Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତାକାଲିଠାରୁ ଉପକୂଳ ଓଡ଼ିଶାରେ ଝଡ଼ବର୍ଷା ସମ୍ଭାବନା

ଭୁବନେଶ୍ୱର: ବୁଧବାର ଅପରାହ୍ଣରୁ ଉପକୂଳ ଓଡ଼ିଶାର କେତେକ ଜିଲ୍ଲା ଏବଂ ଏହାର ସଂଲଗ୍ନ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ଝଡ଼ବର୍ଷା ହେବାର ସମ୍ଭାବନା ଥିବା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଉଭୟ ବଙ୍ଗୋପ ସାଗର ଏବଂ ଆରବ ସାଗର ଆଡୁ ଓଡ଼ିଶା ଆଡକୁ ମୁହାଁଉଥିବା ଆଦ୍ରତାର ବୃଦ୍ଧି ଯୋଗୁଁ ଦିନର ତାପମାତ୍ରା ବୃଦ୍ଧି ପାଇବ ଯେଉଁ କାରଣରୁ ଏଭଳି ପାଣିପାଗ ସୃଷ୍ଟି ହେବ ବୋଲି ସିଇସି ପକ୍ଷରୁ କୁହାଯାଇଛି।

ଏହା ଦ୍ୱାରା ଢ଼େଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜ ଭଳି ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକ ପ୍ରଭାବିତ ହେବାର ସମ୍ଭାବନା ରହିଛି। ଏଭଳି ପାଣିପାଗ ସହ ପଶ୍ଚିମା ଝଡର ମିଶ୍ରଣ ଯୋଗୁଁ ଫେବୃଆରୀ ୨୬ ତାରିଖରୁ ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି।

ସେହିପରି ଫେବୃଆରୀ ୨୮ ଓ ମାର୍ଚ୍ଚ ୧ ତାରିଖକୁ ଛାଡ଼ିଦେଲେ ମାର୍ଚ୍ଚ ପ୍ରଥମ ସପ୍ତାହରେ ବର୍ଷା ଜାରୀ ରହିବ ବୋଲି ସିଇସି ପକ୍ଷରୁ କୁହାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ବଙ୍ଗୋପସାଗରରେ ଲଘୁଚାପ ଯୋଗୁଁ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ବଙ୍ଗୋପ ସାଗରରେ ଆସନ୍ତା କାଲି ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଉପକୂଳ ଓଡ଼ିଶାରେ ଆସନ୍ତା ସପ୍ତାହରେ ପ୍ରବଳ ବର୍ଷା ହୋଇପାରେ। ଏହି ଲଘୁଚାପ ଘୂର୍ଣ୍ଣିଝଡ଼ ରେ ପରିଣତ ହେଲେ ମେ ୨୬ ତାରିଖରେ ଏହା ଓଡିଶା-ପଶ୍ଚିମ ବଙ୍ଗ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ପାଣିପାଗର ଆକଳନ ଅନୁଯାୟୀ ଏହି ଲଘୁଚାପ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବା ସହ ମେ ୨୫ ତାରିଖ ସୁଦ୍ଧା ଘୁର୍ଣ୍ଣିଝଡ଼ରେ ପରିଣତ ହେବ ବୋଲି ଆକଳନ କରାଯାଉଛି। ଏହା ମୁଖତଃ ଉତ୍ତର -ଉତ୍ତର ପଶ୍ଚିମ ଦିଗରେ ଓଡିଶା ଉପକୂଳ ମୁହାଁ ହୋଇ ଓଡିଶା -ପଶ୍ଚିମ ବଙ୍ଗ ଉପକୂଳ ଆଡକୁ ଗତି କରିବ ବୋଲି କେନ୍ଦ୍ରର ନିର୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି।

ଏହି ଘୁର୍ଣ୍ଣିଝଡ଼ ଓଡିଶାର ଭଦ୍ରକ କିମ୍ବା ବାଲେଶ୍ୱର ଜିଲ୍ଲା ଅଥବା ପଶ୍ଚିମ ବଙ୍ଗ ର ଦିଘା ଉପକୂଳ ଦେଇ ଗତି କରିପାରେ ବୋଲି ସେ କହିଛନ୍ତି। ଡକ୍ଟର ସାହୁ କହିଛନ୍ତି ଯେ ଜଳବାୟୁ ବିଜ୍ଞାନ ଅନୁଯାୟୀ ଦକ୍ଷିଣ ପଶ୍ଚିମ ମୌସୁମୀ ର ଆଗମନ ପୂର୍ବରୁ ବଙ୍ଗୋପସାଗରରେ ଘନୀଭୂତ ହେଉଥିବା ଅଧିକାଂଶ ଲଘୁଚାପ ଓ ତହିଁରୁ ଉତ୍ପନ୍ନ ଘୂର୍ଣ୍ଣିଝଡ଼ ପଶ୍ଚିମବଙ୍ଗ ଅଥବା ବାଂଲାଦେଶ ଆଡକୁ ଗତି କରିଥାଏ।

ଏହି ଲଘୁଚାପ ହୁଏତ ପ୍ରବଳ ଘୁର୍ଣ୍ଣିଝଡ଼ କିମ୍ବା ଘୁର୍ଣ୍ଣିଝଡ଼ ର ରୂପ ନେଇ ଉପକୂଳ ଅତିକ୍ରମ କରିପାରେ ବୋଲି ସେ କହିଛନ୍ତି।

ତେବେ ବାତ୍ୟାର ଗତି ଏବଂ ପବନ ବେଗର ସ୍ପଷ୍ଟ ଚିତ୍ର ମେ ୨୪ ରେ ହିଁ ଜଣା ପଡିବ ବୋଲି ଡକ୍ଟର ସାହୁ କହିଛନ୍ତି। ମୌସୁମୀର ପ୍ରଭାବ ଯୋଗୁଁ ଏହି ଘୁର୍ଣ୍ଣିଝଡ଼ ବିଶେଷ ଭାବେ ଘନୀଭୂତ ନ ହୋଇପାରେ ବୋଲି ସେ କହିଛନ୍ତି।

ଯଦି ଏହା ବାତ୍ୟାର ରୂପ ନେଇ ଓଡିଶା ଉପକୂଳ ଦେଇ ଗତି କରେ ତେବେ ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୬୫ ରୁ ୯୦ କିଲୋମିଟର ହେବ ମାତ୍ର ଏହା ଯଦି ପ୍ରବଳ ଘୁର୍ଣ୍ଣିଝଡ଼ର ରୂପ ନିଏ ତେବେ ଏହାର ବେଗ ବୃଦ୍ଧି ପାଇ ଘଣ୍ଟା ପ୍ରତି ୧୦୦ କିମି ହୋଇପାରେ ବୋଲି ସେ କହିଛନ୍ତି।

ଏହି ସମୟରେ ଓଡିଶା ଉପକୂଳରେ ପବନର ଗତି ତୀବ୍ରତର ହେବା ସହ ବାଲେଶ୍ୱର, ଭଦ୍ରକ, ମୟୁରଭଞ୍ଜ, କେନ୍ଦ୍ରାପଡ଼ା ଏବଂ ଯାଜପୁର ପ୍ରଭୃତି ଜିଲ୍ଲାରେ ମେ ୨୫ ତାରିଖ ରାତିରୁ ୨୭ ତାରିଖ ସକାଳ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହୋଇପାରେ।

ପରବର୍ତ୍ତୀ ସମୟରେ ଏହା ବିହାର ଆଡକୁ ଗତି କରିବ ବୋଲି ଡକ୍ଟର ସାହୁ କହିଛନ୍ତି।