Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟ ଏନ୍‌ଏସ୍‌ଏସ୍‌ ଉପଦେଷ୍ଟା ପରିଷଦର ବୈଠକ

ଭୁବନେଶ୍ୱର: ଜାତୀୟ ସେବା ଯୋଜନା(ଏନ୍‌ଏସ୍‌ଏସ୍‌)କୁ ଅଧିକ କ୍ରିୟାଶୀଳ କରାଯିବ । ରାଜ୍ୟର ୧ ଲକ୍ଷ ୧୫ ହଜାର ୫୦୦ ସେ୍ୱଚ୍ଛାସେବୀଙ୍କୁ ଚଳିତ ଶିକ୍ଷା ବର୍ଷରେ ମହାବିଦ୍ୟାଳୟଗୁଡ଼ିକୁ ତମାଖୁମୁକ୍ତ, ସ୍ୱଚ୍ଛ ଓ ସବୁଜ କ୍ୟାମ୍ପସ୍‌ରେ ପରିଣତ କରିବା ସହିତ ବ୍ୟାପକ ରକ୍ତଦାନ କାର୍ଯ୍ୟକ୍ରମରେ ନିୟୋଜିତ କରାଯିବ । ଏଥି ସହ ବୃକ୍ଷରୋପଣ ଓ ବିଭିନ୍ନ ଜନସେଚତନତା କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱ ଦିଆଯିବ ବୋଲି ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର କହିଛନ୍ତି ।

ଆଜି ପୁସ୍ତକ ଭବନଠାରେ ପ୍ରମୁଖ ଶାସନ ସଚିବ ଶ୍ରୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ରାଜ୍ୟ ଏନ୍‌ଏସ୍‌ଏସ୍‌ ଉପଦେଷ୍ଟା ପରିଷଦର ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକର ନିଷ୍ପତ୍ତି ଅନୁଯାୟୀ ଏଣିକି ପ୍ରତି ଏନ୍‌ଏସ୍‌ଏସ୍‌ ୟୁନିଟ୍‌ର ସେ୍ୱଚ୍ଛାସେବୀ ସଂଖ୍ୟା ୫୦ରୁ ୧୦୦କୁ ବୃଦ୍ଧି କରାଯିବ । ସ୍ୱୟଂ ଶାସିତ ମହାବିଦ୍ୟାଳୟଗୁଡ଼ିକରେ ଏନ୍‌ଏସ୍‌ଏସ୍‌କୁ ସକି୍ରୟ କରାଯିବ । ରାଜ୍ୟସ୍ତରୀୟ ସାଂସ୍କୃତିକ ପ୍ରତିଭା ବିକାଶ କାର୍ଯ୍ୟକ୍ରମ ଆୟୋଜନ କରାଯିବା ସହିତ ସେ୍ୱଚ୍ଛାସେବୀମାନଙ୍କୁ ଆନ୍ତଃରାଜ୍ୟ ଭ୍ରମଣ ପାଇଁ ସୁଯୋଗ ପ୍ରଦାନ କରାଯିବ ବୋଲି ବୈଠକରେ ଆଲୋଚନା ହୋଇଥିଲା ।

ବୈଠକରେ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ, ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୀବ ମିତ୍ତଲ, ଫକୀର ମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତି୍ରପାଠୀ, ମହାରାଜା ଶ୍ରୀରାମଚନ୍ଦ୍ର ଭଂଜଦେଓ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର କିଶୋର କୁମାର ବାସା, ଏନ୍‌ଏସ୍‌ଏସ୍‌ର ଆଞ୍ଚଳିକ ନିର୍ଦ୍ଦେଶକ ସୁଶ୍ରୀ ସରିତା ପଟେଲ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ସତ୍ୟରଞ୍ଜନ ସାହୁ, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ଏନ୍‌ଏସ୍‌ଏସ୍‌ ପ୍ରଶିକ୍ଷଣ ସଂଯୋଜକ ଚୌଧୁରୀ ସୂର୍ଯ୍ୟକାନ୍ତ ମିଶ୍ର ଓ ନିରଦ ବରଣ ଖୁଣ୍ଟିଆ, ସମାଜସେବୀ ମଧୁସୂଦନ ଦାସଙ୍କ ସମେତ ୨୪ଟି ବିଶ୍ୱବିଦ୍ୟାଳୟର କାର୍ଯ୍ୟକ୍ରମ ସଂଯୋଜକ ଯୋଗଦେଇ ଏନ୍‌ଏସ୍‌ଏସ୍‌ର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ ।

ରାଜ୍ୟ ଏନ୍‌ଏସ୍‌ଏସ୍‌ ଅଧିକାରୀ ତଥା ଉପଶାସନ ସଚିବ ଶ୍ରୀ ରମେଶ ଚନ୍ଦ୍ର ବେହେରା ପୂର୍ବବର୍ଷର ବିବରଣୀ ସହ କାର୍ଯ୍ୟସୂଚୀ ଉପସ୍ଥାପନ କରିଥିଲେ ।