Categories
ଆଜିର ଖବର ରାଜ୍ୟ ଖବର

ମା’ ଭଗବତୀ ମନ୍ଦିର ପ୍ରସ୍ତାବିତ ଉନ୍ନୟନ ପ୍ରକଳ୍ପର ପ୍ରଥମ ସମୀକ୍ଷା ବୈଠକ କଲେ ଖୋର୍ଦ୍ଧା ଜିଲ୍ଲାପାଳ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଶ୍ରୀ ଶ୍ରୀ ଦକ୍ଷେଶ୍ୱର ଭଗବତୀ ମନ୍ଦିର ଶୁଭେଚ୍ଛୁ କମିଟିର ପ୍ରଥମ ବୈଠକ ଆଜି ସ୍ଥାନୀୟ ବାଣପୁର ଏନଏସି ସଭାଗୃହ ପରିସରରେ ଅନୁଷ୍ଠିତ ହୋଇଯାଇଛି। ନିକଟରେ ୫ଟି ସଚିବଙ୍କ ଗସ୍ତ ସମୟରେ ମା’ ଭଗବତୀ ମନ୍ଦିର ଉନ୍ନତି ନିମନ୍ତେ ଦିଆଯାଇଥିବା ପ୍ରକଳ୍ପ ଉପରେ ଉକ୍ତ ବୈଠକରେ ସମୀକ୍ଷା କରାଯାଇଥିଲା।

ଏହି ପରିପ୍ରେକ୍ଷୀରେ କମିଟିର ସଦସ୍ୟମାନଙ୍କଠୁ ଜିଲ୍ଲାପାଳ ବିଭିନ୍ନ ମତାମତ ଏବଂ ଅଭିଯୋଗ ଗ୍ରହଣ କରିଥିଲେ। ଆଲୋଚନା ହୋଇଥିବା ପ୍ରମୁଖ ବିଷୟଗୁଡିକ ହେଲା ମନ୍ଦିର ଗର୍ଭଗୃହ ପ୍ରଶସ୍ତିକରଣ, ମନ୍ଦିର ପ୍ରାଚୀର ସମ୍ପ୍ରସାରଣ, ମନ୍ଦିର ଆଧୁନିକିକରଣ, ସରକାରୀ ଓ ଦେବୋତ୍ତର ସ୍ଥାନ ଚିହ୍ନଟ ଓ ଜବରଦଖଲ ଉଚ୍ଛେଦ, ବାଣପୁର ବାଇପାସ ଠାରୁ ମା’ ଭଗବତୀ ମନ୍ଦିର ପର୍ଯ୍ୟନ୍ତ ମୁଖ୍ୟ ରାସ୍ତା ପ୍ରଶସ୍ତିକରଣ, ବସ ଷ୍ଟାଣ୍ଡ ନିର୍ମାଣ ନିମନ୍ତେ ସ୍ଥାନ ନିରୂପଣ, ଟ୍ରାଫିକ କମାଇବା ନିମନ୍ତେ ମେଘାମ୍ବରୀ କେନାଲ ରୋଡରୁ ମନ୍ଦିର ପର୍ଯ୍ୟନ୍ତ ବାଇପାସ ନିର୍ମାଣ ଏବଂ ବାଣପୁର ବାଇପାସ ଠାରୁ ଶକ୍ତି ହଲ ପର୍ଯ୍ୟନ୍ତ ଆଲୋକୀକରଣ।

ଏହି ପରିପ୍ରେକ୍ଷୀରେ ଓବିସିସି, ତହସିଲ ଏବଂ ପୂର୍ତ୍ତବିଭାଗକୁ ଉପରୋକ୍ତ ପ୍ରକଳ୍ପ ପାଇଁ ଯୋଜନା ଅଟକଳ ପ୍ରସ୍ତୁତ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ବୈଠକ ପରେ ଜିଲ୍ଲାପାଳ ଓ ଟିମ ମା’ ଭଗବତୀ ମନ୍ଦିର ପରିଦର୍ଶନକୁ ଯାଇ ବିଭିନ୍ନ ବିଷୟ ଅନୁଧ୍ୟାନ କରିଥିଲେ।

ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ମନୋଜ ପାଢ଼ୀ, ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତି, ଏନଏସି ଅଧ୍ୟକ୍ଷ ମିଟୁ ନାୟକ, ତହସିଲଦାର କୁଞ୍ଜବିହାରୀ ବଡ଼ଜେନା, ବିଡ଼ିଓ ବୁଲବୁଲ ବେହେରା, ଆଇଆଇସି ଜୟପ୍ରକାଶ ପରିଡ଼ା, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ଦକ୍ଷେଶ୍ୱର ଭଗବତୀ ଏଣ୍ଡାଓମେଣ୍ଟ କାର୍ଯ୍ୟନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସ ଏବଂ ଶୁଭେଚ୍ଛୁ କମିଟି ସଭ୍ୟମାନେ ଉପସ୍ଥିତ ଥିଲେ।