ଭୁବନେଶ୍ୱର: ବୋନ୍ ଟ୍ୟୁମର ସମସ୍ୟା ଓ ଏ ସମ୍ପର୍କିତ ଚିକିତ୍ସାକୁ ନେଇ ଗତ ରବିବାର ଦିନ ସ୍ଥାନୀୟ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ରେ ମସ୍କୁଲୋସ୍କେଲିଟାଲ୍ ସୋସାଇଟି ଅଫ୍ ଇଣ୍ଡିଆ (ଏମ୍ଏସ୍ଏସ୍) ପକ୍ଷରୁ ଏକ କଂଟିନୁଇଙ୍ଗ୍ ମେଡିକାଲ୍ ଏଜୁକେସନ୍ (ସିଏମ୍ଇ) ଆୟୋଜିତ ହୋଇଯାଇଛି।
ଏହି ଏକ ଦିବସୀୟ କର୍ମଶାଳାରେ ଯୋଗ ଦେଇଥିବା ବିଶେଷଜ୍ଞମାନେ ଅତ୍ୟାଧୁନିକ ଇମେଜିଂ ଟେକ୍ନୋଲୋଜି ଓ ବୋନ୍ ଟ୍ୟୁମରର ଚିକିତ୍ସା ପଦ୍ଧତି ସମ୍ପର୍କରେ ଆଲୋଚନା କରିଥିଲେ।
ଓଡ଼ିଶା ରେଡିଓଲଜିକାଲ୍ ଆଣ୍ଡ ଇମେଜିଂ ଆସୋସିଏସନ୍ (ଓରିଆ) ଏବଂ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ସହଭାଗିତାରେ ଆୟୋଜିତ ଏହି ସିଏମ୍ଇର ପ୍ରସଙ୍ଗ ଥିଲା ‘ଏମ୍ଏସ୍କେ ଟ୍ୟୁମର୍ସ ଇମେଜିଂ ଆଣ୍ଡ ଇନ୍ଟରଭେନ୍ସନ୍ସ’।
ଏହି କାର୍ଯ୍ୟକ୍ରମରେ ମସ୍କୁଲୋସ୍କେଲିଟାଲ୍ ସୋସାଇଟିର ସଭାପତି ତଥା କାର୍ଯ୍ୟକ୍ରମର କାର୍ଯ୍ୟକାରୀ ଅଧ୍ୟକ୍ଷ ଡାକ୍ତର ଜୟରାଜ ଗୋବିନ୍ଦରାଜ ଯୋଗ ଦେଇ ବୋନ୍ ଟ୍ୟୁମର ଚିକିତ୍ସାରେ ନ୍ୟୁକ୍ଲିୟର୍ ସ୍କାନ୍କୁ ଏକ ଗେମ୍ ଚେଞ୍ଜର ଭାବେ ଅବିହିତ କରିଥିଲେ। ନିଜ ଜ୍ଞାନକୁ ବିସ୍ତାରିତ କରିବା ଉପରେ ଗୁରୁତ୍ୱ ଦେଇ ବୈଷୟିକ ଜ୍ଞାନକୌଶଳକୁ ଅଧିକ ଜାଣିବା ଗୁରୁତ୍ୱପୂର୍ଣ୍ଣ ବୋଲି ସେ ଛାତ୍ରଛାତ୍ରୀଙ୍କୁ କହିଥିଲେ।
ଏହି କାର୍ଯ୍ୟକ୍ରମରେ ସିଏମ୍ଇର କାର୍ଯ୍ୟକାରୀ ଅଧ୍ୟକ୍ଷ ଡାକ୍ତର ସତ୍ୟ ଏସ୍.ଜି. ମହାପାତ୍ର ବୋନ୍ ଟ୍ୟୁମରର ବିଭିନ୍ନ ପରୀକ୍ଷା ଓ ଇମେଜିଂ ମୋଡାଲିଟି ଉପରେ ଆଲୋଚନା କରିଥିଲେ।
ଏହି ଅବସରରେ କାର୍ଯ୍ୟକ୍ରମର ଆୟୋଜକ ସମ୍ପାଦକ ଡାକ୍ତର ଆଦ୍ୟ କିଙ୍କର ପଣ୍ଡା ଓ ଏମ୍ଏସ୍ଏସ୍ ସଚିବ ତଥା କାର୍ଯ୍ୟକ୍ରମର ସହ-ଆୟୋଜକ ସମ୍ପାଦକ ଡାକ୍ତର ଧର୍ମେନ୍ଦ୍ର କେ. ସିଂହ ମଧ୍ୟ ବକ୍ତବ୍ୟ ରଖିଥିଲେ। ଦେଶର ବିଭିନ୍ନ ପ୍ରାନ୍ତରୁ ବିଶେଷଜ୍ଞମାନେ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।
ଡାକ୍ତର ପଣ୍ଡା କହିଥିଲେ ଯେ ଶିଶୁମାନଙ୍କ କ୍ଷେତ୍ରରେ ବୋନ୍ ଟ୍ୟୁମର ଅଧିକ ଦେଖାଦେଉଥିବା ବେଳେ ଉଚିତ୍ ସମୟରେ ରୋଗ ନିରୂପଣ ଓ ଉପଯୁକ୍ତ ଚିିକିତ୍ସା ଦ୍ୱାରା ରୋଗୀ ସମ୍ପୂର୍ଣ୍ଣ ରୋଗମୁକ୍ତ ହୋଇପାରିବେ। ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ରେ ଶିଶୁମାନଙ୍କ ଚିକିତ୍ସା ନିମନ୍ତେ ଏକ ପେଡିଆଟ୍ରିକ୍ ଅଙ୍କୋଲୋଜି ବିଭାଗ ରହିଛି ବୋଲି ସେ କହିଥିଲେ।