Categories
ଆଜିର ଖବର ରାଜ୍ୟ ଖବର

ପ୍ରଦାନ କରାଗଲା ରାଜ୍ୟ ଏନଏସଏସ ପୁରସ୍କାର

ଭୁବନେଶ୍ବର: ଉଚ୍ଚଶିକ୍ଷା, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଅଧ୍ୟକ୍ଷତାରେ ଆଜି ଜୟଦେବ ଭବନଠାରେ ରାଜ୍ୟ ଏନଏସଏସର ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

ପୁରସ୍କାର ବିତରଣ ଉତ୍ସବରେ ଉଚ୍ଚଶିକ୍ଷା ସଚିବ ଶ୍ରୀ ଅରବିନ୍ଦ ଅଗ୍ରୱାଲ, ମୋ କଲେଜ ଅଧ୍ୟକ୍ଷ ଶ୍ରୀ ଆକାଶ ଦାଶ ନାୟକ, ଏନଏସଏସ ରିଜିଓନାଲ ଡ଼ାଇରେକ୍ଟର ସରିତା ପଟେଲ, ସ୍ବତନ୍ତ୍ର ସଚିବ ଶ୍ରୀ ରମାକାନ୍ତ ନାୟକ, ରାଜ୍ୟ ଏନଏସଏସ ଅଫିସର ଡ଼  ରମେଶ ଚନ୍ଦ୍ର ବେହେରା ପ୍ରମୁଖ ଯୋଗ ଦେଇଥିଲେ।

ସମାଜ ସେବା ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କ ବ୍ୟକ୍ତିତ୍ବର ବିକାଶ ସାଧନ କରିବା ଜାତୀୟ ସେବା ଯୋଜନା(ଏନଏସଏସ)ର ମୂଳ ଲକ୍ଷ୍ୟ। କାର୍ଯ୍ୟକ୍ରମରେ ଶ୍ରୀ ନାୟକ କହିଥିଲେ ଯେ, ଆମେ ସମସ୍ତେ ଜଣେ ଜଣେ ସ୍ବେଚ୍ଛାସେବୀ। ଆମ ମହାପୁରୁଷ ଗାନ୍ଧୀ, ଗୋପବନ୍ଧୁ ସଭିଁଏ ଜଣେ ଜଣେ ସ୍ବେଚ୍ଛାସେବୀ ଥିଲେ।

ବାହାନଗା ବିପତ୍ତି ସମୟରେ ଏନଏସଏସର ସ୍ବେଚ୍ଛାସେବୀ ଯୁବକଯୁବତୀ ମାନଙ୍କୁ ମଣିଷ ଆମ୍ବୁଲାନ୍ସର ଆଖ୍ୟା ଦିଆଯାଉଥିଲା। ଲୋକଙ୍କ ସେବା ହିଁ ସବୁଠାରୁ ବଡ ଧର୍ମ। ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ପ୍ରାରମ୍ଭ କରାଯାଇଥିବା ନୂଆ ଓଡ଼ିଶା ଯୁବ ଓଡ଼ିଶା କାର୍ଯ୍ୟକ୍ରମ (ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମ) ଆଜିର ନୂଆ ଓଡ଼ିଶାର ରୂପାନ୍ତରିତ ଶିକ୍ଷା ବ୍ୟବସ୍ଥା।

ଏହି ଯୁବ ଯୋଜନାକୁ ଅଧିକ କ୍ରିୟାଶୀଳ କରିବା ପାଇଁ ରାଜ୍ୟ ସରକାର ବହୁବିଧ କାର୍ଯ୍ୟକ୍ରମ ଯଥା ରକ୍ତଦାନ, ବୃକ୍ଷରୋପଣ, ସ୍ୱାସ୍ଥ୍ୟ ସଚେତନତା, ସାକ୍ଷରତା, ବିପର୍ଯ୍ୟୟ ପରିଚାଳନା, ସଡ଼କ ସୁରକ୍ଷା, ନିଶା ନିବାରଣ, ସ୍ବଚ୍ଛ ଭାରତ ଅଭିଯାନ ଭଳି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୨୦ ଜଣ  ସ୍ବେଚ୍ଛାସେବୀ, କାର୍ଯ୍ୟକ୍ରମ ଅଧିକାରୀ, ଏନଏସଏସ ୟୁନିଟକୁ ପୁରସ୍କାର ପ୍ରଦାନ କରାଯାଇଛି।

ଏଥି ସହିତ ବାହାନଗା ଟ୍ରେନ ଦୁର୍ଘଟଣାରେ ଦୃଷ୍ଟାନ୍ତମୂଳକ ସେବା ଯୋଗାଇଦେଇଥିବା ବାହାନଗା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ AIIMS ଭୁବନେଶ୍ବର ଏନଏସଏସ ବ୍ୟୁରୋକୁ ସମ୍ମାନିତ କରାଯାଇଥିଲା। ୨୩ ଟି ବିଶ୍ବବିଦ୍ୟାଳୟରୁ ପ୍ରାୟ ୩୦୦ ଜଣ ସ୍ବେଚ୍ଛାସେବୀ, କାର୍ଯ୍ୟକ୍ରମ ଅଧିକାରୀ ତଥା ସଂଯୋଜକ ପୁରସ୍କାର ବିତରଣ ଉତ୍ସବରେ ଯୋଗ ଦେଇଥିଲେ।

ମୋ କଲେଜ ଅଧ୍ୟକ୍ଷ ଶ୍ରୀ ଆକାଶ ଦାଶ ନାୟକ କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ ଯେ, ସମାଜସେବା ଭାବନା ମନରେ ରହିବା ଆବଶ୍ୟକ। ବ୍ୟକ୍ତିଗତ ସ୍ତରରେ କିଛି କଲେ ହିଁ ତାହା ଏକ ବିରାଟ ପରିବର୍ତ୍ତନ ସମଯରେ ଆଣିପାରିବ। ଉଚ୍ଚଶିକ୍ଷା ସଚିବ ଶ୍ରୀ ଅରବିନ୍ଦ ଅଗ୍ରୱାଲ ବକ୍ତବ୍ୟରେ କହିଥିଲେ ଯେ, ଏନଏସଏସ ସ୍ବେଚ୍ଛାସେବୀମାନଙ୍କ ପାଇଁ ଉଚ୍ଚଶିକ୍ଷା ବିଭାଗ ଗର୍ବିତ।

ସେମାନଙ୍କ ସ୍ବେଚ୍ଛାକୃତ ସେବା ସହ ଅନ୍ୟ କୌଣସି ଜିନିଷ ସମାନ ହୋଇପାରିବ ନାହିଁ। ସେମାନଙ୍କ ସେବା ଆଗରେ ଏହି ପୁରସ୍କାର ଏକ ଛୋଟ ପ୍ରୟାସ। ରିଜିଓନାଲ୍ ଡାଇରେକ୍ଟର ସରିତା ପଟେଲ ନିଜ ବକ୍ତବ୍ୟରେ କହିଥିଲେ ଯେ, ଆଗକୁ କାମ କରିଚାଲ, ପୁରସ୍କାର ପଛେପଛେ ଦୌଡ଼ିବ l ପୁରସ୍କାର ପାଇଲା ପରେ ମଧ୍ୟ ଆମ କର୍ତ୍ତବ୍ୟ ଏଠି ସରିନାହିଁ , ଆଗକୁ ଏହି ସେବାର ଧାରା ଜାରି ରହିବା ଆବଶ୍ୟକ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି: ଓଡ଼ିଶାର ୩ ଜଣଙ୍କୁ ମିଳିଲା ଏନଏସଏସ ପୁରସ୍କାର

ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୨୦୨୦-୨୦୨୧ ବର୍ଷ ପାଇଁ ଜାତୀୟ ସେବା ଯୋଜନା (ଏନଏସଏସ) ପୁରସ୍କାର ପ୍ରଦାନ କରିଛନ୍ତି। ଶନିବାର (ସେପ୍ଟେମ୍ବର ୨୪, ୨୦୨୨)ରେ ରାଷ୍ଟ୍ରପତି ଭବନରେ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା।

ତିନୋଟି ବର୍ଗରେ ଏନଏସଏସ ପୁରସ୍କାର ପ୍ରଦାନ କରାଯାଇଛି। ବିଶ୍ବବିଦ୍ୟାଳୟ/ ଯୁକ୍ତ ଦୁଇ ପରିଷଦ, କାର୍ଯ୍ୟକ୍ରମ ଅଧିକାରୀ/ଏନଏସଏସ ୟୁନିଟ ଏବଂ ସ୍ବେଚ୍ଛାସେବୀ ବର୍ଗରେ ପୁରସ୍କାର ଦିଆଯାଇଥିଲା। ଚଳିତ ଥର ଓଡ଼ିଶାର ତିନି ଜଣ ବ୍ୟକ୍ତିବିଶେଷ ରାଷ୍ଟ୍ରପତିଙ୍କ ଠାରୁ ଏନଏସଏସ ପୁରସ୍କାର ଗ୍ରହଣ କରିଛନ୍ତି। କାର୍ଯ୍ୟକ୍ରମ ଅଧିକାରୀ/ଏନଏସଏସ ୟୁନିଟ ବର୍ଗରେ ମୟୂରଭଞ୍ଜ ଜିଲ୍ଲା ଆରଡିଏସ ଡିଗ୍ରୀ ମହାବିଦ୍ୟାଳୟର ଡକ୍ଟର ଦିଲିପ କୁମାର ପରମାଣିକ ଏହି ପୁରସ୍କାର ପାଇଛନ୍ତି।

ସେହିପରି ଏନଏସଏସ ସ୍ବେଚ୍ଛାସେବୀ ବର୍ଗରେ ଭୁବନେଶ୍ବର ସ୍ଥିତ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନିକାଲ ଏଜୁକେସନ ଏଣ୍ଡ ରିସର୍ଚ୍ଚର ପ୍ରତୀକ ଦାଶ ଏବଂ ଭୁବନେଶ୍ବର ସ୍ଥିତ ସ୍କୁଲ୍‌ ଅଫ୍‌ ଲ’ର ଆକାଂକ୍ଷା କବି ପୁରସ୍କୃତ ହୋଇଛନ୍ତି।