Categories
ଆଜିର ଖବର ରାଜ୍ୟ ଖବର

ରାଉରକେଲାରେ ଆରମ୍ଭ ହେଲା ‘ସରସ ମେଳା’: ୨୫୦ଟି ଷ୍ଟଲ, ୨୭ ଯାଏଁ ଚାଲିବ ମେଳା

ରାଉରକେଲା: ହକି ବିଶ୍ୱକପ୍ ଅବସରରେ ରାଉରକେଲା ସହରରେ ଆରମ୍ଭ ହୋଇଛି ‘ସରସ’ ମେଳା। ରବିବାର ସନ୍ଧ୍ୟାରେ ଏହି ମେଳାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଥିଲେ। ଭଞ୍ଜ ଭବନ ପଡ଼ିଆଠାରେ ଆୟୋଜିତ ଏହି ମେଳା ଜାନୁଆରି ୨୭ ତାରିଖ ଯାଏଁ ଚାଲିବ।

ରାଉରକେଲା ସହରରେ ପ୍ରଥମ ଥର ପାଇଁ ଏହି ମେଳା ଆୟୋଜନ କରାଯାଉଥିବାରୁ ମୁଖ୍ୟମନ୍ତ୍ରୀ ଭିଡିଓ ବାର୍ତ୍ତା ଜରିଆରେ ଶୁଭେଚ୍ଛା ଜଣାଇଛନ୍ତି। ସରସ ମେଳା ବୁଲିବାକୁ ଆସି ମିଶନ ଶକ୍ତି ମା’ମାନେ ବିକ୍ରି କରୁଥିବା ଉତ୍ପାଦକୁ କିଣିବା ପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଅପିଲ୍ କରିଛନ୍ତି।

ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ଓରମାସ ଏବଂ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଏହି ମେଳା ଆୟୋଜନ କରାଯାଉଛି। ସରସ ମେଳାରେ ମୋଟ ୨୫୦ଟି ଷ୍ଟଲ ପଡ଼ିଛି।

ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ/ଉତ୍ପାଦକ ଗୋଷ୍ଠୀମାନେ ସେମାନଙ୍କ ଉତ୍ପାଦ ପ୍ରଦର୍ଶନ ସହ ବିକ୍ରି କରୁଛନ୍ତି। ଉଦଘାଟନୀ କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗର ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ଯୋଗଦେଇ ଏସଏଚଜି ମହିଳାମାନଙ୍କୁ ଉତ୍ସାହିତ କରିଥିଲେ।

ସୁନ୍ଦରଗଡ଼ ସହିତ ବିଭିନ୍ନ ଜିଲ୍ଲାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ସାମିଲ ହୋଇଛନ୍ତି। ସେମାନଙ୍କ ଦ୍ୱାରା ପ୍ରସ୍ତୁତ ଟେରାକୋଟା ସାମଗ୍ରୀ, ଢୋକ୍ରା କାଷ୍ଟିଙ୍ଗ, ହସ୍ତତନ୍ତ ସାମଗ୍ରୀ ସହିତ ବିଭିନ୍ନ ଖାଦ୍ୟ ସାମଗ୍ରୀ ଏଠାରେ ବିକ୍ରୟ କରାଯାଉଛି।

ସେହିପରି ଉତ୍ତରପ୍ରଦଶ, ଆସାମ, ତ୍ରିପୁରା, ମଣିପୁର, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଜମ୍ମୁ ଓ କଶ୍ମୀର, ପଶ୍ଚିମବଙ୍ଗ, ମଣିପୁର, ଆନ୍ଧ୍ରପ୍ରଦେଶ ଓ କେରଳର ପ୍ରସିଦ୍ଧ ସାମଗ୍ରୀ ଏହି ସରସ ମେଳାର ମୁଖ୍ୟ ଆକର୍ଷଣ ପାଲଟିଛି।

ଏହି ମେଳାରେ ପ୍ରତିଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ରାଜ୍ୟ ତଥା ରାଜ୍ୟ ବାହାରର ପ୍ରସିଦ୍ଧ କଳାକାରମାନେ ଏଥିରେ ସାମିଲ ହେବେ। ଓଡ଼ିଶା ସହିତ ବିଭିନ୍ନ ରାଜ୍ୟର କଳା, ସଂସ୍କୃତି ଓ ଐତିହ୍ୟର ଝଲକ୍ ଦେଖିବାକୁ ମିଳିବ।

ବର୍ତ୍ତମାନ ହକି ବିଶ୍ୱକପ୍ ଆରମ୍ଭ ହୋଇଛି। ଭୁବନେଶ୍ୱର ଏବଂ ରାଉରକେଲାରେ ବିଭିନ୍ନ ମ୍ୟାଚ ଖେଳାଯାଉଛି। ମେଳା ବୁଲିବାକୁ ଆସୁଥିବା ଲୋକମାନେ ଯେପରି ହକି ବିଶ୍ୱକପର ସିଧାପ୍ରସାରଣ ଦେଖିପାରିବେ ସେନେଇ ବିଶେଷ ବ୍ୟବସ୍ଥା କରାଯାଇଛି। ସାଧାରଣ ଲୋକଙ୍କ ପାଇଁ ମେଳା ପରିସରରେ ସେଲଫି ପଏଣ୍ଟ ଏବଂ ପିଲାମାନଙ୍କ ପାଇଁ ହକି ପାଭିଲିୟନ କରାଯାଇଛି। ତା’ଛଡ଼ା ସ୍ୱତନ୍ତ୍ର ଫୁଡ୍ କୋର୍ଟ ଏହି ମେଳାର ଅନ୍ୟତମ ଆକର୍ଷଣ ହୋଇଛି।

ଏହି ଅବସରରେ ହକି ବିଶ୍ୱକପ୍ ଟ୍ରଫି ସରସ ମେଳା ପରିସରରେ ପହଞ୍ଚିଥିଲା। ସେଠାରେ ଟ୍ରଫିକୁ ସ୍ୱାଗତ କରାଯାଇଥିଲା। ତା’ଛଡ଼ା ମେଳା ପରିସରରେ ଥିବା ଷ୍ଟଲଗୁଡ଼ିକ ପାଖରେ ବିଭିନ୍ନ ସାମଗ୍ରୀ ପହଞ୍ଚାଇବା ଲାଗି ପ୍ରଶାସନ ପକ୍ଷରୁ ଇ-ଅଟୋ ବ୍ୟବସ୍ଥା କରାଯାଇଛି।

ଉଦଘାଟନୀ କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ, ସୁନ୍ଦରଗଡ଼ର ବିଧାୟିକା କୁସୁମ ଟେଟେ, ଜିଲ୍ଲାପରିଷଦ ଅଧ୍ୟକ୍ଷା କୁନ୍ତୀ ପ୍ରଧାନ, ସୁନ୍ଦରଗଡ଼ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପାଧ୍ୟକ୍ଷା ସୁଶିଳା ଟପ୍ନୋ, ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି, ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ମନୋଜ ସତ୍ୟବାନ ମହାଜନ, ଓରମାସ ଡେପୁଟି ସିଇଓ କେଶବ ଝା ପ୍ରମୁଖ ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ: ଏସଏଚଜି ମହିଳାଙ୍କ ସ୍ୱାବଲମ୍ଭି କାର୍ଯ୍ୟକ୍ରମ ଅନୁଧ୍ୟାନ ପାଇଁ ଦିଲ୍ଲୀରୁ ଆସିଲେ ତିନି ଜଣିଆ ଟିମ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ବଉଳାବନ୍ଧ ପଂଚାୟତରେ ସ୍ୱୟଂ ସହାୟକ ମହିଳା ଗୋଷ୍ଠୀଙ୍କ କାର୍ଯ୍ୟକ୍ରମ ଅନୁଧ୍ୟାନ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଲ୍ଲୀରୁ ତିନି ଜଣିଆ ଟିମ ଆଜି ପୂର୍ବାହ୍ନରେ ପହଞ୍ଚିଛନ୍ତି। ଏସଏଚଜି ମହିଳାମାନଙ୍କୁ ଭେଟି ବିଭିନ୍ନ କାର୍ଯ୍ୟ ସମ୍ବନ୍ଧରେ ସମୀକ୍ଷା କରିବା ସହ ସ୍ୱାବଲମ୍ଭି ଦିଗରେ ଆଲୋଚନା କରିଛନ୍ତି।

ସୂଚନା ମୁତାବକ ବଉଳାବନ୍ଧ ପଂଚାୟତରେ ୧୨୦ ଏସଏଚଜି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ରହିଥିବା ବେଳେ କେଉଁ କେଉଁ ଗ୍ରୁପ କଣ କଣ କାର୍ଯ୍ୟ କରୁଛନ୍ତି ଓ ସରକାରଙ୍କ ପକ୍ଷରୁ ଆସୁଥିବା ଋଣକୁ କିଭଳି ବିନିଯୋଗ କରାଯାଉଛି, ତାହା  ବୁଝିବା ସହ ବିଭିନ୍ନ ଆଲୋଚନା କରାଯାଇଥିଲା। ଯାହାକି ଏସଏଚଜି ମହିଳାମାନେ ନିଜ ଉଦ୍ୟମରେ ଫିନାଇଲି, ଅଗରବତୀ, ମହମବତୀ ଆଦି ପ୍ରସ୍ତୁତ କରି ସ୍ଥାନୀୟ ବଜାରରେ ବିକ୍ରି କରି ସ୍ୱାବଲମ୍ଭି ହେଉଛନ୍ତି।

ଅନୁଷ୍ଠିତ ସମୀକ୍ଷା ବୈଠକରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଡ଼ାଇରେକ୍ଟର ରାଘବେନ୍ଦ୍ର ପ୍ରତାପ ସିଂ, ଆର ଏଲ ଅନିଲି କୁମାର ସିଂ,ଏମ୍ ଏମ୍ ସୋମନାଥ ଚୌଧୁରୀ, ଓଏଲମ ଡିପାର୍ଟମେଣ୍ଟରୁ ବିଭୁ ସନ୍ତୋଷ ବେହେରା, ଦେବସ୍ମିତା ମହାନ୍ତି, ଭାନୁ ପ୍ରତାପ ସ୍ବାଇଁ, ପଦ୍ମଲୋଚନ ରାଉତରାୟ, ଖୋର୍ଦ୍ଧା ଡ଼ିପିଏମ ବିବେକ ବେହୁରିଆ, ଚିଲିକା ବ୍ଲକ ବିପିଏମ ଦାୟିତ୍ୱରେ ଥିବା ବିଜୟ କୁମାର ସାହୁ, ବିଏଲସି ସ୍ମିତା ଜାହ୍ନବୀ ନନ୍ଧ, ବ୍ଲକ ପ୍ରୋଜେକ୍ଟ କୋଡ଼ିନେଟର ମିଶନ ଶକ୍ତି ବିପ୍ଳବ ମଲ୍ଲିକ, ଏମବିକେ ମନିସା ଜେନା, ବଉଳାବନ୍ଧ ସରପଞ୍ଚ ରଶ୍ମିତା ବେହେରା, ନାଏବ ସରପଞ୍ଚ ନରେନ୍ଦ୍ର କୁମାର ପଲାଇ ଓ ସିଆରପିଙ୍କ ସମେତ ଏସଏଚଜି ମହିଳାମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବଡବାହାଳ ଯୁବକ ସଂଘର ଦୁର୍ଗା ମଣ୍ଡପ ବିବାଦ: ଏସଏଚଜି ମହିଳା ଓ କ୍ଲବ୍ ସଦସ୍ୟ ମଧ୍ୟରେ ଟଣାଓଟରା

କନ୍ଦର୍ପ ବେହରା

ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଳକ ବଡବହାଳ ଗ୍ରାମରେ ଥିବା ଯୁବକ ସଂଘର ଏକ ଗୃହକୁ ବ୍ଲକ୍ ପ୍ରଶାସନ ଗ୍ରାମର ଏସ୍.ଏଚଜି ର ମହିଳା ସଦସ୍ୟ ମାନଙ୍କୁ ନେଇ ଯୁବକ ସଂଘ ଓ ମହିଳା ଗ୍ରୁପ୍ ମଧ୍ୟରେ ବିବାଦ ଥମିବାରେ ନାଁ ଧରୁନି।

ପ୍ରକାଶ ଯେ, ଦୀର୍ଘ ୧୫ ବର୍ଷରୁ ଉର୍ଦ୍ଧ୍ବ ହେଲା ଉକ୍ତ ଗ୍ରାମର ଯୁବକ ସଂଘ ସଦସ୍ୟ ମାନେ ଦୁର୍ଗାପୂଜା କରିଆସୁଥିବା ବେଳେ ବିଭିନ୍ନ ସମୟରେ ସରକାରୀ ସ୍ତରରୁ ଅନୁଦାନ ଆଣି କାମ କରିଥିଲେ। ଏହି ଗୃହକୁ ପରବର୍ତ୍ତୀ ସମୟରେ ବ୍ଳକ ପ୍ରଶାସନ ପକ୍ଷରୁ ସୂଚନା ଫଳକ ଲଗାଇ ଏସ‌ଏଚଜି ଗୃପର ମହିଳା ସଦସ୍ୟ ମାନଙ୍କୁ ହସ୍ତାନ୍ତର କରାଯାଇଥିବା ଯୁବକ ସଂଘର ସଦସ୍ୟମାନେ ଅଭିଯୋଗ କରିଛନ୍ତି।

ଫଳରେ ବଡବାହାଳ ଗ୍ରାମରେ ଯୁବକ ସଂଘର ସଦସ୍ୟ ଓ ଏସ‌ଏଚଜି ମହିଳା ସଦସ୍ୟା ମାନଙ୍କ ମଧ୍ୟରେ ଟଣା ଓଟରା ଦେଖାଦେଇଛି। ଏନେଇ ଗ୍ରାମରେ ଅସନ୍ତୋଷ ଦେଖାଦେବା ସହ ଯୁବକ ସଂଘର ସଦସ୍ୟ ମାନେ ବ୍ଳକ କର୍ତ୍ତୁପକ୍ଷ ମିଶନ ଶକ୍ତି ଗୃହ ନାମରେ ଅର୍ଥ ହରିଲୁଟ କରିଥିବା ସଙ୍ଘର ସଦସ୍ୟ ମାନେ ପ୍ରକାଶ କରିଛନ୍ତି। ମିଶନ ଶକ୍ତି ଗୃହ ନାମରେ କ୍ଲବ୍ ଘରଟିକୁ ସୂଚନା ଫଳକ ଦେଇ ଅର୍ଥ ଆତ୍ମସାତ୍ କରାଯାଇଥିବା ଅଭଯୋଗ ହେୀଇଛି।

ସୂଚନା ଯୋଗ୍ୟ ଯେ, ରେଢ଼ାଖୋଲ ବ୍ଳକ ବଡବାହାଲ ଗ୍ରାମର ଯୁବକ ସଂଘର ସଦସ୍ୟ ମାନେ ଦୁର୍ଗାପୂଜା ପାଇଁ ବେସରକାରୀ ଜାଗାକୁ ନିରୂପଣ କରି ଗତ ୨୦୦୫ ମସିହାରେ ଦୁର୍ଗା ମଣ୍ଡପ ନିଜସ୍ଵ ପାଣ୍ଠିରୁ ନିର୍ମାଣ କରି ପୂଜାବିଧି କରିଆସୁଛନ୍ତି। ସଂଘ ସଦସ୍ୟ ମାନେ ନିଜ ମଧ୍ୟରେ ଚାନ୍ଦା ଆଦାୟ କରି ଦୁର୍ଗା ମଣ୍ଡପର ଫାଉଣ୍ଡେସନ ପକାଇ ଛ‌ଅ ଫୁଟ ଉଚ୍ଚତା ବିଶିଷ୍ଟ ଘର କାନ୍ଥ ନିର୍ମାଣ କରିଥିଲେ। ଅସଂପୂର୍ଣ୍ଣ ଘରକୁ ପୂଜା ବିଧି କରିବାରେ ଅସୁବିଧା ହେବାରୁ ପୁନର୍ବାର ସଂଘର ସଦସ୍ୟ ମାନେ ବଡବାହାଲ ପଞ୍ଚାୟତ କାର୍ଯ୍ୟାଳୟର ଦ୍ବାରସ୍ଥ ହୋଇ କିଛି ସରକାରୀ ଅନୁଦାନ ମାଗିଥିଲେ।

ଏହାପରେ ପଞ୍ଚାୟତ କର୍ତ୍ତୁପକ୍ଷ ଦୁର୍ଗା ମଣ୍ଡପର ଉନ୍ନତି କରଣ ପାଇଁ ବ୍ଳକ ଅନୁଦାନରୁ ୫୦ ହଜାର ଟଙ୍କା ଅର୍ଥ ଅନୁଦାନ ମଞ୍ଜୁର ହୋଇ ଦୁର୍ଗାପୂଜା ମଣ୍ଡପର ଉନ୍ନତିକରଣ କରାଯାଇଥିଲା। ଯାହାର ସୂଚନା ଫଳକ ବର୍ତ୍ତମାନ ଦେଖିବାକୁ ମିଳୁଛି। ବ୍ଳକ ପ୍ରଶାସନ ପକ୍ଷରୁ ଅନୁଦାନପରେ ମଧ୍ୟ ସଂପୂର୍ଣ୍ଣ ହାଇପାରିଲା ନାହିଁ। ପୁଣି ସଂଘର ସଦସ୍ୟ ମାନେ ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀଙ୍କ ଦ୍ବାରସ୍ଥ ହୋଇ ଅସଂପୂର୍ଣ୍ଣ ଘରକୁ ସଂପୂର୍ଣ୍ଣ କରିବା ପାଇଁ ଜଣାଇଥିଲେ।‌ ଏହା ପରେ ବିଧାୟକ ପାଣ୍ଠିରୁ ଦୁର୍ଗା ମଣ୍ଡପର ଉନ୍ନତି କରଣ ପାଇଁ ୧ ଲକ୍ଷ ଟଙ୍କାର ଅନୁଦାନ ମିଳିଥିବା ସଂଘ ପକ୍ଷରୁ କୁହାଯାଇଛି।

ଉକ୍ତ ଅନୁଦାନ ଅର୍ଥରେ ଗୃହ ନିର୍ମାଣ କରି ଘରକୁ ସଂପୂର୍ଣ୍ଣ କରିଥିଲେ ମାତ୍ର ଇତି ମଧ୍ୟରେ ସଂଘର ସଦସ୍ୟମାନେ ବିଭିନ୍ନ ପାଣ୍ଠିରୁ ଅର୍ଥ ଆଣି ସଂପୂର୍ଣ୍ଣ କରିଥିବା ବେଳେ ବ୍ଳକ ପ୍ରଶାସନ ପକ୍ଷରୁ ସେହି ଦୂର୍ଗା ମଣ୍ଡପରେ ଆମ ଗାଁ ଆମ ବିକାଶ ଯୋଜନାରେ ୨ ଲକ୍ଷ ଟଙ୍କା ଅନୁଦାନର କେବଳ ସୂଚନା ଫଳକ ଲଗାଇ କୈାଣସି କାମ ନକରି ଉକ୍ତ ମହିଳା ସଂଘଙ୍କୁ ନାମକୁ ହସ୍ତାନ୍ତର କରାଯାଇଛି।

ଫଳରେ ଉଭୟ ଯୁବକ ସଂଘ ଏବଂ ମହିଳା ସଂଘ ମଧ୍ୟରେ ଟଣାଓଟରା ରହିଛି। ଏହି ପରିପ୍ରେକ୍ଷୀରେ ଉଭୟ ସଂଘର ସଦସ୍ୟମାନେ ପଞ୍ଚାୟତ କାର୍ଯ୍ୟାଳୟର‌ ଦ୍ବାରସ୍ଥ ହୋଇ ନିର୍ମାଣ ସଂପୂର୍ଣ୍ଣ ହୋଇଥିବା ଗୃହକୁ ନେବା ପାଇଁ ଦାବି କରୁଛନ୍ତି।

ଅପର ପକ୍ଷରେ ବ୍ଳକ ପ୍ରଶାସନ ପକ୍ଷରୁ ମିଶନ ଗୃହ ପାଇଁ କୋୖଣସି କାମ ନକରି ଏସ‌ଏଚଜି ମହିଳା ଗୋଷ୍ଠୀକୁ ଉକ୍ତ ଘରର ଚାବି ହସ୍ତାନ୍ତର କରାଯାଇଥିବାରୁ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଦୀର୍ଘ ବର୍ଷ ହେଲା ଯୁବକ ସଂଘ ପକ୍ଷରୁ ଉକ୍ତ ଘର ଭିତରେ ପୂଜା ବିଧି ହେଉଥିବା ଦେବାଦେବୀଙ୍କ ଯଜ୍ଞ ମଣ୍ଡପ ଦେଖିବାକୁ ମିଳୁଛି। ଫଳରେ ବ୍ଳକ ପ୍ରଶାସନର ଏପରି କାମକୁ ଲୋକଙ୍କ ମଧ୍ୟରେ ସନ୍ଦେହ ଜାତ ହେଉଛି। ‌

ଏ ସଂକ୍ରାନ୍ତରେ ରେଢ଼ାଖୋଲ ବିଡ଼ିଓ ପରୀକ୍ଷିତ ସାହୁଙ୍କୁ ପଚାରିବାରୁ ଉକ୍ତ ଘରଟି ବ୍ଳକ ପ୍ରଶାସନର ମିଶନ ଶକ୍ତି ଗୃହ ହୋଇଥିବା ସ୍ପଷ୍ଟ କରିଛନ୍ତି। ଏଣୁ ଉକ୍ତ ଘରଟିକୁ ମହିଳା ଏସ‌ଏଚଜି ସଦସ୍ୟା ମାନଙ୍କୁ ହସ୍ତାନ୍ତର କରାଯାଇଛି ବୋଲି ପ୍ରକାଶ କରିଛନ୍ତି।