Categories
ଆଜିର ଖବର ଖେଳ ଜାତୀୟ ଖବର

ଭାରତ-ପାକିସ୍ଥାନ ଟି-୨୦ ବିଶ୍ୱକପ ମ୍ୟାଚ ଉପରେ ପ୍ରଶ୍ନ ଉଠାଇଲେ ଓୱାଇସି, ଜାଣନ୍ତୁ କ’ଣ କହିଲେ

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ଟି-୨୦ ବିଶ୍ୱକପ ମ୍ୟାଚକୁ ନେଇ ହାଇଦ୍ରାବାଦ ସାଂସଦ ତଥା ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱାଇସି ବିସିସିଆଇକୁ ପ୍ରଶ୍ନ କରିଛନ୍ତି। ଓୱାଇସି କହିଛନ୍ତି ଯେ, ଭାରତୀୟ ଦଳ ଅଷ୍ଟ୍ରେଲିଆରେ ପାକିସ୍ତାନ ସହ କ୍ରିକେଟ୍ ମ୍ୟାଚ୍ ଖେଳୁଛି କାହିଁକି? ସେଠାରେ ଭାରତୀୟ ଦଳକୁ ଖେଳିବାର ନଥିଲା। ଭାରତ ଅପେକ୍ଷା ପାକିସ୍ତାନ ସହିତ କ୍ରିକେଟ୍ ମ୍ୟାଚ୍ ଅଧିକ ଗୁରୁତ୍ୱପୂର୍ଣ୍ଣ କି? ଏସିଆ କପ୍ ଖେଳିବାକୁ ପାକିସ୍ତାନ ଯିବେ ନାହିଁ, ବରଂ ତାଙ୍କ ସହ ଅଷ୍ଟ୍ରେଲିଆରେ ଖେଳିବେ। ଇଏ କି ପ୍ରେମ। ଯଦି ତୁମେ ପାକିସ୍ତାନ ସହିତ ଖେଳୁ ନାହଁ? ତେବେ ଏହା ଟେଲିଭିଜନ ପାଇଁ ୨ ହଜାର କୋଟି କ୍ଷତି ତ ହେବ, ହେଲେ ଏହା ଭାରତଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ କି?

ଓୱାଇସି ଏକ କାର୍ଯ୍ୟକ୍ରମରେ ଜୟ ଶାହାଙ୍କ ବିବୃତ୍ତି ବିଷୟରେ ଏକ ପ୍ରଶ୍ନର ଉତ୍ତର ଦେଉଥିଲେ ଯେଉଁଥିରେ ବିସିସିଆଇ ସଚିବ କହିଥିଲେ ଯେ, ଏସିଆ କପ୍ ଏକ ନିରପେକ୍ଷ ସ୍ଥାନରେ ଖେଳାଯିବ। କାରଣ ଭାରତୀୟ ଦଳ ପାକିସ୍ତାନ ଗସ୍ତ କରିବ ନାହିଁ। ଉଲ୍ଲେଖ ଯୋଗ୍ୟ ଯେ, ଜୟ ଶାହା ମଧ୍ୟ ଏସୀୟ କ୍ରିକେଟ୍ ପରିଷଦର ମୁଖ୍ୟ ଅଟନ୍ତି। ଓୱାଇସିଙ୍କୁ ପଚରାଯାଇଥିଲା କି ଟି-୨୦ ବିଶ୍ୱକପ ମ୍ୟାଚ, ଭାରତ କିମ୍ବା ପାକିସ୍ତାନ କିଏ ଜିତିବ? ଏହା ଉପରେ ସେ କହିଥିଲେ ଯେ, ‘ମୁଁ ଜାଣେ ନାହିଁ ଏହି ମ୍ୟାଚ୍ କିଏ ଜିତିବ, କିନ୍ତୁ ମୁଁ ଚାହୁଁଛି ଭାରତ ଜିତୁ ଏବଂ ଶାମି ଓ ସିରାଜଙ୍କ ଭଳି ଆମ ପିଲାମାନେ ପାକିସ୍ତାନକୁ ପରାସ୍ତ କରନ୍ତୁ।’ ଏହି ସମୟ ମଧ୍ୟରେ ସେ ମୁସଲିମ ଖେଳାଳିଙ୍କ ଟ୍ରୋଲ ପ୍ରସଙ୍ଗ ମଧ୍ୟ ଉଠାଇଥିଲେ।