Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଏକାମ୍ର ନିର୍ବାଚନ ମଣ୍ଡଳୀ ପାଇଁ ୧୫୯ କୋଟି ଟଙ୍କା ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଏକାମ୍ର ନିର୍ବାଚନମଣ୍ଡଳୀ ପାଇଁ ୧୫୯.୨୯ କୋଟି ଟଙ୍କା ବ୍ୟୟରେ ୪ଟି ଉନ୍ନୟନମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

ଏକାମ୍ର ନିର୍ବାଚନମଣ୍ଡଳୀର ଲିଙ୍ଗିପୁର ପଞ୍ଚାୟତରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଏହିସବୁ ପ୍ରକଳ୍ପର ଭିତ୍ତିପ୍ରସ୍ତର ରଖିଛନ୍ତି। ପ୍ରକଳ୍ପ ଗୁଡିକ ମଧ୍ୟରେ ୭୭.୭୪ କୋଟି ଟଙ୍କା ବ୍ୟୟରେ ଧଉଳି ଓ ଟିକରପଡା ଠାରେ ନଦୀଗର୍ଭ ଜଳାଶୟ ପ୍ରକଳ୍ପ, ୨୨ କୋଟି ଟଙ୍କା ବ୍ୟୟରେ ଲିଙ୍ଗିପୁର, ଇଟିପୁର ଓ ଟିକରପଡା ଗ୍ରାମପଞ୍ଚାୟତର ଦୟା ଡାହାଣ ପାର୍ଶ୍ବ ନଦୀବନ୍ଧରେ ଦୁଇ ଥାକିଆ ରାସ୍ତା ନିର୍ମାଣ ପ୍ରକଳ୍ପ ରହିଛି।

ସେହିପରି ୪୨.୫୫ କୋଟି ଟଙ୍କା ବ୍ୟୟରେ ବାସୁଆଘାଇର କାମେନା ଠାରେ ୬ଟି ଗ୍ରାମ ପଞ୍ଚାୟତ ବାସୀଙ୍କ ପାଇଁ ବୃହତ ପାଇପ ଜଳଯୋଗାଣ ପ୍ରକଳ୍ପ ଏବଂ ୧୭ କୋଟି ଟଙ୍କା ବ୍ୟୟରେ ଇଟିପୁର ଗ୍ରାମପଞ୍ଚାୟତରେ ଏକ ନୂତନ ୩୩/୧୧ କେଭି ବିଦ୍ୟୁତ ସବ୍‌ଷ୍ଟେସନ ନିର୍ମାଣ ପ୍ରକଳ୍ପ ରହିଛି।

ଏସବୁ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଏକାମ୍ର ନିର୍ବାଚନମଣ୍ଡଳୀର ଅଞ୍ଚଳବାସୀ ବହୁଳ ଭାବରେ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି।

କାର୍ଯ୍ୟକ୍ରମରେ ବିଜ୍ଞାନ ଓ କାରିଗରୀ ତଥା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ, ମେୟର ଶ୍ରୀମତୀ ସୁଲୋଚନା ଦାସ ଏବଂ ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଏକ୍ରାମ କ୍ଷେତ୍ର ପ୍ରକଳ୍ପ ତଦାରଖ କଲେ ମୁଖ୍ୟମନ୍ତ୍ରୀ, ବିକାଶ କାମକୁ ସେବାୟତଙ୍କ ପ୍ରଶଂସା

ଭୁବନେଶ୍ବର, ପୁରୀ ଶ୍ରୀମନ୍ଦିର ଆଇନ ଢାଞ୍ଚାରେ ଶ୍ରୀ ଲିଙ୍ଗରାଜ ମନ୍ଦିର ପାଇଁ ଖୁବ ଶୀଘ୍ର ଏକ ସ୍ବତନ୍ତ୍ର ଆଇନ ପ୍ରଣୟନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଆଜି ଅପରାହ୍ନରେ ଏକାମ୍ର କ୍ଷେତ୍ର ବିକାଶ ପ୍ରକଳ୍ପ ବୁଲି ଦେଖିବା ଅବସରରେ ମୁଖ୍ୟମନ୍ତ୍ରୀ ଲିଙ୍ଗରାଜ ମନ୍ଦିର ସିଂହଦ୍ବାରକୁ ଯାଇ ସେଠାରୁ ମହାପଭୁଙ୍କୁ ପ୍ରଣାମ ଜଣାଇଥିଲେ ଏବଂ ସେବାୟତମାନଙ୍କ ସହିତ ଆଲୋଚନା କରିଥିଲେ ।

ବର୍ତ୍ତମାନ ସରକାର ଅମଳରେ ବିନ୍ଦୁସାଗର ଠାରୁ ଆରମ୍ଭ କରି ପୁରୁଣା ଭୁବନେଶ୍ବର ଅଞ୍ଚଳରେ ଅନେକ ବିକାଶ କାର୍ଯ୍ୟ ହୋଇଥିବାରୁ ସେବାୟତମାନେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଥିଲେ । ପରେ ମୁଖ୍ୟମନ୍ତ୍ରୀ ଦେବୀ ପାଦହରା ପୁଷ୍କରଣୀ ବୁଲି ଦେଖିବା ସହ ବିନ୍ଦୁସାଗର ମଠଘାଟ ଠାରେ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଥିଲେ।

ଏକାମ୍ରକ୍ଷେତ୍ର ପ୍ରକଳ୍ପ ପାଇଁ ଜମି ଦାନ କରିଥିବା ବ୍ୟକ୍ତି ମାନଙ୍କୁ ମୁଖ୍ୟମନ୍ତ୍ରୀ ସାଧୁବାଦ ଜଣାଇଥିଲେ ଏବଂ ପ୍ରକଳ୍ପ କାର୍ଯ୍ୟ ଆଗକୁ ନେବା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ। ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତିରେ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିବା ସହିତ ଅଧିକ ପର୍ଯ୍ୟଟକଙ୍କୁ ସେଠାକୁ ଆକର୍ଷିତ କରିବାରେ ଏହି ଯୋଜନା ଏକ ସଫଳ ଉଦ୍ୟମ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀଙ୍କ ୫-ଟି କାର୍ଯ୍ୟକ୍ରମ ଅଧୀନରେ ଏହି ପ୍ରକଳ୍ପ କାର୍ଯ୍ୟ ଚାଲୁ ରହିଛି । ଐତିହ୍ୟ ନଗରୀ ଭୁବନେଶ୍ବରର ଗରିମାକୁ ଆହୁରି ବୃଦ୍ଧି କରିବା ସହିତ ଏହାକୁ ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଭାବରେ ବିକଶିତ କରିବା ଏବଂ ଭକ୍ତ ଓ ପର୍ଯ୍ୟଟକ ମାନଙ୍କ ପାଇଁ ଏକ ଅନନ୍ୟ ଆଧ୍ୟାତ୍ମିକ ଅନୁଭବ ପ୍ରଦାନ କରିବା ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ।

ମୁଖ୍ୟମନ୍ତ୍ରୀଙ୍କ ପରିଦର୍ଶନ ସମୟରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ ସୁଶାନ୍ତ ରାଉତ, ଉନ୍ନୟନ କମିଶନର  ସୁରେଶ ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ, ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ, ପୂର୍ତ୍ତ ସଚିବ କିଷନ କୁମାର, ବି.ଏମ୍‌.ସି କମିଶନର ପ୍ରେମଚାନ୍ଦ ଚୌଧୁରୀଙ୍କ ସହିତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।