Categories
ଆଜିର ଖବର ରାଜ୍ୟ ଖବର ସିନେମା

ଓଡିଶାର ୨୫ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କଲା “କେମିତି ଏ ସମ୍ପର୍କ”

ଭୁବନେଶ୍ଵର: ଏକ ସମ୍ପୂର୍ଣ୍ଣ ପାରିବାରିକ କାହାଣୀକୁ ନେଇ ସାରା ଓଡିଶା ର ୨୫ ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି ଓଡ଼ିଆ ଚଳଚ୍ଚିତ୍ର “କେମିତି ଏ ସମ୍ପର୍କ”। କଳିଙ୍ଗ ପୁତ୍ର ଅଭିନେତା ଆକାଶ ଦାସ ନାୟକ, ଅଭିନେତ୍ରୀ ଏଲିନା ସାମନ୍ତରାୟ ଏବଂ ଲିପ୍ସା ମିଶ୍ର ଙ୍କୁ ନେଇ ଜେଜେଏନଜେ ବ୍ୟାନରରେ ନିର୍ମିତ ହୋଇଥିବା ନୂଆ ଓଡ଼ିଆ ଚଳଚ୍ଚିତ୍ର “କେମିତି ଏ ସମ୍ପର୍କ” ର ପ୍ରିମିଅର ଶୋ’ ଭୁବନେଶ୍ୱର ସ୍ଥିତ ସ୍ଵାତି ସିନେପ୍ଲେକ୍ସ ରେ ହୋଇଥିଲା।

ନାୟକ ଆକାଶ, ନାୟିକା ଏଲିନା ଏବଂ ଲିପ୍ସା ଙ୍କ ସମେତ ବରିଷ୍ଠ ଅଭିନେତା ପ୍ରଦ୍ୟୁମ୍ନ ଲେଙ୍କା, ଜୀବନ ପଣ୍ଡା, ଅସିତ ପତି, ଉଷସୀ ମିଶ୍ର, ମମତା ଦାଶ, ନମିତା, ଶିବ ପୂଜାପଣ୍ଡା, ହାସ୍ୟ କଳାକାର ଜ୍ଞାନ ବାରିକ, ଗୁଡ୍ଡୁ, ସନ୍ତୁ, ଶିଶୁ କଳାକାର ଲତାଶା ଖୁରାନା, ନିର୍ଦ୍ଦେଶକ ହିମାଂଶୁ ପରିଜା (ଚଣ୍ଡୀ), ପ୍ରଯୋଜକ ରୁପେଶ କୁମାର ନାୟକ ଏବଂ ଅନ୍ୟାନ୍ୟ କଳାକାର ମାନେ ସିନେ ପ୍ରେମୀ ଦର୍ଶକଙ୍କ ସହିତ ଏକାଠି ବସି ପୁରା ସିନେମା ଟିକୁ ଦେଖିଥିଲେ। ଏହା ବରିଷ୍ଠ ନିର୍ଦ୍ଦେଶକ ହିମାଂଶୁ ପରିଜା (ଚଣ୍ଡୀ) ଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ତଥା ଏକ ମୌଳିକ ପାରିବାରିକ କାହାଣୀ ହୋଇଥିବାରୁ ଦର୍ଶକଙ୍କ ମନରେ ଉତ୍କଣ୍ଠା ଅଧିକ ଦେଖିବାକୁ ମିଳିଥିଲା। ଏକ ସମ୍ପୂର୍ଣ୍ଣ ପାରିବାରିକ ତଥା ତ୍ରିକୋଣୀୟ ପ୍ରେମ ସହିତ ରହସ୍ୟ, ରୋମାଞ୍ଚ ଓ ସଂଘର୍ଷମୟ କାହାଣୀ ହୋଇଥିବାରୁ ଯୁବ ପିଢ଼ିଙ୍କ ମନରେ ଅଧିକ ଉତ୍କଣ୍ଠା ଦେଖିବାକୁ ମିଳିଛି। ଭୁବନେଶ୍ୱରର ପ୍ରିମିଅର ଶୋ’ ରେ ଦର୍ଶକଙ୍କ ଭିଡ଼ ବହୁ ମାତ୍ରାରେ ଜମିଥିଲା।

ସିନେମାର କାହାଣୀ ଓ ପ୍ରଯୋଜନା ଦାୟିତ୍ୱ ରେ ଥିବା ରୁପେଶ କୁମାର ନାୟକଙ୍କର ଏହା ପ୍ରଥମ ଓଡିଆ ଚଳଚ୍ଚିତ୍ର। ନିର୍ଦ୍ଦେଶନା ଦେଇଛନ୍ତି ଓଲିଉଡ଼ ର ବରିଷ୍ଠ ତଥା ଦକ୍ଷ ନିର୍ଦ୍ଦେଶକ ହିମାଂଶୁ ପରିଜା (ଚଣ୍ଡୀ)। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ ମଜୁମଦାର। ଗୀତ ରଚନା ଡକ୍ଟର ନିର୍ମଳ ନାୟକ ଏବଂ ସଂଳାପ ଲେଖିଛନ୍ତି ଚିନ୍ମୟ ଦାସ ପଟ୍ଟନାୟକ। ଚିତ୍ରତ୍ତୋଳନ ଭାର ସମ୍ଭାଳିଛନ୍ତି କାହ୍ନୁ ନନ୍ଦ। ସମ୍ପାଦନା ରାଜେଶ ଦାସ। କଳା ନିବାରଣ ଷଡ଼ଙ୍ଗୀ, କୋରିଓଗ୍ରାଫି ରେ ଲୁବୁନ ଟୁବୁନ, ଭିଏଫକ୍ସ ଦାୟିତ୍ବରେ ଅମର ଦାଶ ଥିବାବେଳେ ମୁଖ୍ୟ ବ୍ୟବସ୍ଥାପକ ଭାବେ ଚିତ୍ତରଞ୍ଜନ ଆଚାର୍ଯ୍ୟ ଓ କ୍ରିଏଟିଭ ହେଡ଼ ପ୍ରଣୟ ଜେଠୀ ଅଛନ୍ତି।  ଅନ୍ୟାନ୍ୟ ଭୂମିକା ରେ ପ୍ରଦ୍ୟୁମ୍ନ ଲେଙ୍କା, ଅସିତ ପତି, ଜୀବନ ପଣ୍ଡା, ଉଷସୀ ମିଶ୍ର, ନମିତା ଦାସ, ଗୁଡ୍ଡୁ, ସନ୍ତୁ, ମିଳନ, ସବିତା, ମମତା, ଜ୍ଞାନ, ଭକ୍ତି, ଶିବ ପୂଜାପଣ୍ଡା ଓ ଶିଶୁ କଳାକାର ଲତାଶା ଖୁରାନା ଇତ୍ୟାଦି ଅଭିନୟ କରିଛନ୍ତି।

ତେବେ ହିମାଂଶୁ ପରିଜା (ଚଣ୍ଡୀ) ଙ୍କର ସମସ୍ତ ଫିଲ୍ମ କୁ ଯେମିତି ଦର୍ଶକ ବହୁତ ଭଲ ପାଇବା ଦେଇଛନ୍ତି “କେମିତି ଏ ସମ୍ପର୍କ” କୁ ମଧ୍ୟ ଢେର ଭଲ ପାଇବା ଦେବେ ବୋଲି ଆଜି ପ୍ରଥମ ଶୋ ରୁ ସ୍ପଷ୍ଟ ଜାଣିହେଉଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ବାହନଗା ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ଗୁରୁତରଙ୍କ ପାଇଁ ସ୍ୱତନ୍ତ୍ର ରକ୍ତଦାନ ଶିବିର ଆୟୋଜନ

ଭୁବନେଶ୍ଵର: ଓଲିଉଡ଼ ଅଭିନେତ୍ରୀ ଏଲିନା ସାମନ୍ତରାୟ, ସମାଜସେବୀ ହୀରାଲାଲ ଶର୍ମା ଏବଂ ସି.କେ ଶର୍ମାଙ୍କ ନେତୃତ୍ୱରେ ଭୁବନେଶ୍ୱର ରେଡ଼କ୍ରସ ଭବନ ଠାରେ ସକାଳ ୯ ଟା ରେ ବାଲେଶ୍ୱର ବାହାନଗା ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ଗୁରୁତର ହୋଇ ବିଭିନ୍ନ ଡାକ୍ତରଖାନା ରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ପାଇଁ ଏକ ସ୍ୱତନ୍ତ୍ର ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଏହି ଶିବିର ରେ ନିଜର ମାନବିକତାର ପରିଚୟ ଦେଇ ରାଜଧାନୀର ଅନେକ ଜନସାଧାରଣ ରକ୍ତଦାନ‌ କରିବାକୁ ଲମ୍ବା ଧାଡି ଲାଗିଥିଲା। ଭୁବନେଶ୍ବରର ଅନେକ ରାଜନେତା, ସ୍ଵେଚ୍ଛାସେବୀଙ୍କ ସହିତ ସିନେମା ଜଗତ ସହିତ ଜଡିତ ଥିବା ଅନେକପ୍ରଯୋଜକ, ଅଭିନେତା, ଅଭିନେତ୍ରୀ ମଧ୍ୟ ଯୋଗଦେଇ ସ୍ବେଛାକୃତ ଭାବେ ରକ୍ତଦାନ କରିଛନ୍ତି।

ପିପିଲିର ଯୁବ ବିଧାୟକ ରୁଦ୍ର ମହାରଥୀ, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ସମାଜସେବୀ ରୋଜାଲିନ ପଟ୍ଟଶାଣୀ, ଋଷି ପଟ୍ଟନାୟକ, ସିନେ ପ୍ରଯୋଜକ ସଚିକାନ୍ତ ଜେନା, ଟୁଟୁ ନାୟକ, ଜୀତେଶ ପରିଡା, ସାନୁ ରଥ, ଚଳଚ୍ଚିତ୍ର ଅଭିନେତ୍ରୀ ଭୂମିକା ଦାଶ, ଶୀତଲ ପାତ୍ର, ଓଲିଉଡ଼ ମିଡ଼ିଆ ପ୍ଲାନର ପ୍ରଣୟ ଜେଠୀ ଶିବିରରେ ଯୋଗଦେଇ ରକ୍ତଦାନ କରିବା ସହିତ ରକ୍ତଦାତା ଙ୍କୁ ଉତ୍ସାହିତ କରିଥିଲେ ଏବଂ ମାନବିକତାର ପରିଚୟ ଦେଇଥିବାରୁ ସମସ୍ତଙ୍କୁ ପ୍ରଶଂସା ସହିତ ଧନ୍ୟବାଦ ଜଣାଇଥିଲେ।

ଦିନ ୩ ଟା ପର୍ଯ୍ୟନ୍ତ ୧୬୫ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା ଏବଂ ଆହୁରି ୯୫ ଜଣ ରକ୍ତଦାନ ପାଇଁ ଧାଡିରେ ଥିଲେ। ଅଭିନେତ୍ରୀ ଏଲିନା ସାମନ୍ତରାୟ ଏବଂ ତାଙ୍କ ସହଯୋଗୀ ଏହି ମହତ କାର୍ଯ୍ୟକ୍ରମ ପାଇଁ ସମସ୍ତେ ଉଚ୍ଚ ପ୍ରଶଂସା କରିଥିଲେ।

ରେଡକ୍ରସ ଭବନର ଡାକ୍ତର ରଘୁନାଥ ବେହୁରା, ଡାକ୍ତର ଗୀତା ମିଶ୍ର ଏବଂ ରେଡକ୍ରସର ସମ୍ପାଦକ ବିଭୁତି ଭୂଷଣ ପଟ୍ଟନାୟକ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ରକ୍ତଦାନ‌ଶିବିର ପରିଚାଳନା ସହିତ ସମସ୍ତ ପ୍ରକାର ସହଯୋଗ କରିଥିଲେ।