Categories
ଆଞ୍ଚଳିକ

ବନବିଭାଗ ହେପାଜତରେ ଯୁବକଙ୍କ ମୃତ୍ୟୁ ଘଟଣା: ବାଣପୁରରେ ତଦନ୍ତ କଲେ ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ଏସପି

ସୀତାରାମ ଅଗ୍ରୱାଲ

ବାଣପୁର: ବନବିଭାଗ ହେପାଜତରେ ଥିବା ଯୁବକର ସନ୍ଦେହଜନକ ମୃତ୍ୟୁ ଘଟଣାରେ ତଦନ୍ତ ଆରମ୍ଭ କରିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ। ଆଜି ଜିଲ୍ଲାପାଳ ସନତ କୁମାର ମହାନ୍ତି ଏବଂ ଏସପି ଅଜେୟ ପ୍ରତାପ ସ୍ୱାଇଁ ବାଣପୁର ଗସ୍ତରେ ଆସି ଏହି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, କାଠ ଚୋର ସନ୍ଦେହରେ ନୟାଗଡ ଜିଲ୍ଲା ଶରଣକୂଳ ଥାନା ଅନ୍ତର୍ଗତ ଗୋଲଗାଁର ବଳଭଦ୍ର ବେହେରାଙ୍କୁ ବାଣପୁର ବନ ବିଭାଗ ଅଟକ ରଖିଥିଲା। କିନ୍ତୁ ବନ ବିଭାଗ ହେପାଜତରେ ଥିବା ବେଳେ ବଳଭଦ୍ରଙ୍କ ମୃତ୍ୟୁ ହୋଇଥିଲା। ତେବେ ଏନେଇ ବନବିଭାଗ କର୍ମଚାରୀ ତାଙ୍କୁ ପିଟିପିଟି ମାରି ଦେଇଥିବାର ବଳଭଦ୍ରଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ। ତାଙ୍କର ମୃତ୍ୟୁକୁ ନେଇ ପରିବାର ଏବଂ ଗ୍ରାମବାସୀ ଦୁଇ ଦିନ ଧରି ବାଣପୁର ମେଡ଼ିକାଲରେ ଧାରଣାରେ ବସିଥିଲେ।

ହେଲେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲାପରେ ପ୍ରକୃତ ଘଟଣା ଜଣାପଡିବ ଏବଂ ଯଦି ରିପୋର୍ଟ ରେ ଯୁବକଙ୍କ ପରିବାର ବର୍ଗଙ୍କ ଅଭିଯୋଗ ମୁତାବକ କିଛି ତଥ୍ୟ ଆସେ, ତାହାଲେ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବାଣପୁର ପ୍ରଶାସନ ପ୍ରତିଶୃତି ଦେବା ପରେ ବୁଧବାର ସନ୍ଧ୍ୟାରେ ଧାରଣାରୁ ଉଠିଥିଲେ ମୃତକଙ୍କ ପରିବାର ଏବଂ ଗ୍ରାମବାସୀ। ଏହା ସହିତ ବାଣପୁର ବନବିଭାଗର କେତେକ କର୍ମଚାରୀଙ୍କ ବିରୁଦ୍ଧରେ ବାଣପୁର ଥାନାରେ କେସ ନମ୍ବର ୩୧୯/୨୦ ରେ ଏକ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ ମୃତକଙ୍କ ପତ୍ନୀ ପ୍ରତିମା ବେହେରା।

ଆଜି ସକାଳେ ଏହି ଘଟଣାର ଟିକିନିକି ତଦନ୍ତ ପାଇଁ ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବାଣପୁର ପ୍ରଶାସନ ସହ ଧୂଆଁନଳୀ ଫରେଷ୍ଟ ସେକ୍ସନ ଅଞ୍ଚଳରେ ପହଞ୍ଚିଥିଲେ l ତଦନ୍ତ ସାରି ବାଣପୁର ଫେରିବାପରେ ଏହାର ଫଳାଫଳ ବିଷୟରେ ଆମ ପ୍ରତିନିଧି ଜିଲ୍ଲାପାଳଙ୍କୁ ପଚାରିବାରୁ ଉଭୟ ଜିଲ୍ଲପାଳ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଉକ୍ତ ଘଟଣାର ତଦନ୍ତ କରିବା ସହ ବିଭିନ୍ନ ବନ ବିଭାଗ ଅଧିକାରୀ ଏବଂ କର୍ମଚାରୀଙ୍କୁ ଏ ବାବଦରେ ପଚରାଉଚୁରା କରିଛନ୍ତି। ଏହାର ଏକ ଯୁଗ୍ମ ରିପୋର୍ଟ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଦାଖଲ କରିବେ ବୋଲି ସୂଚନା ଦେଇଥିଲେ ଉଭୟ ଜିଲ୍ଲାପାଳ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ।

ଶେଷରେ ଜିଲ୍ଲାପାଳ ସ୍ଥାନୀୟ ପ୍ରଶାସନ ସହ ଏକ ବୈଠକରେ ଭାଗ ନେଇ କରୋନା ସ୍ଥିତି ସମୀକ୍ଷା କରିଥିଲେ। ବର୍ତ୍ତମାନ ଚିଲିକାରେ କୋଭିଡ ସ୍ଥିତି ବହୁତ ସୁଧୁରୁଛି ଏବଂ ଖୁବ କମ ସକ୍ରିୟ କେସ ଅଛି ବୋଲି କହିଥିଲେ ଜିଲ୍ଲାପାଳ। ଏଥିପାଇଁ ଜିଲ୍ଲାପାଳ ଗଣମାଧ୍ୟମକୁ ପ୍ରଶାସନର ସହଯୋଗ କରିଥିବାରୁ ଧନ୍ୟବାଦ ଜଣାଇଥିଲେ। ହେଲେ ଆଗକୁ ପାର୍ବଣ ଋତୁ ଆସୁଥିବାରୁ ସମସ୍ତ ଜନସାଧାରଣଙ୍କୁ ଆହୁରି ଅଧିକ ସତର୍କ ରହିବାକୁ ପଡିବ ଅନ୍ୟଥା କୋଭିଡ କେସ ପୁନର୍ବାର ବଢିପାରେ ବୋଲି ଜିଲ୍ଲାପାଳ ମତ ରଖିଥିଲେ। ଏହାସହ ଜିଲ୍ଲାପାଳ ଏନ୍ଫୋର୍ସମେଣ୍ଟକୁ କଡାକଡି କରିବା ଲାଗି ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିବାର ଆମ ପ୍ରତିନିଧିଙ୍କୁ ସୂଚନା ଦେଇଥିଲେ। ଜିଲ୍ଲାପାଳ ଏବଂ ଏସପିଙ୍କ ଉକ୍ତ ଗସ୍ତ ସମୟରେ ଖୋର୍ଦ୍ଧା ଏ.ସି.ଏଫ.ଓ, ବାଣପୁର ତହସିଲଦାର, ବାଲୁଗାଁ ଏସ.ଡ଼ି.ପି.ଓ, ବାଣପୁର ଆଇ.ଆଇ.ସି ପ୍ରମୁଖ ଉପସ୍ଥିତ ଥିଲେ।