Categories
ଆଜିର ଖବର ଜାତୀୟ ଖବର

କଟକ ଏନଆରଆରଆଇ ଠାରେ ଆଇସିଏଆର ଆଞ୍ଚଳିକ କମିଟି-୨ର ୨୬ତମ ବୈଠକ ଅନୁଷ୍ଠିତ

ଭୁବନେଶ୍ବର: ଭାରତ ସରକାରଙ୍କ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଅଧୀନ ଭାରତୀୟ କୃଷି ଗବେଷଣା ପରିଷଦ (ଆଇସିଏଆର)ର ଆଞ୍ଚଳିକ କମିଟି-୨ର ୨୬ତମ ବୈଠକ ଅନୁଷ୍ଠିତ ହୋଇଯାଇଛି। କଟକସ୍ଥିତ ଆଇସିଏଆର-ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ ଠାରେ ଶୁକ୍ରବାର ଅନୁଷ୍ଠିତ ଏହି ବୈଠକରେ ପଶ୍ଚିମବଙ୍ଗ, ଓଡ଼ିଶା, ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ ଏବଂ କେନ୍ଦ୍ର ଶାସିତ ପ୍ରଦେଶ ଆଣ୍ଡାମାନ ଓ ନିକୋବାର ଦ୍ବୀପସମୂହର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ।

ଭର୍ଚୁଆଲ ମାଧ୍ୟମରେ ବୈଠକର ଉଦଘାଟନୀ ଅଧିବେଶନକୁ ସମ୍ବୋଧିତ କରି କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ରାଷ୍ଟ୍ର ମନ୍ତ୍ରୀ ଶ୍ରୀ କୈଳାସ ଚୌଧୁରୀ କହିଥିଲେ ଯେ, କୃଷି କ୍ଷେତ୍ରରେ ଆମର ଗବେଷଣା ଓ ବିକାଶ କାର୍ଯ୍ୟକୁ ଆହୁରି ତ୍ବରାନ୍ବିତ କରିବାର ଆବଶ୍ୟକତା ରହିଛି ଏବଂ ଏହାର ଫଳାଫଳକୁ ତୃଣମୂଳସ୍ତରରେ କୃଷକଙ୍କ ନିକଟରେ ପହଞ୍ଚାଇବା ଜରୁରି। ଚାଷୀଙ୍କ ଆୟ ବୃଦ୍ଧି କରିବାକୁ ହେଲେ, ଋଣ ବୋଝ କମାଇବାର ଆବଶ୍ୟକତା ରହିଛି। ଏଥିସହିତ ସେମାନଙ୍କୁ ବିହନ, ବଜାର ସୁବିଧା ଯୋଗାଇ ଦେବା ସହ ପଣ୍ୟାଗାର ବ୍ୟବସ୍ଥା କରିବା ମଧ୍ୟ ଜରୁରି। କେନ୍ଦ୍ର ସରକାର ସବୁବେଳେ ସହାୟତା ଦେବା ଲାଗି ପ୍ରସ୍ତୁତ ଅଛନ୍ତି, ତେବେ ରାଜ୍ୟ ସରକାର କ୍ଷେତ୍ରୀୟ ସ୍ତରରେ ସକ୍ରିୟ ଭାବେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ।

ପ୍ରାକୃତିକ କୃଷି ଉପରେ ଗୁରୁତ୍ବାରୋପ କରି କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ, ରାସାୟନିକ, ସାର ଆଧାରିତ କୃଷି ଠାରୁ ଦୂରେଇ ଯିବା ବର୍ତ୍ତମାନ ସମୟର ଆବଶ୍ୟକତା। ଚାଷୀମାନଙ୍କୁ ଉନ୍ନତ ଜ୍ଞାନକୌଶଳର ସୁବିଧା ଯୋଗାଇ ଦେବା ଆବଶ୍ୟକ। ଏଥିପାଇଁ କେବଳ ଗବେଷଣା ଯଥେଷ୍ଟ ନୁହେଁ, ଗବେଷଣାରୁ ମିଳୁଥିବା ଅନ୍ତିମ ଉତ୍ପାଦକୁ ଚାଷୀଙ୍କ ନିକଟରେ ପହଞ୍ଚାଇବା ଜରୁରି ବୋଲି ସେ କହିଥିଲେ।

କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ ଆତ୍ମନିର୍ଭର ଭାରତ ନିର୍ମାଣ କରିବାକୁ ହେଲେ କୃଷି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବାର ଆବଶ୍ୟକତା ରହିଛି। ଏହି ବୈଠକରେ ଅଂଶଗ୍ରହଣ କରିଥିବା ଅଂଶୀଦାରମାନଙ୍କୁ କେନ୍ଦ୍ର ମନ୍ତ୍ରୀ ଅଭିନନ୍ଦନ ଜଣାଇବା ସହିତ ବୈଠକର ଫଳାଫଳ କୃଷି କ୍ଷେତ୍ରର ବିକାଶ ଦିଗରେ ଦୀର୍ଘସ୍ଥାୟୀ ପ୍ରଭାବ ପକାଇବ ବୋଲି ସେ ଆଶା କରିଥିଲେ।

ସେ ଜୋର ଦେଇ କହିଥିଲେ ଯେ, ପ୍ରଗତି ଅନୁଧ୍ୟାନ କରିବା ଲାଗି ଏଭଳି ସମୀକ୍ଷା ଜରୁରି, କିନ୍ତୁ ନିର୍ଦ୍ଦିଷ୍ଟ ସମସ୍ୟାର ସମାଧାନ ପାଇଁ ଯୋଜନା ପ୍ରସ୍ତୁତି କରିବାର ଆବଶ୍ୟକତା ରହିଛି। ଓଡ଼ିଶା, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ଏବଂ ତେଲଙ୍ଗାନା ଭଳି ରାଜ୍ୟମାନେ ଅଧିକ ମାତ୍ରାରେ ପ୍ରତିକୂଳ ପାଣିପାଗ ପରିସ୍ଥିତିର ସମ୍ମୁଖିନ ହେଉଛନ୍ତି। ତେଣୁ, ଚାଷୀଙ୍କ ପାଇଁ ଜଳବାୟୁ ଅନୁକୂଳ ସ୍ମାର୍ଟ ପ୍ରଯୁକ୍ତି ବିକଶିତ କରାଯିବାର ଆବଶ୍ୟକତା ରହିଛି । ସେ ବିଶେଷ ଜୋର ଦେଇ କହିଥିଲେ ଯେ କୃଷି କାର୍ଯ୍ୟକଳାପକୁ ଏକ ବାଣିଜ୍ୟିକ ଉଦ୍ୟୋଗ ଭାବେ ଗ୍ରହଣ କରାନଯିବା ପର୍ଯ୍ୟନ୍ତ, ଏହାର ସମ୍ପୂର୍ଣ୍ଣ ସମ୍ଭାବ୍ୟ ଲାଭ ଏବଂ ଲାଭଜନକ ପ୍ରତିଫଳ ମିଳିପାରିବ ନାହିଁ।

କୃଷି ଗବେଷଣା ଓ ଶିକ୍ଷା ବିଭାଗର ସଚିବ ତଥା ଆଇସିଏଆର ମହାନିର୍ଦ୍ଦେଶକ ଡକ୍ଟର ହିମାଂଶୁ ପାଠକ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଉପରେ ଆଲୋକପାତ କରି କହିଥିଲେ ଯେ, କୋଭିଡ – ୧୯ ମହାମାରୀ ସତ୍ତ୍ବେ ଭାରତର କୃଷି ଏବଂ ପ୍ରକ୍ରିୟାକୃତ ଖାଦ୍ୟ ସାମଗ୍ରୀ ରପ୍ତାନି ପୂର୍ବ ବର୍ଷ ତୁଳନାରେ ୧୩% ବୃଦ୍ଧି ପାଇଛି। ତେବେ ଖାଦ୍ୟ ପ୍ରକ୍ରିୟାକରଣର ସ୍ତର ଏବଂ ମୂଲ୍ୟ ସମ୍ବର୍ଦ୍ଧନ କମ ରହିବା କାରଣରୁ ବିଶ୍ବ ଖାଦ୍ୟ ସାମଗ୍ରୀ ରପ୍ତାନିରେ ଭାରତର ଯୋଗଦାନ ମାତ୍ର ୩% ରହିଛି। ଆହୁରି ପ୍ରକ୍ରିୟାକରଣର ସେତେଟା ସୁବିଧା ନଥିବା କାରଣରୁ ଭାରତର ଖାଦ୍ୟ ରପ୍ତାନି ପରିସର ମଧ୍ୟରେ କେବଳ ଧାନ, ଗହମ, ଚିନି, ମାଛ ଆଦି ପ୍ରମୁଖ ଉତ୍ପାଦ ସାମିଲ ରହିଛି। ମାଟିର ଖରାପ ଗୁଣବତ୍ତା, ଖରାପ ସାର ଉପଯୋଗ, ରୋଗ ପୋକ ସଂଗ୍ରମଣ ଏବଂ ମୌସୁମୀ ବର୍ଷା ଉପରେ ଅତ୍ୟଧିକ ନିର୍ଭରଶୀଳତା କାରଣରୁ ଏହି ଅଞ୍ଚଳରେ ଫସଲ ଉତ୍ପାଦନ କମ୍‌ ରହିଥିବା ନେଇ ସେ ଚିନ୍ତାବ୍ୟକ୍ତ କରିଥିଲେ।

ଉଦଘାଟନୀ କାର୍ଯ୍ୟକ୍ରମରେ ଆଇସିଏଆର ଅତିରିକ୍ତ ମହାନିର୍ଦ୍ଦେଶକ (ସିସିଏବଂଏଫଏଫସି) ଅତିଥିମାନଙ୍କୁ ସ୍ବାଗତ କରିଥିଲେ। କଟକ ଆଇସିଏଆର-ଏନଆରଆରଆଇର ନିର୍ଦ୍ଦେଶକ ଏବଂ ଆରସିଏମ-୨ର ସଦସ୍ୟ ସଚିବ ଧନ୍ୟବାଦ ଦେଇଥିଲେ। ଉଦଘାଟନୀ ଅଧିବେଶନ ଶେଷ ହେବା ପରେ ବୈଷୟିକ ଅଧିବେଶନରେ ରାଜ୍ୟୱାରୀ ସମସ୍ୟା ଏବଂ ଗବେଷଣା ଆବଶ୍ୟକତା/ବିକାଶ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ପୂର୍ବ ବୈଠକରେ ଆଲୋଚନା ପାଇଁ ଉପସ୍ଥାପନ ହୋଇଥିବା ପ୍ରସଙ୍ଗଗୁଡ଼ିକ ଉପରେ କାର୍ଯ୍ୟ ପ୍ରଗତି ରିପୋର୍ଟ (ଏଟିଆର) ଚୂଡ଼ାନ୍ତ କରାଯାଇଥିଲା। ଏହି କ୍ଷେତ୍ରରେ ପଶୁ ସମ୍ପଦ, ଦୁଗ୍ଧ ଉତ୍ପାଦ, ମତ୍ସ୍ୟଚାଷ, ପ୍ରାକୃତିକ ସମ୍ବଳ ପରିଚାଳନା ଓ ମାନବ ସମ୍ବଳ ବିକାଶ ସମେତ କୃଷି ବିକାଶ ପାଇଁ ଏକ କାର୍ଯ୍ୟଖସଡ଼ା ପ୍ରସ୍ତୁତି ଉପରେ ଆଲୋଚନା କରାଯାଇଥିଲା। କୃଷି ଓ ଆନୁସଙ୍ଗିକ କ୍ଷେତ୍ରରେ ରାଜ୍ୟ ସହ ଜଡ଼ିତ ନିର୍ଦ୍ଦିଷ୍ଟ ସମସ୍ୟାକୁ ଚିହ୍ନଟ କରିବା ଏବଂ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ସମ୍ପୃକ୍ତ ରାଜ୍ୟର ଜାତୀୟ କୃଷି ଗବେଷଣା ପ୍ରଣାଳୀ (ଏନଏସଆରଏସ)ର ସଫଳତା ଓ ଉପଲବ୍ଧି ଜରିଆରେ ଅନୁକୂଳ ସମାଧାନ ଯୋଗାଇ ଦେବା ଦିଗରେ ଏହି ବୈଠକ ସହାୟକ ହୋଇପାରିବ।

ସୂଚନାଯୋଗ୍ୟ ଯେ, କୃଷି-ଜଳବାୟୁ କ୍ଷେତ୍ର ଆଧାରରେ ଆଇସିଏଆର ପକ୍ଷରୁ ଆଠଟି ଆଞ୍ଚଳିକ କମିଟି ପ୍ରତିଷ୍ଠା କରାଯାଇଛି। ବର୍ତ୍ତମାନ କୃଷି, ପଶୁପାଳନ, ମତ୍ସ୍ୟଚାଷ କ୍ଷେତ୍ରରେ ଜାରି ରହିଥିବା ଗବେଷଣା ଓ ପ୍ରଶିକ୍ଷଣ ପଦକ୍ଷେପରେ ରହିଥିବା ବଡ଼ ଶୂନ୍ୟସ୍ଥାନକୁ ଅନୁଧ୍ୟାନ କରିବା, ପ୍ରାଥମିକତାଗୁଡ଼ିକୁ ଚିହ୍ନଟ କରିବା ଏବଂ ଆସନ୍ତା ଦୁଇ ବର୍ଷ ପାଇଁ ଦେଶର ବିଭିନ୍ନ କୃଷି-ପାଣିପାଗ କ୍ଷେତ୍ରରେ ଗବେଷଣା ଓ ସମ୍ପ୍ରସାରିତ ଶିକ୍ଷା ପରିସରର ଏଜେଣ୍ଡା ସମ୍ପର୍କରେ ନିଷ୍ପତ୍ତି ନେବା ଲାଗି ଗବେଷକ ଓ ରାଜ୍ୟ ସରକାରଙ୍କ ବିଭିନ୍ନ ସଂସ୍ଥାକୁ ଆଞ୍ଚଳିକ କମିଟି ଏକ ମଞ୍ଚ ଯୋଗାଇ ଦେଇଥାଏ। ପ୍ରତି ଦୁଇ ବର୍ଷରେ ଥରେ ଆଞ୍ଚଳିକ କମିଟିର ନିୟମିତ ବୈଠକ ଆୟୋଜନ କରାଯାଇଥାଏ। ଏଥିରେ କୃଷି ପ୍ରଯୁକ୍ତି ଆକଳନ, ପରିଶୋଧନ ଏବଂ ହସ୍ତାନ୍ତର କ୍ଷେତ୍ରରେ ଜାତୀୟ ପ୍ରାସଙ୍ଗିକତା ଆଧାରିତ ଗବେଷଣା ଏଜେଣ୍ଡା ଉପରେ ଆଲୋଚନା କରାଯାଇଥାଏ।