତରାଖଣ୍ଡର କ୍ଷୁଦ୍ର ଚାଷୀମାନଙ୍କ ଜୀବନମାନର ଉନ୍ନତି ନିମନ୍ତେ ଅନେକ ଖର୍ଚ୍ଚ କରାଯାଉଛି । ପିଏମ କିଶାନ ସମ୍ମାନନିଧି ଯୋଜନା ଅଧୀନରେ ଉତ୍ତରାଖଣ୍ଡକୁ ୨୨ ଶହ କୋଟିରୁ ଅଧିକ ଅର୍ଥ ପ୍ରଦାନ କରାଯାଇଛି” ବୋଲି ମୋଦୀ କହିଥିଲେ ।

ପ୍ରଧାନମନ୍ତ୍ରୀ ଶ୍ରୀ ଅନ୍ନ ସମ୍ପର୍କରେ ଆରମ୍ଭ କରି କହିଥିଲେ ଯେ ଉତ୍ତରାଖଣ୍ଡରେ ଅନେକ ପିଢ଼ି ଧରି ଏହି ସବୁ ଚାଷ ହୋଇଆସୁଛି ଓ ଏହା ବିଶ୍ୱସ୍ତରରେ ପହଞ୍ଚାଇବା ପାଇଁ ସରକାରଙ୍କ ଉଦ୍ୟମ ଉପରେ ସେ ଆଲୋକପାତ କରିଥିଲେ । ଦେଶରେ ଏ ନେଇ ଏକ ଅଭିଯାନ ଆରମ୍ଭ ହୋଇଛି ଓ ଉତ୍ତରାଖଣ୍ଡର ଚାଷୀକୂଳ ଏହା ଦ୍ୱାରା ବିଶେଷ ଲାଭାନ୍ୱିତ ହେବେ ବୋଲି ଶ୍ରୀ ମୋଦୀ କହିଥିଲେ । ମହିଳା ନେତୃତ୍ୱାଧୀନ ବିକାଶ ଉପରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ “ଆମ ସରକାର ମାଆ ଓ ଭଉଣୀମାନଙ୍କର ପ୍ରତ୍ୟେକ ଅସୁବିଧା ଦୂର କରିବାକୁ ଅଙ୍ଗୀକାରବଦ୍ଧ । ସେଥିପାଇଁ ଆମ ସରକାର ଗରୀବ ଭଉଣୀମାନଙ୍କୁ ସ୍ଥାୟୀ ଆବାସ ଯୋଗାଇ ଦେଇଛନ୍ତି । ଆମେ ଆମ ଭଉଣୀ ଓ କନ୍ୟାମାନଙ୍କ ପାଇଁ ଶୌଚାଳୟ ନିର୍ମାଣ କରିଛୁ, ସେମାନଙ୍କୁ ଗ୍ୟାସ ସଂଯୋଗ ଦେବା ସହ ବ୍ୟାଙ୍କ ଖାତା ଖୋଲିଛୁ । ମାଗଣା ଚିକିତ୍ସା ଓ ରାସନ ବ୍ୟବସ୍ଥା ମଧ୍ୟ କରିଛୁ । ହର୍ ଘର୍ ଜଳ ଯୋଜନା ଅଧୀନରେ ଉତ୍ତରାଖଣ୍ଡର ଏଗାର ଲକ୍ଷ ପରିବାରର ଭଉଣୀମାନେ ପାଇପ୍ ପାଣି ସୁବିଧା ପାଇଛନ୍ତି ।” ସେ ଲାଲକିଲ୍ଲାର ପ୍ରାଚୀର ଉପରୁ ଘୋଷଣା କରିଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ନିମନ୍ତେ ଡ୍ରୋନ ଯୋଗାଇବା ଯୋଜନା କହିଛନ୍ତି, ଏହି ଡ୍ରୋନ କୃଷି କ୍ଷେତ୍ରରେ ସାହାଯ୍ୟ କରିବା ସହ ଉତ୍ପାଦିତ ସାମଗ୍ରୀ ପରିବହନ ଦିଗରେ ମଧ୍ୟ ସାହାଯ୍ୟ କରିବ । “ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଡ୍ରୋନ ଯୋଗାଇବା ଫଳରେ ଉତ୍ତରାଖଣ୍ଡକୁ ଏହା ଆଧୁନିକତାର ନୂତନ ଶିଖରକୁ ନେଇଯିବ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

“ଉତ୍ତରାଖଣ୍ଡର ପ୍ରତ୍ୟେକ ଗ୍ରାମରେ ଗଙ୍ଗା ଓ ଗଙ୍ଗୋତ୍ରୀ ରହିଛି । ଭଗବାନ ଶିବ ଓ ନନ୍ଦା ଏହାର ତୁଷାର ଶିଖରରେ ବାସ କରନ୍ତି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ ଉତ୍ତରାଖଣ୍ଡର ମେଳା, କୌଟିଗ, ଥାଉଲ, ସଂଗୀତ, ଗୀତ ଓ ଖାଦ୍ୟର ସ୍ୱାତନ୍ତ୍ର୍ୟ ଉପରେ କହିବା ସହ ଏହି ମାଟି ପାଣ୍ଡବ ନୃତ୍ୟ, ଛୋଲିୟା ନୃତ୍ୟ, ମଙ୍ଗଳ ଗୀତ, ଫୁଲ ଦେଇ, ହରେଲା, ବାଗୱାଲ, ରମଣ ପ୍ରଭୃତି ସାଂସ୍କୃତିକ ଐତିହ୍ୟ ସମୃଦ୍ଧ ବୋଲି କହିଥିଲେ । ସେ ମଧ୍ୟ ଅନେକ ସୁସ୍ୱାଦୁ ଖାଦ୍ୟ ଯେପରିକି ଆରିସା, ଝାଙ୍ଗୋର କୀ କ୍ଷୀର, କାଫୁଲି, ପକୋଡ଼ା, ରାଇତା, ଆଲମୋଡ଼ାର ବାଲି ମିଠାଇ ଓ ସିଫୋରୀ କଥା କହିଥିଲେ । ଚମ୍ପାବଟରେ ଥିବା ଅଦ୍ୱୈତ ଆଶ୍ରମ ଓ କାଳିଗଙ୍ଗା ବିଷୟରେ କହିଥିଲେ । ସେ ମଧ୍ୟ ଖୁବଶୀଘ୍ର ଚମ୍ପାବଟ ଆଦ୍ୱୈତ ଆଶ୍ରମରେ ସମୟ କଟାଇବାକୁ ଇଚ୍ଛା ପ୍ରକଟ କରିଥିଲେ ।

ଡବଲ ଇଞ୍ଜିନ ସରକାରଙ୍କ ପର୍ଯ୍ୟଟନ ଓ ତୀର୍ଥଯାତ୍ରା ବିକାଶ ନେଇ କରିଥିବା କାର୍ଯ୍ୟର ସୁଫଳ ଏବେ ମିଳିବାରେ ଲାଗିଛି ବୋଲି ସେ କହିଥିଲେ । ଚଳିତ ବର୍ଷ ଉତ୍ତରାଖଣ୍ଡର ଚାରିଧାମ ଯାତ୍ରାରେ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟା ୫୦ ଲକ୍ଷ ଛୁଇଁବା ଆଶା କରାଯାଇଛି । ବାବା କେଦାରଙ୍କ କୃପାରୁ କେଦାରନାଥ ଧାମରେ ପୁନର୍ଗଠନ କାର୍ଯ୍ୟର ପ୍ରଥମ ପର୍ଯ୍ୟାୟ ଶେଷ ହୋଇଛି । ଶହ ଶହ କୋଟି ଟଙ୍କା ବ୍ୟୟରେ ଶ୍ରୀ ବଦ୍ରୀନାଥ ଧାମର ଅନେକ କାର୍ଯ୍ୟ ମଧ୍ୟ ଶେଷ ହୋଇଛି । କେଦାରନାଥ ଧାମ ଓ ହେମକୁଣ୍ଡ ସାହିବ ମଧ୍ୟରେ ରୋପ୍ ୱେ କାର୍ଯ୍ୟ ଶେଷ ହେଲେ ଅନେକ ସୁବିଧା ହେବ। କେଦାରନାଥ ଓ ମାନସଖଣ୍ଡ ମଧ୍ୟରେ ସଂଯୋଗ କାର୍ଯ୍ୟ ମାନସଖଣ୍ଡ ମନ୍ଦିରମାଳା ଅଭିଯାନ ଆଜିଠାରୁ ଆରମ୍ଭ ହୋଇଛି । ଏହା ଶେଷ ହେଲେ କୁମାୟୁଁ ଅଞ୍ଚଳରେ ଅଧିକାଂଶ ମନ୍ଦିରକୁ ସଂଯୋଗ ବ୍ୟବସ୍ଥା ହୋଇ ଅନେକ ତୀର୍ଥଯାତ୍ରୀ ସେଠାକୁ ଆସିବେ ।

ଉତ୍ତରାଖଣ୍ଡରେ ଯୋଗାଯୋଗର ସମ୍ପ୍ରସାରଣ ଉପରେ ଜୋର ଦେଇ ଏହା ହେଲେ ରାଜ୍ୟର ବିକାଶ ନୂତନ ଶିଖର ଛୁଇଁବ ବୋଲି ସେ କହିଥିଲେ । ସେ ଚାରିଧାମ ବୃହତ ପ୍ରକଳ୍ପ ଓ ସବୁଦିନିଆ ରାସ୍ତା ଓ ଋଷିକେଶ-କର୍ଣ୍ଣପ୍ରୟାଗ ରେଳ ପ୍ରକଳ୍ପ ବିଷୟରେ ମଧ୍ୟ କହିଥିଲେ । ସେ ମଧ୍ୟ ଆଜିର ପ୍ରକଳ୍ପ ଯେପରିକି ବାଗେଶ୍ୱରରୁ କାନାଲୀଚିନା, ଗଙ୍ଗୋଲୀହାଟରୁ ଆଲମୋଡ଼ା ଓ ତନକପୁର ଘାଟରୁ ପିଥୋରଗଡ଼ ଶେଷ ହେଲେ ସାଧାରଣ ଲୋକଙ୍କ ଯୋଗାଯୋଗ ବ୍ୟବସ୍ଥା ସୁଧୁରିବା ସହ ପର୍ଯ୍ୟଟନରୁ ଆୟ ପନ୍ଥା ମଧ୍ୟ ସୁଗମ ହେବ ବୋଲି କହିଥିଲେ । ସରକାର ହୋମ୍ ଷ୍ଟେ’କୁ ପ୍ରୋତ୍ସାହନ ଦେଉଥିବା ନେଇ ଶ୍ରୀ ମୋଦୀ ସନ୍ତୋଷ ବ୍ୟକ୍ତ କରିଥିଲେ । “ଆଗାମୀ ଦିନରେ ପର୍ଯ୍ୟଟନ କ୍ଷେତ୍ର ଅନେକ ସମ୍ପ୍ରସାରିତ ହେବ । କାରଣ ସମଗ୍ର ବିଶ୍ୱ ଭାରତକୁ ଆସିବାକୁ ଚାହୁଁଛି । ଯେ ମଧ୍ୟ ଭାରତକୁ ଦେଖିବାକୁ ଚାହିଁବ, ସେ ନିଶ୍ଚୟ ଉତ୍ତରାଖଣ୍ଡ ଦେଖିବାକୁ ଚାହିଁବ” ବୋଲି ଶ୍ରୀ ମୋଦୀ କହିଥିଲେ ।

ଉତ୍ତରାଖଣ୍ଡର ବିପର୍ଯ୍ୟୟ ପ୍ରବଣତାକୁ ସ୍ୱୀକାର କରିବା ସହ ପ୍ରଧାନମନ୍ତ୍ରୀ ଆଗାମୀ ଚାରିରୁ ପାଞ୍ଚ ବର୍ଷ ମଧ୍ୟରେ ବିପର୍ଯ୍ୟୟ ପରିଚାଳନା ପାଇଁ ୪୦୦୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି କହିଥିଲେ । “ଏହି ପରିଚାଳନାଗତ ସୁବିଧା ଉତ୍ତରାଖଣ୍ଡରେ ହିଁ ରହିବ, ଯାହାଫଳରେ ବିପର୍ଯ୍ୟୟ କାଳରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରିବ” ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ ଶେଷରେ କହିଥିଲେ ଯେ ଏହା ହେଉଛି ଭାରତର ଅମୃତ କାଳ । ଦେଶର ବିଭିନ୍ନ ଅଞ୍ଚଳ ଓ ଗୋଷ୍ଠୀ ସହ ଯୋଗାଯୋଗ ରଖିବା ପାଇଁ ଏହା ହିଁ ପ୍ରକୃଷ୍ଠ ସମୟ । ବାବା କେଦାର ଓ ବିଶାଲଙ୍କ କୃପାରୁ ଦେଶ ଶୀଘ୍ର ଏହାର ସଂକଳ୍ପ ରୂପରେଖ କରିବାରେ ସମର୍ଥ ହେବ । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଶ୍ରୀ ପୁଷ୍କର ସିଂ ଧାମୀ ଓ ଉତ୍ତରାଖଣ୍ଡ ସରକାରର ଅନ୍ୟାନ୍ୟ ମନ୍ତ୍ରୀଗଣ ଏହି ଅବସରରେ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି-

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆଜି ଶିଳାନ୍ୟାସ ଓ ଉଦଘାଟିତ ହୋଇଥିବା ପ୍ରକଳ୍ପଗୁଡ଼ିକ ମଧ୍ୟରେ ରହିଛି ୭୬ଟି ଗ୍ରାମ୍ୟ ସଡ଼କ ଓ ପିଏମଜିଏସୱାଇ ଅଧିନସ୍ତ ନିର୍ମିତ ଗ୍ରାମାଞ୍ଚଳର ୨୫ଟି ସେତୁ, ୯ଟି ଜିଲ୍ଲାରେ ୧୫ଟି ବିଡିଓ କାର୍ଯ୍ୟାଳୟ, ତିନିଟି ସଡ଼କର ଉନ୍ନତୀକରଣ । ଏହା କେନ୍ଦ୍ରୀୟ ସଡ଼କ ପାଣ୍ଠି ଅଧିନରେ ହୋଇଥିବା ବେଳେ, ସେଗୁଡ଼ିକ ହେଲା କୈଶାନୀ ବାଗେଶ୍ୱର ସଡ଼କ, ଧାରୀ, ଦୌବା, ଗିରିଚିନା ରୋଡ ଏବଂ ନାଗଲା କିଚା ରୋଡ । ଜାତୀୟ ରାଜପଥରେ ଉନ୍ନତୀକରଣ ହୋଇଥିବା ଦୁଇଟି ସଡ଼କ ହେଲା ଆଲମୋଡା-ପେଟଶାଲ-ପାନୁୱାନାଉଲା-ଜନ୍ୟା (ଏନଏଚ-୩୦୯ବି) ଓ ତନକପୁର-ଚଳଥି (ଏନଏଚ-୧୨୫) ତିନିଟି ପାନୀୟ ଜଳ ପ୍ରକଳ୍ପ, ପିଥୋରଗଡ଼ରେ ଆରକୋଟି କୃତ୍ରିମ ହ୍ରଦ, ୧୩୨ କେଭି ପିଥୋରଗଡ଼-ଲୋହାଘାଟ (ଚମ୍ପାୱତ) ଶକ୍ତି ସରବରାହ ଲାଇନ, ୩୯ ସେତୁ ଇତ୍ୟାଦି ।

୨୧ ହଜାର ୩୯୮ ପଲିହାଉସ ଶିଳାନ୍ୟାସ, ଯାହା ଫୁଲ ଓ ପରିବାପତ୍ର ଉତ୍ପାଦନ ବୃଦ୍ଧିରେ ସହାୟକ ହେବ । ସଘନ ସେଓ ବଗିଚା, ୫ଟି ଏନଏଚ ରୋଡ ଉନ୍ନତୀକରଣ, ବିପର୍ଯ୍ୟୟ ପ୍ରଶମନ ପରିଚାଳନା, ଡେରାଡୁନରେ ରାଜ୍ୟ ଆପାତକାଳୀନ କେନ୍ଦ୍ର ପ୍ରତିଷ୍ଠା, ବାଲିନଳା ଓ ନୈନିତାଲରେ ମାଟି ଅତଡ଼ା ଖସିବା ରୋକିବା କେନ୍ଦ୍ର, ରାଜ୍ୟରେ ୨୦ଟି ମଡେଲ ସ୍ନାତକ ମହାବିଦ୍ୟାଳୟ, ଆଲମୋଡ଼ାର ସାମେଶ୍ୱର ଠାରେ ଶହେ ଶଯ୍ୟା ବିଶିଷ୍ଟ ହସ୍ପିଟାଲ, ଚମ୍ପାୱତ ଠାରେ ୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ, ହାଲୱାନୀରେ ଅଷ୍ଟ୍ରୋଟର୍ଫ ହକି ଷ୍ଟାଡିୟମ, ରୁନ୍ଦ୍ରପୁରରେ ସାଇକେଲ ଚାଳନା ଟ୍ରାକ୍ ଓ ମାନସଖଣ୍ଡ ମନ୍ଦିରମାଳା ଅଭିଯାନ ଯୋଜନା ଇତ୍ୟାଦି ।

Categories
ବିଶେଷ ଖବର

ଯୋଧପୁର ଠାରେ ପ୍ରାୟ ୫୦୦୦ କୋଟିର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (୦୫-୧୦-୨୦୨୩) ରାଜସ୍ଥାନର ଯୋଧପୁର ଗସ୍ତରେ ଯାଇ ସଡ଼କ, ରେଳ, ବିମାନ ଚଳାଚଳ, ସ୍ବାସ୍ଥ୍ୟ ଓ ଉଚ୍ଚଶିକ୍ଷା କ୍ଷେତ୍ରରେ ୫୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ରହିଛି ଏମ୍ସ ଯୋଧପୁରରେ ୩୫୦ ଶଯ୍ୟାବିଶିଷ୍ଟ ଟ୍ରମା କେନ୍ଦ୍ର ଓ ସ୍ବତନ୍ତ୍ର ଯତ୍ନ ହସ୍ପିଟାଲ ବ୍ଲକର ଶିଳାନ୍ୟାସ, ପିଏମ-ଏନଏଚଆରଏମ ଅଧୀନରେ ସାତଟି ଜଟିଳ ଚିକିତ୍ସା ସେବା, ଏବଂ ଯୋଧପୁର ବିମାନବନ୍ଦରରେ ନୂତନ ରହଣୀ ସ୍ଥଳ ଭବନର ଶିଳାନ୍ୟାସ। ସେ ଆଇଆଇଟି ଯୋଧପୁର ପରିସର ଓ ରାଜସ୍ଥାନ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ଉନ୍ନତୀକରଣର ମଧ୍ୟ ଉଦଘାଟନ କରିଥିଲେ। ସେ ମଧ୍ୟ କେତେକ ସଡ଼କ ବିକାଶ ପ୍ରକଳ୍ପର ଶିଳାନ୍ୟାସ କରିବା ସହ ଦୁଇଟି ଅନ୍ୟ ରେଳ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ସେଥିମଧ୍ୟରେ ଡେଗାନା-ରାଏକାବାଗ ୧୪୫ କିଲୋମିଟର ଦୀର୍ଘ ରେଳପଥ ଓ ୫୮ କିଲୋମିଟର ଦୀର୍ଘ ଡେଗାନା-କଚାମନ ସିଟି ରେଳପଥର ଦୋହରୀକରଣ ଅନ୍ତର୍ଭୁକ୍ତ। ଶ୍ରୀ ମୋଦୀ ମଧ୍ୟ ରାଜସ୍ଥାନର ଦୁଇଟି ଟ୍ରେନର ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରାଇଥିଲେ। ସେ ଦୁଇଟି ହେଲା ଜୈସଲମେରରୁ ଦିଲ୍ଲୀ ରୁନିଚା ଏକ୍ସପ୍ରେସ ଓ ମାରଓ୍ବାରରୁ ଖମ୍ବାଲୀ ଘାଟ ପର୍ଯ୍ୟନ୍ତ ଏକ ନୂତନ ଐତିହ୍ୟ ଟ୍ରେନ୍।

ବୀର ଦୁର୍ଗାଦାସଙ୍କ ଭୂମିକୁ ମଥାନତ କରି ଶ୍ରଦ୍ଧାଞ୍ଜଳି ଜଣାଇବା ସହ ପ୍ରଧାନମନ୍ତ୍ରୀ ସମବେତ ଜନତାଙ୍କୁ ସମ୍ବୋଧିତ କରିଥିଲେ। ଆଜିର ପ୍ରକଳ୍ପଗୁଡ଼ିକ ନେଇ ସରକାରଙ୍କ ନିରବଚ୍ଛିନ୍ନ ଉଦ୍ୟମ ଉପରେ ଏହାର ଫଳାଫଳ ନିର୍ଭର କରୁଥିବା ବେଳେ ସେ ଏଥିପାଇଁ ରାଜସ୍ଥାନର ଜନସାଧାରଣଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ରାଜସ୍ଥାନ ହେଉଛି ସେହି ରାଜ୍ୟ ଯେଉଁଠି ଦେଶର ଶୌର୍ଯ୍ୟ, ସମୃଦ୍ଧି ଓ ସଂସ୍କୃତିରେ ପ୍ରାଚୀନ ଭାରତର ଗୌବ ପରିଦୃଶ୍ୟମାନ। ସେ ମଧ୍ୟ ନିକଟରେ ଯୋଧପୁରରେ ବହୁ ପ୍ରଶଂସିତ ଜି-୨୦ ବୈଠକର ସ୍ମରଣ କରିଥିଲେ।

ଉଭୟ ସ୍ଥାନୀୟ ଓ ଆନ୍ତର୍ଜାତିକ ପର୍ଯ୍ୟଟକଙ୍କ ସୂର୍ଯ୍ୟନଗରୀ ଯୋଧପୁର ପ୍ରତି ଆକର୍ଷଣର ସେ ଅବତାରଣା କରିଥିଲେ। ରାଜସ୍ଥାନ ଭାରତର ଅତୀତ ଗୌରବର ପ୍ରତିନିଧିତ୍ବ କରିଥାଏ ଓ ଭାରତର ଭବିଷ୍ୟତ ମଧ୍ୟ ସେ ଯେପରି ପ୍ରତିନିଧିତ୍ବ କରିବ ତାହା ହିଁ ଗୁରୁତ୍ବପୂର୍ଣ୍ଣ। ଏହା ସେତେବେଳେ ହେବ ଯେତେବେଳେ ମେବାରରୁ ମାରଓ୍ବାଡ଼ ଏଠାରେ ନିର୍ମିତ ଆଧୁନିକ ଭିତ୍ତିଭୂମି ଓ ବିକାଶକୁ ଆଧାର କରି ରାଜସ୍ଥାନ ସଫଳତାର ନୂତନ ଶିଖରରେ ପହଂଚିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ବିକାନୀର ଓ ବାଡ଼ମେର ଦେଇ ଯାଉଥିବା ଜାମନଗର ଏକ୍ସପ୍ରେସର ହାଇଓ୍ବେ ଓ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ ହାଇଓ୍ବେ କରାଜସ୍ଥାନ ହାଇଟେକ ଭିତ୍ତିଭୂମିର ଉଦାହରଣ ବୋଲି ସେ କହିଥିଲେ।

ସେ କହିଥିଲେ ଯେ ଚଳିତ ବର୍ଷ ରାଜସ୍ଥାନ ନିମନ୍ତେ ୯୫୦୦ କୋଟି ଟଙ୍କାର ରେଳ ବଜେଟ ବ୍ୟୟ ବରାଦ ହୋଇଛି ଯାହା ପୂର୍ବତନ ସରକାରଙ୍କ ତୁଳନାରେ ହାରାହାରି ୧୪ ଗୁଣ ଅଧିକ। ସ୍ବାଧୀନତା ପରେ ୨୦୧୪ ପର୍ଯ୍ୟନ୍ତ ରାଜସ୍ଥାନରେ ପ୍ରାୟ ଛଅ ଶହ କିଲୋମିଟର ରେଳପଥ ବିଦ୍ୟୁତକରଣ ହୋଇଥିଲା। ମାତ୍ର ୨୦୧୪ ପରେ ମାତ୍ର ୯ ବର୍ଷ ମଧ୍ୟରେ ୩୭୦୦ କିଲୋମିଟର ରେଳପଥ ବିଦ୍ୟୁତକରଣ କାର୍ଯ୍ୟ ସମ୍ପନ୍ନ ହୋଇଛି। “ଏଣିକି ସେସବୁ ଟ୍ରାକରେ ଡିଜେଲ ଇଞ୍ଜିନ ପରିବର୍ତ୍ତେ ବିଦ୍ୟୁତଚାଳିତ ଟ୍ରେନ ଯାତ୍ରା କରିବ” ବୋଲି ସେ କହିଥିଲେ। ଏହା ରାଜ୍ୟର ବାୟୁମଣ୍ଡଳ ଓ ବାତାବରଣକୁ ସ୍ବଚ୍ଛ ରଖିବା ସହ ପ୍ରଦୂଷଣ ମଧ୍ୟ ହ୍ରାସ କରିବ। ଅମୃତ ଭାରତ ଷ୍ଟେସନ ଯୋଜନାରେ ରାଜସ୍ଥାନର ୮୦ରୁ ଅଧିକ ଷ୍ଟେସନର ପୁନର୍ବିନ୍ୟାସ କରାଯାଉଛି। ଗରୀବ ଲୋକ ଅଧିକରୁ ଅଧିକ ବ୍ୟବହାର କରୁଥିବା ରେଳ ଷ୍ଟେସନଗୁଡ଼ିକର ବିକାଶ ବିମାନବନ୍ଦର ବିକାଶ ଭଳି କରିବା ପାଇଁ ସରକାର ଅଙ୍ଗୀକାରବଦ୍ଧ। ଯୋଧପୁର ରେଳ ଷ୍ଟେସନର ପୁନର୍ବିକାଶ ପାଇଁ ଶିଳାନ୍ୟାସ କରାଯାଇଥବା ସେ ସୂଚନା ଦେଇଥିଲେ।

ଆଜିର ରେଳ ଓ ସଡ଼କ ପ୍ରକଳ୍ପ ରାଜ୍ୟର ବିକାଶ ଗତିକୁ ତ୍ବରାନ୍ବିତ କରିବ। ରେଳପଥର ଦୋହରୀକରଣ ଯୋଗୁ ରେଳ ଯାତ୍ରା ସମୟ ମଧ୍ୟ ହ୍ରାସ ପାଇବ। ଏହାଛଡ଼ା ଜୈସଲମେରରୁ ଦିଲ୍ଲୀ ସଂଯୋଗ କରୁଥିବା ରୁନିଚା ଏକ୍ସପ୍ରେସର ଯାତ୍ରାରମ୍ଭ, ମାରଓ୍ବାଡ଼ ଜଙ୍କସନରୁ ଖମ୍ବାଲୀ ଘାଟ ନୂତନ ଐତିହ୍ୟ ଟ୍ରେନର ଆଜି ଯାତ୍ରାରମ୍ଭ ହୋଇଥିବା ବେଳେ ଅଳ୍ପ କେଇଦିନ ଆଗରୁ ବନ୍ଦେ ଭାରତ ଏକ୍ସପ୍ରେସ ରାଜସ୍ଥାନରୁ ଯାତ୍ରା ଆରମ୍ଭ କରିବା ବିଷୟ ଶ୍ରୀ ମୋଦୀ ପ୍ରକାଶ କରିଥିଲେ। ସେ ଆଜି (୦୫-୧୦-୨୦୨୩) ତିନିଟି ସଡ଼କ ପ୍ରକଳ୍ପର ଶିଳାନ୍ୟାସ ସହ ଯୋଧପୁର ନୂତନ ରହଣିସ୍ଥଳ ଭବନର ଭିତ୍ତିପ୍ରସ୍ତର ସ୍ଥାପନ ବିଷୟ ପ୍ରକାଶ କରିଥିଲେ। ଆଜିର ପ୍ରକଳ୍ପଗୁଡ଼ିକ ଆଞ୍ଚଳିକ ଅର୍ଥନୀତିକୁ ମଜଭୁତ କରିବା ସହ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ଓ ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରକୁ ମଧ୍ୟ ନୂତନ ଶକ୍ତି ଦେବ।

ଡାକ୍ତରୀ ଓ ଯାନ୍ତ୍ରିକ ଶିକ୍ଷା କ୍ଷେତ୍ରରେ ରାଜସ୍ଥାନର ଏକ ସ୍ବତନ୍ତ୍ର ସ୍ଥାନ କଥା ସ୍ମରଣ କରି ପ୍ରଧାନମନ୍ତ୍ରୀ କୋଟାର ଅବଦାନର ଅବତାରଣା କରିଥିଲେ ଓ ଶିକ୍ଷା ସହ ରାଜସ୍ଥାନ ମେଡିକାଲ ଓ ଇଞ୍ଜିନିୟରିଂର ମଧ୍ୟ ପେଣ୍ଠ ହେବ ବୋଲି କହିଥିଲେ। ସେଥିପାଇଁ ଟ୍ରମା, ଆପାତକାଳୀନ ଓ ସ୍ବତନ୍ତ୍ର ଯତ୍ନ ଚିକିତ୍ସା ସୁବିଧା ଏମ୍ସ ଯୋଧପୁର ଠାରେ ଖୋଲାଯାଇଛି ଓ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ଭିତ୍ତିଭୂମି ମିଶନ (ପିଏମ- ଏବିଏଚଆଇଏମ) ଅଧୀନ ରାଜସ୍ଥାନର ବିଭିନ୍ନ ସାତଟି ସ୍ଥାନରେ ଜଟିଳ ଚିକିତ୍ସା ସେବା କେନ୍ଦ୍ରମାନ ବିକଶିତ ହେବ। କେବଳ ରାଜସ୍ଥାନରେ ନୁହେଁ, ସମଗ୍ର ଦେଶରେ ଯେପରି ଆଇଆଇଟି ଓ ଏମ୍ସ ଯୋଧପୁର ପ୍ରମୁଖ ପ୍ରତିଷ୍ଠାନ ହୋଇ ଗଢ଼ିଉଠୁ ମୁଁ ତାହା ଚାହେଁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଏମ୍ସ ଓ ଆଇଆଇଟି ଯୋଧପୁର ଡାକ୍ତରୀ ଓ ପ୍ରଯୁକ୍ତିବିଦ୍ୟାରେ ନୂତନ ସମ୍ଭାବନା ସୃଷ୍ଟି ଦିଗରେ କାମ ଆରମ୍ଭ କରିସାରିଛନ୍ତି ଓ ହାଇଟେକ ଡାକ୍ତରୀ ପ୍ରଯୁକ୍ତିବିଦ୍ୟା ଯେପରିକି ରୋବଟିକ ଶଲ୍ୟ ଚିକିତ୍ସା ଭାରତକୁ ଗବେଷଣା କ୍ଷେତ୍ରରେ ନୂତନ ଶିଖରରେ ପହଂଚାଇବା ସହ ଚିକିତ୍ସା ବିଜ୍ଞାନ ପର୍ଯ୍ୟଟନର ସମ୍ଭାବନା ମଧ୍ୟ ବୃଦ୍ଧି କରିବ।

“ରାଜସ୍ଥାନ ହେଉଛି ପ୍ରକୃତି ଓ ପରିବେଶ ପ୍ରେମୀଙ୍କ ଭୂମି” ବୋଲି କହିବା ସହ ପ୍ରଧାନମନ୍ତ୍ରୀ ଗୁରୁ ଜମ୍ବେଶ୍ବର ଓ ବିଷ୍ଣୋୟୀଙ୍କ ଜୀବନଧାରା କିପରି ଶହ ଶହ ବର୍ଷ ଧରି ବିଶ୍ବରେ ଅନୁସରଣ କରାଯାଉଛି ତାହାର ଆଲୋକପାତ କରିଥିଲେ।”

ଐତିହ୍ୟକୁ ଉପଜୀବ୍ୟ କରି ଭାରତ ଆଜି ବିଶ୍ବକୁ ମାର୍ଗଦର୍ଶନ ଦେଉଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ନେଇ ବିଶ୍ବାସ ପ୍ରକଟ କରି ରାଜସ୍ଥାନ ବିକାଶ ଲାଭ କଲେ ଭାରତର ବିକାଶ ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ମିଳିମିଶି ଆମେ ରାଜସ୍ଥାନକୁ ବିକଶିତ କରି ସମୃଦ୍ଧ କରିବା ବୋଲି କହି ଶ୍ରୀ ମୋଦୀ ତାଙ୍କ ବକ୍ତବ୍ୟର ଅନ୍ତ ଘଟାଇଥିଲେ।

ରାଜସ୍ଥାନ ରାଜ୍ୟପାଳ କାଲରାଜ ମିଶ୍ର ଓ କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂ ଶିଖାଓ୍ବତ ଓ କୈଳାଶ ଚୌଧୁରୀ ମଧ୍ୟ ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ପୃଷ୍ଠଭୂମି-

ପ୍ରଧାନମନ୍ତ୍ରୀ ୩୫୦ କୋଟି ଟଙ୍କା ବ୍ୟୟରେ ରାଜ୍ୟରେ ସ୍ବାସ୍ଥ୍ୟ ଭିତ୍ତିଭୂମିର ଶିଳାନ୍ୟାସ କରିଥିଲେ। ପ୍ରଧାନମନ୍ତ୍ରୀ ୪୮୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଯୋଧପୁର ବିମାନବନ୍ଦରର ନୂତନ ରହଣିସ୍ଥଳ ଭବନର ଶିଳାନ୍ୟାସ କରିଥିଲେ। ୨୪ ହଜାର ବର୍ଗମିଟର ପରିମିତି ସ୍ଥାନରେ ନିର୍ମିତ ଏହି ଭବନରେ ଭିଡ଼ ସମୟରେ ୨୫୦୦ ଯାତ୍ରୀଙ୍କ ପ୍ରବେଶ ଓ ପ୍ରସ୍ଥାନ ହୋଇ ପାରିବ। ବାର୍ଷିକ ଏହା ୩୫ ଲକ୍ଷ ଯାତ୍ରୀ ସମାଗମ ଦାୟିତ୍ବ ତୁଲାଇ ପାରିବ। ୧୧୩୫ କୋଟି ଟଙ୍କାରୁ ଅଧିକ ବ୍ୟୟରେ ନିର୍ମିତ ଯୋଧପୁର ଆଇଆଇଟି କ୍ୟାମ୍ପସକୁ ପ୍ରଧାନମନ୍ତ୍ରୀ ଉଦଘାଟନ କରିଥିଲେ।

ଜୈସଲମେରରୁ ଦିଲ୍ଲୀ ଯାତ୍ରା କରୁଥିବା ରୁନିଚା ଏକ୍ସପ୍ରେସର ଶ୍ରୀ ମୋଦୀ ପତାକା ଦେଖାଇ ଯାତ୍ରାରମ୍ଭ କରାଇଥିଲେ। ଏହା ଯୋଧପୁର, ନେଘନା, କୁଚାମାନସିଟି, ଫୁଲେରା, ରିଙ୍ଗାସ, ଶ୍ରୀମାଧୋପୁର, ନୀମକାଥାନା, ନିର୍ନାଉଲ, ଅଟେଲୀ, ରେଓ୍ବାରୀ ଦେଇ ଦିଲ୍ଲୀ ସଂଯୋଗ କରିବ। ଯାତ୍ରାରମ୍ଭ କରାଇଥିବା ଅନ୍ୟ ନୂତନ ଐତିହ୍ୟ ଟ୍ରେନ ମାରଓ୍ବାର ଜଙ୍କସନରୁ ଖମ୍ବାଲୀ ଘାଟକୁ ସଂଯୋଗ କରିବ। ଏଥିସହ ନିଯୁକ୍ତି ଓ ପର୍ଯ୍ୟଟନ ପାଇଁ ମଧ୍ୟ ଅନୁକକୂଳ ପରିବେଶ ସୃଷ୍ଟି ହେବ।

Categories
ଆଜିର ଖବର ଜାତୀୟ ଖବର

ବାରଣାସୀରେ ୧୨,୧୦୦ କୋଟିରୁ ଅଧିକ ମୂଲ୍ୟର ଏକାଧିକ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶର ବାରଣାସୀରେ ୧୨,୧୦୦ କୋଟିରୁ ଅଧିକ ମୂଲ୍ୟର ଏକାଧିକ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦଘାଟନ କରିଛନ୍ତି । ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜଙ୍କସନ – ସୋନ ନଗର ଉତ୍ସର୍ଗୀକୃତ ମାଲପରିବହନ କରିଡରର ରେଳ ଲାଇନ, ତିନୋଟି ରେଳ ଲାଇନ ଯାହାର ବିଦ୍ୟୁତିକରଣ କିମ୍ବା ଦୋହରୀକରଣ ସମ୍ପୂର୍ଣ୍ଣ ହୋଇଛି, ଏନଏଚ-୫୬ ର ବାରାଣାସୀ-ଜଉନନପୁର ସେକ୍ସନର ଚାରି ଲେନ ପ୍ରଶସ୍ତିକରଣ ଏବଂ ବାରଣାସୀରେ ଏକାଧିକ ପ୍ରକଳ୍ପକୁ ଉତ୍ସର୍ଗ କରିଛନ୍ତି । ପ୍ରଧାନମନ୍ତ୍ରୀ ଏକାଧିକ ରେଳବାଇ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି, ତତ୍‍ ସିହତ ୧୫ ଟି ପିଡବ୍ଲ୍ୟୁଡି ରାସ୍ତାର ର୍ନିମାଣ ଏବଂ ନବୀକରଣ, ୧୯୨ ଟି ଗ୍ରାମୀଣ ପାନୀୟ ଜଳ ଯୋଜନା, ମଣିକର୍ଣ୍ଣିକା ଏବଂ ହରିଶ୍ଚନ୍ଦ୍ର ଘାଟର ପୁନଃ ର୍ନିମାଣ ସହିତ ପ୍ରଧାନମନ୍ତ୍ରୀ ଛଅ ଟି ଧାର୍ମିକ ଗୁରୁତ୍ୱପୂର୍ଣ୍ଣ ଗାଧୋଇବା ଘାଟରେ ଭାସମାନ ପୋଷାକ ବଦଳାଇବା ପ୍ରକୋଷ୍ଠ, ସିଆଇପିଇଟି କ୍ୟାମ୍ପସ୍ କରସାରା ଠାରେ ଛାତ୍ରମାନଙ୍କ ପାଇଁ ହଷ୍ଟେଲ ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଶ୍ରୀ ମୋଦୀ ମଧ୍ୟ ପିଏମ ଏସଭିଏନିଧି, ପିଏମଏୱାଇ ଗ୍ରାମୀଣ ଘରର ଚାବି ଏବଂ ଆୟୁଷ୍ମାନ ଭାରତ କାର୍ଡର ବଣ୍ଟନ ଆରମ୍ଭ କରିଥିଲେ । ଘଟଣାସ୍ଥଳରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମଣିକର୍ଣ୍ଣିକା ଏବଂ ହରିଶ୍ଚନ୍ଦ୍ର ଘାଟର ମଡେଲକୁ ବୁଲି ଦେଖିଥିଲେ ।

ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପୂଜାର୍ଚ୍ଚନା ଶ୍ରାବଣ ମାସର ଆରମ୍ଭ, ଭଗବାନ ବିଶ୍ୱନାଥଙ୍କ ଆଶୀର୍ବାଦ ଏବଂ ମା ଗଙ୍ଗା ଏବଂ ବାରାଣାସୀର ଲୋକଙ୍କ ଉପସ୍ଥିତିରେ ଜୀବନ ଏକ ଆଶୀର୍ବାଦ ପାଲଟିଛି । ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ହଜାର ହଜାର ଶିବ ଭକ୍ତ ବାରଣାସୀରେ “ଜଳ” ଅର୍ପଣ କରୁଛନ୍ତି ଏବଂ ଏହା ନିଶ୍ଚିତ ଯେ ସହରରେ ରେକର୍ଡ ସଂଖ୍ୟକ ତୀର୍ଥଯାତ୍ରୀ ସମାଗମ ହେବେ । ବାରାଣାସୀକୁ ଆସୁଥିବା ଲୋକମାନେ ସର୍ବଦା ଖୁସି ଅନୁଭବ ସହିତ ଫେରି ଥାଆନ୍ତି ବୋଲି ପ୍ରଧାନମନ୍ତ୍ରୀ କହିବା ସହିତ ନାଗରିକମାନଙ୍କ ଆତିଥ୍ୟ ଉପରେ ଆଲୋକପାତ କରିଥିଲେ । ଜି୨୦ ର ପ୍ରତିନିଧୀଙ୍କୁ ସ୍ୱାଗତ କରିବା ଏବଂ ପୂଜାସ୍ଥଳୀଗୁଡିକୁ ପରିଷ୍କାର ଏବଂ ଭବ୍ୟ ରଖିବା ପାଇଁ ସେ କାଶୀବାସୀଙ୍କୁ ପ୍ରଶଂସା କରିଥିଲେ ।

ପ୍ରାୟ ୧୨,୦୦୦ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପ ବିଷୟରେ ଉଲ୍ଲେଖ କରିଥିଲେ, ଯେଉଁଥିପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଥିଲା । ପ୍ରଧାନମନ୍ତ୍ରୀ କହିଛନ୍ତି, କାଶୀକୁ ଏକ ନୂତନ ଶରୀର ଯୋଗାଇବାବେଳେ ଏହା ଆମର ସଂକଳ୍ପର ବିସ୍ତାର । ଏହି ପ୍ରକଳ୍ପ ପାଇଁ ସେ ଲୋକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ବିଭିନ୍ନ ଯୋଜନାର ହିତାଧିକାରୀଙ୍କ ସହ ପୂର୍ବରୁ ଆଲୋଚନା କରିଥିବା ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପୂର୍ବ କାଳରେ ଏହି ଯୋଜନାଗୁଡ଼ିକ ତୃଣମୂଳ ସ୍ତରରେ ଜଡିତ ନଥିଲା । ସେ କହିଛନ୍ତି ଯେ ବର୍ତ୍ତମାନର ସରକାର ହିତାଧିକାରୀଙ୍କ ସହ ଆଲୋଚନା ଏବଂ କଥାବାର୍ତ୍ତାର ଏକ ନୂତନ ପରମ୍ପରା ଆରମ୍ଭ କରିଛନ୍ତି, ଯାହାର ଅର୍ଥ ହେଉଛି ପ୍ରତ୍ୟକ୍ଷ ଲାଭ ଏବଂ ପ୍ରତ୍ୟକ୍ଷ ମତାମତ । ଏହାଦ୍ୱାରା ବିଭାଗ ଏବଂ ଅଧିକାରୀଙ୍କ ଦ୍ୱାରା ଭଲ ପ୍ରଦର୍ଶନ ହୋଇଛି ବୋଲି ସେ କହିଛନ୍ତି । ସ୍ୱାଧୀନତାର ଅନେକ ବର୍ଷ ପରେ ଗଣତନ୍ତ୍ରର ପ୍ରକୃତ ଲାଭ ସଠିକ୍‍ ଲୋକଙ୍କ ନିକଟରେ ପହଞ୍ଚିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ ସୂଚାଇ ଦେଇଛନ୍ତି ଯେ ପ୍ରତ୍ୟେକ ଯୋଜନାର ଲାଭ ଶେଷ ବ୍ୟକ୍ତିଙ୍କ ନିକଟରେ ପହଞ୍ଚାଇବାକୁ ସରକାର ଚେଷ୍ଟା କରୁଥିବାବେଳେ ହିତାଧିକାରୀ ବର୍ଗ ସାମାଜିକ ନ୍ୟାୟ ଏବଂ ଧର୍ମନିରପେକ୍ଷତାର ଏକ ଉଦାହରଣ ପାଲଟିଛି । ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ଉପାୟ ଦ୍ୱାରା କମିଶନ ଚାହୁଁଥିବା, ଦଲାଲ ଏବଂ ଦୁର୍ନୀତିଗ୍ରସ୍ତମାନଙ୍କୁ ଶେଷ କରିବାର ସହାୟତା ମିଳିଛି ଯାହା ଦ୍ୱାରା ଦୁର୍ନୀତି ଏବଂ ଭେଦଭାବ ଦୂର ହୋଇ ପାରିଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗତ ୯ ବର୍ଷ ମଧ୍ୟରେ ସରକାର କେବଳ ଗୋଟିଏ ପରିବାର ଏବଂ ଗୋଟିଏ ପୀଢି ପାଇଁ କାମ କରିନାହାଁନ୍ତି ବରଂ ଭବିଷ୍ୟତ ପୀଢିର ଜୀବନରେ ଉନ୍ନତି ଆଣିବା ଦିଗରେ କାର୍ଯ୍ୟ କରିଛନ୍ତି । ସେ ପିଏମଏୱାଇ ର ଉଦାହରଣ ଦେଇଛନ୍ତି ଯେଉଁଠାରେ ୪ କୋଟିରୁ ଅଧିକ ପରିବାରଙ୍କୁ ପକ୍କା ଘର ଦିଆଯାଇଛି ଏବଂ ଆଜି ଉତ୍ତରପ୍ରଦେଶର ହିତାଧିକାରୀଙ୍କୁ ୪ ଲକ୍ଷ ପକ୍କା ଘର ଯୋଗାଇ ଦିଆଯାଇଥିବା ଉଲ୍ଲେଖ କରିଛନ୍ତି । ଏହି ଘରଗୁଡିକ ସୁରକ୍ଷା ଭାବନା ଜାଗ୍ରତ କରେ ଏବଂ ମାଲିକମାନଙ୍କ ଆତ୍ମବିଶ୍ୱାସ ବଢାଇଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଅଧିକାଂଶ ଘର ମାଲିକ ହେଉଛନ୍ତି ମହିଳା ଯେଉଁମାନଙ୍କ ନାମରେ ପ୍ରଥମ ଥର ପାଇଁ ସମ୍ପତ୍ତି ପଞ୍ଜୀକୃତ ହୋଇଥିଲା । ସେ କହିଛନ୍ତି ଯେ ଏହି ପକ୍କା ଘରଗୁଡିକ ଏହିପରି ମହିଳାମାନଙ୍କୁ ଆର୍ଥିକ ନିରାପତ୍ତାର ଏକ ମାଧ୍ୟମ ଯୋଗାଇଥାଏ ।

ସରକାରୀ ଯୋଜନାର ପ୍ରଭାବକୁ ଜାରି ରଖି ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି ଯେ ଆୟୁଷ୍ମାନ ଭାରତ ଯୋଜନା କେବଳ ୫ ଲକ୍ଷ ମୂଲ୍ୟର ମାଗଣା ଚିକିତ୍ସାରେ ସୀମିତ ନୁହେଁ, ଏହା ଏକାଧିକ ପୀଢିକୁ ପ୍ରଭାବିତ କରିଥାଏ କାରଣ ଚିକିତ୍ସା ଖର୍ଚ୍ଚ ପୀଢିକୁ ଋଣ ଭିତରକୁ ଠେଲି ଦେଇପାରେ । ଆୟୁଷ୍ମାନ ଯୋଜନା ଗରିବ ଲୋକଙ୍କୁ ଏହି ସମସ୍ୟାରୁ ରକ୍ଷା କରୁଛି । ସେଥିପାଇଁ ମୁଁ ମିଶନ ମୋଡରେ ପ୍ରତ୍ୟେକ ଗରିବଙ୍କ ପାଇଁ କାର୍ଡର ଉପଲବ୍ଧତା ନିଶ୍ଚିତ କରିବାକୁ ବହୁତ ଚେଷ୍ଟା କରୁଛି ବୋଲି ସେ କହିଛନ୍ତି । ଆଜିର କାର୍ଯ୍ୟକ୍ରମ ଆୟୁଷ୍ମାନ ଭାରତ କାର୍ଡର ଏକ କୋଟି ଷାଠିଏ ଲକ୍ଷ ଲୋକଙ୍କୁ ବଣ୍ଟନ ଆରମ୍ଭ ହେବାର ସାକ୍ଷୀ ହୋଇଛି ।

ଏକ ଦେଶର ସମ୍ବଳ ଉପରେ ସବୁଠାରୁ ବଡ ଦାବିଦାର ହେଉଛନ୍ତି ଗରିବ ଏବଂ ବଞ୍ଚିତ ବୋଲି ଉଲ୍ଲେଖକରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ୫୦ କୋଟି ଜନ ଧନ ଆକାଉଣ୍ଟ ପରି ଆର୍ଥିକ ଅନ୍ତର୍ଭୂକ୍ତିର ପଦକ୍ଷେପ ଏବଂ ମୁଦ୍ରା ଯୋଜନା ଅଧୀନରେ ବନ୍ଧକ ବିନା ଋଣ ପ୍ରଦାନ । ଏହା ଗରିବ, ଦଳିତ, ବଞ୍ଚିତ, ପଛୁଆ, ଆଦିବାସୀ, ସଂଖ୍ୟାଲଘୁ ଏବଂ ମହିଳା ଉଦ୍ୟୋଗୀଙ୍କୁ ଉପକୃତ କରିଛି ।

ପ୍ରଧାନମନ୍ତ୍ରୀ ପିଏମ୍‍ ଏସଭିଏନିଧି ଉପରେ କହିଛନ୍ତି ଯେ ଯଦିଓ ଅଧିକାଂଶ ରାସ୍ତାକଡ ବିକ୍ରେତା ପଛୁଆ ସମ୍ପ୍ରଦାୟର ଅଟନ୍ତି, ଅତୀତର ସରକାରମାନେ ସେମାନଙ୍କ ସମସ୍ୟାର ସମାଧାନ କରିନାହାଁନ୍ତି ଏବଂ କେବଳ ସେମାନଙ୍କୁ ହଇରାଣ କରିଛନ୍ତି । ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ୩୫ ଲକ୍ଷରୁ ଅଧିକ ଲୋକ ପିଏମ ଏସଭିଏନିଧି ରୁ ଉପକୃତ ହୋଇଛନ୍ତି ଏବଂ ଆଜି ବାରାଣାସୀରେ ୧.୨୫ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ଋଣ ପ୍ରଦାନ କରାଯାଇଛି । ପ୍ରଧାନମନ୍ତ୍ରୀ କହିଛନ୍ତି, ଗରିବଙ୍କ ଆତ୍ମ ସମ୍ମାନ ହେଉଛି ମୋଦିଙ୍କ ଗ୍ୟାରେଣ୍ଟି ।

ପାଣ୍ଠିର ଚିରାଚରିତ ଅଭାବକୁ ନେଇ ପୂର୍ବ ଶାସନଗୁଡିକର ମୌଳିକ ଅସାଧୁତା ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । ଆଜି ସେ କହିଛନ୍ତି, ଗରିବ କଲ୍ୟାଣ ହେଉ କିମ୍ବା ଭିତ୍ତିଭୂମି ହେଉ, ବଜେଟର ଅଭାବ ନାହିଁ । ସମାନ ଟିକସଦାତା, ସମାନ ବ୍ୟବସ୍ଥା, କେବଳ ସରକାର ବଦଳିଛନ୍ତି । ଉଦ୍ଦେଶ୍ୟ ବଦଳିବା ସହିତ ଫଳାଫଳ ମଧ୍ୟ ଅନୁସରଣ ହେଲା ବୋଲି ସେ କହିଛନ୍ତି । ସ୍କାମର ଖବର ଏବଂ ଅତୀତର କଳା ବଜାରୀକୁ ଉତ୍ସର୍ଗୀକୃତ ଖବର ବଦଳରେ ନୂତନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଉତ୍ସର୍ଗ ଖବର ସ୍ଥାନ ପାଇଛି । ଏହି ପରିବର୍ତ୍ତନର ଉଦାହରଣ ସ୍ୱରୂପ ସେ ପୂର୍ବ ଉତ୍ସର୍ଗୀକୃତ ମାଲ ପରିବହନ କରିଡରର ସାମଗ୍ରୀ ପରିବହନ ପାଇଁ ଏକ ସ୍ୱତନ୍ତ୍ର ଟ୍ରାକ୍‌ର ଉଦାହରଣ ଦେଇଛନ୍ତି । ସେ ସୂଚନା ଦେଇଛନ୍ତି ଯେ ଏହି ପ୍ରକଳ୍ପ ୨୦୦୬ ରେ ପରିକଳ୍ପିତ ହୋଇଥିବାବେଳେ ୨୦୧୪ ପର୍ଯ୍ୟନ୍ତ ଗୋଟିଏ କିଲୋମିଟରର ଟ୍ରାକ ମଧ୍ୟ ଦେଖି ନାହିଁ । ଗତ ୯ ବର୍ଷ ମଧ୍ୟରେ ଏହି ପ୍ରକଳ୍ପର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ସମାପ୍ତ ହୋଇଛି ଏବଂ ସେହି ଅଞ୍ଚଳରେ ମାଲ ଗାଡି ଚଳାଚଳ କରୁଛି । ଆଜି ଦୀନ ଦୟାଲ ଉପାଧ୍ୟାୟ ଜଙ୍କସନର ନୂତନ ସୋନ ନଗର ସେକ୍ସନକୁ ଉଦଘାଟନ କରାଯାଇଛି । ଏହା କେବଳ ମାଲଗାଡିର ଗତି ବଢାଇବ ନାହିଁ ବରଂ ପୂର୍ବାଞ୍ଚଳ ଏବଂ ପୂର୍ବ ଭାରତରେ ଅନେକ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ସେ କହିଛନ୍ତି ।

ଦ୍ରୁତ ଗତିରେ ଚାଲୁଥିବା ଟ୍ରେନ୍ ପାଇଁ ଦେଶର ଇଚ୍ଛା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ରାଜଧାନୀ ଏକ୍ସପ୍ରେସ ପ୍ରାୟ ୫୦ ବର୍ଷ ପୂର୍ବେ ଦେଶରେ ପ୍ରଥମ ଥର ପାଇଁ ଦୌଡୁଥିଲେ ମଧ୍ୟ ଆଜି ଏହା କେବଳ ୧୬ଟି ରୁଟରେ ଚାଲୁଛି । ସେ ଶତାବ୍ଦୀ ଏକ୍ସପ୍ରେସର ଉଦାହରଣ ମଧ୍ୟ ଦେଇଛନ୍ତି ଯାହା ୩୦-୩୫ ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା କିନ୍ତୁ ବର୍ତ୍ତମାନ କେବଳ ୧୯ ରୁଟରେ ଚାଲୁଛି । ପ୍ରଧାନମନ୍ତ୍ରୀ ବନ୍ଦେ ଭାରତ ଏକ୍ସପ୍ରେସ ଉପରେ ଆଲୋକପାତ କରି ସୂଚନା ଦେଇଛନ୍ତି ଯେ ଏହି ଟ୍ରେନ୍ ୪ ବର୍ଷ ମଧ୍ୟରେ ୨୫ ରୁଟରେ ଚାଲୁଛି । ଦେଶର ପ୍ରଥମ ବନ୍ଦେ ଭାରତ ବନାରସ ନାଁରେ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେ ସୂଚନା ଦେଇଛନ୍ତି ଯେ ଗୋରଖପୁର – ଲକ୍ଷ୍ନୌ ଏବଂ ଯୋଧପୁର – ଅହମ୍ମଦାବାଦ ରୁଟରେ ଦୁଇଟି ନୂତନ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ଗୋରଖପୁରରୁ ପତାକା ଦେଖାଇ ଶୁଭାରମ୍ଭ କରାଯାଇଛି । ଶ୍ରୀ ମୋଦୀ କହିଛନ୍ତି ଯେ ଦେଶର ଏହି ମଧ୍ୟବିତ୍ତଙ୍କ ମଧ୍ୟରେ ଏହି ବନ୍ଦେ ଭାରତ ସୁପରହିଟ୍ ହୋଇପାରିଛି ଏବଂ ଏହାର ଚାହିଦା ବୃଦ୍ଧି ପାଉଛି । ସେ କହିଛନ୍ତି ଯେ ସେହି ଦିନଟି ଦୂର ନୁହେଁ ଯେତେବେଳେ ବନ୍ଦେ ଭାରତ ଦେଶର ପ୍ରତ୍ୟେକ କୋଣକୁ ସଂଯୋଗ କରିବ ।

ଗତ ୯ ବର୍ଷ ମଧ୍ୟରେ କାଶୀର ଯୋଗାଯୋଗରେ ଉନ୍ନତି ଆଣିବା ପାଇଁ କରାଯାଇଥିବା ଅଭୂତପୂର୍ବ କାର୍ଯ୍ୟ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଏହା ସୂଚାଇ ଦେଇଛନ୍ତି ଯେ ଏହା ଅନେକ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି । ସେ ଦର୍ଶାଇଛନ୍ତି ଯେ ୭ କୋଟି ପର୍ଯ୍ୟଟକ ଏବଂ ଭକ୍ତ କାଶୀକୁ ଆସିଥିଲେ ଯାହା ଏକ ବର୍ଷ ମଧ୍ୟରେ ୧୨ ଗୁଣ ବୃଦ୍ଧି ପାଇଥିଲା, ଯାହା ଦ୍ୱାରା ରିକ୍ସା ଚାଳକ, ଦୋକାନୀ, ଢାବା ଏବଂ ହୋଟେଲ ଏବଂ ବନାରସୀ ଶାଢୀ ଶିଳ୍ପରେ କାର୍ଯ୍ୟ କରୁଥିବା ଲୋକଙ୍କ ପାଇଁ ଆୟର ଉତ୍ତମ ସୁଯୋଗ ସୃଷ୍ଟି ହୋଇଥିଲା । ଏଥିସହ ସେ ଦର୍ଶାଇଛନ୍ତି ଯେ ନାବିକମାନେ ବହୁ ଉପକୃତ ହୋଇଛନ୍ତି ଏବଂ ସନ୍ଧ୍ୟାରେ ଗଙ୍ଗା ଆରତୀ ସମୟରେ ଡଙ୍ଗା ସଂଖ୍ୟା ଦେଖି ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ସେ କହିଥିଲେ, ଆପଣମାନେ ଏହିପରି ବନାରସର ଯତ୍ନ ନିଅନ୍ତୁ ।

ଅଭିଭାଷଣ ସମାପ୍ତ କରି ପ୍ରଧାନମନ୍ତ୍ରୀ ଆଜିର ପ୍ରକଳ୍ପ ପାଇଁ ସମସ୍ତଙ୍କୁ ଅଭିନନ୍ଦନ ଜଣାଇବା ସହ ବାବାଙ୍କ ଆଶୀର୍ବାଦ ସହିତ ବାରାଣାସୀର ବିକାଶ ଯାତ୍ରା ଜାରି ରହିବ ବୋଲି ଆତ୍ମବିଶ୍ୱାସ ବ୍ୟକ୍ତ କରିଛନ୍ତି ।

ଉତ୍ତରପ୍ରଦେଶର ରାଜ୍ୟପାଳ ଶ୍ରୀମତୀ ଆନନ୍ଦୀବେନ ପଟେଲ, ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ଆଦିତ୍ୟନାଥ, ଉତ୍ତରପ୍ରଦେଶର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଏବଂ ଭାରୀ ଶିଳ୍ପ ମନ୍ତ୍ରୀ ଶ୍ରୀ ବ୍ରଜେଶ ପାଠକ, କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ମହେନ୍ଦ୍ର ନାଥ ପାଣ୍ଡେ, ପ୍ରଫେସର ଏସ୍ ପି ସିଂ ବାଘେଲ ଏବଂ ଉତ୍ତରପ୍ରଦେଶ ସରକାରଙ୍କ ମନ୍ତ୍ରୀମାନେ ଏହି ଅବସରରେ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

ପ୍ରଧାନମନ୍ତ୍ରୀ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜଙ୍କସନ – ଉତ୍ସର୍ଗୀକୃତ ମାଲ ପରିବହନ କରିଡରର ସୋନ ନଗର ରେଳ ଲାଇନକୁ ଉତ୍ସର୍ଗ କରିଛନ୍ତି ।  ୬୭୬୦ କୋଟିରୁ ଅଧିକ ମୂଲ୍ୟରେ ର୍ନିମିତ ଏହି ନୂତନ ଲାଇନ ଦ୍ରବ୍ୟର ଦ୍ରୁତ ଏବଂ ଅଧିକ ପ୍ରଭାବଶାଳୀ ଗତିକୁ ସହଜ କରିବ । ସେ ଦେଶକୁ ତିନୋଟି ରେଳ ଲାଇନ ଉତ୍ସର୍ଗ କରିଛନ୍ତି ଯାହାର ୯୯୦ କୋଟିରୁ ଅଧିକ ମୂଲ୍ୟରେ ବିଦ୍ୟୁତିକରଣ କିମ୍ବା ଦୋହରୀକରଣ ହୋଇଛି । ଏଥିମଧ୍ୟରେ ଗାଜୀପୁର ସହର – ଅଉଁରିହର ରେଳ ଲାଇନ, ଅଉଁରିହର- ଜଉନପୁର ରେଳ ଲାଇନ ଏବଂ ଭଟ୍ଟାନି- ଅଉଁରିହର ରେଳ ଲାଇନ ଅନ୍ତର୍ଭୁକ୍ତ । ଏହି ପ୍ରକଳ୍ପଗୁଡ଼ିକ ଉତ୍ତରପ୍ରଦେଶରେ ରେଳ ଲାଇନର ଶତପ୍ରତିଶତ ବିଦ୍ୟୁତିକରଣ ହାସଲ କରିବାରେ ସହାୟକ ହୋଇଛି ।

ପ୍ରଧାନମନ୍ତ୍ରୀ ଦେଶ ଉଦ୍ଦେଶ୍ୟରେ ଏନଏଚ-୫୬ ର ବାରାଣାସୀ – ଜଉନପୁର ସେକ୍ସନର ଚାରି ଲେନ ବିଶିଷ୍ଟ ପ୍ରଶସ୍ତିକରଣକୁ ଉତ୍ସର୍ଗ କିରଛନ୍ତି ଯାହା ୨୭୫୦ କୋଟିରୁ ଅଧିକ ମୂଲ୍ୟରେ ସମ୍ପୂର୍ଣ୍ଣ ହୋଇଛି ଏବଂ ଏହା ବାରାଣାସୀରୁ ଲକ୍ଷ୍ନୌ ପର୍ଯ୍ୟନ୍ତ ଦ୍ରୁତ ଏବଂ ଯାତ୍ରାକୁ ସହଜ କରିବ ।

ବାରାଣାସୀର ଏକାଧିକ ପ୍ରକଳ୍ପ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ ହୋଇଥିବା ଏକାଧିକ ପ୍ରକଳ୍ପ ମଧ୍ୟରେ ୧୮ ଟି ପିଡବ୍ଲୁଡି ରାସ୍ତାର ର୍ନିମାଣ ଏବଂ ନବୀକରଣ; ବିଏଚୟୁ କ୍ୟାମ୍ପସରେ ର୍ନିମିତ ଆନ୍ତର୍ଜାତୀୟ ବାଳିକା ହଷ୍ଟେଲ କୋଠା; ସେଣ୍ଟ୍ରାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ପେଟ୍ରୋକେମିକାଲ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (ସିଆଇପିଇଟି) – କାରସାରା ଗାଁରେ ଧନ୍ଦାମୂଳକ ତାଲିମ କେନ୍ଦ୍ର; ପୋଲିସ୍ ଷ୍ଟେସନ ସିନ୍ଧାଉରାରେ ଆବାସିକ ସୌଧ ଓ ସରଞ୍ଜାମ, ପିଏସି ଭୁଲାନପୁର, ଫାୟାର ଷ୍ଟେସନ୍ ପିନ୍ଦ୍ରା ଏବଂ ତାରସାଦାରେ ସରକାରୀ ଆବାସିକ ବିଦ୍ୟାଳୟ; ଅର୍ଥନୈତିକ ଅପରାଧ ଗବେଷଣା ସଂଗଠନ ସୌଧ ର୍ନିମାଣ; ମୋହନ କାଟ୍ରା ଠାରୁ କୋନିଆ ଘାଟ ପର୍ଯ୍ୟନ୍ତ ସ୍ୱେରେଜ୍ ଲାଇନ ଏବଂ ରାମନା ଗାଁରେ ଏକ ଆଧୁନିକ ମଳ ପରିଚାଳନା ବ୍ୟବସ୍ଥା; ୩୦ ଡବଲ୍ ସାଇଡ୍ ବ୍ୟାକ୍ଲିଟ୍ ଏଲଇଡି ୟୁନିପୋଲ୍‌; ଏଡିଡିବି ଦୁଗ୍ଧ କାରଖାନା ରାମନଗରରେ ଏକ ଗୋବର ଭିତ୍ତିକ ବାୟୋ-ଗ୍ୟାସ୍ ପ୍ଲାଣ୍ଟ; ଏବଂ ଦଶାଶ୍ୱମେଧ ଘାଟରେ ଏକ ନିଆରା ଭାସମାନ ପୋଷାକ ପରିବର୍ତ୍ତନ ପ୍ରକୋଷ୍ଠ ଜେଟି ଯାହା ଗଙ୍ଗା ନଦୀରେ ଭକ୍ତଙ୍କ ସ୍ନାନକୁ ସହଜ କରିବ ।

ଯେଉଁ ପ୍ରକଳ୍ପଗୁଡ଼ିକର ଭିତ୍ତିପ୍ରସ୍ତର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସ୍ଥାପିତ ହୋଇଛି, ତାହା ହେଉଛି ଚଉଖଣ୍ଡି, କାଦିପୁର ଏବଂ ହରଦତ୍ତପୁର ରେଳ ଷ୍ଟେସନ ନିକଟରେ ୩ ଟି ଦୁଇ ଲେନ ବିଶିଷ୍ଟ ରେଳ ଓଭର ବ୍ରିଜ୍ (ଆରଓବି) ର୍ନିମାଣ; ବ୍ୟାସନଗର ର୍ନିମାଣ – ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜଙ୍କସନ୍‍ ରେଳ ଫ୍ଲାଏ ଓଭର; ଏବଂ ୧୫ ପିଡବ୍ଲୁଡି ରାସ୍ତା ର୍ନିମାଣ ଏବଂ ନବୀକରଣ । ପ୍ରାୟ ୭୮୦ କୋଟି ଟଙ୍କା ମୂଲ୍ୟର ଏହି ପ୍ରକଳ୍ପଗୁଡ଼ିକ ବିକଶିତ ହେବ ।

ପ୍ରଧାନମନ୍ତ୍ରୀ ଜଳ ଜୀବନ ମିଶନ ଅଧୀନରେ ୫୫୦ କୋଟିରୁ ଅଧିକ ମୂଲ୍ୟରେ ର୍ନିମିତ ହେବାକୁ ଥିବା ୧୯୨ ଟି ଗ୍ରାମୀଣ ପାନୀୟ ଜଳ ଯୋଜନାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହା ୧୯୨ ଟି ଗାଁର ୭ ଲକ୍ଷ ଲୋକଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଇବ ।

ମଣିକର୍ଣ୍ଣିକା ଏବଂ ହରିଶ୍ଚନ୍ଦ୍ର ଘାଟର ପୁନଃ ର୍ନିମାଣ ଏବଂ ବିକାଶ ପାଇଁ ପ୍ରଧାନମନ୍ତ୍ରୀ ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ପୁନଃ ର୍ନିମାଣ ଘାଟଗୁଡିକରେ ଜନସାଧାରଣଙ୍କ ସୁବିଧା, ଅପେକ୍ଷା ସ୍ଥାନ, କାଠ ମହଜୁଦ, ବର୍ଜ୍ୟବସ୍ତୁ ନିଷ୍କାସନ ଏବଂ ପରିବେଶ ଅନୁକୂଳ ଶବଦାହ ପାଇଁ ବ୍ୟବସ୍ଥା ରହିବ ।

ଅନ୍ୟାନ୍ୟ ପ୍ରକଳ୍ପ ଯାହାର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି, ବାରାଣାସୀର ଗଙ୍ଗା ନଦୀ କୂଳରେ ଛଅଟି ଧାର୍ମିକ ଗୁରୁତ୍ୱପୂର୍ଣ୍ଣ ଗାଧୋଇବା ଘାଟରେ ଭାସମାନ ପୋଷାକ ପରିବର୍ତ୍ତନ ପ୍ରକୋଷ୍ଠର ଜେଟି ଏବଂ ଦଶାଶ୍ୱମେଧ ଘାଟର ଭାସମାନ ପୋଷାକ ପରିବର୍ତ୍ତନ ପ୍ରକୋଷ୍ଠ ଜେଟୀ ଏବଂ ସିଆଇପିଇଟି କ୍ୟାମ୍ପସ କରସାରା ଠାରେ ଛାତ୍ରଙ୍କ ପାଇଁ ହଷ୍ଟେଲ ର୍ନିମାଣ ଅନ୍ତର୍ଭୁକ୍ତ ।

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଉତ୍ତରପ୍ରଦେଶର ହିତାଧିକାରୀଙ୍କୁ ପିଏମ୍‍ ଏସଭିଏନିଧି ଋଣ, ପିଏମଏୱାଇ ଗ୍ରାମୀଣ ଗୃହର ଚାବି ଏବଂ ଆୟୁଷ୍ମାନ ଭାରତ କାର୍ଡ ବଣ୍ଟନ କରିଥିଲେ । ଏହା ୫ ଲକ୍ଷ ପିଏମଏୱାଇ ହିତାଧିକାରୀଙ୍କ ଗୃହ ପ୍ରବେଶ, ଯୋଗ୍ୟ ହିତାଧିକାରୀଙ୍କୁ ୧.୨୫ ଲକ୍ଷ ପିଏମ ଏସଭିଏନିଧି ଋଣ ବଣ୍ଟନ ଏବଂ ୨.୮୮ କୋଟି ଆୟୁଷ୍ମାନ କାର୍ଡ ବଣ୍ଟନ ଆରମ୍ଭ କରିଛନ୍ତି ।

Categories
ବିଶେଷ ଖବର

ଦେଓଘରରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ

ଦେଓଘର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଓଘର ଠାରେ ୧୬,୮୦୦ କୋଟିରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଝାଡଖଣ୍ଡର ରାଜ୍ୟପାଳ ରମେଶ ବୈସ, ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, ରାଜ୍ୟର ମନ୍ତ୍ରୀ ଏବଂ ଜନ ପ୍ରତିନିଧୀମାନେ ଉପସ୍ଥିତ ଥିଲେ।

ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ବାବା ବୈଦ୍ୟନାଥଙ୍କ ଆଶୀର୍ବାଦରେ ଆଜି ୧୬,୦୦୦ କୋଟିରୁ ଅଧିକ ମୂଲ୍ୟର ପ୍ରକଳ୍ପ ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏହା ଝାଡଖଣ୍ଡର ଆଧୁନିକ ଯୋଗାଯୋଗ, ଶକ୍ତି, ସ୍ୱାସ୍ଥ୍ୟ, ବିଶ୍ୱାସ ଏବଂ ପର୍ଯ୍ୟଟନକୁ ସୁଦୃଢ଼ କରିବ।

ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଛନ୍ତି ଯେ ଗତ ୮ ବର୍ଷ ଧରି ରାଜ୍ୟଗୁଡ଼ିକର ବିକାଶ ଦ୍ୱାରା ଦେଶର ବିକାଶର ଚିନ୍ତାଧାରା ସହିତ ଦେଶ କାର୍ଯ୍ୟ କରୁଛି। ଗତ ୮ ବର୍ଷ ମଧ୍ୟରେ, ରାଜପଥ, ରେଳପଥ, ବାୟୁପଥ, ଜଳପଥ ଦ୍ୱାରା ଝାଡଖଣ୍ଡକୁ ସଂଯୋଗ କରିବାର ପ୍ରୟାସ ଚାଲୁରହିଛି। ଏହି ସମସ୍ତ ସୁବିଧା ରାଜ୍ୟର ଆର୍ଥିକ ବିକାଶ ଉପରେ ମଧ୍ୟ ସକାରାତ୍ମକ ପ୍ରଭାବ ପକାଇବ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜି ଝାଡଖଣ୍ଡ ଦ୍ୱିତୀୟ ବିମାନବନ୍ଦର ପାଇଛି। ଏହା ବାବା ବୈଦ୍ୟନାଥଙ୍କ ଭକ୍ତମାନଙ୍କ ପାଇଁ ଅତ୍ୟଧିକ ସହଜ ହେବ। ଉଡାନ ଯୋଜନା ମାଧ୍ୟମରେ ସାଧାରଣ ଲୋକଙ୍କ ପାଇଁ ବିମାନ ଯାତ୍ରାକୁ ସୁଲଭ କରିବା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ଆଜି ସରକାରଙ୍କ ଉଦ୍ୟମର ଲାଭ ସାରା ଦେଶରେ ଦେଖାଯାଉଛି। ଉଡାନ ଯୋଜନା ଅନ୍ତର୍ଗତ ଗତ ୫-୬ ବର୍ଷ ମଧ୍ୟରେ ବିମାନବନ୍ଦର, ହେଲିପୋର୍ଟ ଏବଂ ୱାଟର ଏରୋଡ୍ରୋମ ମାଧ୍ୟମରେ ପ୍ରାୟ ୭୦ ଟି ନୂତନ ସ୍ଥାନ ସଂଯୋଗ କରାଯାଇଛି। ଆଜି ସାଧାରଣ ନାଗରିକମାନେ ୪୦୦ ରୁ ଅଧିକ ନୂତନ ରୁଟରେ ବିମାନ ଯାତ୍ରା ସୁବିଧା ପାଇଛନ୍ତି। ୧ କୋଟିରୁ ଅଧିକ ଲୋକ ପ୍ରଥମ ଥର ପାଇଁ ବହୁତ ସୁଲଭ ଦରରେ ବିମାନ ଯାତ୍ରାର ଅନୁଭବ କରିଛନ୍ତି। ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି ଯେ ଦେଓଘରରୁ କୋଲକାତା ଅଭିମୁଖେ ଯାତ୍ରା ଆଜି ଆରମ୍ଭ ହୋଇଛି ଏବଂ ରାଞ୍ଚି, ଦିଲ୍ଲୀ ଏବଂ ପାଟନା ପାଇଁ ବିମାନ ଖୁବ ଶୀଘ୍ର ଆରମ୍ଭ ହେବ। ବୋକାରୋ ଏବଂ ଡୁମକା ବିମାନବନ୍ଦର ପାଇଁ କାମ ଚାଲିଛି ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯୋଗାଯୋଗ ସହିତ କେନ୍ଦ୍ର ସରକାର ମଧ୍ୟ ଦେଶରେ ବିଶ୍ୱାସ ଏବଂ ଆଧ୍ୟାତ୍ମିକତା ସହ ଜଡିତ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସୁବିଧା ସୃଷ୍ଟି ଉପରେ ଧ୍ୟାନ ଦେଉଛନ୍ତି। ପ୍ରସାଦ ଯୋଜନା ଅନ୍ତର୍ଗତ ବାବା ବୈଦ୍ୟନାଥ ଧାମରେ ଆଧୁନିକ ସୁବିଧା ମଧ୍ୟ ବିସ୍ତାର କରାଯାଇଛି। ଯେତେବେଳେ ଏକ ସାମଗ୍ରିକ ଆଭିମୁଖ୍ୟ ନେଇ ପ୍ରକଳ୍ପଗୁଡିକୁ କାର୍ଯ୍ୟକାରୀ କରାଯାଏ, ସମାଜର ବିଭିନ୍ନ ବର୍ଗ ପାଇଁ ଆୟର ନୂତନ ଉପାୟ ଆସେ ଏବଂ ନୂତନ ସୁବିଧା, ନୂତନ ସୁଯୋଗ ସୃଷ୍ଟି ହୁଏ।

ପ୍ରଧାନମନ୍ତ୍ରୀ ମଧ୍ୟ ଝାଡଖଣ୍ଡ ରାଜ୍ୟ ପାଇଁ ଗ୍ୟାସ ଭିତ୍ତିକ ଅର୍ଥନୀତି ଲାଗି ଦେଶର ପ୍ରୟାସ ଉପରେ ଆଲୋକପାତ କରିଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ଯୋଜନା ପୁରୁଣା ଚିତ୍ରକୁ ବଦଳାଉଛି। ସେ କହିଛନ୍ତି, ଅଭାବକୁ ସୁଯୋଗରେ ପରିଣତ କରିବା ପାଇଁ ଆମେ ଅନେକ ଐତିହାସିକ ନିଷ୍ପତ୍ତି ନେଉଛୁ। ଗେଲ୍‍ ର ଜଗଦୀଶପୁର-ହଳଦିଆ-ବୋକାରୋ-ଧାମରା ପାଇପଲାଇନର ବୋକାରୋ- ଅନୁଗୁଳ ସେକ୍ସନ ଝାଡଖଣ୍ଡ ଏବଂ ଓଡିଶାର ୧୧ ଟି ଜିଲ୍ଲାରେ ସହରାଞ୍ଚଳ ଗ୍ୟାସ ବିତରଣ ନେଟୱାର୍କକୁ ବିସ୍ତାର କରିବ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆମେ ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ଏବଂ ସବକା ପ୍ରୟାସ ମନ୍ତ୍ର ଅନୁସରଣ କରୁଛୁ। ଭିତ୍ତିଭୂମିରେ ବିନିଯୋଗ କରି ବିକାଶ, ନିଯୁକ୍ତି-ଆତ୍ମ-ରୋଜଗାରର ନୂତନ ଉପାୟ ଆବିଷ୍କୃତ ହେଉଛି। ବିକାଶର ଆକାଂକ୍ଷା ଉପରେ ଆମେ ଗୁରୁତ୍ୱ ଦେଇଛୁ, ଆଙ୍କାକ୍ଷୀ ଜିଲ୍ଲା ଉପରେ ଧ୍ୟାନ ଦେଇ ସେ କହିଛନ୍ତି, ଝାଡ଼ଖଣ୍ଡ ପାଇଁ ଏହି ପଦକ୍ଷେପଗୁଡ଼ିକର ଲାଭ ଉପରେ ଆଲୋକପାତ କରି ସେ କହିଛନ୍ତି। ସେ କହିଛନ୍ତି ଯେ ସ୍ୱାଧୀନତାର ଏତେ ଦିନ ପରେ ବିଦ୍ୟୁତକରଣ ହୋଇଥିବା ୧୮,୦୦୦ ଗାଁ ମଧ୍ୟରୁ ଅଧିକାଂଶ ଅପହଞ୍ଚ ତଥା ଦୁର୍ଗମ ଅଞ୍ଚଳରେ ଅଛି। ଟ୍ୟାପ୍ ଜଳ, ସଡକ ଏବଂ ଗ୍ୟାସ୍ ସଂଯୋଗ ଆଣିବା ପାଇଁ ସରକାର ଗତ ୮ ବର୍ଷ ମଧ୍ୟରେ ମିଶନ୍ ମୋଡରେ କାର୍ଯ୍ୟ କରିଛନ୍ତି ବୋଲି ସେ କହିଛନ୍ତି।

ବଡ ସହର ବାହାରେ ଆଧୁନିକ ସୁବିଧା ବିସ୍ତାର ବିଷୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ପ୍ରକଳ୍ପଗୁଡ଼ିକ ହେଉଛି ପ୍ରମାଣ ଯେ ଯେତେବେଳେ ସାଧାରଣ ନାଗରିକଙ୍କ ଜୀବନରେ ସହଜତା ପାଇଁ ପଦକ୍ଷେପ ନିଆଯାଏ, ସେତେବେଳେ ଜାତୀୟ ସମ୍ପତ୍ତି ସୃଷ୍ଟି ହୁଏ ଏବଂ ଜାତୀୟ ବିକାଶର ନୂତନ ସୁଯୋଗ ସୃଷ୍ଟି ହୁଏ। ସେ କହିଛନ୍ତି ଯେ ଏହା ହେଉଛି ସଠିକ୍ ବିକାଶ ଏବଂ ଆମକୁ ଏହି ବିକାଶକୁ ତ୍ୱରାନ୍ୱିତ କରିବାକୁ ପଡିବ।

ଦେଓଘରରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପ

ଦେଶର ବିଭିନ୍ନ ସ୍ଥାନରୁ ଭକ୍ତଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ଗନ୍ତବ୍ୟସ୍ଥଳ ବାବା ବୈଦ୍ୟନାଥ ଧାମକୁ ସିଧାସଳଖ ସଂଯୋଗ ଯୋଗାଇବା ପାଇଁ ଏକ ପ୍ରମୁଖ ପଦକ୍ଷେପ ଭାବରେ ପ୍ରଧାନମନ୍ତ୍ରୀ ଦେଓଘର ବିମାନବନ୍ଦରର ଉଦଘାଟନ କରିଛନ୍ତି। ଏହା ଆନୁମାନିକ ପ୍ରାୟ ୪୦୦ କୋଟି ଟଙ୍କା ମୂଲ୍ୟରେ ର୍ନିମାଣ କରାଯାଇଛି। ବିମାନବନ୍ଦରର ଟର୍ମିନାଲ୍ ସୌଧ ବାର୍ଷିକ ପାଞ୍ଚ ଲକ୍ଷରୁ ଅଧିକ ଯାତ୍ରୀଙ୍କୁ ପରିଚାଳନା କରିବା ପାଇଁ ପ୍ରସ୍ତୁତ।

ଦେଓଘରରେ ଥିବା ଏମସ୍‍ ସମଗ୍ର ଅଞ୍ଚଳର ସ୍ୱାସ୍ଥ୍ୟସେବା ପାଇଁ ଏକ ଉତ୍ସାହ। ଏମ୍‍ସ ଦେଓଘରରେ ସେବାଗୁଡିକ ଅଧିକ ବୃଦ୍ଧି ପାଇବ କାରଣ ପ୍ରଧାନମନ୍ତ୍ରୀ ଆନ୍ତଃ ରୋଗୀ ବିଭାଗ (ଆଇପିଡି) ଏବଂ ଦେଓଘରର ଏମ୍‍ସ ଠାରେ ଅପରେସନ୍ ଥିଏଟର ସେବା ଦେଶକୁ ଉତ୍ସର୍ଗ କରିଛନ୍ତି। ଦେଶର ସମସ୍ତ ଅଞ୍ଚଳରେ ଉତ୍ତମ ସ୍ୱାସ୍ଥ୍ୟସେବା ସୁବିଧାର ବିକାଶ ପାଇଁ ପ୍ରଧାନମନ୍ତ୍ରୀଙ୍କ ଭିଜନ ଅନୁଯାୟୀ ଏହା ହେଉଛି। ପ୍ରଧାନମନ୍ତ୍ରୀ ୨୫ ମାର୍ଚ୍ଚ, ୨୦୧୮ରେ ଏମସ ଦେଓଘରର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।

ସମଗ୍ର ଦେଶରେ ଧାର୍ମିକ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ବିଶ୍ୱ ସ୍ତରୀୟ ଭିତ୍ତିଭୂମି ବିକାଶ ତଥା ପର୍ଯ୍ୟଟକଙ୍କ ପାଇଁ ସୁବିଧା ସୁଦୃଢ କରିବା ପାଇଁ ପ୍ରତିବଦ୍ଧତା ଅନୁଯାୟୀ ଦେଓଘର ବୈଦ୍ୟନାଥ ଧାମର ବିକାଶ, କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରାଳୟ ଅଧିନରେ ପ୍ରସାଦ ଯୋଜନାରେ ହୋଇଥିବା ପ୍ରକଳ୍ପ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦଘାଟନ କରାଯାଇଛି। ଏହି ପ୍ରକଳ୍ପଗୁଡିକରେ ୨୦୦୦ ତୀର୍ଥଯାତ୍ରୀଙ୍କ କ୍ଷମତା ବିଶିଷ୍ଟ ଦୁଇଟି ବୃହତ ତୀର୍ଥଯାତ୍ରା ସ୍ଥଳୀର ବିକାଶ ଅନ୍ତର୍ଭୁକ୍ତ; ଜଲସର ହ୍ରଦ ସମ୍ମୁଖ ବିକାଶ; ଅନ୍ୟମାନଙ୍କ ମଧ୍ୟରେ ଶିବଗଙ୍ଗା ପୋଖରୀ ବିକାଶ ଆଦି ରହିଛି। ଏହି ନୂତନ ସୁବିଧା ବାବା ବୈଦ୍ୟନାଥ ଧାମ ପରିଦର୍ଶନ କରୁଥିବା ଲକ୍ଷ ଲକ୍ଷ ଭକ୍ତଙ୍କ ପାଇଁ ପର୍ଯ୍ୟଟନ ଅଭିଜ୍ଞତାକୁ ଆହୁରି ସମୃଦ୍ଧ କରିବ।

ପ୍ରଧାନମନ୍ତ୍ରୀ ୧୦,୦୦୦ କୋଟିରୁ ଅଧିକ ମୂଲ୍ୟର ଏକାଧିକ ସଡକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଉଦଘାଟିତ ହୋଇଥିବା ପ୍ରକଳ୍ପଗୁଡିକରେ ଗୋରହରରୁ ବରୱାଡା ସେକ୍ସନ ଏନଏଚ୍‍-୨ ର ୬ ଲେନ୍ ଅନ୍ତର୍ଭୁକ୍ତ; ଅନ୍ୟମାନଙ୍କ ମଧ୍ୟରେ ଏନଏଚ୍‍-୩୨ ର ପଶ୍ଚିମବଙ୍ଗ ସୀମା ପର୍ଯ୍ୟନ୍ତ ରାଜଗଞ୍ଜ-ଚାସ୍ ସମ୍ପ୍ରସରଣ ଆଦି ରହିଛି।  ପ୍ରମୁଖ ପ୍ରକଳ୍ପ ଯାହାର ଭିତ୍ତିପ୍ରସ୍ତର ସ୍ଥାପନ ହେବ, ଏନଏଚ୍‍-୮୦ ର ର୍ମିଜାଚୌକି- ଫରାକ୍କା ସେକ୍ସନର ଚାରି ଲେନ୍ ଅନ୍ତର୍ଭୁକ୍ତ; ହରିହରଗଞ୍ଜରୁ ପରୱା ପର୍ଯ୍ୟନ୍ତ ଏନଏଚ୍‍-୯୮; ଏନଏଚ୍‍-୨୩ ର ପାଲମାରୁ ଗୁମଲା ସେକ୍ସନକୁ ଚାରି ଲେନ୍‌; ଅନ୍ୟମାନଙ୍କ ମଧ୍ୟରେ ଐନଏଚ୍‍-୭୫ ର କୁଚେରୀ ଚୌକ ରୁ ପିସ୍କା ପର୍ଯ୍ୟନ୍ତ ଉଚ୍ଚତର କରିଡର ଆଦି ଅର୍ନ୍ତଭକ୍ତୁ। ଏହି ପ୍ରକଳ୍ପଗୁଡିକ ସ୍ଥାନୀୟ ଅଞ୍ଚଳରେ ଯୋଗାଯୋଗକୁ ଅଧିକ ବୃଦ୍ଧି କରିବ ଏବଂ ସାଧାରଣ ଲୋକଙ୍କ ପାଇଁ ଚଳପ୍ରଚଳ ସୁନିଶ୍ଚିତ କରିବ।

ପ୍ରଧାନମନ୍ତ୍ରୀ ଏହି ଅଞ୍ଚଳ ପାଇଁ ପ୍ରାୟ ୩୦୦୦ କୋଟି ଟଙ୍କାର ବିଭିନ୍ନ ଶକ୍ତି ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଉଦଘାଟିତ ହୋଇଥିବା ପ୍ରକଳ୍ପଗୁଡ଼ିକ ମଧ୍ୟରେ ଗେଲ୍‍ର ଜଗଦୀଶପୁର-ହଳଦିଆ-ବୋକାରୋ-ଧାମରା ପାଇପଲାଇନର ବୋକରୋ-ଅନୁଗୁଳ ସେକ୍ସନ ଅନ୍ତର୍ଭୁକ୍ତ; ବିପିସିଏଲ୍ ର ବରାହି, ହଜାରିବାଗ ଏବଂ ବୋକାରୋ ଏଲପିଜି ବଟଲିଂ ପ୍ଲାଣ୍ଟ, ଏଚ୍‍ପିସିଏଲ୍‍ର ନୂତନ ଏଲପିଜି ବଟଲିଂ ପ୍ଲାଣ୍ଟ। ଝରିଆ ବ୍ଲକର ପର୍ବତପୁର ଗ୍ୟାସ ସଂଗ୍ରହ ଷ୍ଟେସନ, ଓଏନଜିସିର କୋଇଲା ବେଡ ମିଥେନ (ସିବିଏମ) ଆଦିର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି।

ପ୍ରଧାନମନ୍ତ୍ରୀ ଦୁଇଟି ରେଳ ପ୍ରକଳ୍ପ ଗୋଡା-ହଂସଡିହା ବିଦ୍ୟୁତ ସେକ୍ସନ ଏବଂ ଗରୱା-ମହୁରିଆ ଦୁଇ ଲାଇନ୍‍ ପ୍ରକଳ୍ପକୁ ଦେଶପାଇଁ ଉତ୍ସର୍ଗ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ଶିଳ୍ପ ଏବଂ ଶକ୍ତି ପ୍ରକଳ୍ପ ପାଇଁ ସାମଗ୍ରୀର ନିରବଚ୍ଛିନ୍ନ ଯୋଗାଣ ସୁନିଶ୍ଚିତ କରିବାରେ ସାହାଯ୍ୟ କରିବ। ଡୁମକା ଠାରୁ ଆସାନସୋଲ ପର୍ଯ୍ୟନ୍ତ ଟ୍ରେନ୍ ଚଳାଚଳର ସହଜତା ମଧ୍ୟ ନିଶ୍ଚିତ କରିବ।  ତିନୋଟି ରେଳ ପ୍ରକଳ୍ପ ପାଇଁ ପ୍ରଧାନମନ୍ତ୍ରୀ ମଧ୍ୟ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ରାଞ୍ଚି ରେଳ ଷ୍ଟେସନର ପୁନଃବିକାଶ; ଜସିଡିହ ବାଇପାସ୍ ଲାଇନ୍ ଏବଂ ଗୋଡା ଠାରେ ଏଲଏଚ୍‍ବି କୋଚ୍ ରକ୍ଷଣାବେକ୍ଷଣ ଡିପୋ। ପ୍ରସ୍ତାବିତ ପୁନଃ ବିକଶିତ ରାଞ୍ଚି ଷ୍ଟେସନରେ ଖାଦ୍ୟ ସୁବିଧା, ଯାତ୍ରୀମାନଙ୍କ ଆରାମ ତଥା ଖାଦ୍ୟ ସୁବିଧା, ଫୁଡ୍ କୋର୍ଟ, ଏକଜିକ୍ୟୁଟିଭ୍ ଲାଉଞ୍ଜ, କାଫେଟେରିଆ, ଶୀତତାପ ନିୟନ୍ତ୍ରିତ ପ୍ରତୀକ୍ଷା ଗୃହ ଇତ୍ୟାଦି ସହିତ ବିଶ୍ୱ ସ୍ତରୀୟ ଯାତ୍ରୀ ସୁବିଧା ରହିବ।

Categories
ଆଜିର ଖବର ଜାତୀୟ ଖବର

କୁଶୀନଗର ଅନ୍ତର୍ଜାତୀୟ ବିମାନବନ୍ଦରର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ, ଜାଣନ୍ତୁ ଏହା କାହିଁକି ପ୍ରସିଦ୍ଧ?

କୁଶୀନଗର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କୁଶୀନଗର ଅନ୍ତର୍ଜାତୀୟ ବିମାନବନ୍ଦରର ଉଦଘାଟନ କରିଛନ୍ତି। ୨୬୦ କୋଟି ଟଙ୍କା ବ୍ୟୟରେ ଏହି ବିମାନବନ୍ଦର ନିର୍ମାଣ କରାଯାଇଛି। ଏହା ଉତ୍ତରପ୍ରଦେଶର ଯାତ୍ରୀ ତଥା ବିହାରର ସଂଲଗ୍ନ ଜିଲ୍ଲା ପାଇଁ ଉପକୃତ ହେବ।

କୁଶୀନଗର ଇତିହାସ:

ବୁଦ୍ଧଙ୍କ ଜନ୍ମ ପୂର୍ବରୁ କୁଶୀନଗର କୁସାୱତୀ ଏବଂ ବୁଦ୍ଧଙ୍କ ଜନ୍ମ ପରେ କୁଶିନାରା ଭାବରେ ଜଣାଶୁଣା। ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀରେ ଏହା ଷୋହଳ ମହାଜନପାଦ ମଧ୍ୟରୁ ଗୋଟିଏ ଥିଲା। କୁଶୀନଗର ମୌର୍ଯ୍ୟ, ସୁଙ୍ଗ, କୁଷାଣ, ଗୁପ୍ତ, ହର୍ଷ ଏବଂ ପାଲ ରାଜବଂଶର ଏକ ଅବିଚ୍ଛେଦ୍ୟ ଅଙ୍ଗ ଥିଲା।

ଐତିହାସିକଙ୍କ ଅନୁଯାୟୀ କୁଶିନଗର କୋସଲ ରାଜ୍ୟର ରାଜଧାନୀ ଥିଲା। ଏହା ପ୍ରଭୁ ରାମଙ୍କ ପୁତ୍ର କୁଶଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା। ବୌଦ୍ଧ ଧର୍ମ ଅନୁଯାୟୀ ଏହାର ନାମ କୁଶାବତୀ ହୋଇସାରିଛି। ଏଠାରେ ମିଳୁଥିବା କୁଶ ଘାସ ହେତୁ କୁଶାବତୀ ନାମ କରାଯାଇଥିଲା।

କୁଶୀନଗର ହେଉଛି ବୌଦ୍ଧ ଧର୍ମର ମୁଖ୍ୟ ସ୍ଥାନ। ଏହିଠାରେ ଭଗବାନ ବୁଦ୍ଧ ନିର୍ବାଣରେ ପହଞ୍ଚିଥିଲେ। ଏଠାରେ ଅନେକ ପ୍ରାଚୀନ ସ୍ତୁପ ଅଛି ଯାହା ସମ୍ରାଟ ଅଶୋକାଙ୍କ ଦ୍ୱାରା ନିର୍ମିତ ହୋଇଥିଲା। କୁଶୀନଗରରେ ଗୌତମ ବୁଦ୍ଧଙ୍କର ଅନେକ ମନ୍ଦିର ଅଛି।

ଊନବିଂଶ ଶତାବ୍ଦୀରେ ପାଣିପାଗ ବିଜ୍ଞାନୀ ଆଲେକ୍ସଜାଣ୍ଡାର୍ କନିଙ୍ଗହମଙ୍କ ଦ୍ଵାରା କରାଯାଇଥିବା ପ୍ରତ୍ନତାତ୍ତ୍ୱିକ ଖନନଗୁଡ଼ିକରେ ପ୍ରଭୁ ବୁଦ୍ଧଙ୍କ ୬.୧୦ ମିଟର ଉଚ୍ଚ ପ୍ରତିମୂର୍ତ୍ତି ମିଳିଥିଲା। ଏହା ପରେ, ୧୯୦୫ ରୁ ୧୯୦୭ ପର୍ଯ୍ୟନ୍ତ ପ୍ରତ୍ନତାତ୍ତ୍ୱିକ ଅଭିଯାନ ଜାରି ରହିଲା, ଯେଉଁଥିରେ ବୌଦ୍ଧ ଧର୍ମ ସହ ଜଡିତ ଅନ୍ୟାନ୍ୟ ବସ୍ତୁ ମିଳିଲା। ୧୯୦୩ ମସିହାରେ ବର୍ମା ଭିକ୍ଷୁ ଏବଂ ଚନ୍ଦ୍ର ସ୍ଵାମୀ ଭାରତକୁ ଆସି ମହାପରିନିର୍ବାଣ ମନ୍ଦିରକୁ ଜୀବନ୍ତ ମନ୍ଦିରରେ ପରିଣତ କରିଥିଲେ।

ସ୍ଵାଧୀନତା ପରେ କୁଶୀନଗର ଦେଓରିଆ ଜିଲ୍ଲାର ଏକ ଅଂଶ ହୋଇ ରହିଲା। ମଇ ୧୩ ତାରିଖ ୧୯୯୪ ମସିହାରେ, ଏହାକୁ କୁଶିନଗରକୁ ଏକ ଅଲଗା ଜିଲ୍ଲା କରାଯାଇଥିଲା।

ଭୌଗୋଳିକ ପରିସ୍ଥିତି:

କୁଶୀନଗର ୨୯୦୬ ବର୍ଗ କିଲୋମିଟରରେ ଅବସ୍ଥିତ। ଏହା ଜାତୀୟ ରାଜପଥ ୨୪ ରେ ଅବସ୍ଥିତ। ଗୋରଖପୁର ଠାରୁ ଏହି ଜିଲ୍ଲାର ଦୂରତା ପ୍ରାୟ ୫୧ କିଲୋମିଟର। ବିହାର ରାଜ୍ୟ କୁଶୀନଗରଠାରୁ ୨୦ କିଲୋମିଟର ପୂର୍ବରେ ଅବସ୍ଥିତ। ଏହି ଜିଲ୍ଲାର ଜନସଂଖ୍ୟା ପ୍ରାୟ ୩,୫୬୪,୫୪୪ ଅଟେ। ପୁରୁଷଙ୍କ ସଂଖ୍ୟା ୧,୮୧୮,୦୫୫ ଏବଂ ମହିଳା ସଂଖ୍ୟା ୧,୭୪୬,୪୮୯ । କୁଶୀନଗର ଅଧୀନରେ ୬ ଟି ତହସିଲ, ୧୯ ପୋଲିସ ଷ୍ଟେସନ ଏବଂ ୧୬୨୦ ଗାଁ ଅଛି। ଏଠାରେ ହିନ୍ଦୀ ଏବଂ ଭୋଜପୁରୀ କଥିତ। ୨୦୧୧ ଜନଗଣନା ଅନୁଯାୟୀ କୁସିନଗରର ସାକ୍ଷରତା ହାର ୭୮.୪ ଅଟେ।

ପର୍ଯ୍ୟଟନ ସ୍ଥାନ:

୧- ମହାନିର୍ବାଣ ମନ୍ଦିର:

ମହାନିର୍ବାଣ ମନ୍ଦିର କୁଶୀନଗରର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥାନ ଅଟେ। ଏଠାରେ ବୁଦ୍ଧଙ୍କର ୬.୧୦ ମିଟର ଉଚ୍ଚ ପ୍ରତିମୂର୍ତ୍ତି ସ୍ଥାପିତ ହୋଇଛି। ୧୮୭୬ ​​ମସିହାରେ ଖନନ ସମୟରେ ଏହି ପ୍ରତିମୂର୍ତ୍ତି ମିଳିଥିଲା। ଚୁନାର ବାଲୁକା ପଥର କାଟି ଏହି ପ୍ରତିମୂର୍ତ୍ତି ତିଆରି କରାଯାଇଥିଲା। ରେକର୍ଡଗୁଡିକ ଦର୍ଶାଏ ଯେ ଏହି ପ୍ରତିମୂର୍ତ୍ତି ପଞ୍ଚମ ଶତାବ୍ଦୀ ସହିତ ଜଡିତ।

୨- ନିର୍ବାଣ ସ୍ତୁପ:

୧୮୭୬ ​​ମସିହାରେ ଏହି ସ୍ତୁପ ଆବିଷ୍କୃତ ହୋଇଥିଲା। ଏହାର ଉଚ୍ଚତା ୨.୭୪ ମିଟର। ଖନନ ସମୟରେ ଏକ ତମ୍ବା ଡଙ୍ଗା ମିଳିଥିଲା। ଏଥିରେ ଥିବା ଲେଖା ଅନୁଯାୟୀ ବୁଦ୍ଧଙ୍କ ଚିତାର ପାଉଁଶ ସେଥିରେ ରଖାଯାଇଥିଲା।

୩- ମଥାକୁଆଁର ମନ୍ଦିର:

ଏହି ମନ୍ଦିର ନିର୍ବାଣ ସ୍ତୁପ ଠାରୁ ୪୦୦ ଗଜ ଦୂରରେ ଅବସ୍ଥିତ। ଏହି ମନ୍ଦିରରେ ସ୍ଥାପିତ ପ୍ରତିମୂର୍ତ୍ତି ୧୦-୧୧ ଶତାବ୍ଦୀ ସହିତ ଜଡିତ। ଖନନ ସମୟରେ ଏକ ମଠର ମୃତଦେହ ମଧ୍ୟ ମିଳିଛି।

୪- ରାମଭର ସ୍ତୁପ:

୧୫ ମିଟର ଉଚ୍ଚ ରାମଭର ସ୍ତୁପ ମହାପରିନିର୍ବାଣ ମନ୍ଦିରଠାରୁ ୧.୫ କିଲୋମିଟର ଦୂରରେ ଅବସ୍ଥିତ। ବିଶ୍ୱାସ କରାଯାଏ ଯେ ମହାତ୍ମା ବୁଦ୍ଧଙ୍କୁ ଏଠାରେ ସମାଧି ଦିଆଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଜଗତସିଂହପୁର ପୌରପରିଷଦ ଓ ବ୍ଲକ୍ ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ

ରମେଶ ମହାନ୍ତି
ଜଗତସିଂହପୁର: ସ୍ୱାଧୀନତା ଦିବସ ଅବସରରେ ଆଜି ଜଗତସିଂହପୁର ପୌରପରିଷଦ ଓ ବ୍ଲକ୍ ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭ ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ଜଗତସିଂହପୁର ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ମୁଦୁଲି।

ଏହି ଉତ୍ସବରେ ଜଗତସିଂହପୁର ସାଂସଦ ଡ. ରାଜଶ୍ରୀ ମଲ୍ଲିକ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିଭାବେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଯୋଗଦେଇଥିଲେ। ସମୁଦାୟ ୧୧ଟି ପ୍ରକଳ୍ପ ମଧ୍ୟରୁ ୬ଟି ପ୍ରକଳ୍ପର ଶୁଭ ଉଦଘାଟନ ଓ ୫ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଜଗତସିଂହପୁର ପୌରପରିଷଦର ବଙ୍ଗଳା ଛକଠାରୁ ପୂର୍ତ୍ତବିଭାଗ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଚଲାପଥ ଓ ସୌନ୍ଦର୍ଯ୍ୟକରଣ, ଷ୍ଟେଟ୍ ବ୍ୟାଙ୍କ ସମ୍ମୁଖରେ ସମ୍ପୂର୍ଣ୍ଣ ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ ସେଲ୍ କାଉଣ୍ଟର ଅଳକା, ଜିଲ୍ଲା ପ୍ରାଣୀଚିକିତ୍ସା କାର୍ଯ୍ୟାଳୟ ପରିସରରେ ନୂତନ ଭାବେ ନିର୍ମିତ ତାଲିମ୍ କେନ୍ଦ୍ର, ହାଟପୋଲ ଠାରୁ ଅନୁକୂଳଚନ୍ଦ୍ର ଆଶ୍ରମ ପର୍ଯ୍ୟନ୍ତ ମାଛଗାଁ କେନାଲ ରାସ୍ତା ପ୍ରଶସ୍ତିକରଣ, ମୃତିକା ସଂରକ୍ଷଣ ଓ ବୃକ୍ଷରୋପଣ, ନୂଆପଡ଼ା ସାଁପୁର ଠାରେ ନୂତନ ଭାବେ ନିର୍ମିତ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟର ଶୁଭ ଉଦଘାଟନ ସହିତ ବାଗସାହି ଟାଉନହଲ୍ ନିକଟ ଜାଭିୟର୍ ସ୍କୁଲ୍ ନିକଟରେ ଭେଣ୍ଡିଂ ଜୋନ୍, ଆରକ୍ଷୀ ଅଧିକ୍ଷକଙ୍କ ଆବାସିକ କାର୍ଯ୍ୟାଳୟ ନିକଟରେ ତିନିମହଲା ବିଶିଷ୍ଟ ୬ଟି ଇ-ଟାଇପ୍ ଷ୍ଟାଫ୍ କ୍ୱାଟର୍, ପୌରପରିଷଦ ୱାର୍ଡ଼ ନଂ ୧୦ ହରିହରପୁର ଠାରେ ମିସନଶକ୍ତି ଗୃହ, ମାଛଗାଁ ମୁଖ୍ୟ କେନାଲ ବାମପଟ ବନ୍ଧ ଉନ୍ନତିକରଣ ଓଡିଶ ଠାରୁ କାଳିଆବୋରା ପର୍ଯ୍ୟନ୍ତ ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ରାଜସ୍ବ କର୍ମଚାରୀଙ୍କ ନିମନ୍ତେ ଜଗତସିଂହପୁର ତହସିଲ୍ ନିକଟରେ ୧୨ଟି ଇ-ଟାଇପ୍ କ୍ୱାଟର୍ ନବନିର୍ମିତ ଗୃହର ଶୁଭ ଉଦଘାଟନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ପ୍ରକଳ୍ପ ନିର୍ଦ୍ଦେଶକ ସରୋଜ କାନ୍ତ ମହାନ୍ତି, ପୌର ନିର୍ବାହୀ ଅଧିକାରୀ ଅଶୋକ କୁମାର କର୍ଣ୍ଣ , ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ବୀର କିଶୋର ପରିଡା, ଜିଲ୍ଲାମୁଖ୍ୟ କୃଷି ଅଧିକାରୀ ରାଜକିଶୋର ଦାସ, ଜଳସମ୍ପଦ ନିର୍ବାହୀ ଯନ୍ତ୍ରୀ ପ୍ରତାପ କୁମାର ଶତପଥୀ, ରାସ୍ତା ଓ କୋଠାବାଡ଼ି ନିର୍ବାହୀ ଯନ୍ତ୍ରୀ ନିମାଇଁ ଚରଣ ଦାସ, ଡେପୁଟି ସିଇଓ ଓରମାସ ସତ୍ୟସୁନ୍ଦର ଶିବରାମ ପାଇଟାଲ, ଡିଡିଏମ୍ ନାବାର୍ଡ ବିଶ୍ୱ ଭୂଷଣ ମହାନ୍ତିଙ୍କ ସମେତ ସହରର ବୁଦ୍ଧିଜୀବୀ ଓ ଜନସାଧାରଣ ଉପସ୍ଥିତ ଥିଲେ।

ଏଥିସହିତ ୭୫ତମ ସ୍ୱାଧୀନତା ଦିବସ ଅବସରରେ ପୌର କର୍ମଚାରୀଙ୍କ ଦ୍ବାରା ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଉଦଘାଟନ କରାଯିବା ସହିତ ଏହି ରକ୍ତଦାନ ଶିବିରରେ ପୌର ନିର୍ବାହୀ ଅଧିକାରୀ ଅଶୋକ କୁମାର କର୍ଣ୍ଣ, ପୌର ଚିକିତ୍ସକ ଡଃ ସରୋଜ କୁମାର ଷଡଙ୍ଗୀଙ୍କ ସମେତ କର୍ମଚାରୀ ମାନେ ରକ୍ତଦାନ କରିଥିଲେ।

Categories
ଆଜିର ଖବର ଆଞ୍ଚଳିକ

ଖୋର୍ଦ୍ଧା ଜିଲ୍ଲାର ପ୍ରଥମ ଧାନମଣ୍ଡି ଉଦଘାଟନ କଲେ ଜିଲ୍ଲାପାଳ ସନତ କୁମାର ମହାନ୍ତି

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଆଜି ଜିଲ୍ଲାପାଳ ସନତ କୁମାର ମହାନ୍ତି ଖୋର୍ଦ୍ଧା ଜିଲ୍ଲାର ପ୍ରଥମ ଧାନମଣ୍ଡିକୁ ଉଦଘାଟନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଟାଙ୍ଗୀ ବ୍ଲକ ଅଧିନସ୍ଥ ବଡପୋଖରୀଆ ସେବା ସମବାୟ ସମିତି ଲିଃ ମାଧ୍ୟମରେ ଚାଷୀ ମାନଙ୍କ ଠାରୁ ଧାନ କିଣା ଆରମ୍ଭ ହୋଇଯାଇଛି।

ଜିଲ୍ଲାରେ ଆଜି ପ୍ରତି ବ୍ଲକ ଅଧିନରେ ସେବାସମବାୟ ସମିତିର ଧାନ କିଣା ଆରମ୍ଭ ହୋଇଛି। ଜିଲ୍ଲାରେ ଧାନ ଚାଷୀମାନଙ୍କ ଠାରୁ ଧାନ କ୍ରୟ କରିବା ପାଇଁ ୧୪ ଲକ୍ଷ କ୍ୟୁଣ୍ଟାଲ ଧାନ ଲକ୍ଷ ଧାର୍ଯ୍ୟ କରାଯାଇଛି। ପ୍ରତି ମଣ୍ଡିରେ କିଭଳି ସୁଚାରୁରୂପେ ଧାନ ସଂଗ୍ରହ କରାଯାଇ ପାରିବ ଏବଂ ଚାଷୀ ମାନେ ଟୋକେନ ପାଇ ଠିକରେ ଧାନ ଦେଇ ପାରିବେ ସେଥିପାଇଁ ପ୍ରତି ବ୍ଲକରେ ଚାଷୀ କମିଟି କରି ଧାନ କିଣିବା ପାଇଁ ସୁଚାରୁରୂପେ ବ୍ୟବସ୍ଥା ହୋଇଥିବା କହିଛନ୍ତି ଜିଲା ଯୋଗାଣ ଅଧିକାରୀ। ଟାଙ୍ଗୀ ବ୍ଲକରେ ମୋଟ ୧୪ ଟି ସେବା ସମବାୟ ସମିତି ମାଧ୍ୟ୍ୟମରେ ଚାଷୀ ମାନଙ୍କ ଠାରୁ ଧାନ କ୍ରୟ କରାଯିବା ପାଇଁ ବ୍ୟବସ୍ଥା କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର

ଆଗ୍ରା ମେଟ୍ରୋ ପ୍ରକଳ୍ପକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ: ଜାଣନ୍ତୁ ଏହି ପ୍ରକଳ୍ପ ସମ୍ପର୍କରେ କିଛି ତଥ୍ୟ

ନୂଆଦିଲ୍ଲୀ: ଆସନ୍ତା ୭ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଗ୍ରା ମେଟ୍ରୋ ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ଉଦଘାଟନ କରିବେ। ଭିଡିଓ କନଫରେନ୍ସ ମାଧ୍ୟମରେ ଦିନ ୧୧.୩୦ ସମୟରେ କେନ୍ଦ୍ର ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ହରଦୀପ ସିଂହ ପୁରୀ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ଅନ୍ୟାନ୍ୟ ଗଣମାନ୍ୟ ଅତିଥିମାନେ ଯୋଗଦେବେ। ଆଗ୍ରାର ୧୫ ବାଟାଲିୟନ ପିଏସି ପରେଡ ପଡିଆରେ ଏହି ସମାରୋହ ଅନୁଷ୍ଠିତ ହେବ।

ଆଗ୍ରା ମେଟ୍ରୋ ପ୍ରକଳ୍ପ ସମ୍ପର୍କରେ ପଦେ……

ଆଗ୍ରା ମେଟ୍ରୋ ପ୍ରକଳ୍ପର ଦୈର୍ଘ୍ୟ ୨୯.୪ କିଲୋମିଟର ହୋଇଥିବା ବେଳେ ଏଥିରେ ଦୁଇଟି କରିଡର ରହିଛି। ଏହା ପର୍ଯ୍ୟଟନ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ। ତାଜମହଲ, ଆଗ୍ରା ଦୁର୍ଗ, ସିକନ୍ଦର ସହ ରେଳ ଷ୍ଟେସନ ଓ ବସ ଷ୍ଟାଣ୍ଡକୁ ସଂଯୋଗ କରୁଛି। ଏହି ପ୍ରକଳ୍ପ ଯୋଗୁଁ ଆଗ୍ରା ମହାନଗରୀର ୨୬ ଲକ୍ଷ ଜନସାଧାରଣଙ୍କ ସମେତ ପ୍ରତିବର୍ଷ ଆଗ୍ରାକୁ ଆସୁଥିବା ୬୦ ଲକ୍ଷ ପର୍ଯ୍ୟଟକ ଉପକୃତ ହେବେ। ଏହା ଏକ ପରିବେଶ ଅନୁକୂଳ ମାସ୍ ରାପିଡ଼ ଟ୍ରାଞ୍ଜିଟ ସିଷ୍ଟମ (ସର୍ବସାଧାରଣ ଦ୍ରୁତ ପରିବହନ ବ୍ୟବସ୍ଥା) ପ୍ରଦାନ କରିବ। ୫ ବର୍ଷରେ ସଂପୂର୍ଣ୍ଣ ହେବାକୁ ଥିବା ଏହି ପ୍ରକଳ୍ପ ପାଇଁ ପ୍ରାୟ ୮,୩୭୯.୬୨ କୋଟି ଟଙ୍କାର ଖର୍ଚ୍ଚ ଆକଳନ କରାଯାଇଛି।

ପୂର୍ବରୁ ଗତ ବର୍ଷ  ମାର୍ଚ୍ଚ ୮ ତାରିଖ ଦିନ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଆଗ୍ରା ମେଟ୍ରୋ ପ୍ରକଳ୍ପ ସହ ଲକ୍ଷ୍ନୌ ମେଟ୍ରୋର ୨୩ କିଲୋମିଟର ଉତ୍ତର-ଦକ୍ଷିଣ କରିଡର, ସିସିଏସ ବିମାନ ବନ୍ଦରରୁ ମୁନସିପୁଲିଆ ପର୍ଯ୍ୟନ୍ତ ବାଣିଜ୍ୟିକ କାରବାର ବ୍ୟବସ୍ଥାର ଶୁଭ ଉଦଘାଟନ କରିଥିଲେ।