Categories
ବିଶେଷ ଖବର

ସାମାଜିକ ଗଣମାଧ୍ୟମରେ ଜନମାନସକୁ ପ୍ରଭାବିତ କରୁଥିବା ବ୍ୟକ୍ତିବିଶେଷଙ୍କ ପାଇଁ ମାର୍ଗଦର୍ଶିକା ଜାରି କଲେ କେନ୍ଦ୍ର 

ନୂଆଦିଲ୍ଲୀ: ଭାରତ ସରକାରଙ୍କ ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟ ଅଧୀନ ଉପଭୋକ୍ତା ବ୍ୟାପାର ବିଭାଗ ପକ୍ଷରୁ ସାମାଜିକ ଗଣମାଧ୍ୟମରେ ପ୍ରସିଦ୍ଧ, ପ୍ରଭାବଶାଳୀ ଏବଂ ଜନମାନସକୁ ପ୍ରଭାବିତ କରୁଥିବା ବ୍ୟକ୍ତିବିଶେଷ ବା ସେଲିବ୍ରିଟି, ଇନଫ୍ଲୁଏନ୍ସର ଏବଂ ଭର୍ଚୁଆଲ ଇନଫ୍ଲୁଏନ୍ସରଙ୍କ ପାଇଁ ନିର୍ଦ୍ଦିଷ୍ଟ ମାର୍ଗଦର୍ଶିକା ଜାରି କରାଯାଇଛି। ଏହି ମାର୍ଗଦର୍ଶିକାର ଶୀର୍ଷକ ରହିଛି ‘‘ଏଣ୍ଡୋର୍ସମେଣ୍ଟ ନୋ-ହାଓଜ୍‌!’’ ଅର୍ଥାତ୍‌ ପ୍ରଚାର କିଭଳି କରିବେ ଜାଣନ୍ତୁ। କୌଣସି ଉତ୍ପାଦ କିମ୍ବା ସେବାର ପ୍ରଚାର କରିବା ସମୟରେ ସମ୍ପୃକ୍ତ ବ୍ୟକ୍ତି ନିଜର ଦର୍ଶକମାନଙ୍କୁ ଯେପରି ପଥଭ୍ରଷ୍ଟ ନକରିବେ ତାହା ସୁନିଶ୍ଚିତ କରିବା ଏହି ମାର୍ଗଦର୍ଶିକାର ଉଦ୍ଦେଶ୍ୟ। ଏପରି କ୍ଷେତ୍ରରେ ଉପଭୋକ୍ତା ସୁରକ୍ଷା ଆଇନ ଏବଂ ଏହା ସହ ଜଡ଼ିତ ଅନ୍ୟାନ୍ୟ ନିୟମାବଳୀ ଓ ମାର୍ଗଦର୍ଶିକାର ଅନୁପାଳନ ସୁନିଶ୍ଚିତ କରିବା ପ୍ରତି ନୂଆ ମାର୍ଗଦର୍ଶିକାରେ ଗୁରୁତ୍ବାରୋପ କରାଯାଇଛି।

ଏହି ମାର୍ଗଦର୍ଶିକାରେ କୁହାଯାଇଛି ଯେ, ପ୍ରଚାରଗୁଡ଼ିକ ସରଳ ଓ ସ୍ପଷ୍ଟ ଭାଷାରେ ହେବା ଉଚିତ ଏବଂ ‘ବିଜ୍ଞାପନ’ (ଏଡଭର୍ଟାଇଜମେଣ୍ଟ), ‘ପ୍ରାୟୋଜିତ’ (ସ୍ପନସର୍ଡ), ‘ସହଭାଗିତା’ (କୋଲାବରେସନ) କିମ୍ବା ‘ଆର୍ଥିକ ଲାଭ ପାଇଁ ପ୍ରଚାର’ (ପେଡ୍‌ ପ୍ରମୋସନ) ଭଳି ପରିଭାଷାକୁ ଏଥିରେ ବ୍ୟବହାର କରାଯିବା ଆବଶ୍ୟକ। ବ୍ୟକ୍ତିଗତ ଭାବେ ବ୍ୟବହାର କରିନଥିବା କିମ୍ବା ଅନୁଭୂତି ହାସଲ କରିନଥିବା କିମ୍ବା ସେମାନଙ୍କ ଦ୍ବାରା ବିଧିବଦ୍ଧ ଯାଞ୍ଚ କରାଯାଇନଥିବା ଉତ୍ପାଦ କିମ୍ବା ସେବା ସମ୍ପର୍କରେ ବ୍ୟକ୍ତିବିଶେଷମାନେ ପ୍ରଚାର କରିବା ଉଚିତ୍‌ ନୁହେଁ। କେଉଁ ପ୍ରକାରର ସହଭାଗିତା ପାଇଁ କେଉଁ ପ୍ରକଟୀକରଣ ବା ଡିସକ୍ଲୋଜର ଶବ୍ଦ ବ୍ୟବହାର କରାଯାଉଛି ତା’କୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହେଉଥିବା ବିଭାଗର ନଜରକୁ ଆସିଛି। ତେଣୁ ଆର୍ଥିକ ଲାଭ ଥିବା କିମ୍ବା ବସ୍ତୁ ବିନିମୟ ବ୍ରାଣ୍ଡର ପ୍ରଚାର ସମୟରେ ନିମ୍ନୋକ୍ତ ମଧ୍ୟରୁ ଯେକୌଣସି ପ୍ରକଟୀକରଣ ବା ଡିସକ୍ଲୋଜରଗୁଡ଼ିକୁ ଉପଯୋଗ କରାଯାଇପାରିବ ଯଥା : ‘‘ଏଡଭର୍ଟାଇଜ୍‌ମେଣ୍ଟ’’ (ବିଜ୍ଞାପନ), ‘ଆଡ୍‌’ (ବିଜ୍ଞାପନ), ‘‘ସ୍ପନସର୍ଡ’ (ପ୍ରାୟୋଜିତ), ‘‘କୋଲାବରେସନ’’ (ସହଭାଗିତା) କିମ୍ବା ‘‘ପାର୍ଟନରଶିପ’’ (ସହଭାଗିତା)। ତେବେ ଏହି ଶବ୍ଦଗୁଡ଼ିକୁ ହାଶଟ୍ୟାଗ୍‌ କିମ୍ବା ହେଡଲାଇନ୍‌ ଭାବରେ ବ୍ୟବହାର କରାଯିବା ଉଚିତ୍‌।

ମାର୍ଗଦର୍ଶିକାରେ ନିର୍ଦ୍ଦିଷ୍ଟ ଭାବେ କୁହାଯାଇଛି ଯେ, ପ୍ରସିଦ୍ଧ ବ୍ୟକ୍ତିବିଶେଷ କିମ୍ବା ଗୋଷ୍ଠୀ ବହୁସଂଖ୍ୟକ ଦର୍ଶକମାନଙ୍କ ନିକଟରେ ସହଜରେ ପହଞ୍ଚି ପାରିଥାନ୍ତି। ଏହାଛଡ଼ା ନିଜ ଦର୍ଶକମାନଙ୍କ ସହିତ ସେଲିବ୍ରିଟି, ଇନଫ୍ଲୁଏନ୍ସର୍‌ ମାନଙ୍କର ପ୍ରଭାବ, ଜ୍ଞାନ, କ୍ଷମତା କିମ୍ବା ସମ୍ପର୍କ ରହିଥିବା କାରଣରୁ କୌଣସି ଏକ ଉତ୍ପାଦ, ସେବା, ବ୍ରାଣ୍ଡ ସମ୍ପର୍କରେ ଦର୍ଶକମାନଙ୍କର କ୍ରୟ ନିଷ୍ପତ୍ତି କିମ୍ବା ଅନୁଭୂତି କିମ୍ବା ଦୃଷ୍ଟିକୋଣକୁ ପ୍ରଭାବିତ କରିବାର କ୍ଷମତା ସେମାନଙ୍କ ପାଖରେ ରହିଛି। ତେଣୁ ସେମାନେ କୌଣସି ପ୍ରଚାର କରିବା ସମୟରେ ବାସ୍ତବ ଉଦ୍ଦେଶ୍ୟକୁ ପ୍ରକଟ କରିବା ଉଚିତ୍‌।

ଏଥିରେ ଆହୁରି କୁହାଯାଇଛି ଯେ, ପ୍ରଚାର ବାର୍ତ୍ତାରେ ପ୍ରକଟୀକରଣ ସମ୍ପୂର୍ଣ୍ଣ ସ୍ପଷ୍ଟ ଓ ପ୍ରମୁଖତାର ସହିତ କରାଯିବା ଉଚିତ ଏବଂ ଏହା ନିର୍ଦ୍ଦିଷ୍ଟ ଭାବେ ପ୍ରଚାର ଲାଗି ଉଦ୍ଦିଷ୍ଟ ବୋଲି ବୁଝି ହେଉଥିବା ଆବଶ୍ୟକ। ହାଶଟ୍ୟାଗ କିମ୍ବା ଲିଙ୍କ ସହିତ ପ୍ରକଟୀକରଣ କରାଯିବା ଉଚିତ୍‌।

ସେହିପରି ଫଟୋରେ କୌଣସି ପ୍ରଚାର କରାଯାଉଥିବା ସମୟରେ ପ୍ରକଟୀକରଣ ବାର୍ତ୍ତା ଦର୍ଶକଙ୍କ ଦ୍ବାରା ସ୍ପଷ୍ଟ ଭାବେ ଦେଖାଯିବା ଭଳି ସୁପରଇମ୍ପୋଜ ବା ଫଟୋ ଉପରେ ରଖାଯିବା ଉଚିତ୍‌। ଭିଡିଓ କିମ୍ବା ଏକ ଲାଇଭ ଷ୍ଟ୍ରିମ ମାଧ୍ୟମରେ ପ୍ରଚାର କରାଯିବା ସମୟରେ ପ୍ରଚାର ବାର୍ତ୍ତାକୁ ଉଭୟ ଅଡିଓ ଏବଂ ଭିଡିଓ ଫର୍ମାଟ ମାଧ୍ୟମରେ ପ୍ରକଟ କରାଯିବା ଉଚିତ ଏବଂ ଏହା ସମ୍ପୂର୍ଣ୍ଣ ଷ୍ଟ୍ରିମିଂ ସମୟରେ ଲଗାତାର ଓ ପ୍ରମୁଖତାର ସହିତ ପ୍ରଦର୍ଶିତ ହେଉଥିବା ଆବଶ୍ୟକ।

ମାର୍ଗଦର୍ଶିକାରେ ପ୍ରସିଦ୍ଧ ଓ ପ୍ରଭାବଶାଳୀ ବ୍ୟକ୍ତିବିଶେଷଙ୍କୁ ପରାମର୍ଶ ଦିଆଯାଇଛି ଯେ, ବିଜ୍ଞାପନଦାତା ବିଜ୍ଞାପନରେ କରାଯାଉଥିବା ଦାବିକୁ ପ୍ରମାଣିତ କରିବାର ସ୍ଥିତିରେ ଅଛନ୍ତି ବୋଲି ତାହା ସେମାନେ ସବୁବେଳେ ସମୀକ୍ଷା କରିବା ସହିତ ନିଜେ ସନ୍ତୁଷ୍ଟ ହେବା ଉଚିତ୍‌। ପ୍ରଚାର କରୁଥିବା ବ୍ୟକ୍ତି ଉତ୍ପାଦ ଓ ସେବାକୁ ବାସ୍ତବରେ ବ୍ୟବହାର କରିଥିବା କିମ୍ବା ତାହାର ଅନୁଭୂତି ହାସଲ କରିଥିବା ଆବଶ୍ୟକ।

ଶେଷରେ, କୌଣସି ଉତ୍ପାଦ କିମ୍ବା ସେବାର ପ୍ରଚାର କରିବା ସମୟରେ ବ୍ୟକ୍ତିବିଶେଷମାନେ ସେମାନଙ୍କର ଦର୍ଶକ ଓ ଅନୁଗାମୀମାନଙ୍କୁ ଯେପରି ପଥଭ୍ରଷ୍ଟ ନକରନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ମାର୍ଗଦର୍ଶିକାରେ କୁହାଯାଇଛି। ଏହା ଉପଭୋକ୍ତା ସୁରକ୍ଷା ଆଇନ ଏବଂ ଏହା ସହ ଜଡ଼ିତ କୌଣସି ନିୟମାବଳୀ ଓ ମାର୍ଗଦର୍ଶିକାକୁ ପାଳନ କରୁଥିବା ଉଚିତ୍‌। ନିଜର ଦର୍ଶକମାନଙ୍କ ସହିତ ସ୍ବଚ୍ଛତା ଓ ବିଶ୍ବସନୀୟତା ବଜାୟ ରଖିବା ଲାଗି ଏସବୁ ମାର୍ଗଦର୍ଶିକାକୁ ପାଳନ କରିବା ପ୍ରସିଦ୍ଧ, ପ୍ରଭାବଶାଳୀ ଏବଂ ଜନମାନସକୁ ପ୍ରଭାବିତ କରୁଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଜରୁରୀ।

Categories
ବିଶେଷ ଖବର ବ୍ୟବସାୟ

ସେବା ଶୁଳ୍କ ଆଦାୟ କରିପାରିବେ ନାହିଁ ହୋଟେଲ କିମ୍ବା ରେସ୍ତୋରାଁ: ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟ

ନୂଆଦିଲ୍ଲୀ: କୌଣସି ହୋଟେଲ କିମ୍ବା ରେସ୍ତୋରାଁ ସ୍ବତଃପ୍ରବୃତ ଭାବେ କିମ୍ବା ଭୁଲବଶତଃ ଖାଦ୍ୟ ବିଲ ଉପରେ ସେବା ଶୁଳ୍କ (ସର୍ଭିସ ଚାର୍ଜ) ଆଦାୟ କରିପାରିବେ ନାହିଁ ବୋଲି ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରି ଦିଆଯାଇଛି। ହୋଟେଲ ଓ ରେସ୍ତୋରାଁରେ ସେବା ଶୁଳ୍କ ଲାଗୁ କରିବା ସଂକ୍ରାନ୍ତରେ ଅନୁଚିତ ବ୍ୟବସାୟିକ କାର୍ଯ୍ୟ ପଦ୍ଧତି ଏବଂ ଉପଭୋକ୍ତା ଅଧିକାର ଉଲ୍ଲଙ୍ଘନ ରୋକିବାକୁ କେନ୍ଦ୍ର ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ (ସିସିପିଏ) ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି।

କୌଣସି ଅନ୍ୟ ଶୁଳ୍କ ନାଁରେ ମଧ୍ୟ ସେବା ଶୁଳ୍କ ଆଦାୟ କରାଯାଇ ପାରିବ ନାହିଁ ବୋଲି ମାର୍ଗଦର୍ଶିକାରେ ସ୍ପଷ୍ଟ କରାଯାଇଛି। କୌଣସି ହୋଟେଲ କିମ୍ବା ରେସ୍ତୋରାଁ ଉପଭୋକ୍ତାଙ୍କୁ ସେବା ଶୁଳ୍କ ପଇଠ କରିବା ଲାଗି ବାଧ୍ୟ କରିବେ ନାହିଁ। ସେବା ଶୁଳ୍କ ଇଚ୍ଛାଧୀନ, ବିକଳ୍ପ ଏବଂ ଉପଭୋକ୍ତାଙ୍କ ଅଧିକାରଭୁକ୍ତ ବୋଲି ଉପଭୋକ୍ତାଙ୍କୁ ସ୍ପଷ୍ଟ ଭାବେ କୁହାଯିବ । ସେବା ଶୁଳ୍କ ସଂଗ୍ରହ ଆଧାରରେ ସେବାର ପ୍ରଦାନ ଏବଂ ବ୍ୟବସ୍ଥା କରିବା ଉପରେ କୌଣସି ପ୍ରତିବନ୍ଧ ଲାଗୁ କରାଯିବ ନାହିଁ। ସେବା ଶୁଳ୍କକୁ ଖାଦ୍ୟ ବିଲ ସହ ମିଶାଇ ଏବଂ ମୋଟ ଅର୍ଥରାଶି ଉପରେ ଜିଏସଟି ଲାଗୁ କରି ଏକତ୍ରିତ କରାଯିବ ନାହିଁ।

କୌଣସି ହୋଟେଲ କିମ୍ବା ରେସ୍ତୋରାଁ ମାର୍ଗଦର୍ଶିକା ଉଲ୍ଲଙ୍ଘନ କରୁଥିବା ଉପଭୋକ୍ତା ଦେଖିଲେ, ସମ୍ପୃକ୍ତ ହୋଟେଲ କିମ୍ବା ରେସ୍ତୋରାଁକୁ ବିଲ ପରିମାଣରୁ ସେବା ଶୁଳ୍କ ବାଦ୍‌ ଦେବାକୁ ଅନୁରୋଧ କରିପାରିବେ। ଏଥିସହିତ ଉପଭୋକ୍ତା ଜାତୀୟ ହେଲ୍ପଲାଇନ (ଏନସିଏଚ)ରେ ୧୯୧୫କୁ କଲ କରିପାରିବେ କିମ୍ବା ଏନସିଏଚ୍‌ ମୋବାଇଲ ଆପ୍‌ ମାଧ୍ୟମରେ ଅଭିଯୋଗ ଦାଖଲ କରିପାରିବେ। ମାମଲା ପୂର୍ବରୁ ବିକଳ୍ପ ବିବାଦ ସମାଧାନ ବ୍ୟବସ୍ଥା ଭାବେ ଏହା କାମ କରିଥାଏ।

ଉପଭୋକ୍ତା ଅନୁଚିତ ବ୍ୟବସାୟ କାର୍ଯ୍ୟ ପଦ୍ଧତି ବିରୋଧରେ ଉପଭୋକ୍ତା ଆୟୋଗରେ ଅଭିଯୋଗ ମଧ୍ୟ ଦାଖଲ କରାଯାଇ ପାରିବ। ତୁରନ୍ତ ଏବଂ ପ୍ରଭାବୀ ଢଙ୍ଗରେ ଅଭିଯୋଗ ସମାଧାନ ଲାଗି ଇ-ଦାଖଲ ପୋର୍ଟାଲ www.e-daakhil.nic.in ମାଧ୍ୟମରେ ଇଲେକ୍ଟ୍ରୋନିକ ପଦ୍ଧତିରେ ଅଭିଯୋଗ ଦାଖଲ କରାଯାଇପାରିବ। ଏଥିସହିତ ଯାଞ୍ଚ ଏବଂ ସିସିପିଏ ଦ୍ବାରା ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଲାଗି ଉପଭୋକ୍ତା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ଦାଖଲ କରିପାରିବେ। ସିସିପିଏକୁ [email protected]. ଇ-ମେଲରେ ଅଭିଯୋଗ ପଠାଯାଇ ପାରିବ। ସେବା ଶୁଳ୍କ ଲାଗୁ କରିବା ସମ୍ପର୍କରେ ଉପଭୋକ୍ତାଙ୍କ ଦ୍ବାରା ଜାତୀୟ ଉପଭୋକ୍ତା ହେଲ୍ପଲାଇନ (ଏନସିଏଚ)ରେ ଅନେକ ଅଭିଯୋଗ ଦାଖଲ କରାଯାଇଛି। ରେସ୍ତୋରାଁଗୁଡ଼ିକ ବାଧ୍ୟତାମୂଳକ ଭାବେ ସେବା ଶୁଳ୍କ ଲାଗୁ କରିବା, ସ୍ବତଃପ୍ରବୃତ୍ତ ଭାବେ ବିଲରେ ସେବା ଶୁଳ୍କକୁ ଯୋଡ଼ିବା, ଏପରି ଶୁଳ୍କ ପଇଠ କରିବା ଇଚ୍ଛାଧୀନ, ବିକଳ୍ପ ଆଧାରିତ ବୋଲି ଗ୍ରାହକଙ୍କୁ ଠିକ୍‌ ଭାବେ ସଚେତନ ନକରିବା ଏବଂ ସେବା ଶୁଳ୍କ ପଇଠ କରିବାକୁ ରାଜି ନହେଲେ ଉପଭୋକ୍ତାଙ୍କୁ ଶୋଷଣ କରିବା ଭଳି ଅଭିଯୋଗ ଏଥିରେ ସାମିଲ ରହିଛି।

ସେବା ଶୁଳ୍କ ସଂକ୍ରାନ୍ତ ବିଭିନ୍ନ ମାମଲାରେ ଉପଭୋକ୍ତା ଆୟୋଗ ଉପଭୋକ୍ତାଙ୍କ ସପକ୍ଷରେ ରାୟ ଶୁଣାଇଛନ୍ତି ଏବଂ ଏଭଳି ଶୁଳ୍କ ଆଦାୟକୁ ଅନୁଚିତ ବ୍ୟବସାୟିକ ପଦ୍ଧତି ଏବଂ ଉପଭୋକ୍ତାଙ୍କ ଅଧିକାର ଉଲ୍ଲଙ୍ଘନ ବୋଲି ଦର୍ଶାଇଛନ୍ତି।