Categories
ଆଜିର ଖବର ରାଜ୍ୟ ଖବର

ସମ୍ବଲପୁର ଜିଲ୍ଲାର ଦିବ୍ୟାଙ୍ଗଙ୍କୁ ୫୦ ଟି ଇ-ରିକ୍ସା ଯୋଗାଇବ ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍

ଭୁବନେଶ୍ଵର: କୋଲ୍‌ ଇଣ୍ଡିଆ ଲିମିଟେଡର ଏକ ପ୍ରମୁଖ ସହାୟକ କମ୍ପାନୀ ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ (ଏମସିଏଲ୍‌), ଓଡିଶାର ସମ୍ବଲପୁର ଜିଲ୍ଲାର ୫୦ ଦିବ୍ୟାଙ୍ଗ ଲୋକଙ୍କୁ ଇ-ରିକ୍ସା ପ୍ରଦାନ କରିବ।  ସିଏସ୍ଆର୍ ପ୍ରୋଜେକ୍ଟ “ସକ୍ଷମ” ଅନ୍ତର୍ଗତ ଏହା ପ୍ରଦାନ କରାଯିବ।

ଏହି ପରିପ୍ରେକ୍ଷୀରେ ସମ୍ବଲପୁର ପ୍ରଶାସନ ସହିତ ଗତକାଲି ସ୍ୱାକ୍ଷରିତ ବୁଝାମଣାପତ୍ର (ଏମଓୟୁ) ଅନୁଯାୟୀ, ଏମସିଏଲ୍ ଜିଲ୍ଲା ସମ୍ବଲପୁରର ‘ଦିବ୍ୟାଙ୍ଗ’ ଲୋକଙ୍କୁ ୫୦ ଟି ଇ-ରିକ୍ସା କ୍ରୟ ପାଇଁ ଜିଲ୍ଲା ପ୍ରଶାସନ, ସମ୍ବଲପୁରକୁ ଆର୍ଥିକ ସହାୟତା ପ୍ରଦାନ କରିବ।

ଆର୍ଥିକ ଦୁର୍ବଳ ଦିବ୍ୟାଙ୍ଗଙ୍କ ପାଇଁ ନିରନ୍ତର ଆତ୍ମ-ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ବ୍ୟତୀତ, ଏହି ସିଏସ୍ଆର୍ ପଦକ୍ଷେପ ବୈଦ୍ୟୁତିକ ପରିବହନକୁ ଉତ୍ସାହିତ କରି ସବୁଜ ଏବଂ ସ୍ୱଚ୍ଛ ପରିବେଶକୁ ମଧ୍ୟ ପ୍ରୋତ୍ସାହିତ କରିବ।

ଏହି ଏମଓୟୁକୁ ଏମସିଏଲ ପକ୍ଷରୁ ଜେନେରାଲ ମ୍ୟାନେଜର (ସିଏସଆର) ରଜନୀକାନ୍ତ ପାଣିଗ୍ରାହୀ ସ୍ୱାକ୍ଷର କରିଥିବାବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବଲପୁର ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ମଦନଜିତ ହୋତା ସ୍ୱାକ୍ଷର କରିଛନ୍ତି।