Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ସୋସିଆଲ ମିଡିଆରେ ଯୁବତୀଙ୍କ ଅଶ୍ଳୀଳ ଫୋଟୋ ଭାଇରଲ: ଦୁଇ ଅଭିଯୁକ୍ତଙ୍କୁ ବାନ୍ଧିଲା ଟାଙ୍ଗୀ ପୋଲିସ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ସୋସିଆଲ ମିଡିଆରେ ଯୁବତୀଙ୍କ ଅଶ୍ଳୀଳ ଫୋଟୋ ଭାଇରାଲ କରିବା ମହଙ୍ଗା ପଡିଛି। ଏହି ମାମଲାରେ ଦୁଇ ଜଣ ଯୁବକଙ୍କୁ ପୋଲିସ ଗିରଫ କରିଛି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଞ୍ଚଳରେ ଏପରି ଏକ ଘଟଣା ଘଟିଛି।  ଏ ନେଇ ଆଜି ମଧ୍ୟାହ୍ନରେ ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ ଟାଙ୍ଗୀ ଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି।

ଏସଡ଼ିପିଓ ଙ୍କ ସୂଚନା ମୁତାବକ ଗତ ମଇ ୨୯ ତାରିଖରେ ଟାଙ୍ଗୀ ଥାନାରେ ପୀଡିତାଙ୍କ ମା’ ତାଙ୍କ ଝିଅର ଅଶ୍ଳୀଳ ଫୋଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିବାର ଲିଖିତ ଅଭିଯୋଗ କରିଥିଲେ। ଟାଙ୍ଗୀ ପୋଲିସ ସଙ୍ଗେସଙ୍ଗେ ସୂଚନା ଏବଂ ପ୍ରଯୁକ୍ତିବିଦ୍ୟା ନିୟମ ଅନୁଯାୟୀ ଧାରା ୬୬(ସି), ୬୬(ଇ), ୬୭ ରେ ୧୬୮/୨୧ ରେ ଏକ ମାମଲା ରୁଜୁ କରିଥିଲା। ଏହି ଘଟଣାକୁ ଖୋର୍ଦ୍ଧା ଏସପି ଗୁରୁତର ସହକାରେ ନେଇ ଦୁଇଟି ସ୍ୱତନ୍ତ୍ର ଟିମ ଗଠନ କରାଯାଇ ବିଭିନ୍ନ ଜାଗାରେ ଚଢ଼ାଉ ଜାରିରହିଥିଲା।

ତେବେ ଗତକାଲି ପୋଲିସ ଉକ୍ତ ଘଟଣାର ମୁଖ୍ୟ ଅଭିଯୁକ୍ତ ଏବଂ ତାଙ୍କ ସହଯୋଗୀଙ୍କୁ ଗିରଫ କରିଛି। ମୁଖ୍ୟ ଅଭିଯୁକ୍ତ ଜଣକ ହେଲେ ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅଞ୍ଚଳର ଶକ୍ତି ପ୍ରସାଦ ପାତ୍ର ଏବଂ ସହଯୋଗୀ ଯୁବକ ହେଲେ କାହ୍ନା ସ୍ୱାଇଁ। ଉଭୟଙ୍କୁ ଆଜି ଟାଙ୍ଗୀ ପୋଲିସ କୋର୍ଟ ଚାଲାଣ କରିଛି। ତତସହିତ ଉକ୍ତ କେସରେ ଆଉ କେଉଁ କେଉଁ ମାନେ ସମ୍ପୃକ୍ତ ଅଛନ୍ତି ସେମାନଙ୍କ ସନ୍ଧାନ ଜାରିରହିଛି ବୋଲି ସୂଚନା ଦେଇଛନ୍ତି ଏସଡ଼ିପିଓ। ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଟାଙ୍ଗୀ ଆଇଆଇସି ବିଜୟ କୁମାର ମଲ୍ଲିକ ଉପସ୍ଥିତ ଥିଲେ।