Categories
ଜାତୀୟ ଖବର ବିଶେଷ ଖବର

କୋର୍ଟରେ ସ୍ଥାନୀୟ ଭାଷାର ପ୍ରଚଳନ ଗୁରୁତ୍ୱପୂର୍ଣ୍ଣ, ମୁଖ୍ୟମନ୍ତ୍ରୀ ମୁଖ୍ୟ ବିଚାରପତିଙ୍କ ସମ୍ମିଳନୀ କହିଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟ ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟ ପ୍ରଧାନ ବିଚାରପତିଙ୍କ ନୂଆଦିଲ୍ଳୀର ବିଜ୍ଞାନଭବନରେ ହେଉଥିବା ଉଦଘାଟନୀ ଅଧିବେଶନରେ ଅଂଶଗ୍ରହଣ କରିଛନ୍ତି। ଏହି ଅବସରରେ ସେ ସମବେତ ବ୍ୟକ୍ତିଗଣଙ୍କୁ ମଧ୍ୟ ସମ୍ବୋଧିତ କରିଛନ୍ତି। ଭାରତର ମୁଖ୍ୟ ବିଚାରପତି ଜଷ୍ଟିସ ଏନ.ଭି ରମନ୍ନା, ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ୟୁୟୁ ଲଳିତ, କେନ୍ଦ୍ରମନ୍ତ୍ରୀ ଶ୍ରୀ କିରେନ ରିଜିଜ୍ଜୁ ଓ ପ୍ରଫେସର ଏପ.ପି ସିଂ ବଘେଲ, ସୁପ୍ରିମକୋର୍ଟ ବିଚାରପତି, ହାଇକୋର୍ଟ ମୁଖ୍ୟ ବିଚାରପତି, ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରଶାସିତ ଅଞ୍ଚଳର ଉପରାଜ୍ୟପାଳମାନେ ଏଥିରେ ଉପସ୍ଥିତ ଥିଲେ।

ଏହି ଅବସରରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ “ ଆମ ଦେଶରେ ନ୍ୟାୟପାଳିକାର ଭୂମିକା ସମ୍ବିଧାନର ରକ୍ଷକ ଭଳି ହୋଇଥିବା ବେଳେ, ଆଇନ ପ୍ରଣୟନ ସଂସ୍ଥା ନାଗରିକଙ୍କ ଆକାଂକ୍ଷାର ପ୍ରତିନିଧିତ୍ୱ କରିଥାଏ। ମୋର ବିଶ୍ୱାସ ସମ୍ବିଧାନର ଏହି ଦୁଇଶାଖାର ସଂଗମ ଓ ସନ୍ତୁଳନ ଏକ ସମୟଭିତ୍ତିକ ବିଧିବ୍ୟବସ୍ଥାର ରୋଡମ୍ୟାପ ନିର୍ଦ୍ଧାରଣ କରିବ।”

ସେ କହିଥିଲେ ଯେ ସ୍ୱାଧୀନତାର ୭୫ବର୍ଷ ମଧ୍ୟରେ ନିରବଚ୍ଛିନ୍ନଭାବେ ନ୍ୟାୟପାଳିକା ଓ କାର‌୍ୟ୍ୟନିର୍ବାହୀ ର ଭୂମିକା ପୁଙ୍ଖାନୁପୁ୍ଙ୍ଖଭାବେ ସ୍ପଷ୍ଟ ହୋଇଛି। ଯେତେବେଳେ ବି ଆବଶ୍ୟକତା ଉପୁଜିଛି ଏହି ଦୁଇସଂସ୍ଥା ନିରବଚ୍ଛିନ୍ନ ମାର୍ଗଦର୍ଶନ ପ୍ରଦାନ କରିଛନ୍ତି ବୋଲି ସେ କହିଥିଲେ। ସମ୍ମିଳନୀକୁ ସମ୍ବିଧାନ ସୌନ୍ଦର‌୍ୟ୍ୟର ଏକ ଜାଜ୍ଜ୍ୱଲ୍ୟମାନ ଘୋଷଣାପତ୍ର ବୋଲି କହି ପ୍ରଧାନମନ୍ତ୍ରୀ ପ୍ରଥମେ ମୁଖ୍ୟମନ୍ତ୍ରୀ ଓ ପରେ ପ୍ରଧାନମନ୍ତ୍ରୀଭାବେ ଏ ସମ୍ମିଳନୀକୁ ଆସୁଛନ୍ତି ବୋଲି କହିଥିଲେ। ‘ଗୋଟେ ଦୃଷ୍ଟିରୁ ଦେଖିଲେ ମୁଁ ସମ୍ମିଳନୀରେ ଖୁବ୍ ବରିଷ୍ଠ ଯୋଗଦାନକାରୀ ବୋଲି ଟିକେ ହାଲୁକା ଢଙ୍ଗରେ କହିଥିଲେ।

ସମ୍ମିଳନୀ ଆଗକୁ ବଢିବା ସହ ପ୍ରଧାନମନ୍ତ୍ରୀ “୨୦୪୭ ରେ ଯେତେବେଳେ ଦେଶ ସ୍ୱାଧୀନତାର ଶହେ ବର୍ଷ ପୂରଣ କରିବ, ସେତେବେଳେ ଦେଶ କିଭଳି ନ୍ୟାୟପାଳିକା ଦେଖିବାକୁ ଚାହିଁବ ବୋଲି ଜାଣିବାକୁ ଚାହିଥିଲେ ? ଆମେ ଆମର ନ୍ୟାୟିକ ବ୍ୟବସ୍ଥାକୁ କେତେ ସମର୍ଥ କରିବା ଯେ ଏହା ୨୦୪୭ମସିହା ବେଳକୁ ଭାରତର ଆଶା ଆକାଂକ୍ଷା ପୂରଣ କରିବ ତାହା ହିଁ ଆଜି ଆମର ପ୍ରାଥମିକତା ହେବା ଉଚିତ। ଅମୃତ କାଳରେ ଆମର ଲକ୍ଷ୍ୟ ଏପରି ନ୍ୟାୟିକ ବ୍ୟବସ୍ଥା ହେବା ଦରକାର ଯେଉଁଠି ସମସ୍ତଙ୍କ ନିମନ୍ତେ ତ୍ୱରିତ, ସହଜ ନ୍ୟାୟ ଉପଲବ୍ଧ ହେବ” ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରି କହିଥିଲେ ଯେ ସରକାର ନ୍ୟାୟ ପ୍ରଦାନରେ ବିଳମ୍ବକୁ ହ୍ରାସ କରିବା ପାଇଁ କଠିନ ପରିଶ୍ରମ ସହ ଚେଷ୍ଟା କରୁଛନ୍ତି। ବିଚାର ବିଭାଗର ଶକ୍ତି ଓ ଭିତ୍ତିଭୂମିରେ ଉନ୍ନତି ଆଣିବା ଦିଗରେ ଉଦ୍ୟମ ହେଉଛି। ମାମଲା ପରିଚାଳନା ନିମନ୍ତେ ଆଇସିଟି ମୁତୟନ କରାଯିବା ସହିତ ନ୍ୟାୟପାଳିକାର ବିଭିନ୍ନ ସ୍ତରରେ ରିକ୍ତସ୍ଥାନଗୁଡିକ ପୂରଣ ପାଇଁ ଉଦ୍ୟମ ଅବ୍ୟାହତ ରହିଛି।

ବିଚାରବିଭାଗୀୟ କାର୍ଯ୍ୟରେ ବୈଷୟିକ ଜ୍ଞାନର ପ୍ରଶାସନିକ ପ୍ରୟୋଗ ଉପରେ ଶ୍ରୀ ମୋଦୀ ତାଙ୍କ ଅଭିଭାଷଣରେ ଜୋର ଦେଇଥିଲେ। ଭାରତ ସରକାର ବିଚାର ବିଭାଗୀୟ କାର‌୍ୟ୍ୟ ପଦ୍ଧତିରେ ପ୍ରଯୁକ୍ତି ବିଦ୍ୟାର ସମ୍ଭାବନାକୁ ଡିଜିଟାଲ ଇଣ୍ଡିଆ ମିଶନର ଏକ ଆବଶ୍ୟକୀୟ ଅଂଶ ଭାବେ ବିଚେଚନା କରନ୍ତି ବୋଲି ସେ କହିଥିଲେ। ସେ ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟର ମୁଖ୍ୟ ବିଚାରପତିଗଣଙ୍କୁ ଏହି କାର୍ଯ୍ୟକୁ ଆଗେଇ ନେବା ପାଇଁ ନିବେଦନ କରିଥିଲେ।

ଇ-କୋଟ ପ୍ରକଳ୍ପ ଆଜି ମିଶନ ମୋଡରେ ତ୍ୱରାନ୍ୱିତ ହେଉଛି ବୋଲି ସେ କହିଥିଲେ। ଡିଜିଟାଲ ନେଣଦେଣ ପଦ୍ଧତିିର ସଫଳତାର ଉଦାହରଣ ଦେଇ ତାହା ଆଜି ଛୋଟ ଛୋଟ ସହର ଓ ଏପରିକି ଗ୍ରାମାଞ୍ଚଳରେ ମଧ୍ୟ ସାଧାରଣ ହେଲାଣି ବୋଲି କହିଥିଲେ। ଗତବର୍ଷ ସାରା ପୃଥିବୀରେ ଯେତେ ଡିଜିଟାଲ ଦେଣନେଣ ହୋଇଥିଲା ତାହାର ଶତକଡା ୪୦ଭାଗ କେବଳ ଭାରତରେ ହୋଇଥିବା ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ।

ବୈଷୟିକ ଜ୍ଞାନର ଆଜିକାଲି ବ୍ୟବହାର ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ବ୍ଳକଚେନ, ଇଲେକ୍ଟ୍ରୋନିକ, ରିକଭରୀ, ସାଇବର ସୁରକ୍ଷା,ରୋବୋଟିକ୍ସ, କୃତ୍ରିମ ମୋଧା ଓ ବାୟୋ ଏଥିକ୍ସ ଇତ୍ୟାଦି ଆଜିକାଲି ଅନେକ ଦେଶର ଆଇନ ବିଶ୍ୱବିଦ୍ୟାଳୟ ଗୁଡିକରେ ପଢା ହେଉ।’’ ଆମ ଦେଶରେ ମଧ୍ୟ ଏଭଳି ଆନ୍ତର୍ଜାତିକ ମାନର ଆଇନଶିକ୍ଷା ଓ ପ୍ରଚଳନ କରିବା ଆମର ଦାୟିତ୍ୱ ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅଦାଲତରେ ସ୍ଥାନୀୟ ଭାଷାର ବ୍ୟବହାର ଖୁବ୍ ଗୁରୁତ୍ୱପୂର୍ଣ୍ଣ, କାରଣ ଦେଶବାସୀ ବିଚାର ବିଭାଗୀୟ ପଦ୍ଧତିରେ ନିଜକୁ ସଂଶ୍ଳିଷ୍ଟ କରିବା ସହ ସେମାନଙ୍କର ଏହା ଉପରେ ଆସ୍ଥା ମଧ୍ୟ ବୃଦ୍ଧି ପାଇବ। ବିଚାର ବିଭାଗୀୟ ବ୍ୟବସ୍ଥାରେ ଜନସାଧାରଣଙ୍କ ଅଧିକାର ମଧ୍ୟ ସାବ୍ୟସ୍ତ ହେବ। ସ୍ଥାନୀୟ ଭାଷାରେ ବୈଷୟିକ ଶିକ୍ଷାଦାନ ମଧ୍ୟ ହେଉଛି ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀ ମଧ୍ୟ ଆଇନରେ ଥିବା ଜଟିଳତା ଓ ଅପ୍ରଚଳିତ ବ୍ୟବସ୍ଥା ସମ୍ପର୍କରେ କହିଥିଲେ। ସେ କହିଥିଲେ ଯେ ୨୦୧୫ରେ ସରକାର ଅପ୍ରାସଙ୍ଗିକ ହୋଇପଡିଥିବା ୧୮୦୦ ଆଇନ ଚିହ୍ନଟ କରିବା ସହ ସେଥିରେ ୧୪୫୦ଟି ଆଇନକୁ ଖାରଜ କରିଦେଇଥିଲେ। ଏପରି ୭୫ଟି ଆଇନ ରାଜ୍ୟମାନେ ଉଠାଇ ଦେଇଥିବାବେଳେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ” ମୁଁ ସମସ୍ତ ମୁଖ୍ୟମନ୍ତ୍ରୀମାନଙ୍କୁ ଅନୁରୋଧ କରୁଛି ଯେ ସେମାନଙ୍କ ରାଜ୍ୟବାସୀଙ୍କ ଅଧିକାର ଓ ଭଲରେ ରହିବା ପାଇଁ ଏ ଦିଗରେ ନିର୍ଦ୍ଦିଷ୍ଟ ପଦକ୍ଷେପ ନିଆଯିବା ଆବଶ୍ୟକ।”

ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଚାର ବିଭାଗୀୟ ସଂସ୍କାର କେବଳ ଏକ ନୀତିଗତ ବିଷୟ ନୁହଁ, ଏଥିରେ ଅନେକ ମାନବ ସମ୍ବେଦୀ ବିଷୟ ରହିଛି ଓ ସେଗୁଡିକ ଆଲୋଚନା ଜରିଆରେ ସମାଧାନ କରାଯିବା ଆବଶ୍ୟକ। ଦେଶରେ ବର୍ତ୍ତମାନ ସାଢେ ତିନିଲକ୍ଷ ଲୋକ କାରାଗାରରେ ରହିଛନ୍ତି। ସେମାନେ ବିଚାରଧୀନ ବନ୍ଦୀଭାବେ ରହିଛନ୍ତି।

ସେମାନଙ୍କ ମଧ୍ୟରୁ ଅଧିକାଂଶ ଗରିବ ଓ ସାଧାରଣ ପରିବାରରୁ ଆସିଛନ୍ତି। ପ୍ରତ୍ୟେକ ଜିଲ୍ଳାରେ ଜିଲ୍ଲ ଜଜଙ୍କ ଅଧ୍ୟକ୍ଷତାରେ ଏକ କମିଟି ରହିଛି। ଏଗୁଡିକର ସମୀକ୍ଷା କରାଯାଇ ଯେତେଦୂର ସମ୍ଭବ ଏଭଳି ବନ୍ଦୀମାନଙ୍କୁ ଜାମିନରେ ମୁକ୍ତ କରିବା ଦରକାର। “ମୁଁ ସମସ୍ତ ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ନିବେଦନ କରୁଛି କି ମାନବିକ ସମ୍ବେଦନା ଓ ଆଇନ ଭିତ୍ତିରେ ଏହି ମାମଲାଗୁଡିକୁ ଅଗ୍ରାଧିକାର ଭିତ୍ତିରେ ବିଚାର କରନ୍ତୁ।”

ସ୍ଥାନୀୟ ସ୍ତରରେ ମଧ୍ୟସ୍ଥତା ମଧ୍ୟ ବିଚାରଧୀନ ମାମଲା ସୀମାଂଶ କରିବାର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ। ଆମ ସମାଜର ମଧ୍ୟସ୍ଥତା ଜରିଆରେ ବିବାଦ ତୁଟାଇବାର ପରମ୍ପରା ହଜାର ହଜାର ବର୍ଷରୁ ରହି ଆସିଛି। ଆପୋଷ ସମ୍ମତି ଓ ଆପୋଷ ଅଂଶଗ୍ରହଣ ନିଜ ଉପାୟରେ ଏକ ଅଭିନବ ନ୍ୟାୟିକ ଚିନ୍ତାଧାରା ଆମ ସମାଜରେ ରହିଥିବା ସେ କହିଥିଲେ। ଏହାକୁ ଦୃଷ୍ଟିରେ ରଖିସରକାର ସଂସଦରେ ଏକ ମଧ୍ୟସ୍ଥତା ବିଲ ଉପସ୍ଥାପନ କରିଛନ୍ତି। “ସମୃଦ୍ଧ ଆଇନର ସହ ବିଶେଷଜ୍ଞତା ବଳରେ ଆମେ ମଧ୍ୟସ୍ଥତା ଦ୍ୱାରା ସମାଧନା ନେଇ ଏକ ବୈଶ୍ୱିକ ନେତ୍ୱତ୍ୱ ନେଇପାରିବ। ଆମେ ସମଗ୍ର ବିଶ୍ୱ ନିକଟରେ ଏକ ମଡେଲ ଉପସ୍ଥାପନ କରିପାରିବା” ବୋଲି ସେ କହିଥିଲେ।