Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ ଉପଖଣ୍ଡ ଆରକ୍ଷୀ ଅଧିକାରୀଙ୍କ ନେତୃତ୍ବରେ ଗମ୍ଭାରିମୁଣ୍ଡାରୁ ଲକ୍ଷାଧିକ ଟଙ୍କାର ବାଣ ଜବତ: ଜଣେ ଅଟକ

ସୀତାରାମ ଅଗ୍ରୱାଲ

ବାଣପୁର: କରୋନା ମହାମାରୀ ଲାଗି ରାଜ୍ୟ ସରକାରଙ୍କ ଦ୍ୱାରା ବାଣ ବିକ୍ରି ଏବଂ ଫୁଟେଇବା ବେଆଇନ ଘୋଷିତ ହୋଇଥିବା ସ୍ଥଳେ କେତେକ ବାଣ ବେପାରୀ ଏହାକୁ ଖାତିର ନକରି ଲୁଚିଛପି ବାଣ ବିକ୍ରି କରୁଛନ୍ତି। ଦୁଇଦିନ ତଳେ ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବାଣ ନିଷିଦ୍ଧ କୁ ନେଇ ଏକ ନିର୍ଦ୍ଦେଶନାମା ଜାରିକରିଥିବାବେଳେ ଆଜି ବାଣପୁର ପୋଲିସ ଚଢାଉ କରି ଲକ୍ଷାଧିକ ଟଙ୍କାର ବାଣ ଜବତ କରିଛି।

ମିଳିଥିବା ସୂଚନା ମୁତାବକ ବାଲୁଗାଁ ଉପଖଣ୍ଡ ଆରକ୍ଷୀ ଅଧିକାରୀ ସୁରେଶ ଦାସଙ୍କ ତତ୍ତ୍ବାବଧାନରେ ବାଣପୁର ପୋଲିସ ଗତକାଲି  ରାତି ୮ ଘଟିକାରେ  ଗମ୍ଭାରୀମୁଣ୍ଡା ପଞ୍ଚାୟତର ପଦ୍ମପୁର ଗ୍ରାମର ଅଶୋକ ପାତ୍ରଙ୍କ ଘରେ ଚଢାଉ କରିଥିଲା। ଅଶୋକଙ୍କ ଘର, ଦୋକାନ ଏବଂ ତାଙ୍କ ସାନଭାଇଙ୍କ ଘରେ ଚଢାଉ କରି ପୋଲିସ ପାଖାପାଖି ତିନି ଟ୍ରିପ ବାଣ ଜବତ କରିଛି। ଯାହାର ମୂଲ୍ୟ ଦଶ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଘଟଣାସ୍ଥଳରେ ଖୋଦ ଏସ.ଡ଼ି.ପି.ଓ ଶ୍ରୀ ଦାସ ଉପସ୍ଥିତ ରହି ବାଣଗୁଡିକୁ ଜବତ କରିଥିଲେ। ଏନେଇ ବାଣପୁର ପୋଲିସ ଅଶୋକଙ୍କୁ ଅଟକ ରଖିଥିବା ସୂଚନା ରହିଛି।

ଉକ୍ତ ଚଢାଉରେ ବାଣପୁର ଏସ.ଆଇ ବିଜୟ ମଲ୍ଲିକ, ପ୍ରସନ୍ନ ଜେନା, ରାଜକିଶୋର ବେହେରା, ସି.ଏସ.ଆଇ ଆଶୁତୋଷ ପାଇକରାୟ, ଜ୍ୟୋତ୍ସ୍ନାରାଣୀ ଖୁଣ୍ଟିଆ ଏବଂ ଗମ୍ଭାରୀମୁଣ୍ଡା ଫାଣ୍ଡି କର୍ମଚାରୀମାନେ ସାମିଲ ହୋଇଥିଲେ।