Categories
ଆଜିର ଖବର ରାଜ୍ୟ ଖବର

ଦିଲ୍ଲୀର ସାଧାରଣତନ୍ତ୍ର ଦିବସରେ ଯୋଗ ଦେବା ପାଇଁ ଓଡିଶା ଏନ୍‌ସିସି କ୍ୟାଡେଟଙ୍କ ବିମାନରେ ଯାତ୍ରା

ଭୁବନେଶ୍ୱର: ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଅଧ୍ୟକ୍ଷତାରେ ବିଭାଗ ଏହି ବର୍ଷଠାରୁ ଓଡ଼ିଶାର କୃତୀ କ୍ୟାଡେଟମାନଙ୍କୁ ଦିଲ୍ଲୀର ସାଧାରଣତନ୍ତ୍ର ଦିବସରେ ଯୋଗଦେବା ପାଇଁ ଓଡିଶାରୁ ଦିଲ୍ଲୀ ଅଭିମୁଖେ ବିମାନରେ ଯିବା ଆସିବାର ସମସ୍ତ ସୁବିଧା ଯୋଗାଇ ଦେଇଛନ୍ତି ।

ଓଡ଼ିଶାର ୭୦ ହଜାର କ୍ୟାଡେଟମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାର କଠିନ ପରୀକ୍ଷା ଓ ପ୍ରତିଯୋଗିତା କରାଯାଇ ସର୍ବଶେଷରେ ୧୨୨ ଜଣ କୃତୀ କ୍ୟାଡ଼େଟଙ୍କୁ ଚୟନ କରାଯାଇଥିଲା। ସେଥି ମଧ୍ୟରୁ ୨୯ ଜଣ କୃତୀ କ୍ୟାଡ଼େଟ ଆଜି ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଦିଲ୍ଲୀ ଅଭିମୁଖେ ଏୟାର ଭିସ୍ତାରା ବିମାନ ଯୋଗେ ଯାତ୍ରା କରିଛନ୍ତି। ତନ୍ମଧ୍ୟରୁ ୨୩ ଜଣ କ୍ୟାଡ଼େଟଙ୍କ ପାଇଁ ବିମାନ ଯାତ୍ରା ସମ୍ପୂର୍ଣ୍ଣ ନୂଆ ଅନୁଭୂତି ଥିଲା।

ଯାତ୍ରା ସମୟରେ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ନିମନ୍ତେ ଏୟାରପୋର୍ଟରେ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ନାୟକ, ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ ଶ୍ରୀ ଭବାନୀ ଶଙ୍କର ଚୟନୀଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ମନ୍ତ୍ରୀ ଶ୍ରୀ ନାୟକ ସମସ୍ତ କ୍ୟାଡେଟଙ୍କୁ କ୍ୟାପ ପିନ୍ଧାଇ, ପୁଷ୍ପଗୁଚ୍ଛ ଦେଇ ଉତ୍ସାହିତ କରିଥିଲେ। ଏଥିପାଇଁ ସମସ୍ତ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ବିଭାଗକୁ ଧନ୍ୟବାଦ ଜଣାଇଛନ୍ତି।

ପ୍ରତିବର୍ଷ ଜାନୁୟାରୀ ୨୬ରେ ଅନୁଷ୍ଠିତ ହେଉଥିବା ସାଧାରଣତନ୍ତ୍ର ଦିବସ ପ୍ୟାରେଡ଼ରେ ଯୋଗଦାନ କରିବା ପାଇଁ ଆମ ରାଜ୍ୟରୁ ପିଲାମାନଙ୍କୁ ଚୟନ କରି ଦିଲ୍ଲୀ ପଠାଯାଇଥାଏ। ଏ ବର୍ଷ ଓଡ଼ିଶାର କଟକ ଗ୍ରୁପ ଏନ୍‌ସିସି ଗ୍ରୁପ କମାଣ୍ଡର ତଥା ଚୟନକାରୀ ସାମରିକ ସେନାର ଅଧିକାରୀ କର୍ଣ୍ଣେଲ ସତ୍ୟବ୍ରତ ସ୍ୱାଇଁଙ୍କ ତତ୍ତ୍ୱାବଧାନରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ୭୫ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଓଡ଼ିଶା ସମର ଶିକ୍ଷାର୍ଥୀ ବାହିନୀର ପ୍ରସ୍ତୁତି ଶିବିର ଭୁବନେଶ୍ୱରଠାରେ ଅବସ୍ଥିତ କେନ୍ଦ୍ରୀୟ ରିଜର୍ଭ ପୋଲିସ ବାହିନୀ ପରିସରରେ ଅନୁଷ୍ଠିତ ହୋଇଥିଲା।

ଦୀର୍ଘ ୫୦ ଦିନ ବ୍ୟାପି ଅନୁଷ୍ଠିତ ହୋଇଥିବା ଏହି ଶିବିରରେ କ୍ୟାଡ଼େଟମାନଙ୍କୁ ଡ୍ରିଲ, ଘୋଡାଚଢା କୌଶଳ, ଜାତୀୟ ସଂହତି ଶିକ୍ଷା, ପତାକା ସ୍ଥାନ ପ୍ରସ୍ତୁତି, ବ୍ୟକ୍ତିତ୍ୱ ବିକାଶ ଅଭିବୃଦ୍ଧି ଶିକ୍ଷା, ସାମରିକ ଶିକ୍ଷା ଭାଷା ବିନିମୟ ଶିକ୍ଷା ଭଳି ବିଭିନ୍ନ ଶାରୀରିକ ତଥା ବୌଦ୍ଧିକ ଶିକ୍ଷାର ତାଲିମ ପ୍ରଦାନ କରାଯାଇଥିଲା।

Categories
ଆଞ୍ଚଳିକ

ବାଣପୁର: ସିଡ଼ିଏସ ବିପିନ ରାୱତଙ୍କ ଅକାଳ ବିୟୋଗରେ ଏନସିସି କ୍ୟାଡେଟମାନଙ୍କ ପକ୍ଷରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ

ସୀତାରାମ ଅଗ୍ରୱାଲ

ବାଣପୁର: ଗତକାଲି ତାମିଲନାଡୁ ଅନ୍ତର୍ଗତ କୁନ୍ନୁରଠାରେ ହେଲିକପ୍ଟର ଦୁର୍ଘଟଣାରେ ଦେଶର ସିଡ଼ିଏସ ଜେନେରାଲ ବିପିନ ରାୱତ ଓ ତାଙ୍କ ଧର୍ମପତ୍ନୀଙ୍କ ସମେତ ୧୩ ଜଣ ବିର ସୈନିକ ପ୍ରାଣ ହରାଇଛନ୍ତି। ସାରା ଦେଶ ଉକ୍ତ ଘଟଣାରେ ସ୍ତବ୍ଧ ଥିବାବେଳେ ଦେଶର କୋଣ ଅନୁକୋଣରୁ ଶହୀଦଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଉଛି।

ଏହି ପରିପ୍ରେକ୍ଷୀରେ ଆଜି ସଂନ୍ଧ୍ୟାରେ ଖୋର୍ଦ୍ଧା ଜିଲ୍ଲା ବାଣପୁରସ୍ଥିତ ଗୋଦାବରୀଶ ମହାବିଦ୍ୟାଳୟର ଏନସିସି ୟୁନିଟର କ୍ୟାଡେଟ ମାନଙ୍କଦ୍ୱାରା ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ନିମନ୍ତେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଉକ୍ତ ଶୋଭାଯାତ୍ରାଟି ମହାବିଦ୍ୟାଳୟ ସମ୍ମୁଖରୁ ବାହାରି ସହର ପରିକ୍ରମା କରି ମା’ ଭଗବତୀ ମନ୍ଦିର ଠାରେ ସମାପ୍ତ ହୋଇଥିଲା। ସେଠାରେ ଶହୀଦଙ୍କ ଆତ୍ମାର ସଦଗତି ନିମନ୍ତେ ସମସ୍ତ କ୍ୟାଡେଟମାନେ ଦୁଇ ମିନିଟ ନୀରବ ପ୍ରାର୍ଥନା କରିବା ସହ ଶହୀଦଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ସ୍ଲୋଗାନ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଲିଉଟନାଣ୍ଟ ଡ଼ା. ଗୁରୁକିଶୋର ନାୟକ ପରିଚାଳନା କରିଥିଲେ।