Categories
ଆଜିର ଖବର ଜାତୀୟ ଖବର

ଉତ୍ତରାଖଣ୍ଡ ଚାମୋଲିର ଯୋଶୀମଠ ପରିସ୍ଥିତି: ସମୀକ୍ଷା ପାଇଁ ଏନସିଏମସିର ଜରୁରି ବୈଠକ

ନୂଆଦିଲ୍ଲୀ: କ୍ୟାବିନେଟ ସଚିବ ରାଜୀବ ଗୌବାଙ୍କ ଅଧ୍ୟକ୍ଷତାରେ ଜାତୀୟ ବିପର୍ଯ୍ୟୟ ପରିଚାଳନା କମିଟି (ଏନସିଏମସି)ର ଏକ ଜରୁରି ବୈଠକରେ ଉତ୍ତରାଖଣ୍ଡର ଚାମୋଲି ଯୋଶୀମଠ ଭୂସ୍ଖଳନ ଘଟଣାର ସମୀକ୍ଷା କରାଯାଇଛି।

ଉତ୍ତରାଖଣ୍ଡର ମୁଖ୍ୟ ଶାସନ ସଚିବ ବର୍ତ୍ତମାନର ପରିସ୍ଥିତି ସମ୍ପର୍କରେ ଏନସିଏମସିକୁ ସୂଚନା ଦେଇଥିଲେ। ସେ କହିଥିଲେ ଯେ, ଅଧିକ ଫାଟି ଯାଇଥିବା ଘରର ବାସିନ୍ଦାମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇସାରିଛି। ପ୍ରଭାବିତ ପରିବାରକୁ ଆଶ୍ରୟ ଦେବା ପାଇଁ ଯୋଶୀମଠ ଏବଂ ପିପଲକୋଟି ଠାରେ ସହାୟତା ଶିବିର କରାଯାଇଛି। ରାଜ୍ୟ ସରକାରଙ୍କ ଦ୍ବାରା ଉପଯୁକ୍ତ କ୍ଷତିପୂରଣ ଏବଂ ସହାୟତା ଯୋଗାଇ ଦିଆଯାଉଛି। ସେ ଆହୁରି କହିଥିଲେ ଯେ, ଯୋଶୀମଠ-ଔଲି ରୋପୱେ ପରିଚାଳନାକୁ ବନ୍ଦ କରି ଦିଆଯାଇଛି। ଯୋଶୀମଠ ନଗରପାଳିକା ଏବଂ ଆଖପାଖ କ୍ଷେତ୍ରରେ ନିର୍ମାଣ କାର୍ଯ୍ୟକୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବନ୍ଦ କରି ଦିଆଯାଇଛି। ସହାୟତା ଓ ଥଇଥାନ କାର୍ଯ୍ୟରେ ଜିଲ୍ଲା ପ୍ରଶାସନକୁ ସହାୟତା କରିବା ଲାଗି ଏନଡିଆରଏଫ ଏବଂ ଏସଡିଆରଏଫକୁ ମୁତୟନ କରାଯାଇଛି।

ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧୀକରଣ (ଏନଡିଏମଏ)ର ସଦସ୍ୟ ସଚିବ କମିଟିକୁ ସୂଚନା ଦେଇ କହିଥିଲେ ଯେ, ଗତ ୬ ଓ ୭ ତାରିଖରେ ସିବିଆରଆଇ, ଜିଏସଆଇ, ୱାଡିଆ ଇନଷ୍ଟିଚ୍ୟୁଟ୍‌ ଅଫ ହିମାଲୟାନ ଜିଓଲୋଜି, ଏନଆଇଡିଏମ ଏବଂ ନେସନାଲ ଇନଷ୍ଟିଚ୍ୟୁଟ୍‌ ଅଫ ହାଇଡ୍ରୋଲୋଜିର ବିଶେଷଜ୍ଞମାନେ ସ୍ଥିତି ଅନୁଧ୍ୟାନ କରିବା ଲାଗି ପ୍ରଭାବିତ କ୍ଷେତ୍ର ପରିଦର୍ଶନ କରିଥିଲେ। ବିଶେଷଜ୍ଞ ଦଳ ଆବଶ୍ୟକତା ସମ୍ପର୍କରେ ଜାଣିବା ଲାଗି ଜିଲ୍ଲା ପ୍ରଶାସନର ଅଧିକାରୀ ମାନଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ।

କମିଟିକୁ ସୂଚନା ଦେଇ କେନ୍ଦ୍ର ଗୃହ ସଚିବ କହିଥିଲେ ଯେ, ଗୃହ ମନ୍ତ୍ରଣାଳୟର ଏକ ଉଚ୍ଚସ୍ତରୀୟ କେନ୍ଦ୍ରୀୟ ଦଳ ସୀମା ପରିଚାଳନା ସଚିବଙ୍କ ନେତୃତ୍ବରେ ଯୋଶୀମଠରେ ପରିସ୍ଥିତି ଅନୁଧ୍ୟାନ କରୁଛନ୍ତ।

ପ୍ରଭାବିତ କ୍ଷେତ୍ରରେ ସବୁ ବାସିନ୍ଦାମାନଙ୍କୁ ସମ୍ପୂର୍ଣ୍ଣ ଓ ନିରାପଦ ଭାବେ ଉଦ୍ଧାର କରିବା ଉପରେ ତୁରନ୍ତ ପ୍ରାଥମିକତା ଦିଆଯିବା ଉଚିତ ବୋଲି କ୍ୟାବିନେଟ ସଚିବ ଶ୍ରୀ ଗୌବା ଗୁରୁତ୍ବାରୋପ କରିଥିଲେ । ଦୁର୍ବଳ ଅଟ୍ଟାଳିକାଗୁଡ଼ିକୁ ନିରାପଦ ଭାବେ ଭାଙ୍ଗିବା ପ୍ରତି ପ୍ରାଥମିକତା ଦିଆଯିବା ଉଚିତ୍‌। ଜିଓଟେକ୍ନିକାଲ, ଜିଓଫିଜିକାଲ ଏବଂ ହାଇଡ୍ରୋଲୋଜିକାଲ ଆଦି ସମସ୍ତ ଅଧ୍ୟୟନ ଏବଂ ଅନୁସନ୍ଧାନ ଠିକ୍‌ ସମୟରେ ଏବଂ ଆପୋସ ସମନ୍ବୟ ଆଧାରରେ ସମ୍ପୂର୍ଣ୍ଣ କରାଯିବା ଉଚିତ୍‌। ସମସ୍ତ କେନ୍ଦ୍ରୀୟ ଏଜେନ୍ସି ନିରନ୍ତର ଭାବେ ଆବଶ୍ୟକ ସହାୟତା ଯୋଗାଇ ଦେବେ ବୋଲି ଉତ୍ତରାଖଣ୍ଡ ମୁଖ୍ୟ ଶାସନ ସଚିବଙ୍କୁ କ୍ୟାବିନେଟ ସଚିବ ଆଶ୍ବାସନା ଦେଇଥିଲେ।

ଏହି ବୈଠକରେ କେନ୍ଦ୍ର ଗୃହ ସଚିବ, ଉତ୍ତରାଖଣ୍ଡ ମୁଖ୍ୟ ଶାସନ ସଚିବ, ଶକ୍ତି ମନ୍ତ୍ରଣାଳୟ ସଚିବ, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ, ସୀମା ପରିଚାଳନା, ଜଳସମ୍ପଦ, ଖଣି ଆଦି ମନ୍ତ୍ରଣାଳୟର ସଚିବଙ୍କ ସମେତ ଏନଡିଏମଏର ସଦସ୍ୟଗଣ, ଇସ୍ରୋର ଅଧ୍ୟକ୍ଷଙ୍କ ବୈଜ୍ଞାନିକ ସଚିବ, ଏନଡିଆରଏଫ ଡିଜି, ଜିଏସଆଇର ଡିଜି, ନେସନାଲ ରିମୋଟ ସେନ୍ସିଂ ସେଣ୍ଟରର ବରିଷ୍ଠ ବୈଜ୍ଞାନିକ, ସୀମା ସୁରକ୍ଷା ସଂଗଠନର ଡିଜି ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଓ ବିଶେଷଜ୍ଞମାନେ ଯୋଗ ଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର

ଆସନ୍ନ ବାତ୍ୟା ମୁକାବିଲା: କ୍ୟାବିନେଟ ସଚିବଙ୍କ ଅଧ୍ୟକ୍ଷତାରେ ଏନସିଏମସି ଦ୍ବିତୀୟ ବୈଠକ

ନୂଆଦିଲ୍ଲୀ: ବଙ୍ଗୋପସାଗରରେ ଆସନ୍ନ ବାତ୍ୟା ‘ଜଓ୍ବାଦ’କୁ ନେଇ ଦେଖାଦେଇଥିବା ପରିସ୍ଥିତିର ମୁକାବିଲା ଲାଗି କେନ୍ଦ୍ର ମନ୍ତ୍ରଣାଳୟ/ଏଜେନ୍ସି ଏବଂ ରାଜ୍ୟ ସରକାରମାନଙ୍କ ପ୍ରସ୍ତୁତି ସମୀକ୍ଷା ନିମନ୍ତେ କ୍ୟାବିନେଟ ସଚିବ ରାଜୀବ ଗୌବାଙ୍କ ଅଧ୍ୟକ୍ଷତାରେ ଜାତୀୟ ବିପର୍ଯ୍ୟୟଯkୋପସାଗରରେ ସମ୍ଭାବ୍ୟ ବାତ୍ୟାକୁରେ, ଟେଲିଯୋଗାଯୋଗ ବିଭାଗ, ଶକ୍ତି ମନ୍ତ୍ରଣାଳୟ, ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ, ଏନଡିଆରଏଫ ଡିଜି, ଆଇଏମଡି ପ୍ରଶମନ ସମିତି (ଏନସିଏମସି)ର ଦ୍ବିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ଆସନ୍ନ ବାତ୍ୟା ଡିସେମ୍ବର ୪ ତାରିଖ ସକାଳେ ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ଉପକୂଳ ଦେଇ ସ୍ଥଳଭାଗ ସ୍ପର୍ଶ କରିବ। ପରେ ଏହା ଦିଗ ବଦଳାଇ ପଶ୍ଚିମବଙ୍ଗ ଉପକୂଳ ଆଡ଼କୁ ଅଗ୍ରସର ହେବ। ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସମୁଦ୍ରରେ ଉଚ୍ଚ ଜୁଆର ଉଠିବା ସହିତ ଘଣ୍ଟାପ୍ରତି ୯୦-୧୦୦ କିଲୋମିଟର ବେଗରେ ପବନ ବୋହିବାର ସମ୍ଭାବନା ରହିଛି।

ଏହି ବୈଠକରେ ଆନ୍ଧ୍ରପ୍ରଦେଶ, ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ଆଣ୍ଡାମାନ ଓ ନିକୋବର ଦ୍ୱୀପସମୂହର ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରି ସେମାନଙ୍କ ପକ୍ଷରୁ ସମ୍ଭାବ୍ୟ ବାତ୍ୟା ମୁକାବିଲା ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଥିଲେ। ସମୁଦ୍ର ମଧ୍ୟରୁ ନିରାପଦ ଭାବେ ମତ୍ସ୍ୟଜୀବୀମାନଙ୍କୁ ଫେରାଇ ଆଣିବା ଲାଗି ପଦକ୍ଷେପ ଗ୍ରହଣ କରାଯାଇଛି। ବାତ୍ୟା ଆଶ୍ରୟସ୍ଥଳୀଗୁଡ଼ିକୁ ପ୍ରସ୍ତୁତ ରଖାଯିବା ସହିତ ତଳିଆ ଅଞ୍ଚଳରେ ରହିଥିବା ଲୋକମାନଙ୍କୁ ଉଦ୍ଧାର ପ୍ରକ୍ରିୟା ଜାରି ରହିଛି। ଖାଦ୍ୟଶସ୍ୟ, ପାନୀୟ ଜଳ ଏବଂ ଅନ୍ୟ ଜରୁରି ସାମଗ୍ରୀ ମହଜୁଦ ରଖିବା ଲାଗି ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି। ବିଦ୍ୟୁତ, ସଡ଼କ, ଜଳଯୋଗାଣ ବ୍ୟବସ୍ଥାକୁ ସୁରକ୍ଷିତ ରଖିବା ଏବଂ ମରାମତି କରିବା ଲାଗି ଦଳଗୁଡ଼ିକୁ ନିୟୋଜିତ କରାଯାଇଛି। ଫସଲଜନିତ କ୍ଷତି ହ୍ରାସ କରିବା ଲାଗି କଟା ହୋଇନଥିବା ଫସଲ ତୁରନ୍ତ ଜମିରୁ ଅମଳ କରିବା ଲାଗି ପଦକ୍ଷେପ ଗ୍ରହଣ କରାଯାଉଛି।

ପ୍ରଭାବିତ ହେବାକୁ ଥିବା ରାଜ୍ୟରେ ଏନଡିଆରଏଫ ଦଳଗୁଡ଼ିକୁ ମୁତୟନ କରାଯାଇଛି ଏବଂ ଅତିରିକ୍ତ ଦଳକୁ ମଧ୍ୟ ପ୍ରସ୍ତୁତ ରଖାଯାଇଛି। ସ୍ଥଳସେନା ଓ ନୌସେନାର ରିଲିଫ ଓ ଉଦ୍ଧାରକାରୀ ଦଳକୁ ପ୍ରସ୍ତୁତ ରଖାଯିବା ସହିତ ଜାହାଜ ଓ ବିମାନଗୁଡ଼ିକୁ ଆବଶ୍ୟକତା କ୍ଷେତ୍ରରେ ମୁତୟନ ପାଇଁ ମଧ୍ୟ ପ୍ରସ୍ତୁତ ରଖାଯାଇଛି।

ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଏଜେନ୍ସିଗୁଡ଼ିକର ମୁକାବିଲା ପ୍ରସ୍ତୁତି ପଦକ୍ଷେପ ସମୀକ୍ଷା କରି କ୍ୟାବିନେଟ ସଚିବ ଶ୍ରୀ ରାଜୀବ ଗୌବା ଜୋର ଦେଇ କହିଥିଲେ ଯେ ସମସ୍ତ ନିୟମକୁ ପାଳନ କରାଯିବା ଉଚିତ ଯାହାଫଳରେ ଜୀବନ ହାନିକୁ ରୋକିବା ଏବଂ ସମ୍ପତ୍ତି କ୍ଷତି ହ୍ରାସ କରିବା ସମ୍ଭବ ହେବ। କ୍ୟାବିନେଟ ସଚିବ ମଧ୍ୟ ନିର୍ଦ୍ଦେଶ ଦେଇ କହିଥିଲେ ଯେ ସମୁଦ୍ରରେ ଥିବା ମତ୍ସ୍ୟଜୀବୀ ଏବଂ ଡଙ୍ଗାଗୁଡ଼ିକୁ ଯଥାଶୀଘ୍ର ସୁରକ୍ଷିତ ଭାବେ ଫେରାଇ ଆଣିବା ଲାଗି ସମ୍ପୃକ୍ତ ରାଜ୍ୟମାନେ ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ, ଏ କ୍ଷେତ୍ରରେ ଆବଶ୍ୟକ ସହାୟତା ତଟରକ୍ଷୀ ବାହିନୀ ଏବଂ ଅନ୍ୟ କେନ୍ଦ୍ରୀୟ ଏଜେନ୍ସିମାନଙ୍କ ଦ୍ବାରା ଯୋଗାଇ ଦିଆଯାଉଛି। ଜରୁରି ସେବାଗୁଡ଼ିକୁ କମ କ୍ଷତି ସହିତ ଯଥାଶୀଘ୍ର ସ୍ବାଭାବିକ କରିବା ଲାଗି ସେ ପରାମର୍ଶ ଦେଇଥିଲେ, ଏଥିପାଇଁ ଆଗୁଆ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ସେ କହିଥିଲେ। ବାତ୍ୟା ସମୟରେ ପ୍ରଭାବିତ ହେବାକୁ ଥିବା କ୍ଷେତ୍ରର ଲୋକମାନଙ୍କୁ ସୂଚୀତ କରିବା ଲାଗି ଉପଯୁକ୍ତ ସୂଚନା ଏବଂ ମାର୍ଗଦର୍ଶିକାକୁ ସଠିକ୍ ଭାବେ ପ୍ରସାରିତ କରିବା ଉପରେ ସେ ଗୁରୁତ୍ବାରୋପ କରିଥିଲେ। କୋଭିଡ ଡାକ୍ତରଖାନାଗୁଡ଼ିକର ବାଧାମୁକ୍ତ ପରିଚାଳନା ନିମନ୍ତେ ମଧ୍ୟ ରାଜ୍ୟମାନଙ୍କୁ ପରାମର୍ଶ ଦିଆଯାଇଥିଲା।

ସ୍ବରାଷ୍ଟ୍ର ବ୍ୟାପାର, ବେସାମରିକ ବିମାନ ଚଳାଚଳ, ରେଳବାଇ, ଜାହାଜ ଚଳାଚଳ ଓ ଜଳମାର୍ଗ, ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ, ଶକ୍ତି ଓ ମତ୍ସ୍ୟ ଆଦି ମନ୍ତ୍ରଣାଳୟ/ବିଭାଗର ସଚିବ ଓ ବରିଷ୍ଠ ଅଧିକାରୀମାନେ ବୈଠକରେ ଯୋଗ ଦେଇଥିଲେ। ଏନଡିଆରଏଫ, ଆଇଏମଡି, ସିଆଇଏସସି, ଆଇଡିଏସ ଏବଂ ଏନଡିଏମଏର ବରିଷ୍ଠ ଅଧିକାରୀମାନେ ମଧ୍ୟ ବୈଠକରେ ଅଂଶଗ୍ରହଣ କରିଥିଲେ।