Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟସ୍ତରୀୟ ଜନଜାତି କବି ସମ୍ମିଳନୀ: କବିତା ମାଧ୍ୟମରେ ଆଦିବାସୀ ଜୀବନ, ସଂସ୍କୃତି ଓ ପରମ୍ପରାର ପ୍ରତିଛବି

ଭୁବନେଶ୍ୱର: ଜନଜାତୀୟ ଗୌରବ ଦିବସ କାର୍ଯ୍ୟକ୍ରମ ଅବସରରେ ଭୁବନେଶ୍ୱରସ୍ଥିତ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (ଏସସିଏସଟିଆରଟିଆଇ) ପକ୍ଷରୁ ଏକ ରାଜ୍ୟସ୍ତରୀୟ ଜନଜାତି କବି ସମ୍ମିଳନୀ ଆୟୋଜନ କରାଯାଇଛି। ବୁଧବାର ଦିନ ଏହାକୁ ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା ଉଦଘାଟନ କରିଥିଲେ।

କବି ସମ୍ମିଳନୀର ପ୍ରଥମ ଦିନରେ ବିଭିନ୍ନ ଆଦିବାସୀ ସଂପ୍ରଦାୟର ୨୪ ଜଣ କବି ନିଜ ନିଜ ଭାଷାରେ କବିତା ପାଠ କରିଥିଲେ। ଏହି ଦୁଇଦିନିଆ ସମ୍ମିଳନୀରେ ବିନଝାଲ, ଦେଶିଆ, ଗଦବା, କୋୟା, କୁଇ, ଖଡ଼ିଆ, କୁଭି, ପରଜା, ସଉରା, ଲାଞ୍ଜିଆ ସଉରା, ଗଣ୍ଡ, ମୁଣ୍ଡା, ଭୂମିଜ, ଜୁଆଙ୍ଗ, ସାନ୍ତାଳୀ ଏବଂ ହୋ ଆଦି ସଂପ୍ରଦାୟର ୫୦ ଜଣ କବି ଭାଗ ନେଉଛନ୍ତି।
‘‘ଓଡ଼ିଶାରେ ବସବାସ କରୁଥିବା ଜନଜାତିଙ୍କର କଳା ଓ ସଂସ୍କୃତି ଅନନ୍ୟ। ସାହିତ୍ୟରେ ମଧ୍ୟ ଜନଜାତୀୟ କବି ଓ ଲେଖକମାନେ ସୁନାମ ଅର୍ଜନ କରିଛନ୍ତି। ଏଭଳି ଜନଜାତି କବି ସମ୍ମିଳନୀ ସ୍ଥାନୀୟ ସାହିତ୍ୟର ବିକାଶରେ ବିଶେଷ ସହାୟକ ହୋଇପାରିବ’’, କହିଛନ୍ତି ମନ୍ତ୍ରୀ ଜଗନ୍ନାଥ ସାରକା।

ଏଭଳି ଅଭିନବ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ ବିଶିଷ୍ଟ ସାହିତ୍ୟିକ ତଥା ‘ସରଗିଫୁଲ’ର ସମ୍ପାଦକ ଦାଶ ବେନହୁର। ସେ କହିଥିଲେ, ‘‘ଆଦିମ କାଳରେ ଜନଜାତି ସଂପ୍ରଦାୟର ଲୋକମାନେ ସାହିତ୍ୟ ରଚନା ଆରମ୍ଭ କରିଥିଲେ। ସେମାନେ ସବୁବେଳେ ପ୍ରକୃତି ସହ ଯୋଡ଼ିହୋଇ ରହୁଥିବାରୁ ସେମାନଙ୍କର କଳ୍ପନା ଶକ୍ତି ଅଧିକ ରହିଛି। ଏଥିପାଇଁ ବିଭିନ୍ନ ଜନଜାତୀୟ କବିତାରେ ଆଦିବାସୀ ସଂସ୍କୃତି, ପରମ୍ପରା ଏବଂ ପ୍ରକୃତି ଆଦି ବିଷୟ ଅତି ନିଖୁଣ ଭାବେ ବର୍ଣ୍ଣନା ହୋଇଥିବା ଦେଖିବାକୁ ମିଳେ। ତେଣୁ ବର୍ତ୍ତମାନ ସମୟରେ ଆଦିବାସୀ ସାହିତ୍ୟକୁ ଆହୁରି ଆଗକୁ ନେବାର ସମୟ ଆସିଛି।’’

ସମ୍ମିଳନୀରେ ଏସସିଏସଟିଆରଟିଆଇ ନିର୍ଦ୍ଦେଶକ ଇନ୍ଦ୍ରମଣୀ ତ୍ରିପାଠୀ ସମସ୍ତଙ୍କୁ ସ୍ୱାଗତ କରିବା ସହ କହିଥିଲେ ଯେ, ଆଦିବାସୀ ଭାଷା ଓ ସାହିତ୍ୟର ବ୍ୟାପକ ପ୍ରସାର ଲାଗି ଜନଜାତୀୟ ଗୌରବ ଦିବସ କାର୍ଯ୍ୟକ୍ରମ ସିରିଜ୍ ଅବସରରେ ବିଭାଗ ପକ୍ଷରୁ ପ୍ରଥମ ଥର ପାଇଁ ଏଭଳି ବ୍ୟାପକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।

ଏସସିଏସଟିଆରଟିଆଇ ଓଏସଡି ସମରେନ୍ଦ୍ର ଭୁତିଆ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉପନିର୍ଦ୍ଦେଶକ ସନ୍ତୋଷ କୁମାର ରଥ, ସହକାରୀ ନିର୍ଦ୍ଦେଶକ ମଧୁସ୍ମିତା ସାହୁ ଏବଂ ପ୍ରତିଷ୍ଠାନର ଅନ୍ୟ ଅଧିକାରୀମାନେ ଯୋଗ ଦେଇଥିଲେ। ସମ୍ମିଳନୀରେ ଯୋଗ ଦେଇଥିବା ଜନଜାତି କବିମାନଙ୍କୁ ଆୟୋଜକଙ୍କ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

‘ଜନଜାତୀୟ ଗୌରବ ଦିବସ’ କାର୍ଯ୍ୟକ୍ରମ ଅବସରରେ ଏସସିଏସଟିଆରଟିଆଇ ପକ୍ଷରୁ ଜନଜାତି ଚିତ୍ରକଳା ଓ ପ୍ରଦର୍ଶନୀ

ଭୁବନେଶ୍ୱର: ରାଜ୍ୟସ୍ତରୀୟ ଜନଜାତୀୟ ଗୌରବ ଦିବସ କାର୍ଯ୍ୟକ୍ରମ ଅବସରରେ ଭୁବନେଶ୍ୱରସ୍ଥିତ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (ଏସସିଏସଟିଆରଟିଆଇ) ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ କରାଯାଉଛି। ଏହି ଅବସରରେ ଏସସିଏସଟିଆରଟିଆଇ ପରିସରରେ ଗୁରୁବାରଠାରୁ ଜନଜାତି ଚିତ୍ରକଳା କର୍ମଶାଳା ଓ ପ୍ରଦର୍ଶନୀ ଆରମ୍ଭ ହୋଇଛି। ଏଥିରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ୨୫ ଜଣ ଯୁବ ଚିତ୍ରଶିଳ୍ପୀ ଭାଗନେଇ ସେମାନଙ୍କ ସର୍ଜନାତ୍ମକ ପ୍ରତିଭା ଦେଖାଉଛନ୍ତି।

ଏହି କର୍ମଶାଳା ଓ ପ୍ରଦର୍ଶନୀକୁ ଅନୁସୂଚିତ ଜନଜାତି, ଜାତି, ଉନ୍ନୟନ, ସଂଖ୍ୟାଲଘୁ ସଂପ୍ରଦାୟ ତଥା ପଛୁଆବର୍ଗ କଲ୍ୟାଣ ବିଭାଗର ସଚିବ ରୂପା ରୋଶନ ସାହୁ ଉଦଘାଟନ କରିଥିଲେ। ସେ କହିଥିଲେ, ‘‘ଜନଜାତି ଚିତ୍ରକଳାର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। ବର୍ତ୍ତମାନ ପିଢ଼ିର ଶିଳ୍ପୀମାନେ ଏହାକୁ ଅନ୍ତର୍ଜାତୀୟ ସ୍ତରରେ ବ୍ୟାପକ ଭାବେ ପ୍ରସାର କରୁଛନ୍ତି। ଜନଜାତି ଚିତ୍ରକଳାର ସଂରକ୍ଷଣ ଓ ଅଧିକ ପ୍ରସାର ନିମନ୍ତେ ଏହାକୁ ସ୍ୱତନ୍ତ୍ର ବିଷୟ ଭାବେ ପାଠ୍ୟକ୍ରମରେ ସାମିଲ କରିବା ପାଇଁ ଉଦ୍ୟମ କରାଯିବା ଦରକାର ଫଳରେ ଜନଜାତିଙ୍କ ଉପରେ ଗବେଷଣା ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି ହୋଇପାରିବ।’’ ଏହିଭଳି ପ୍ରଦର୍ଶନୀ ଓଡ଼ିଶାର ଜନଜାତୀୟ ଚିତ୍ରକଳାକୁ ବିଶ୍ୱ ସ୍ତରରେ ପହଞ୍ଚାଇ ପାରିବ ବୋଲି ସେ କହିଥିଲେ।

ଭୁବନେଶ୍ୱରସ୍ଥିତ ବି କେ କଲେଜ ଅଫ୍ ଆର୍ଟସ୍ ଆଣ୍ଡ କ୍ରାଫ୍ଟସ୍ ସହଭାଗିତାରେ ଏହି ବିଶେଷ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ଏଥିରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ୨୫ ଜଣ ଶିଳ୍ପୀ ଭାଗନେଇ ଆକର୍ଷଣୀୟ ଚିତ୍ର ଆଙ୍କୁଛନ୍ତିା ଏଥିରେ ଜନଜାତିଙ୍କ ଜୀବନୀ, କଳା ଓ ସଂସ୍କୃତି ଆଦି ଉପରେ ନିଖୁଣ ଚିତ୍ର ଦେଖିବାକୁ ମିଳୁଛି।

ଏସସିଏସଟିଆରଟିଆଇ ତଥା ବିଭାଗୀୟ ନିର୍ଦ୍ଦେଶକ ଇନ୍ଦ୍ରମଣୀ ତ୍ରିପାଠୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ, ‘‘ଜନଜାତି ଚିତ୍ରକଳାକୁ ଅଧିକ ପ୍ରୋତ୍ସାହନ ଦେବା ଲାଗି ଆଦିବାସୀ ଭାଷା ଓ ସଂସ୍କୃତି ଏକାଡେମୀ ତରଫରୁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଉଛି। ଚିତ୍ରକଳା କର୍ମଶାଳା ଓ ପ୍ରଦର୍ଶନୀ ମାଧ୍ୟମରେ ଓଡ଼ିଶାର ବିଭିନ୍ନ ଜନଜାତି ସଂପ୍ରଦାୟର ଜୀବନୀ, ସଂସ୍କୃତି ଓ ଐତିହ୍ୟର ପ୍ରତିଛବି ଦେଖିବାକୁ ମିଳୁଛି।’’

ଏହି କାର୍ଯ୍ୟକ୍ରମରେ ବି କେ କଲେଜ ଅଫ୍ ଆର୍ଟସ୍ ଆଣ୍ଡ କ୍ରାଫ୍ଟସ୍ ଅଧ୍ୟକ୍ଷ ଗଜେନ୍ଦ୍ର କୁମାର ପାଢ଼ୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ତାଙ୍କ ସହ ଅଧ୍ୟାପକ ମାନସ କୁମାର ଜେନା ଅନ୍ୟତମ ଅତିଥି ଭାବେ ଯୋଗଦେଇ ଚିତ୍ରଶିଳ୍ପୀମାନଙ୍କ ସହ କଥା ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ଯୁବ ଚିତ୍ରଶିଳ୍ପୀମାନଙ୍କ ଦ୍ୱାରା ପ୍ରସ୍ତୁତ ଚିତ୍ରକଳା ପରବର୍ତ୍ତି ସମୟରେ ରାଜ୍ୟ ଜନଜାତି ସଂଗ୍ରହଳୟରେ ସଂରକ୍ଷିତ ହୋଇ ରହିବ।

କାର୍ଯ୍ୟକ୍ରମରେ ଏସସିଏସଟିଆରଟିଆଇର ଓଏସଡି ସମରେନ୍ଦ୍ର ଭୂତିଆ ଅତିଥିମାନଙ୍କୁ ସ୍ୱାଗତ କରିଥିବା ବେଳେ ଉପନିର୍ଦ୍ଦେଶକ ସନ୍ତୋଷ କୁମାର ରଥ ଧନ୍ୟବାଦ ପ୍ରଦାନ କରିଥିଲେ।

ଜନଜାତୀୟ ଗୋରବ ଦିବସ କାର୍ଯ୍ୟକ୍ରମ ନଭେମ୍ବର ୨୬ ତାରିଖ ଯାଏଁ ଚାଲିବ। ଏଥିରେ ଓଡ଼ିଶାର ଆଦିବାସୀ କଳା ଓ କଳାକୃତିର ଲାଇଭ୍ ଡେମୋ ସହିତ ଚିତ୍ରକଳା ପ୍ରତିଯୋଗିତା ଓ ପ୍ରଦର୍ଶନୀ ଏବଂ ଜନଜାତି କବି ସମ୍ମିଳନୀ ଆଦି ଆୟୋଜନ କରାଯାଉଛି।

ଭୁବନେଶ୍ୱର ସିଆରପିଏଫ୍ ଛକ ନିକଟରେ ଥିବା ରାଜ୍ୟ ଜନଜାତି ସଂଗ୍ରହଳୟରେ ଆଦିବାସୀଙ୍କ ଜୀବନ, ଜୀବିକା, ପୋଷାକ, ଅଳଙ୍କାର, ପାରମ୍ପରିକ ଅସ୍ତ୍ରଶସ୍ତ୍ର ଆଦି ସଂରକ୍ଷିତ ହୋଇ ରହିଛି। ତେଣୁ ବିଭିନ୍ନ ସ୍କୁଲ, କଲେଜର ଛାତ୍ରଛାତ୍ରୀ, ଶିକ୍ଷକ, ଅଭିଭାବକ, ଗବେଷକ ଏବଂ ସାଧାରଣ ଲୋକମାନେ ଏହି ସଂଗ୍ରହାଳୟ ପରିଦର୍ଶନ କରିବାକୁ ଏସସିଏସଟିଆରଟିଆଇର ନିର୍ଦ୍ଦେଶକ ଅନୁରୋଧ କରିଛନ୍ତି। ଏହି ସଂଗ୍ରହାଳୟ ମଙ୍ଗଳବାରଠାରୁ ରବିବାର ପର୍ଯ୍ୟନ୍ତ ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ଯାଏଁ ଖୋଲା ରହୁଛି।