Categories
ବିଶେଷ ଖବର

ମୟୁରଭଂଜ ଗସ୍ତରେ ଭି.କେ. ପାଣ୍ଡିଆନ: ସ୍ଥାନୀୟ ଲୋକ ଏବଂ ଛାତ୍ରଛାତ୍ରୀ ମାନଙ୍କ ସହିତ କଲେ ମତବିନିମୟ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ଆଜି ମୟୁରଭଂଜ ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ କାମର ସମୀକ୍ଷା କରିବା ସହିତ ସ୍ଥାନୀୟ ଲୋକ ଏବଂ ଛାତ୍ରଛାତ୍ରୀ ମାନଙ୍କ ସହିତ ମତବିନିମୟ କରିଛନ୍ତି।

ବାରିପଦାଠାରେ ବିଶ୍ବବିଦ୍ୟାଳୟ ପଡିଆରେ ଜିଲ୍ଲାର ସମସ୍ତ ଛାତ୍ରଛାତ୍ରୀ ମାନଙ୍କ ସହିତ ଆଲୋଚନା କରି ନୂଆ ଓଡିଶା ଗଠନରେ ଯୁବଶକ୍ତିର ଯୋଗଦାନ ପାଇଁ ପ୍ରେରଣା ଦେଇଥିଲେ। ନୂଆ-ଓ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଥିଲେ ଯେ ଏହା ଯୁବକଯୁବତୀ ମାନଙ୍କ ପାଇଁ ବିପୁଳ ସୁଯୋଗ ସୃଷ୍ଟି କରିଛି। ଏହି କାର୍ଯ୍ୟକ୍ରମ ଦ୍ବାରା ସେମାନେ ନିଜର ପ୍ରତିଭା ପ୍ରଦର୍ଶନ କରିବା ସହିତ ସେମାନଙ୍କର ସାମଗ୍ରିକ ବ୍ୟକ୍ତିତ୍ବର ବିକାଶରେ ମଧ୍ୟ ଏହା ସହାୟକ ହେବ। ଏହାସହିତ ପାଠପଢାରେ ମଧ୍ୟ ସେମାନେ ଉଲ୍ଲେଖନୀୟ ସଫଳତା ହାସଲ କରିପାରିବେ ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ।

ଶିକ୍ଷକଙ୍କ ମାର୍ଗ ଦର୍ଶନ ହିଁ ଜୀବନରେ ସଫଳତା ଆଣିଥାଏ ବୋଲି ପାଣ୍ଡିଆନ୍ ମତ ଦେଇ    ପ୍ରାଚୀନ ଗୁରୁ ଶିଷ୍ୟ ପରମ୍ପରାର ଉଦାହରଣ ଦେଇଥିଲେ।

ଏହାପରେ ସେ ମୟୁରଭଞ୍ଜ ଜିଲ୍ଲାରେ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ସମୀକ୍ଷା କରିଥିଲେ। ୧୦,୨୧୦ କୋଟି ଟଙ୍କା ବ୍ୟୟରେ କାର୍ଯ୍ୟକାରୀ ହେଉଥିବା ଏହି ପ୍ରକଳ୍ପ ଦ୍ବାରା ୨,୭୦,୯୦୦ ଏକର ଚାଷଜମି ଜଳସେଚିତ ହୋଇପାରିବ। ସମୀକ୍ଷାରୁ ଜଣାଯାଇଥିଲା ଯେ ୨୦୨୪ ମଇ ସୁଦ୍ଧା ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ଶେଷ ହେବ ଏବଂ ଦ୍ବିତୀୟ ପର୍ଯ୍ୟାୟ ଜୁନ ୨୦୨୮ ସୁଦ୍ଧା ସଂପୂର୍ଣ୍ଣ ହେବ।

ଏହି ଅବସରରେ ଶ୍ରୀ ପାଣ୍ଡିଆନ ଦେଓ, ଉଦଳାର ସୋନ ପ୍ରକଳ୍ପ, ଖଇରୀ ବନ୍ଧନ ପ୍ରକଳ୍ପ ଓ କ୍ଲଷ୍ଟର ବୃହତ ଉଠାଜଳସେଚନ ପ୍ରକଳ୍ପ ଆଦି ପ୍ରମୁଖ ଜଳସେଚନ ପ୍ରକଳ୍ପର ସମୀକ୍ଷା କରିଥିଲେ। ଏହିସବୁ ପ୍ରକଳ୍ପ ଗୁଡିକ ପାଇଁ ୩୨୮୨ କୋଟି ଟଙ୍କା ବିନିଯୋଗ ହେଉଥିବା ବେଳେ, ଏହାଦ୍ବାରା ୧,୧୬,୫୦୦ ଏକର ଜମି ଜଳସେଚିତ ହୋଇପାରିବ। ଏହିସବୁ ପ୍ରକଳ୍ପ ଗୁଡିକୁ ତ୍ବରାନ୍ବିତ କରିବା ପାଇଁ ଶ୍ରୀ ପାଣ୍ଡିଆନ ନିର୍ଦ୍ଦେଶ ଦେଇଥିଲେ।

ଏହାପରେ ସେ ବାରିପଦାରେ ବୁଢାବଳଙ୍ଗ ଉପରେ ନିର୍ମାଣାଧୀନ ନଦୀ ବନ୍ଧ ଏବଂ ରିଂଗ ରୋଡ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଥିଲେ। ଏଥିପାଇଁ ୧୫୪ କୋଟି ଟଙ୍କା ବିନିଯୋଗ କରାଯାଉଛି। ଏହାସହିତ ୭୨.୬୩ କୋଟି ଟଙ୍କାରେ ନିର୍ମିତ ହେବାକୁ ଥିବା ଘାଟି ରାସ୍ତା, ବାରିପଦାରେ ୪୮ କୋଟି ଟଙ୍କା ବ୍ୟୟରେ ବୁଢାବଳଙ୍ଗ ନଦୀ ଉପରେ ବୃହତ ସେତୁର ନିର୍ମାଣ, ୩୦୬ କୋଟି ଟଙ୍କା ବ୍ୟୟରେ ନିର୍ମାଣାଧୀନ ୬୫୦ ଶଯ୍ୟା ବିଶିଷ୍ଟ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍‌ପିଟାଲ ଏବଂ ବାରିପଦା ଠାରେ ୪୭.୩୫ କୋଟି ଟଙ୍କା ବ୍ୟୟରେ ଏକ କ୍ୟାନସର ହସ୍‌ପିଟାଲ ନିର୍ମାଣ ଆଦି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରି ସମସ୍ତ ପ୍ରକଳ୍ପକୁ ତ୍ବରାନ୍ବିତ କରି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବାକୁ ଶ୍ରୀ ପାଣ୍ଡିଆନ ନିର୍ଦ୍ଦେଶ ଦେଇଥିଲେ।

ଏହି ଅବସରରେ ଶ୍ରୀ ପାଣ୍ଡିଆନଙ୍କ ମୟୁରଭଂଜକୁ ପୂର୍ବରୁ କରିଥିବା ଗସ୍ତ ପରେ ଆରମ୍ଭ ହୋଇଥିବା କେତେକ ପ୍ରକଳ୍ପର ମଧ୍ୟ ସେ ସମୀକ୍ଷା କରିଥିଲେ।

Categories
ବିଶେଷ ଖବର

କେନ୍ଦ୍ରାପଡା ଗସ୍ତରେ ୫-ଟି ସଚିବ: ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କଲେ ଅନୁଧ୍ୟାନ

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି.କେ. ପାଣ୍ଡିଆନ ଆଜି କେନ୍ଦ୍ରାପଡା ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାମ ଅନୁଧ୍ୟାନ କରିବା ସହିତ ଏହାର ଅଗ୍ରଗତି ପାଇଁ ପଦକ୍ଷେପ ନେବାକୁ ଆବଶ୍ୟକ ପରାମର୍ଶ ଓ ନିର୍ଦ୍ଦେଶ ଦେଇଛନ୍ତି ।

ଶ୍ରୀ ପାଣ୍ଡିଆନ ଆଜି କେନ୍ଦ୍ରାପଡାର ପ୍ରସିଦ୍ଧ ବଳଦେବଜୀଉ ମନ୍ଦିର, ଗୋଲରା ହାଟସ୍ଥିତ ଦଧିବାମନ ଜିଉ ମନ୍ଦିର ଓ ରାମନଗର ଠାରେ ଥିବା ରାମଚଣ୍ଡୀ ମନ୍ଦିର ପରିଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ। ବଳଦେବଜିଉ ମନ୍ଦିର ଟ୍ରଷ୍ଟବୋର୍ଡ ଓ ସେବାୟତ ମାନଙ୍କ ସହିତ ଆଲୋଚନା କରି ଏହାର ଅଧିକ ବିକାଶ ଓ ସୌନ୍ଦର୍ଯ୍ୟକରଣ ପାଇଁ DPR ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ଦଧିବାମନଜୀଉ ଓ ରାମଚଣ୍ଡୀ ମନ୍ଦିରର ପାରିପାର୍ଶ୍ବିକ ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ପାଇଁ DPR ପ୍ରସ୍ତୁତ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ।

ମହାକାଳପଡା ବ୍ଲକ୍‌ସ୍ଥିତ ଅଡୋଇଠାରେ ପ୍ରସ୍ତାବିତ Arcelor Mittal Nippon Steel Plant ଅଞ୍ଚଳ ପରିଦର୍ଶନ କରିଥିଲେ। ସେଠାରେ ବିଭିନ୍ନ ପଦାଧିକାରୀମାନଙ୍କ ସହିତ ଆଲୋଚନା କରି ପ୍ରକଳ୍ପର ପ୍ରାକ୍‌ ପ୍ରସ୍ତୁତି ସଂପର୍କରେ ସମୀକ୍ଷା କରିଥିଲେ। ଏହି କାମ ତୁରନ୍ତ ଆରମ୍ଭ କରିବାକୁ ସେ ଜିଲ୍ଲାପାଳ ଓ ପ୍ଲାଣ୍ଟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେଠାରେ ସେ ମାର୍ଶାଘାଇ-ଜମ୍ବୁ କେନାଲ ରାସ୍ତାର ପ୍ରସ୍ତାବିତ ସଂପ୍ରସାରଣ କାର୍ଯ୍ୟ ସଂପର୍କରେ ସମୀକ୍ଷା କରିଥିଲେ। ୧୧୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି ପ୍ରକଳ୍ପକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ସେ ପରାମର୍ଶ ଦେଇଥିଲେ।

କେନ୍ଦ୍ରପଡା ସର୍କିଟ ହାଉସରେ ଶ୍ରୀ ପାଣ୍ଡିଆନ ପ୍ରାୟ ୧୩୦ଟି ନାଗରିକ ସମାଜ (ସିଭିଲ ସୋସାଇଟି) ବିଭିନ୍ନ ସଂସ୍ଥା ଓ ସଂଘ ମାନଙ୍କ ସହ ଆଲୋଚନା କରି ଜିଲ୍ଲାର ବିକାଶ ଓ ଲୋକ ମାନଙ୍କ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ। ଜିଲ୍ଲାସ୍ତରରେ ଯେଉଁସବୁ ସମସ୍ୟାର ସମାଧାନ ହୋଇପାରିବ, ତାର ତୁରନ୍ତ ସମାଧାନ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । ରାଜ୍ୟ ସରକାରଙ୍କ ସ୍ତରରେ ହେବାକୁ ଥିବା ସମସ୍ୟାର ସମାଧାନ ଉପଯୁକ୍ତ ପର୍ଯ୍ୟାଲୋଚନା ପରେ ପଦକ୍ଷପ ନିଆଯିବ ବୋଲି ସେ କହିଥିଲେ।

ଶ୍ରୀ ପାଣ୍ଡିଆନ ପ୍ରଥମେ କେନ୍ଦ୍ରାପଡା ଜିଲ୍ଲାର RMC Complex କୁ ଗସ୍ତ କରି ସେଠାରେ ୫୦୦ ଏମ୍‌.ଟି ବିଶିଷ୍ଟ ଶୀତଳଭଣ୍ଡାରର ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରି ଏହାକୁ ଖୁବଶୀଘ୍ର ସଂପୂର୍ଣ୍ଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ସେ କେନ୍ଦ୍ରାପଡା ବ୍ଲକ୍‌ ଜଜାଙ୍ଗସ୍ଥିତ ସଂକଳ୍ପ ପ୍ରକଳ୍ପ ପରିଦର୍ଶନ କରିଥିଲେ। ଏଠାରେ ଗୋଲଡେନ୍‌ ଗ୍ରାସ ହସ୍ତଶିଳ୍ପ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି । ଏଠାରେ ଶ୍ରୀ ପାଣ୍ଡିଆନ କାମ କରୁଥିବା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟ ମାନଙ୍କ ସହିତ ଆଲୋଚନା କରି ସେମାନଙ୍କର କାର୍ଯ୍ୟ ଓ ସୁବିଧା ଅସୁବିଧା ସଂପର୍କରେ ବୁଝିଥିଲେ। ଗୋଲଡେନ୍‌ ଗ୍ରାସରେ ପ୍ରସ୍ତୁତ ବିଭିନ୍ନ ସାମଗ୍ରୀର ଉପଯୁକ୍ତ ମାର୍କେଟିଂ ପାଇଁ ପଦକ୍ଷେପ ନେବାକୁ ଏବଂ ଏହି ପ୍ରକଳ୍ପରେ ଅଧିକରୁ ଅଧିକ ସ୍ବୟଂ ସହାୟକ ଗୋଷ୍ଠୀକୁ ସାମିଲ କରିବାକୁ ସେ ହସ୍ତଶିଳ୍ପ ବିଭାଗକୁ ପରାମର୍ଶ ଦେଇଥିଲେ ।

ଏହାପରେ ଶ୍ରୀ ପାଣ୍ଡିଆନ ବଡମୂଳବସନ୍ତ ଅଞ୍ଚଳରେ ଚାଲିଥିବା ଜୟ ସଂକଟମୋଚନ ଓ ମା ଶାରଳା ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଦ୍ବାରା ପରିଚାଳିତ ମତ୍ସ୍ୟ ଚାଷ ପ୍ରକଳ୍ପ ଅନୁଧ୍ୟାନ କରିଥିଲେ । ପ୍ରକଳ୍ପ ସହିତ ସିଧାସଳଖ ସଂଶ୍ଲିଷ୍ଟ ହୋଇ କାମକୁ ଆଗେଇ ନେବାପାଇଁ ସେ ସଦସ୍ୟା ମାନଙ୍କୁ ପରାମର୍ଶ ଦେଇଥିଲେ ।

ଏହାପରେ ୫-ଟି ସଚିବ ପଟ୍ଟାମୁଣ୍ଡାଇସ୍ଥିତ State Institute of Plumbing Technology ବୁଲି ଦେଖିଥିଲେ । ସେଠାରେ ଶିକ୍ଷକ ଓ ଛାତ୍ରଛାତ୍ରୀ ମାନଙ୍କ ସହିତ ଆଲୋଚନା କରି ପିଲାମାନେ ଯେପରି ପାସ୍‌ ହେବା ପରେ ପରେ ତୁରନ୍ତ ନିଯୁକ୍ତି ପାଇପାରିବେ, ସେ ସଂପର୍କରେ ପଦକ୍ଷେପ ନେବା ପାଇଁ ଅଧ୍ୟକ୍ଷଙ୍କୁ ପରାମର୍ଶ ଦେଇଥିଲେ । ଏହାପରେ ସେ Indoor Stadium ଓ Indoor Hall କାମ ଅନୁଧ୍ୟାନ କରି ଶୀଘ୍ର କାମ ସଂପୂର୍ଣ୍ଣ କରିବାକୁ ପରାମର୍ଶ ଦେଇଥିଲେ । ଗୋଲରା ହାଟ ଠାରେ ସେ ମିଶନ ଶକ୍ତି ଅଧିନସ୍ଥ ଉତ୍କଳ ଗ୍ରାମୀଣ ଉତ୍ପାଦକ ଗୋଷ୍ଠୀ ଦ୍ବାରା ପରିଚାଳିତ Embroidery Stitching Unit ପରିଦର୍ଶନ କରିଥିଲେ । ଜିଲ୍ଲା ଓ ରାଜ୍ୟ ସ୍ତରରେ ଏହି ସାମଗ୍ରୀ ପାଇଁ ଅଧିକ ବଜାର ସୁବିଧା କରିବା ପାଇଁ ସେ ପରାମର୍ଶ ଦେବା ସହିତ ଏହି ସଂସ୍ଥା ଗୁଡିକ ଅଧିକ ସହଯୋଗ ଯୋଗାଇ ଦେବାପାଇଁ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦେଇଥିଲେ।

ଡେରାବିଶ ବ୍ଲକ୍‌ରେ ଏକ ମିଶନ ଶକ୍ତି କେଫ ପରିଦର୍ଶନ କରି ସେଠାରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନଙ୍କ ସହିତ ଆଲୋଚନା କରିଥିଲେ । ଲୋକଙ୍କ ଆବଶ୍ୟକତାକୁ ଦେଖି ନୂଆ ନୂଆ ପ୍ରକାରର ଖାଦ୍ୟ ପଦାର୍ଥ ପ୍ରସ୍ତୁତ କରି ନିଜ ପାଇଁ ବଜାର ସୃଷ୍ଟି କରିବାରୁ ସେ ପରାମର୍ଶ ଦେଇଥିଲେ। ଡେରାବିଶରେ ସେ ପ୍ରାୟ ୬୦୦ ଜିଲ୍ଲାସ୍ତରୀୟ ଓ ବ୍ଲକ୍‌ସ୍ତରୀୟ ଓ ଗ୍ରାମପଞ୍ଚାୟତସ୍ତରୀୟ କାର୍ଯ୍ୟକର୍ତ୍ତା ମାନଙ୍କ ସହିତ ଆଲୋଚନା କରିଥିଲେ ଏବଂ ଲୋକଙ୍କ ପାଇଁ ଅଧିକରୁ ଅଧିକ ଜୀବିକା ସୃଷ୍ଟି କରିବା ପାଇଁ ସେ ପରାମର୍ଶ ଦେଇଥିଲେ । ଏ କ୍ଷେତ୍ର ପାଇଁ ଅର୍ଥର କୌଣସି ଅଭାବ ରହିବା ନାହିଁ ବୋଲି ସେ କହିଥିଲେ ।

ଏହି ପରିଦର୍ଶନ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସ୍ଵତନ୍ତ୍ର ସଚିବ ଭିନିଲ କ୍ରିଷ୍ଣା କେନ୍ଦ୍ରାପଡା ଜିଲ୍ଲାପାଳ ଓ ବିଭିନ୍ନ ବିଭାଗର ସଂପୃକ୍ତ ଅଧିକାରୀମାନେ ଓ ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟାଳୟ ର ଅଧିକାରୀମାନେ ଉପସ୍ଥିତ ଥିଲେ ।