Categories
ଆଜିର ଖବର ରାଜ୍ୟ ଖବର

ଭୂଷଣ୍ଡପୁର ମା’ ଉଗ୍ରତାର ମନ୍ଦିରର ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ଖୋର୍ଦ୍ଧା ଜିଲ୍ଲାପାଳ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଆଜି ସକାଳେ ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଟାଙ୍ଗୀ ବ୍ଲକ ଭୂଷଣ୍ଡପୁର ଶକ୍ତି ପିଠ ମା’ ଉଗ୍ରତାରା ମନ୍ଦିର ପରିଦର୍ଶନ କରିଛନ୍ତି। ସେଠାରେ ଚାଲିଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟଗୁଡିକର ଜିଲ୍ଲାପାଳ ସମୀକ୍ଷା କରିଛନ୍ତି। ବ୍ଲକ ପ୍ରଶାସନ ପକ୍ଷରୁ ମନ୍ଦିର ସମ୍ମୁଖରେ ଥିବା ପାର୍କର ଉନ୍ନତିକରଣ, ଆରଡବ୍ଲୁଏସଏସ ପକ୍ଷରୁ ନୂଆ ବୋରିଙ୍ଗ ନିର୍ମାଣ, ସଂପୂର୍ଣ୍ଣ ମନ୍ଦିର ରଙ୍ଗ, ମନ୍ଦିର ପାର୍ଶ୍ୱରେ ଥିବା ବିଭିନ୍ନ ଦୋକାନ ଏବ ରାସ୍ତାର ନବୀକରଣ, ଭକ୍ତଙ୍କ ପାଇଁ ବିଶ୍ରାମସ୍ଥଳୀ ନିର୍ମାଣ, ପୂର୍ତ୍ତବିଭାଗ ଦ୍ୱାରା ନିର୍ମାଣଧୀନ ଭୋଗ ମଣ୍ଡପ ଓ ଆନନ୍ଦ ବଜାର, ଖରାରୁ ରକ୍ଷାପାଇବା ପାଇଁ ମନ୍ଦିର ସମ୍ମୁଖରେ ଭକ୍ତଙ୍କ ନିମନ୍ତେ ବିଶ୍ରାମ କକ୍ଷ ନିର୍ମାଣ ଏବଂ ମନ୍ଦିର ପରିସରରେ ବୃକ୍ଷରୋପଣ ଆଦି କାର୍ଯ୍ୟଗୁଡିକୁ ଜିଲ୍ଲାପାଳ ତଦାରଖ କରିଛନ୍ତି।

ତେବେ ସମସ୍ତ କାର୍ଯ୍ୟାଗୁଡିକୁ ଯୁଦ୍ଧକାଳୀନ ଭିତ୍ତିରେ ଶେଷ କରିବା ପାଇଁ ସ୍ଥାନୀୟ ପ୍ରଶାସନକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାପାଳଙ୍କ ଗସ୍ତ ସମୟରେ ଟାଙ୍ଗୀ ତହସିଲଦାର ସ୍ମୃତିରଞ୍ଜନ ଶତପଥୀ, ବିଡ଼ିଓ ଐଶ୍ୱର୍ଯ୍ୟା ସାମନ୍ତରାୟ ଏବଂ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ।

ତେବେ ଓଡ଼ିଶାର ପ୍ରସିଦ୍ଧ ଶକ୍ତିପିଠ ବାଣପୁର ମା’ ଭଗବତୀ ମନ୍ଦିରର ଉନ୍ନତିକରଣ କାର୍ଯ୍ୟ କେବେ ଆରମ୍ଭ ହେବ ବୋଲି ଆମ ପ୍ରତିନିଧି ପଚାରିବାରୁ ଉକ୍ତ ମନ୍ଦିର ଉନ୍ନୟନ କାର୍ଯ୍ୟ ପାଇଁ ଟେଣ୍ଡର ଆହ୍ଵାନ କରାଯାଇଥିବାର ଜିଲ୍ଲାପାଳ କହିଛନ୍ତି। ତତସହିତ ପ୍ରତି ପନ୍ଦର ଦିନ ବ୍ୟବଧାନରେ ଜିଲ୍ଲାପାଳ ବ୍ୟକ୍ତିଗତ ଭାବେ ମା’ ଭଗବତୀ ମନ୍ଦିର ଉନ୍ନୟନ ପ୍ରକଳ୍ପର ସମୀକ୍ଷା ଜାରି ରଖିଥିବାର କହିଛନ୍ତି।