Categories
ଆଜିର ଖବର ଜାତୀୟ ଖବର

ରାଷ୍ଟ୍ରର ବିକାଶରେ ଗଣମାଧ୍ୟମ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ: ଅଖିଳ କୁମାର ମିଶ୍ର, ଏଡିଜି ପିଆଇବି

ଭୁବନେଶ୍ୱର: ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ପକ୍ଷରୁ ଆଜି କେନ୍ଦ୍ର ସରକାରଙ୍କ ବାୟୋ-ଇଥ୍ରୀ ନୀତି ଉପରେ ଏକ ବାର୍ତ୍ତାଳପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଅଧୀନ ଭୁବନେଶ୍ୱରସ୍ଥିତ ବିଆରଆଇସି- ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଲାଇଫ ସାଇନ୍ସେସ୍‌ (ଆଇଏଲଏସ) ସହଯୋଗ କରିଥିଲେ। ଆଇଏଲଏସ୍ ପ୍ରେକ୍ଷାଳୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ବକ୍ତାମାନେ ‘ବାୟୋ ଇ-ଥ୍ରୀ (ଅର୍ଥବ୍ୟବସ୍ଥା, ପରିବେଶ ଓ ନିଯୁକ୍ତି ପାଇଁ ଜୈବପ୍ରଯୁକ୍ତି ବା ବାୟୋଟେକ୍ନୋଲୋଜି) – ଉଚ୍ଚ ପ୍ରଦର୍ଶନକାରୀ ଜୈବ ଉତ୍ପାଦନକୁ ପ୍ରୋତ୍ସାହନ ଦେବା ଲାଗି ନୀତି’ ବିଷୟବସ୍ତୁ ଉପରେ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପିଆଇବିର ଅତିରିକ୍ତ ମହାନିର୍ଦ୍ଦେଶକ ତଥା ଓଡ଼ିଶା କ୍ଷେତ୍ର ଅତିରିକ୍ତ ପ୍ରେସ୍ ରେଜିଷ୍ଟ୍ରାର୍ ଜେନେରାଲ୍ ଅଖିଳ କୁମାର ମିଶ୍ର ତାଙ୍କ ବକ୍ତବ୍ୟରେ କହିଥିଲେ, ଦେଶର ବିକାଶରେ ଗଣମାଧ୍ୟମ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ । ସରକାରଙ୍କ ଯୋଜନା ଓ କାର୍ଯ୍ୟକ୍ରମର ପ୍ରଚାର ପ୍ରସାର ଦିଗରେ ବାର୍ତ୍ତାଳାପ କାର୍ଯ୍ୟକ୍ରମ ଏକ ସହଭାଗୀ ମଞ୍ଚ ପ୍ରଦାନ କରିଥାଏ। କେନ୍ଦ୍ର ସରକାର ପତ୍ର ସୂଚନା କାର୍ଯ୍ୟାଳୟର ବାର୍ତ୍ତାଳାପ କାର୍ଯ୍ୟକ୍ରମ ଜରିଆରେ ବିଜ୍ଞାନ ଭିତ୍ତିକ ବିକାଶମୂଳକ ଯୋଜନା ଓ କାର୍ଯ୍ୟକ୍ରମର ସୁଫଳ ଲୋକମାନଙ୍କ ନିକଟରେ ପହଞ୍ଚାଇବାକୁ ଚାହୁଁଛନ୍ତି । ସରକାରଙ୍କ ବାୟୋ -ଇଥ୍ରୀ ନୀତିକୁ କିଭଳି ଅଧିକ ପ୍ରଚାରପ୍ରସାର କରାଯାଇପାରିବ ସେ ଦିଗରେ ଗଣମାଧ୍ୟମ ଯତ୍ନବାନ ହେବାକୁ ସେ ନିବେଦନ କରିଥିଲେ।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ଆଇଏଲ୍ଏସ୍ ନିର୍ଦ୍ଦେଶକ ଡକ୍ଟର ଦେବାଶିଷ ଦାଶ ସ୍ୱାଗତ ଭାଷଣ ଦେଇ ୨୦୪୭ ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ହାସଲ କରିବା ଲାଗି ସାମୁଦ୍ରିକ ଗବେଷଣା ଓ ନୀଳ ଅର୍ଥବ୍ୟବସ୍ଥାର ଆବଶ୍ୟକତା ଉପରେ ମତ ରଖିଥିଲେ। ଭୂବିଜ୍ଞାନ ମନ୍ତ୍ରଣାଳୟର ଅନୁଦାନ ସହାୟତାରେ ବିଆରଆଇସି-ଆଇଏଲଏସ୍ ଏକ ଗଭୀର ସାଗର ମିଶନ ପ୍ରକଳ୍ପ ଆରମ୍ଭ କରିଥିବା ସେ ସୂଚନା ଦେଇଥିଲେ। ଡକ୍ଟର ଦାଶ କହିଥିଲେ ଯେ, ବାୟୋଇଥ୍ରୀ ନୀତିର କାର୍ଯ୍ୟକାରିତା ବିଭିନ୍ନ ମନ୍ତ୍ରଣାଳୟର ସହଭାଗିତା ଉପରେ ନିର୍ଭରଶୀଳ। ବାୟୋଇଥ୍ରୀ ନୀତିରେ ରେଖାଙ୍କିତ କରାଯାଇଥିବା ଲକ୍ଷ୍ୟ ହାସଲ କରିବା ଦିଗରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ ଏବଂ ଭୂବିଜ୍ଞାନ ମନ୍ତ୍ରଣାଳୟ କିଭଳି ମିଳିତ ଭାବେ କାର୍ଯ୍ୟ କରୁଛନ୍ତି ଏହା ତାହାର ଏକ ଉଦାହରଣ। ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ କାରିଗରୀ ବିଭାଗ ସହିତ ସହଭାଗିତା ସ୍ଥାପନ କରି ଗୋଟିଏ ବାୟୋମେନ୍ୟୁଫେକ୍ଚରିଂ ବା ଜୈବଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା ପ୍ରସ୍ତାବ ସମ୍ପର୍କରେ ମଧ୍ୟ ସେ ସୂଚନା ଦେଇଥିଲେ। ସଂକ୍ରାମକ ଓ ଦୂରାରୋଗ୍ୟ ବ୍ୟାଧି, ରିଜେନେଟେରିଭ୍ ମେଡ଼ିସିନ୍, ଫସଲ ସୁଧାର, ଫସଲ ସୁରକ୍ଷା ଓ ମାଇକ୍ରୋବିୟାଲ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଏସବୁ ନୂତନ ପ୍ରୟାସ ଏବଂ ଆଇଏଲଏସର ବର୍ତ୍ତମାନର ଗବେଷଣା ଓ ବିକାଶ କାର୍ଯ୍ୟକଳାପ ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ଦିଗରେ ଯୋଗଦାନ ଦେବ।

ଜୈବ ପ୍ରଯୁକ୍ତିବିଦ୍ୟା ବିଭାଗର ଉପଦେଷ୍ଟା ତଥା ବୈଜ୍ଞାନିକ ଡକ୍ଟର ନୀତିନ ଜୈନ ବାୟୋ ଇଥ୍ରୀ ନୀତି ଦେଶକୁ କିଭଳି ସକ୍ରିୟ ଔଷଧିୟ ଉପାଦାନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିପାରିବ ସେ ବିଷୟରେ ଆଲୋକପାତ କରିଥିଲେ। ଏହି ନୀତି ଦ୍ୱାରା ଦେଶ ଏସବୁ ସାମଗ୍ରୀର ରପ୍ତାନି କରିବାକୁ ସକ୍ଷମ ହେବ ବୋଲି ସେ ମତବ୍ୟକ୍ତ କରିଥିଲେ।

ବିଭାଗର ଅନ୍ୟତମ ବୈଜ୍ଞାନିକ ଡକ୍ଟର ସୁମିତା କୁମାରୀ ପ୍ରସାଦ କହିଥିଲେ, ବାୟୋଇ-ଥ୍ରୀ ନୀତି ଜଳବାୟୁ-ସହନଶୀଳ କୃଷି ପାଇଁ ବିଶେଷ ସହାୟକ ହୋଇପାରିବ। ଜଳବାୟୁ ପରିବର୍ତ୍ତନର ପ୍ରତିକୂଳ ପ୍ରଭାବକୁ ହ୍ରାସ କରିବା ଲାଗି କୃଷି କ୍ଷେତ୍ରରେ ପ୍ରଭାବୀ ପରିବର୍ତ୍ତନ ଆଣିବା ପାଇଁ ବିଭାଗ ପକ୍ଷରୁ ଗ୍ରହଣ କରାଯାଉଥିବା ପଦକ୍ଷେପ ସହିତ ଆନ୍ତଃମନ୍ତ୍ରଣାଳୟ କାର୍ଯ୍ୟକ୍ରମର ରୂପରେଖ ଉପରେ ଡକ୍ଟର ପ୍ରସାଦ ଆଲୋକପାତ କରିଥିଲେ।

ବିଆର୍‌ଆଇସି-ଆଇଏଲ୍ଏର ବୈଜ୍ଞାନିକ ଡକ୍ଟର ପୁନୀତ ପ୍ରସାଦ ସ୍ୱାସ୍ଥ୍ୟସେବା, କୃଷି, ଜୈବଶକ୍ତି କ୍ଷେତ୍ରରେ ବିଭିନ୍ନ ସାମାଜିକ ଆବଶ୍ୟକତାକୁ ପୂରଣ କରିବା ଏବଂ ଦୀର୍ଘସ୍ଥାୟୀ ପରିବେଶକୁ ବଜାୟ ରଖିବା ନିମନ୍ତେ ଏକ ନିର୍ଦ୍ଦିଷ୍ଟ ବାତାବରଣରେ ଜଟିଳ ଜୈବବିବିଧତାକୁ ବୁଝିବାରେ ମେଟାଜେନୋମିକ୍ସର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଚକ୍ରାକାର ଜୈବ ଅର୍ଥବ୍ୟବସ୍ଥା ପାଇଁ ବାୟୋଇଥ୍ରୀର ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ଭାବେ ବାୟୋ-ଫାର୍ମା, ବାୟୋ-ଏଗ୍ରି, ବାୟୋ ଏଆଇ କ୍ଷେତ୍ରରେ ମେଟାଜେନୋମିକ୍ ଉପାଦାନଗୁଡ଼ିକ କିଭଳି ଯୋଗଦାନ ଦେଇପାରିବ ସେ ବିଷୟରେ ଡକ୍ଟର ପ୍ରସାଦ ବିସ୍ତୃତ ଭାବେ ଆଲୋଚନା କରିଥିଲେ।

ବିଆରଆଇସି-ଆଇଏଲଏସ୍‌ର ବୈଜ୍ଞାନିକ ଡକ୍ଟର ରାଜୀବ କୁମାର ସ୍ୱାଇଁ କାର୍ଯ୍ୟକ୍ରମ ପରିଚାଳନା କରିବା ସହିତ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ବାର୍ତ୍ତାଳାପ କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗର ଅଧିକାରୀ, କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧି, ବୈଜ୍ଞାନିକ, ଗବେଷକ ଓ ବୁଦ୍ଧିଜୀବୀମାନେ ଅଂଶଗ୍ରହଣ କରିଥିଲେ।

ବାୟୋ-ଇଥ୍ରୀ ନୀତି ସମ୍ପର୍କରେ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ୍‌ ୨୪ ଅଗଷ୍ଟ ୨୦୨୪ରେ ଜୈବ ପ୍ରଯୁକ୍ତିବିଦ୍ୟା ବିଭାଗର ପ୍ରସ୍ତାବ କ୍ରମେ ‘ବାୟୋ-ଇଥ୍ରୀ (ଅର୍ଥବ୍ୟବସ୍ଥା, ପରିବେଶ ଓ ରୋଜଗାର ପାଇଁ ଜୈବ ପ୍ରଯୁକ୍ତିବିଦ୍ୟା)- ଉଚ୍ଚ ପ୍ରଦର୍ଶନକାରୀ ଜୈବଉତ୍ପାଦନ ର ପ୍ରୋତ୍ସାହନ ନୀତି’କୁ ମଞ୍ଜୁର କରିଥିଲା।

ବାୟୋ-ଇଥ୍ରୀ ନୀତିର ପ୍ରମୁଖ ବିଶେଷତ୍ୱଗୁଡ଼ିକ ମଧ୍ୟରେ ବିଷୟଗତ କ୍ଷେତ୍ରରେ ଗବେଷଣା ଓ ବିକାଶ ନିମନ୍ତେ ଉଦ୍ଭାବନ ପରିଚାଳିତ ସମର୍ଥନ ସାମିଲ ରହିଛି। ଏହା ବାୟୋମେନ୍ୟୁଫେକ୍ଚରିଂ ଏବଂ ବାୟୋ-ଏଆଇ କେନ୍ଦ୍ର ତଥା ବାୟୋଫାଉଣ୍ଡ୍ରି ପ୍ରତିଷ୍ଠା କରି ପ୍ରଯୁକ୍ତିବିଦ୍ୟାର ବିକାଶ ଏବଂ ବ୍ୟବସାୟୀକରଣକୁ ତ୍ୱରାନ୍ୱିତ କରିବ। ସବୁଜ ବିକାଶର ପୁନଃସୃଷ୍ଟିକାରୀ ଜୈବଅର୍ଥବ୍ୟବସ୍ଥାକୁ ପ୍ରାଥମିକତା ଦେଇ ଏହି ନୀତି ଭାରତର ଦକ୍ଷ କାର୍ଯ୍ୟବଳକୁ ବିସ୍ତାର ସୁବିଧା ପ୍ରଦାନ କରିବ ଏବଂ ବ୍ୟାପକ ରୋଜଗାର ସମ୍ଭାବନା ସୃଷ୍ଟି କରିବ।

ଆଧୁନିକ ଜୈବପ୍ରଯୁକ୍ତିବିଦ୍ୟା ଆଧାରିତ ପ୍ରକ୍ରିୟାର ସମନ୍ୱୟ ଜରିଆରେ ଔଷଧ ଠାରୁ ଆରମ୍ଭ କରି ବିଭିନ୍ନ ସାମଗ୍ରୀ ଉତ୍ପାଦନ କରିବା, କୃଷି ଓ ଖାଦ୍ୟ ସମସ୍ୟାର ସମାଧାନ କରିବା ଏବଂ ଜୈବ ଆଧାରିତ ଉତ୍ପାଦର ନିର୍ମାଣକୁ ପ୍ରୋତ୍ସାହିତ କରିବା ଲାଗି ଉଚ୍ଚପ୍ରଦର୍ଶନକାରୀ ଜୈବ ଉତ୍ପାଦନ ବା ବାୟୋମେନ୍ୟୁଫେକ୍ଚରିଂର କ୍ଷମତା ରହିଛି ।

ଜାତୀୟ ପ୍ରାଥମିକତା ଅନୁରୂପ, ବାୟୋ-ଇଥ୍ରୀ ନୀତି ନିମ୍ନୋକ୍ତ ରଣନୀତିକ/ବିଷୟଗତ କ୍ଷେତ୍ର ଉପରେ ଧ୍ୟାନ ଦେବ: ୧) ଉଚ୍ଚ-ମୂଲ୍ୟ ଆଧାରିତ ଜୈବ-ଆଧାରିତ ରାସାୟନିକ, ବାୟୋପଲିମର୍ସ ଓ ଏଞ୍ଜାଇମ୍ସ; ୨) ସ୍ମାର୍ଟ ପ୍ରୋଟିନ୍‌ ଓ ଫଙ୍କସନାଲ୍‌ ଖାଦ୍ୟ; ୩) ସଠିକ୍‌ ବାୟୋଥେରାପି; ୪) ଜଳବାୟୁ ସହନଶୀଳ କୃଷି; ୫) କାର୍ବନ ସଂଗ୍ରହ ଓ ଏହାର ଉପଯୋଗ; ଏବଂ ସାମୁଦ୍ରିକ ଓ ମହାକାଶ ଗବେଷଣା।