Categories
ଆଞ୍ଚଳିକ

ଏବିଭିପି ବାଲୁଗାଁ ଦ୍ୱାରା କରୋନା ଲକ୍‌ ଡାଉନ୍‌ ସମୟରେ ସେବା କାର୍ଯ୍ୟ

ସମୀକ୍ଷା ବ୍ୟୁରୋ

ବାଲୁଗାଁ : ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ବାଲୁଗାଁ  ଶାଖା ତରଫରୁ  ବାଲୁଗାଁ ସହରାଞ୍ଚଳର କରୋନା ଲକ ଡାଉନ ପରିପ୍ରେକ୍ଷୀରେ ବିଭିନ୍ନ ସେବା କାର୍ଯ୍ୟ କରାଯାଇଅଛି। କରୋନା କଟକଣାକୁ ଦୃଷ୍ଟିରେ ରଖି ଏବିଭିପି ଓ ଶ୍ରୀ ପତିତପାବନ ୟୁଥ କ୍ଲବ, ଚାଷଙ୍ଗରାର ସ୍ୱଳ୍ପ କାର୍ଯ୍ୟକର୍ତ୍ତା ଆଜି ସକାଳେ ବାଲୁଗାଁ  ପୋଲିସ ଥାନାକୁ ଯାଇ ଲକ୍‌ ଡାଉନ ସମୟରେ ନିଜର ପରିବାରକୁ ଭୁଲି ଜୀବନର ବାଜି ଲଗାଇ ଆମର ସୁରକ୍ଷା ପାଇଁ ଦିନ ରାତି ପ୍ରହରା ଦେଉଥିବା ପୋଲିସ ଭାଇମାନଙ୍କ ଉଦ୍ଦେଶ୍ୟରେ ବାଲୁଗାଁ ଥାନାଧିକାରୀ ରମାକାନ୍ତ ମାହାଳିକଙ୍କୁ ଭେଟି କିଛି ପଇଡ଼ ଓ ବିସ୍କୁଟ ହସ୍ତାନ୍ତର କରିଥିଲେ। ଏହା ପରେ କାର୍ଯ୍ୟକର୍ତ୍ତାମାନେ ବାଲୁଗାଁ ଉମା ମହେଶ୍ୱର ମନ୍ଦିର ପରିସରରେ ବସବାସ କରୁଥିବା ବହୁ ଭିକ୍ଷୁକ ଓ  ବାଲୁଗାଁ ରେଳ  ଷ୍ଟେସନ ପାଖେ ବସବାସ କରୁଥିବା ଯାଯାବର ମାନଙ୍କୁ ସାମାଜିକ ଦୂରତା ରକ୍ଷା କରି  ବିସ୍କୁଟ ଓ ପାଉଁରୁଟି ବଣ୍ଟନ କରିଥିଲେ।

ଏହି ଅବସରରେ ଏବିଭିପି କାର୍ଯ୍ୟକର୍ତ୍ତା ଅମିତ ସ୍ୱାଇଁ, ମନୋଜ ମଲିକ,  ଗୌରବ ଲେଙ୍କା ଓ ହିମାଂଶୁ ଦାସ ବ୍ୟକ୍ତିଗତ ଭାବେ ବାଲୁଗାଁର ବିଭିନ୍ନ ଅଂଚଳରେ  ବସବାସ କରୁଥିବା ଭିକ୍ଷୁକ ମାନଙ୍କୁ କରୋନା ଉପରେ  ସଚେତନ ମଧ୍ୟ କରାଇଥିଲେ। ଉକ୍ତ ସମ୍ପୂର୍ଣ୍ଣ  ସେବା କାର୍ଯ୍ୟକୁ ଏବିଭିପି ଖୋର୍ଦ୍ଧା ଜିଲ୍ଲା ସହ-ପ୍ରମୁଖ ସୀତାରାମ ଅଗ୍ରୱାଲ ପରିଚାଳନା କରିଥିବା ବେଳେ  ଭବାନୀ, ରାମଚନ୍ଦ୍ର, ସୁନୀଲ, ତୋଫାନ, ପ୍ରଭାତ, ଲିଟୁ ଆଦି ସହଯୋଗ କରିଥିଲେ। ସୂଚନା ଥାଉ କି ଏହା ପୂର୍ବରୁ ଏବିଭିପି ବାଣପୁର ଶାଖା ଦ୍ୱାରା ମଧ୍ୟ ଅନୁରୂପ ଭାବେ ଏପରି ସେବା କାର୍ଯ୍ୟ କରାଯାଇଥିଲା। ଏବିଭିପି ଦ୍ୱାରା ବାଣପୁର, ବାଲୁଗାଁ, ନାଚୁଣୀ ଓ ଗମ୍ଭାରୀମୁଣ୍ଡା ଅଞ୍ଚଳରେ ହେଉଥିବା ନିରନ୍ତର ସେବା କାର୍ଯ୍ୟକୁ ବୁଦ୍ଧିଜୀବୀମାନେ ଉଚ୍ଚ ପ୍ରସଂଶିତ କରିଛନ୍ତି।