Categories
ଆଜିର ଖବର ଜାତୀୟ ଖବର

ପ୍ରଧାନମନ୍ତ୍ରୀଙ୍କ ସମର ଶିକ୍ଷାର୍ଥୀ ଓ ଜାତୀୟ ସେବା ଯୋଜନା ସ୍ୱେଚ୍ଛାସେବୀଙ୍କୁ ଉଦ୍‌ବୋଧନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ସମର ଶିକ୍ଷାର୍ଥୀ ଓ ଜାତୀୟ ସମାଜସେବୀ ସ୍ୱେଚ୍ଛାସେବୀମାନଙ୍କୁ ସମ୍ବୋଧିତ କରିଛନ୍ତି । ସମବେତ ବ୍ୟକ୍ତିମାନଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ରାଣୀ ଲକ୍ଷ୍ମୀବାଈଙ୍କ ଜୀବନ ସମ୍ବଳିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ନେଇ ଗବିତ୍‌ର୍ ହେବା ସହ ଏହା ଭାରତୀୟ ଇତିହାସକୁ ଆଜି ସଜୀବ କରିଥିବା କହିଛନ୍ତି । ଏହି କାର୍ଯ୍ୟକ୍ରମ ସହ ସଂଶ୍ଳିଷ୍ଟ ଦଳକୁ ପ୍ରଶଂସା କରିବା ସହ ସେମାନେ ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ଅଂଶଗ୍ରହଣ କରିବେ ବୋଲି ସେ କହିଛନ୍ତି । ଏହି କ୍ଷଣ ଦୁଇଟି କାରଣ ପାଇଁ ସ୍ୱତନ୍ତ୍ର ବୋଲି ସେ କହିଛନ୍ତି । ତାହା ହେଲା “୭୫ତମ ସାଧାରଣତନ୍ତ୍ର ଦିବସ ଉତ୍ସବ ପାଳନ ଓ ଭାରତର ନାରୀଶକ୍ତି ପ୍ରତି ଏହା ଉତ୍ସର୍ଗ ହୋଇଛି ।”

ଦେଶବ୍ୟାପୀ ଏଠାରେ ଅଂଶଗ୍ରହଣ କରିବାକୁ ଆସିଥିବା ମହିଳା ମାନେ କେବଳ ସେମାନଙ୍କ ଉପସ୍ଥିତି ଜାହିର କରିବା ପାଇଁ ଆସିନାହାଁନ୍ତି । ବରଂ ସେମାନେ ନିଜ ନିଜ ରାଜ୍ୟରେ ସଂସ୍କୃତି, ପରମ୍ପରା ଓ ସେମାନଙ୍କ ସମାଜର ଅଗ୍ରଣୀ ଚିନ୍ତାଧାରା ପ୍ରଦର୍ଶନ କରିବାକୁ ଆସିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଆଜି ଆଉ ଏକ ସ୍ୱତନ୍ତ୍ର ଅବସର ସମ୍ପର୍କରେ ସେ କହିଥିଲେ ଯେ ରାଷ୍ଟ୍ରୀୟ ବାଳିକା ଦିବସ ହେଉଛି ସେମାନଙ୍କ ଶୌର୍ଯ୍ୟ, ସଂକଳ୍ପ ଓ ସଫଳତାର ଉତ୍ସବ । ଭାରତର କନ୍ୟାମାନେ ସମାଜର ହିତ କରିବା ପାଇଁ ସମର୍ଥ । ଭାରତୀୟ ମହିଳାମାନଙ୍କ ଦେଶଗଠନ ଇତିହାସ ଉପରେ ଆଲୋକପାତ କରି ଆଜିର ସାଂସ୍କୃତିକ କାର୍ଯ୍ୟକ୍ରମ ତାହା ଉପରେ ପରିବେଶିତ ହୋଇଛି ବୋଲି ଶ୍ରୀ ମୋଦୀ କହିଥିଲେ ।

ଜନନାୟକ କର୍ପୁରୀ ଠାକୁରଙ୍କୁ ଭାରତରତ୍ନ ସମ୍ମାନ ପ୍ରଦାନ କରିବା ନେଇ ସରକାରଙ୍କ ନିଷ୍ପତ୍ତି ସରକାରଙ୍କ ସୌଭାଗ୍ୟ ବୋଲି କହିବା ସହ ଆଜିର ଯୁବପିଢି ଏହି ମହାନ୍ ବ୍ୟକ୍ତିଙ୍କ ବ୍ୟକ୍ତିତ୍ୱ ନେଇ ଅବଗତ ହୋଇପାରିବେ ବୋଲି ଶ୍ରୀ ମୋଦୀ କହିଛନ୍ତି । ଉତ୍କଟ ଦାରିଦ୍ର‌୍ୟ ଓ ସାମାଜିକ ଅସମାନତା ସତ୍ତ୍ୱେ ସେ ମୁଖ୍ୟମନ୍ତ୍ରୀ ହୋଇ ମଧ୍ୟ ସାଧାରଣ ଜୀବନ ଅତିବାହିତ କରୁଥିଲେ । ତାଙ୍କର ସମଗ୍ର ଜୀବନ ସାମାଜିକ ନ୍ୟାୟ ଓ ଅବହେଳିତ ଉତ୍‌ଥାନ ନିମନ୍ତେ ଉତ୍ସର୍ଗୀକୃତ ଥିଲା” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସରକାର ଗରିବଙ୍କ କଲ୍ୟାଣ ଓ ବିକଶିତ ଭାରତ ସଂକଳ୍ପ ଯାତ୍ରା ସମାଜର ଶେଷ ହିତାଧିକାରୀ ନିକଟରେ ପହଞ୍ଚିବା କର୍ପୁରୀ ଠାକୁରଙ୍କ ପ୍ରେରଣା ଦ୍ୱାରା ପ୍ରତିଫଳିତ ବୋଲି ସେ କହିଥିଲେ ।

ଅନେକ ପ୍ରଥମ ଥର ନିମନ୍ତେ ପରିଦର୍ଶନରେ ସେ ଆସିଛନ୍ତି ଓ ସାଧାରଣତନ୍ତ୍ର ଦିବସ ପାଳନରେ ସେମାନଙ୍କ ଉତ୍ସାହ ଓ ଉଦ୍ଦୀପନା ସହ ପ୍ରଧାନମନ୍ତ୍ରୀ ସାମିଲ ହୋଇଥିଲେ । ଦିଲ୍ଲୀର ପ୍ରବଳ ଶୀତକୁ ନେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅନେକ ଅଂଶଗ୍ରହଣ କାରୀ ପ୍ରଥମ ଥର ନିମନ୍ତେ ଏଭଳି ପାଗର ସମ୍ମୁଖୀନ ହେଉଥିବେ ଓ ଏହି ପରିପ୍ରେକ୍ଷୀରେ ସେ ଦେଶର ବିଭିନ୍ନ ଅଞ୍ଚଳ ବିବିଧ ଜଳବାୟୁ ଉପରେ ଆଲୋକପାତ କରିଥିଲେ । ଏଭଳି ପ୍ରତିକୂଳ ପାଗ ସତ୍ୱେ ସେମାନେ ଅଭିନୟ ଅଭ୍ୟାସ ଜାରି ରଖିଥିବାରୁ ସେ ଏହାର ପ୍ରଶଂସା କରିଥିଲେ । “ଏହା ହେଉଛି ଭାରତର ସ୍ୱତନ୍ତ୍ରତା । “ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯିବା ପ୍ରତ୍ୟେକ ନାଗରିକଙ୍କ ନିମନ୍ତେ ଏକ ନୂତନ ଅଭିଜ୍ଞତା” ବୋଲି ସେ କହିଥିଲେ ।

“ଯଦିଓ ବର୍ତ୍ତମାନର ପିଢିକୁ ଜେନ ଜେଡ କୁହାଯାଉଛି, ମୁଁ ଆପଣ ମାନଙ୍କୁ ଅମୃତ ବଂଶଧର ବୋଲି ଡାକିବି” ବର୍ତ୍ତମାନ ପିଢିର ଶକ୍ତିବଳରେ ହିଁ ଅମୃତକାଳରେ ଦେଶର ପ୍ରଗତି ସମ୍ଭବ ହେବ । ୨୦୪୭ ସୁଦ୍ଧା ଭାରତ ଏକ ଉନ୍ନତ ରାଷ୍ଟ୍ରରେ ପରିଣତ ହେବା ଉପରେ ଗୁରୁତ୍ୱ ଆରୋପ କରି ପ୍ରଧାନମନ୍ତ୍ରୀ ଆଗାମୀ ୨୫ବର୍ଷ ଭବିଷ୍ୟତ ଭାରତ ଓ ବର୍ତ୍ତମାନ ବଂଶଧରମାନଙ୍କ ନିମନ୍ତେ ଗୁୁରୁତ୍ୱପୂର୍ଣ୍ଣ ବୋଲି ଜୋର ଦେଇ କହିଥିଲେ । “ଅମୃତ ପିଢିର ସମସ୍ତ ସ୍ୱପ୍ନକୁ ସାକାର କରିବା, ଅସଂଖ୍ୟ ସୁଯୋଗ ସୃଷ୍ଟି କରିବା ଓ ସେ ରାସ୍ତାରେ ଆସୁଥିବା ସମସ୍ତ ବାଧାବିଘ୍ନ ଦୂର କରିବା ସରକାରଙ୍କ ସଂକଳ୍ପ ବୋଲି ଶ୍ରୀ ମୋଦୀ କହିଥିଲେ ।

‘ଦେଶ ଆଗ’ ଅମୃତ ପିଢିର ମାର୍ଗଦର୍ଶିକା ହେବା ଉଚିତ ବୋଲି ସେ କହିଥିଲେ । ଯୁବାଗୋଷ୍ଠୀ ସେମାନଙ୍କ ଜୀବନରେ ହତାଶକୁ ସ୍ଥାନ ଦେବା ଅନୁଚିତ । ପ୍ରତ୍ୟେକଙ୍କ କ୍ଷୁଦ୍ରାତିକ୍ଷୁଦ୍ର ଅବଦାନ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି କହିବା ସହ ବର୍ତ୍ତମାନ ହିଁ ସଠିକ ସମୟ ଓ ଆପଣ ମାନଙ୍କ ସମୟ ବୋଲି କହିଥିଲେ । ବର୍ତ୍ତମାନ ସମୟର ଗୁରୁତ୍ୱ ଉପରେ ଜୋର ଦେଇ ପ୍ରଧାନମନ୍ତ୍ରୀ ଯୁବାଗୋଷ୍ଠୀକୁ ସେମାନଙ୍କ ସଂକଳ୍ପକୁ ଶକ୍ତି ଯୋଗାଇ ବିକଶିତ ଭାରତର ଲକ୍ଷ୍ୟ ହାସଲ ପାଇଁ ପରାମର୍ଶ ଦେଇଥିଲେ । ଜ୍ଞାନର ଦିଗ୍‌ବଳୟକୁ ସମ୍ପ୍ରସାରିତ କଲେ ଭାରତୀୟ ବିଦ୍ୱାନମାନେ ନୂତନ ଦିଗ୍‌ଦର୍ଶନ ଦେଇ ବୈଶ୍ୱିକ ସମସ୍ୟାର ସମାଧାନ ସୂତ୍ର ବାହାର କରିପାରିବେ । ପ୍ରଧାନମନ୍ତ୍ରୀ ମହାକାଶ କ୍ଷେତ୍ରରେ ଦିଆଯାଇଥିବା ନୂତନ ସୁଯୋଗ, ବ୍ୟାବସାୟିକ ସୁଗମତା, ପ୍ରତିରକ୍ଷା ଶିଳ୍ପରେ ଘରୋଇ କ୍ଷେତ୍ରର ପ୍ରବେଶ ଅନୁମତି, ଜାତୀୟ ଗବେଷଣା ପ୍ରତିଷ୍ଠାନ ପ୍ରତିଷ୍ଠା ଓ ଏକବିଂଶ ଶତାବ୍ଦୀରେ ଆଧୁନିକ ଶିକ୍ଷା ସୁବିଧା ଇତ୍ୟାଦିର ଉଦାହରଣ ଦେଇଥିଲେ । ମାତୃଭାଷାରେ ଉଚ୍ଚଶିକ୍ଷା ଲାଭ, ନବୋନ୍ମେଷ ଓ ଗବେଷଣା କ୍ଷେତ୍ରରେ ଯୁବାଗୋଷ୍ଠୀଙ୍କୁ ପ୍ରୋତ୍ସାହନ ସହ ଅଟଲ ଟିଙ୍କରିଂ ଲ୍ୟାବ କିପରି ସୃଜନଶୀଳତା ଓ ନବୋନ୍ମେଷ ବୃଦ୍ଧି କରୁଛି, ତା’ର ଉଦାହରଣ ଶ୍ରୀ ମୋଦୀ ଦେଇଥିଲେ । ସେନାରେ ନିଜର ବୃତ୍ତି ପାଇଁ ଉଚ୍ଚୁକ ଝିଅମାନଙ୍କ ପାଇଁ ସରକାର ନୂତନ ସୁଯୋଗ ଦେଇଛନ୍ତି । ବର୍ତ୍ତମାନ ଝିଅମାନେ ବିଭିନ୍ନ ସୈନିକ ବିଦ୍ୟାଳୟରେ ନାମ ଲେଖାଇ ପାରିବେ ଓ ସେମାନ ଗଭୀର ଆତ୍ମବିଶ୍ୱାସର ସହ ଆଗେଇବା ନିମନ୍ତେ ସେ ନିବେଦନ କରିଥିଲେ । “ତୁମମାନଙ୍କ ଉଦ୍ୟମ, ଦୂରଦୃଷ୍ଟି, ସାମର୍ଥ ଭାରତକୁ ନୂତନ ଶିଖରରେ ପହଞ୍ଚାଇବ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ସ୍ୱେଚ୍ଛାସେବୀମାନେ ସେମାନଙ୍କ ଶକ୍ତିର ସଠିକ୍ ଉପଯୋଗ କରିବା ନେଇ ପ୍ରଧାନମନ୍ତ୍ରୀ ଆନନ୍ଦ ପ୍ରକଟ କରିଥିଲେ । ଯେଉଁ ଶକ୍ତିର ଶୃଙ୍ଖଳା ଜ୍ଞାନ ଥିବା ସହ ଦେଶର ଭ୍ରମଣ କରିଥିବେ ଓ ବିଭିନ୍ନ ପ୍ରାନ୍ତରେ ବନ୍ଧୁତା ଥିବ ସେ କ୍ଷେତ୍ରରେ ବ୍ୟକ୍ତିତ୍ୱର ବିକାଶ ଖୁବ୍ ସ୍ୱାଭାବିକ । “ଏହାକୁ ଅଣଦେଖା ବା ହୀନମାନ୍ୟତାର ସହ ଦେଖିବା ଅନୁଚିତ । ସୁସ୍ଥତାକୁ ମଧ୍ୟ ପ୍ରାଧାନ୍ୟ ଦେବା ସହ ଏଥିପାଇଁ ଶୃଙ୍ଖଳା ଜ୍ଞାନ ଆବଶ୍ୟକ ବୋଲି ସେ କହିଥିଲେ । “ପ୍ରେରଣା ବେଳେ ବେଳେ କ୍ଷୟକାରୀ ହୋଇପାରେ ମାତ୍ର ଶୃଙ୍ଖଳା ତୁମକୁ ଠିକ୍ ବାଟରେ ନେଇପାରିବ ଏବଂ ପ୍ରେରଣାର ରୂପ ନେଲେ ବିଜୟ ସୁନିଶ୍ଚିତ ବୋଲି ସେ କହିଥିଲେ ।

ସମର ଶିକ୍ଷାର୍ଥୀ ବାହିନୀ (ଏନସିସି) ସହ ତାଙ୍କର ସମ୍ପର୍କ ଉପରେ ଆଲୋପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏନସିସି, ଏନଏସଏସ୍ ବା ସାଂସ୍କୃତିକ ଶିବିର ଯୁବାଗୋଷ୍ଠୀକୁ ସମାଜ ଓ ସାମାଜିକ କର୍ତ୍ତବ୍ୟ ଉପରେ ସଚେତନ କରାଇଥାଏ । ସେ ମାଇଁ ଯୁବା ଭାରତ ଭଳି ଆଉ ଏକ ସଂଗଠନର ସୃଷ୍ଟି ଉପରେ ସୂଚନା ଦେଇ ଯୁବା ଗୋଷ୍ଠୀ “ମୋ ଭାରତ ସ୍ୱେଚ୍ଛାସେବକ’ ଗୋଷ୍ଠୀରେ ନିଜକୁ ପଞ୍ଜୀକୃତ କରିବାକୁ ପରାମର୍ଶ ଦେଇଥିଲେ ।

ସାଧାରଣତନ୍ତ୍ର ଦିବସ ଉତ୍ସବ ପାଳନ କାଳରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ, ଐତିହାସିକ ସ୍ଥଳ ପରିଦର୍ଶନ, ଅଭିଜ୍ଞ ବ୍ୟକ୍ତିଙ୍କ ସହ ସାକ୍ଷାତ ଭଳି ସୁଯୋଗ ଉପରେ ସେ ଆଲୋକପାତ କରିଥିଲେ । ଏଭଳି ଅଭିଜ୍ଞତା ତୁମେମାନେ ସାରା ଜୀବନ ମନେ ରଖିବ । ପ୍ରତିବର୍ଷ ସାଧାରଣ ତନ୍ତ୍ର ଦିବସ ସମାରୋହ ପ୍ୟାରେଡ ଅବଲୋକନ କଲାବେଳେ, ମୁଁ ଏହା କହିଥିଲେି ବୋଲି ମନେ ପକାଇବ ବୋଲି ଶ୍ରୀ ମୋଦୀ କହିବା ସହ ତାଙ୍କ ସହ ନମୋ ଆପ୍‌ରେ ଯୋଡି ରଖିବା ନେଇ ଗୁରୁତ୍ୱ ଆରୋପ କରିଥିଲେ ।

ପ୍ରଧାନମନ୍ତ୍ରୀ ପରିଶେଷରେ ଯୁବା ପିଢିର ଶକ୍ତି ଉପରେ ଆସ୍ଥା ଓ ବିଶ୍ୱାସ ପ୍ରକଟ କରିଥିଲେ । ସେମାନଙ୍କୁ ସେ ବିବେକବାନ ନାଗରିକ ହେବା ସହ କଠିନ ପରିଶ୍ରମ କରିବା, ପରିବେଶ ସୁରକ୍ଷା, ଖରାପ ଅଭ୍ୟାସ ତ୍ୟାଗ କରିବା ସହ ଦେଶର ଐତିହ୍ୟକୁ ନେଇ ଗର୍ବ କରିବାକୁା ପରାମର୍ଶ ଦେଇଥିଲେ ।

କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, କେନ୍ଦ୍ର କ୍ରୀଡା ଓ ଯୁବବ୍ୟାପାର ମନ୍ତ୍ରୀ ଅନୁରାଗ ସିଂହ ଠାକୁର, ଆଦିବାସୀ ବ୍ୟ।ପାର ମନ୍ତ୍ରୀ ଶ୍ରୀ ଅର୍ଜୁନ ମୁଣ୍ଡା ଅନ୍ୟମାନଙ୍କ ମଧ୍ୟରେ ସେଠାରେ ଉପସ୍ଥିତ ଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ଦିଲ୍ଲୀର ସାଧାରଣତନ୍ତ୍ର ଦିବସରେ ଯୋଗ ଦେବା ପାଇଁ ଓଡିଶା ଏନ୍‌ସିସି କ୍ୟାଡେଟଙ୍କ ବିମାନରେ ଯାତ୍ରା

ଭୁବନେଶ୍ୱର: ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଅଧ୍ୟକ୍ଷତାରେ ବିଭାଗ ଏହି ବର୍ଷଠାରୁ ଓଡ଼ିଶାର କୃତୀ କ୍ୟାଡେଟମାନଙ୍କୁ ଦିଲ୍ଲୀର ସାଧାରଣତନ୍ତ୍ର ଦିବସରେ ଯୋଗଦେବା ପାଇଁ ଓଡିଶାରୁ ଦିଲ୍ଲୀ ଅଭିମୁଖେ ବିମାନରେ ଯିବା ଆସିବାର ସମସ୍ତ ସୁବିଧା ଯୋଗାଇ ଦେଇଛନ୍ତି ।

ଓଡ଼ିଶାର ୭୦ ହଜାର କ୍ୟାଡେଟମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାର କଠିନ ପରୀକ୍ଷା ଓ ପ୍ରତିଯୋଗିତା କରାଯାଇ ସର୍ବଶେଷରେ ୧୨୨ ଜଣ କୃତୀ କ୍ୟାଡ଼େଟଙ୍କୁ ଚୟନ କରାଯାଇଥିଲା। ସେଥି ମଧ୍ୟରୁ ୨୯ ଜଣ କୃତୀ କ୍ୟାଡ଼େଟ ଆଜି ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଦିଲ୍ଲୀ ଅଭିମୁଖେ ଏୟାର ଭିସ୍ତାରା ବିମାନ ଯୋଗେ ଯାତ୍ରା କରିଛନ୍ତି। ତନ୍ମଧ୍ୟରୁ ୨୩ ଜଣ କ୍ୟାଡ଼େଟଙ୍କ ପାଇଁ ବିମାନ ଯାତ୍ରା ସମ୍ପୂର୍ଣ୍ଣ ନୂଆ ଅନୁଭୂତି ଥିଲା।

ଯାତ୍ରା ସମୟରେ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ନିମନ୍ତେ ଏୟାରପୋର୍ଟରେ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ନାୟକ, ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ ଶ୍ରୀ ଭବାନୀ ଶଙ୍କର ଚୟନୀଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ମନ୍ତ୍ରୀ ଶ୍ରୀ ନାୟକ ସମସ୍ତ କ୍ୟାଡେଟଙ୍କୁ କ୍ୟାପ ପିନ୍ଧାଇ, ପୁଷ୍ପଗୁଚ୍ଛ ଦେଇ ଉତ୍ସାହିତ କରିଥିଲେ। ଏଥିପାଇଁ ସମସ୍ତ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ବିଭାଗକୁ ଧନ୍ୟବାଦ ଜଣାଇଛନ୍ତି।

ପ୍ରତିବର୍ଷ ଜାନୁୟାରୀ ୨୬ରେ ଅନୁଷ୍ଠିତ ହେଉଥିବା ସାଧାରଣତନ୍ତ୍ର ଦିବସ ପ୍ୟାରେଡ଼ରେ ଯୋଗଦାନ କରିବା ପାଇଁ ଆମ ରାଜ୍ୟରୁ ପିଲାମାନଙ୍କୁ ଚୟନ କରି ଦିଲ୍ଲୀ ପଠାଯାଇଥାଏ। ଏ ବର୍ଷ ଓଡ଼ିଶାର କଟକ ଗ୍ରୁପ ଏନ୍‌ସିସି ଗ୍ରୁପ କମାଣ୍ଡର ତଥା ଚୟନକାରୀ ସାମରିକ ସେନାର ଅଧିକାରୀ କର୍ଣ୍ଣେଲ ସତ୍ୟବ୍ରତ ସ୍ୱାଇଁଙ୍କ ତତ୍ତ୍ୱାବଧାନରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ୭୫ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଓଡ଼ିଶା ସମର ଶିକ୍ଷାର୍ଥୀ ବାହିନୀର ପ୍ରସ୍ତୁତି ଶିବିର ଭୁବନେଶ୍ୱରଠାରେ ଅବସ୍ଥିତ କେନ୍ଦ୍ରୀୟ ରିଜର୍ଭ ପୋଲିସ ବାହିନୀ ପରିସରରେ ଅନୁଷ୍ଠିତ ହୋଇଥିଲା।

ଦୀର୍ଘ ୫୦ ଦିନ ବ୍ୟାପି ଅନୁଷ୍ଠିତ ହୋଇଥିବା ଏହି ଶିବିରରେ କ୍ୟାଡ଼େଟମାନଙ୍କୁ ଡ୍ରିଲ, ଘୋଡାଚଢା କୌଶଳ, ଜାତୀୟ ସଂହତି ଶିକ୍ଷା, ପତାକା ସ୍ଥାନ ପ୍ରସ୍ତୁତି, ବ୍ୟକ୍ତିତ୍ୱ ବିକାଶ ଅଭିବୃଦ୍ଧି ଶିକ୍ଷା, ସାମରିକ ଶିକ୍ଷା ଭାଷା ବିନିମୟ ଶିକ୍ଷା ଭଳି ବିଭିନ୍ନ ଶାରୀରିକ ତଥା ବୌଦ୍ଧିକ ଶିକ୍ଷାର ତାଲିମ ପ୍ରଦାନ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ମୋ କଲେଜ ଅଭିଯାନ: ବାଣପୁରରେ ଛାତ୍ରୀମାନଙ୍କ ଦ୍ଵାରା ସାଇକେଲ ରାଲି ଓ ପଥପ୍ରାନ୍ତ ନାଟକ ଅନୁଷ୍ଠିତ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜାଦି କି ଅମୃତ ମହୋତ୍ସବ ଅବସରରେ ଆଜି ପୂର୍ବାହ୍ନରେ ମୋ କଲେଜ ଅଭିଯାନ ଅନ୍ତର୍ଗତ ଖୋର୍ଦ୍ଧା ଜିଲ୍ଲା ବାଣପୁର ଗୋଦାବରୀଶ ମହାବିଦ୍ୟାଳୟର ଏନଏସଏସ, ଏନସିସି,  ରୋଭର୍ସ ଏବଂ ରେଞ୍ଜରର୍ସ ଓ ରେଡକ୍ରସ ୟୁନିଟର ଛାତ୍ରଛାତ୍ରୀଙ୍କ ଦ୍ୱାରା ଏକ ସାଇକେଲ ରାଲି ଏବଂ ପଥପ୍ରାନ୍ତ ନାଟକ ଅନୁଷ୍ଠିତ ହୋଇଯାଇଛି। ସାଇକେଲ ରାଲିଟି ମହାବିଦ୍ୟାଳୟ ସମ୍ମୁଖରୁ ବାହାରି ମା’ ଭଗବତୀ ମନ୍ଦିର ଦେଇ ସହର ଅତିକ୍ରମ କରି ପଲଟନ ପଡିଆଠାରେ ସମାପ୍ତ ହୋଇଥିଲା।

ସେହିପରି ଭାବେ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ଅଧ୍ୟାପକ ପାର୍ଥସାରଥୀ ସାମନ୍ତରାୟ ଙ୍କ ରଚନା ନିର୍ଦେଶନାରେ ‘ ମୁଁ ପାଇକ କହୁଛି’ ଶୀର୍ଷକରେ ପଥପ୍ରାନ୍ତ ନାଟକ ପ୍ରଦର୍ଶନ କରାଯାଇଥିଲା। ଉକ୍ତ ନାଟକରେ ଛାତ୍ରୀମାନେ ଭାଗ ନେଇଥିବା ବେଳେ ଖୁବ ଚିତ୍ତାକର୍ଶକ ଢଙ୍ଗରେ ଏହାକୁ ପରିବେଷଣ କରିଥିଲେ। ୧୮୧୭ ମସିହା ବାଣପୁର ପାଇକ ବିଦ୍ରୋହ ଉପରେ ନିର୍ମିତ ହୋଇଥିବା ଉକ୍ତ ନାଟକକୁ ଛାତ୍ରୀମାନେ ଅତି ନିଖୁଣ ଭାବେ ପ୍ରଦର୍ଶିତ କରିଥିଲେ।

ସ୍ୱାଧୀନତା ସଂଗ୍ରାମରେ ବାଣପୁରର ବିଶିଷ୍ଟ ଅବଦାନ ଥିବା ଉକ୍ତ ନାଟକରେ ଦର୍ଶାଯାଇଥିଲା।  ଉକ୍ତ ପଥପ୍ରାନ୍ତ ନାଟକଟି ଗୋଦାବରୀଶ ମହାବିଦ୍ୟାଳୟ କ୍ୟାମ୍ପସ, କୁମାରାଙ୍ଗ ଛକ, ମା’ ଭଗବତୀ ମନ୍ଦିର ସମ୍ମୁଖ, ବାଣପୁର ଥାନା ଏବଂ ପଲଟନ ପଡିଆରେ ଅନୁଷ୍ଠିତ ହୋଇଥିଲା।  ଉକ୍ତ କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟ ର ଅଧ୍ୟକ୍ଷଙ୍କ ସମେତ ସମସ୍ତ କର୍ମଚାରୀମାନେ ପରିଚାଳନା କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ଏନସିସି ପକ୍ଷରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମିଳିଲା ଗାର୍ଡ ଅଫ୍ ଅନର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀର କରିଆପ୍ପା ଗ୍ରାଉଣ୍ଡରେ ପହଞ୍ଚି ନ୍ୟାସନାଲ କ୍ୟାଡେଟ କର୍ପସ (ଏନସିସି) କଣ୍ଟିଜେଣ୍ଟର ମାର୍ଚ୍ଚ ପାଷ୍ଟର ନିରୀକ୍ଷଣ କରୁଛନ୍ତି। ନିରୀକ୍ଷଣ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କୁ କରିଆପ୍ପା ଗ୍ରାଉଣ୍ଡରେ ଏନସିସି କ୍ୟାଡେଟମାନେ ମଧ୍ୟ ଗାର୍ଡ ଅଫ୍ ଅନର ପ୍ରଦାନ କରିଛନ୍ତି। ଗାର୍ଡ ଅଫ୍ ଅନର ଯାଞ୍ଚ କରିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ବର୍ତ୍ତମାନ ଏନସିସି କଣ୍ଟିଜେଣ୍ଟର ମାର୍ଚ୍ଚ ପାଷ୍ଟର ସମୀକ୍ଷା କରୁଛନ୍ତି।

ଏହି ଏନସିସି ଶିବିରରେ ଦେଶର ୧୭ ଟି ରାଜ୍ୟ ତଥା ୟୁନିଅନର ୫୦୦ ସପୋର୍ଟ ଷ୍ଟାଫ୍ ଏବଂ ୩୮୦ ବାଳିକା କ୍ୟାଡେଟ୍ ସମେତ ମୋଟ ୧୦୦୦ କ୍ୟାଡେଟ୍ ଅଂଶଗ୍ରହଣ କରିଛନ୍ତି। ଏନସିସି କ୍ୟାଡେଟମାନେ ଭୂମି ଉପରେ ସେମାନଙ୍କର ସାମରିକ କାର୍ଯ୍ୟ ଦକ୍ଷତା ପ୍ରଦର୍ଶନ କରୁଛନ୍ତି। ଗତ ବର୍ଷ, ଏହି ଦିନ ୨୦୨୧ ମସିହାରେ ପ୍ରଧାନମନ୍ତ୍ରୀ ଏନସିସି ସହ ଜଡିତ ଅନ୍ୟ ଏକ ଘଟଣାରେ କ୍ୟାଡେଟମାନଙ୍କୁ ସମ୍ମାନିତ କରିଥିଲେ। ଦିଲ୍ଲୀର କରିଆପ୍ପା ଗ୍ରାଉଣ୍ଡରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏନସିସି ପରେଡ ପରେ ପିଏମ ମୋଦୀ ଉଲ୍ଲେଖନୀୟ ପ୍ରଦର୍ଶନକାରୀ କ୍ୟାଡେଟମାନଙ୍କୁ ମଧ୍ୟ ସମ୍ବୋଧିତ କରିଥିଲେ।